Unknown

 

 

 

 

 

 

 

 

 

୪୧ତମ ସଂଖ୍ୟା କୋଣାର୍କ ୧୯୮୦

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

କୋଣାର୍କ

(ଓଡ଼ିଶା ସାହିତ୍ୟ ଏକାଡେମୀ ତ୍ରୈମାସିକ ମୁଖପତ୍ର)

 

ସମ୍ପାଦକ ମଣ୍ଡଳୀ

ଡଃ ସଚ୍ଚିଦାନନ୍ଦ ରାଉତରାୟ

ଡଃ ଗୋପୀନାଥ ମହାନ୍ତି

ଅଧ୍ୟାପକ ରାଜକିଶୋର ରାୟ

 

ଭାରାପ୍ରାପ୍ତ ପରିଚାଳନା ସମ୍ପାଦକ

ଶ୍ରୀ ଧୀରେନ୍ଦ୍ରନାଥ ପଟ୍ଟନାୟକ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର

ଭୁବନେଶ୍ୱର

 

ମୁଦ୍ରଣ

ପ୍ରଜାତନ୍ତ୍ର ପ୍ରେସ, କଟକ

 

 

ସମ୍ପାଦକୀୟ

ନବବର୍ଷ ୧୯୮୦ଠାରୁ ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର ‘‘କୋଣାର୍କ’’ର ନୂତନ ପ୍ରସ୍ଥରେ କିଛି ଆତ୍ମିକ ଓ ଆଙ୍ଗିକ ପରିବର୍ତ୍ତନର ପରିକଳ୍ପନା କରାଯାଇଛି ।

 

ବାର୍ଷିକ ଏହାର ଚାରିଗୋଟି ସଂଖ୍ୟାରୁ ଦୁଇଗୋଟିରେ ଓଡ଼ିଶାର ପୂର୍ବସୂରୀସିଦ୍ଧ ସାହିତ୍ୟକଙ୍କର କୃତିର ମୂଲ୍ୟାଙ୍କନ କରାଯାଇ ପ୍ରବନ୍ଧ ପ୍ରକାଶ କରାଯିବ । ପରବର୍ତ୍ତୀ ସଂଖ୍ୟାଟି ବ୍ୟାସକବି ଫକୀରମୋହନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ । ଅନ୍ୟ ଦୁଇଟି ସଂଖ୍ୟାରେ ଗବେଷଣାତ୍ମକ ପ୍ରବନ୍ଧ ସହିତ ମାନବଧର୍ମୀ ଉଚ୍ଚକୋଟୀର ଗଳ୍ପ ଓ କବିତା ସନ୍ନିବିଷ୍ଟ ହେବ ।

 

ଅତୀତର ମୂଲ୍ୟାୟନ ସହିତ ବର୍ତ୍ତମାନର ପ୍ରତିଷ୍ଠା ଭୂମି ଉପରେ ଭାବୀକାଳର ସାମ୍ଭାବ୍ୟ ସାହିତ୍ୟ ସୃଷ୍ଟିର ପ୍ରବଣତା ପ୍ରକାଶହିଁ ‘‘କୋଣାର୍କ’’ର ଆଭିମୁଖ୍ୟ ।

 

ଇତିମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦୁଇଟି ସାଂସ୍କୃତିକ ଅନୁଷ୍ଠାନରେ ଆଶାନୁରୂପ ସାଫଲ୍ୟ ଅର୍ଜନ କରିଛି । ଗୋଟିଏ : ନବ ଗଳ୍ପ ଲେଖକଙ୍କର କର୍ମଶାଳା; ଅନ୍ୟଟି : ବାଲେଶ୍ୱର ଫକୀରମୋହନ ସାହିତ୍ୟ ପରିଷଦ ସହିତ ସମନ୍ୱିତ ହୋଇ ଦୁଇ ଦିବସବ୍ୟାପୀ ସାହିତ୍ୟ-ସଂସ୍କୃତି ସମ୍ମେଳନର ଆୟୋଜନ । ଏହି ଦୁଇଟି ଅନୁଷ୍ଠାନରେ ଆଗ୍ରହ, ଉଦ୍ଦୀପନା ଓ ସମର୍ଥନର ଅଭାବ ନ ଥିଲା ।

 

ମକର ସଂକ୍ରାନ୍ତିର ପୂର୍ବାହ୍ନରେ ସାରସ୍ୱତ ତୀର୍ଥସ୍ଥାନ ‘‘ଶାନ୍ତିକାନନ’’ରେ ଜାତିର ପଥଦ୍ରଷ୍ଟା ଫକୀରମୋହନଙ୍କ ଉଦ୍ଦେଶ୍ୟରେ ସମବେତ ସାହିତ୍ୟିକ ଓ ଶିଳ୍ପୀମାନଙ୍କର ଶ୍ରଦ୍ଧାଞ୍ଜଳି ନିବେଦନ ସ୍ମରଣୀୟ ରହିବ ।

 

ସାହିତ୍ୟ ମାନବ ଜୀବନ ପ୍ରତି ମନ୍ତ୍ରସ୍ୱରୂପ । ଏହି ମନ୍ତ୍ରୋଦ୍‍ବୋଧିତ ସାହିତ୍ୟ କର୍ମ ଜୀବନର ପରିପନ୍ଥୀ ହୋଇ ନପାରେ । ମାତ୍ର ଆଜିର ଅତିମାତ୍ରିକ ବସ୍ତୁତାନ୍ତ୍ରିକବୋଧ ବସ୍ତୁସତ୍ତା ଉପରେ ନିର୍ଭର କରି ପ୍ରକାଶମାନତାରେ ସ୍ଥୂଳ ଓ ସାମୟିକ ବିନୋଦନକୁ ଗ୍ରହଣ କରୁଥିଲେ ମଧ୍ୟ କେଉଁଠି କିପରି ଗୋଟାଏ ଆନ୍ତର ସତ୍ୟର ମଧୁବର୍ଷୀ ନିର୍ଦ୍ଦେଶ ଲେଖକଙ୍କୁ ଉଚ୍ଚତର ଭାବାନୁଭୂତି ପ୍ରତି ଉନ୍ମୁଖ କରୁଅଛି ।

 

ଅଥଚ ସାମ୍ପ୍ରତିକ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଭୌତିକ ଆକର୍ଷଣରେ ଆସକ୍ତ ଭୋଗସର୍ବସ୍ୱ ଜୀବନଯାପନ ଧାରା ସେ ସତ୍ୟକୁ ପରିହାର କରୁଥିବାର ଉପଲବ୍‍ଧି ହେଉଛି । ଅନ୍ନମୟ ପିଣ୍ଡକୁ ରୁଟି ଯୋଗାଇବା ଓ ଅନ୍ନ ସଂସ୍ଥାନରେ ତାକୁ ସଜୀବ ସଚଳ କରିବାରେ ମାନବ ଜୀବନର ସର୍ବମୟ ସାର୍ଥକତା ବିଲୁପ୍ତ ହୋଇଯାଏ ନା-କି କେବଳ ଏହାରି ଗୁଣଗାନରେ ସାହିତ୍ୟ ଓ ଶିଳ୍ପର ପରିଧି ପୁଷ୍କଳ ହୋଇନପାରେ । ତଦ୍‍ପେକ୍ଷା କିଛି ମହତ୍ତର, ବୃହତ୍ତର, ରସୋତ୍ତୀର୍ଣ୍ଣ ଅନୁଭବ ମାନବ କଳ୍ପନାରେ ରହିଛି, ଯାହାର ସଫଳ ରୂପାୟନରେ ମାନବର ମୁକ୍ତି ସମ୍ଭବ ହୋଇଥାଏ ।

 

ଶତାବ୍ଦୀର ଶେଷ ପ୍ରାନ୍ତ ଓ ଆଗାମୀକାଳରେ ପୃଥିବୀ ଯେଉଁ ପ୍ରକାର ଦ୍ୱନ୍ଦ, ସଂଘର୍ଷ ଓ ଯୁଦ୍ଧର ଆବର୍ତ୍ତରେ ପଡ଼ିବାକୁ ଯାଉଛି, ସେ ପରିପ୍ରେକ୍ଷୀରେ ସାହିତ୍ୟର ବାଣୀ ଓ ପ୍ରକାଶ, ମାନବତା ଓ ସୁସ୍ଥ ପ୍ରଜ୍ଞାର ମନ୍ତ୍ରୋପମ ହେଉ, ପୂର୍ଣ୍ଣତାର ଆସ୍ୱାଦ ଦେଉ, ଏହାହିଁ କାମନା ।

 

ରାଜକିଶୋର ରାୟ

 

ସୂଚୀପତ୍ର

ବିଷୟ

ରବୀନ୍ଦ୍ରନାଥଙ୍କର ସ୍ୱଦେଶ ପ୍ରେମ ଓ ବିଶ୍ୱମାନବତା

ଶ୍ରୀ ପ୍ରାଣନାଥ ମହାନ୍ତି

ଆଧୁନିକ ଅସମୀୟା ସାହିତ୍ୟକଙ୍କର ସମାଜ ଚେତନା

ଡଃ ଫଣୀନ୍ଦ୍ର ନାରାୟଣ ଦତ୍ତବରୁଆ

ବୁଦ୍ଧାବତାର ଓ ଭାଗବତ

ପ୍ରଫେସର ପ୍ରହଲାଦ ପ୍ରଧାନ

ପ୍ରାଚୀନ ଶିଶୁ ଓ ପାଠ୍ୟପୁସ୍ତକ

ଶ୍ରୀ ରାଜକିଶୋର ରାୟ

ସିଂହାବଲୋକନ

କାଳିନ୍ଦୀଚରଣ ପାଣିଗ୍ରାହୀ

ଓଡ଼ିଆ ଶାକ୍ତ-ସାହିତ୍ୟ

ଶ୍ରୀ ନିଳମଣି ମିଶ୍ର

ବୈଦେହୀଶ ବିଳାସ ଚତୁର୍ବଂଶ ଛାନ୍ଦ ଏକ ଅଧ୍ୟୟନ

ଅଧ୍ୟାପକ କିଶୋରଚନ୍ଦ୍ର ମିଶ୍ର

ଶ୍ରୀ ଶ୍ରୀ ଗଣେଶଙ୍କର ଇତିବୃତ୍ତ

ଶ୍ରୀ ସୁଶୀଲଚନ୍ଦ୍ର ଦେ

ଏକାଡେମୀ ସମାଚାର

 

 

 

ରବୀନ୍ଦ୍ରନାଥଙ୍କର ସ୍ୱଦେଶ ପ୍ରେମ ଓ ବିଶ୍ୱମାନବତା

ଶ୍ରୀ ପ୍ରାଣନାଥ ମହାନ୍ତି ଏମ. ଏ., ଆଇ. ଏ. ଏସ.

(ଅବସରପ୍ରାପ୍ତ)

 

ବିଶ୍ୱକବି ରବୀନ୍ଦ୍ରନାଥ ବହୁ ଗୁଣର ଅଧିକାରୀ ହେଲେ କିନ୍ତୁ ମୂଳତଃ ସେ ଥିଲେ କବି । ଏହି କବି ପ୍ରତିଭାର ମାଧ୍ୟମରେ ତାଙ୍କର ସ୍ୱଦେଶପ୍ରେମ ଓ ବିଶ୍ୱମାନବତାର ଭାବନା ଆତ୍ମପ୍ରକାଶ କରିଅଛି । ସାଧାରଣ ଭାବରେ ସ୍ୱଦେଶିକତା ବିଶ୍ୱପ୍ରେମର ପ୍ରତିକୁଳ ହୋଇଥାଏ କିନ୍ତୁ ରବୀନ୍ଦ୍ରନାଥଙ୍କ ସ୍ୱଦେଶିକତା ଥିଲା ବିଶ୍ୱପ୍ରେମ ସହିତ ସାମଞ୍ଜସ୍ୟପୂର୍ଣ୍ଣ ।

 

ରବିନ୍ଦ୍ରନାଥଙ୍କ ଜନ୍ମ ଯୁଗକୁ ଭାରତବର୍ଷର ନବଜାଗରଣର ଯୁଗ ବୋଲି କୁହାଯାଏ । ନିଜେ କବି ଏହି ଯୁଗର ବୈପ୍ଳବିକ ଯୁଗ ବୋଲି କହିଛନ୍ତି । ଇଂଲଣ୍ଡରେ ସେତେବେଳେ ଭିକ୍ଟୋରିଆ ଯୁଗର ମଧ୍ୟରବି ଉଦ୍‌ଭାସିତ । ଭାରତରେ ଇଂରେଜ ରାଜତ୍ୱର ପ୍ରସାର ଓ ପ୍ରତିପତ୍ତିର ଏହା ଥିଲା ଚରମୋତ୍କର୍ଷର ଯୁଗ ।

 

ଏକ ବିରାଟ ବ୍ୟକ୍ତିର ଆବିର୍ଭାବ ଐତିହାସିକ ଏବଂ ସାମାଜିକ କାରଣରୁ ଘଟିଥାଏ; ସୁତରାଂ ରବୀନ୍ଦ୍ରନାଥଙ୍କ ଜନ୍ମ ଯୁଗରେ ଆମ ଦେଶର ରାଜନୈତିକ ଓ ସାମାଜିକ ଅବସ୍ଥା କିପରି ଥିଲା ଆଲୋଚନା କରି ଦେଖାଯାଉ ।

 

ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ହେଲା ଇଉରୋପର ଫ୍ରେଞ୍ଚ ବିପ୍ଳବ (Revolution), Reformation ଏବଂ ଶିଳ୍ପ ବିପ୍ଳବର ଯୁଗ । ଇଉରୋପର ବୈପ୍ଳବିକ ବୁଦ୍ଧିଜୀବୀ ଶ୍ରେଣୀ ଓ ଜନସାଧାରଣ ସ୍ୱେଚ୍ଛାଚାର-ତନ୍ତ୍ର-ମୂଳକ ରାଜଶକ୍ତିର ଧ୍ୱସଂ କରି ଗଣତନ୍ତ୍ର ପ୍ରତିଷ୍ଠା କରନ୍ତି । ସେହି ଯୁଗ ମତ ଓ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପାଇଁ ସଂଗ୍ରାମର ଯୁଗ । ସେତେବେଳେ ଇଉରୋପର ଯେଉଁ ଜାତି ସଙ୍ଗେ ଆମ ଦେଶର ପ୍ରତ୍ୟକ୍ଷ ସମ୍ବନ୍ଧ ହୋଇଥିଲା ସେହି ଇଂରେଜ ଜାତି ସେତେବେଳେ ବାଣିଜ୍ୟ ମାଧ୍ୟମରେ ଏସିଆ, ଆଫ୍ରିକା ଓ ଆମେରିକା ଦେଶମାନଙ୍କରେ ବସତି ଆରମ୍ଭ କରିଛି ଏବଂ ସାମ୍ରାଜ୍ୟ ବିସ୍ତାରରେ ଯତ୍ନବାନ ହୋଇଅଛି । ୧୭୫୭ ମସିହାରେ ପଲାସି ଯୁଦ୍ଧରେ ବଙ୍ଗଳା, ବିହାର ଓ ଓଡ଼ିଶାର ଶେଷ ସ୍ୱାଧୀନ ନବାନ ସିରାଜ ଉଦ୍ଦୌଲା ବ୍ରିଟିଶ ହାତରେ ପରାଜିତ ଓ ନିହତ ହେଲେ । ଇଂରେଜୀ ସୌଦାଗରଗଣ ବଙ୍ଗଳା, ବିହାର ଓ ଓଡ଼ିଶା ଜୟ କର କଲିକତା ନଗରୀକୁ କେନ୍ଦ୍ରକରି ସମଗ୍ର ଭାରତ ଅଧିକାର ପାଇଁ ଅଗ୍ରସର ହେଲେ । ୧୮୫୭-୧୮୫୮ ମସିହାର ସିପାହୀ ବିଦ୍ରୋହରେ ଭାରତରେ ହିନ୍ଦୁ ଓ ମୁସଲିମ ସାମନ୍ତ ରାଜ ଶକ୍ତିର ଆତ୍ମ ରକ୍ଷାର ପ୍ରଚେଷ୍ଟା (ଯାହାକୁ ଆମେ ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରଥମ ସ୍ୱାଧୀନତା ଯୁଦ୍ଧ ଆଖ୍ୟା ଦେଇଥାଏ) ବ୍ୟର୍ଥ ହୋଇଥିଲା । ୧୭୫୭ ମସିହାରୁ ୧୮୫୭ ମସିହା ପର୍ଯ୍ୟନ୍ତ ଏହି ଏକଶତ ବର୍ଷରେ ଭାରତରେ ବ୍ରିଟିଶ ସାମ୍ରାଜ୍ୟର ବିସ୍ତାର ସଂପୂର୍ଣ୍ଣ ହୋଇଥିଲା । ଏହି ଏକଶତ ବର୍ଷ ମଧ୍ୟରେ ବଙ୍ଗଳାରେ ବ୍ରିଟିଶ ଶାସନ ଦୃଢ଼ ଭିତ୍ତିରେ ପ୍ରତିଷ୍ଠିତ ହୋଇଥିଲା । ଚିରସ୍ଥାୟୀ ଜମିଦାରୀ ବ୍ୟବସ୍ଥାଦ୍ୱାରା ବଙ୍ଗଳା ଦେଶରେ ଜମିଦାର ଶ୍ରେଣୀର ଉଦ୍‌ଭବ ହେବା ସଙ୍ଗେ ସଙ୍ଗେ ଯେଉଁ ଗ୍ରାମ ଆମ ଜାତିର ମେରୁଦଣ୍ଡ, ଆର୍ଥିକ, ସାମାଜିକ-ଦେହର ଆତ୍ମା ଥିଲା, ସେହି ଗ୍ରାମର ଅଧିପତି ଜମିଦାର ହେବାରୁ ଜମିଦାର ଶ୍ରେଣୀ ଅର୍ଥର ମଧ୍ୟ ଅଧିପତି ହୋଇଥିଲେ । ସେହି ଅର୍ଥ ଇଂରେଜଙ୍କ ଶିଳ୍ପ ବ୍ୟବସାୟରେ ପୁଞ୍ଜି ହୋଇଗଲା । ଉଚ୍ଚଶିକ୍ଷା ପାଇଁ ପିଲାମାନେ ଇଂଲଣ୍ଡକୁ ଗଲେ । ବିଲାତର ଅଧିବାସୀଙ୍କର ଚରିତ୍ର ଓ ରାଷ୍ଟ୍ରୀୟ ବ୍ୟବସ୍ଥାରେ ଗଣତାନ୍ତ୍ରିକ ନୀତି ସେମାନଙ୍କୁ ମୁଗ୍‌ଧ କଲା । ପାଶ୍ଚାତ୍ୟ ଶିକ୍ଷା ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରର ମନୁଷ୍ୟ ସହିତ ସଂସ୍ପର୍ଶଦ୍ୱାରା ଜାତୀୟ ଚେତନାର ଉନ୍ମେଷ ହେଲା ।

 

ରବୀନ୍ଦ୍ରନାଥଙ୍କ ପିତାମହ ଦ୍ୱାରକାନାଥ ଠାକୁର ଇଷ୍ଟ ଇଣ୍ଡିଆ କମ୍ପାନୀ ସହିତ ବ୍ୟବସାୟ ବାଣିଜ୍ୟ କରି ପ୍ରଭୂତ ଧନ ସଞ୍ଚୟ ଓ ଜମିଦାରୀ କ୍ରୟ କରିଥିଲେ । ସମଗ୍ର ଊନବିଂଶ ଶତାବ୍ଦୀର ଜାତୀୟ ଜାଗରଣର କେନ୍ଦ୍ର ହେଲା କଲିକତାର ଶିକ୍ଷିତ ସମାଜ ଏବଂ ଏହି ଶିକ୍ଷିତ ଶ୍ରେଣୀର ଅଗ୍ୟଗଣ୍ୟ ହେଲେ ଠାକୁର ପରିବାର । ଏକ ଦିଗରେ ଇଂରେଜ ରାଜକର୍ମଚାରୀଗଣ, ଅନ୍ୟ ଦିଗରେ କଲିକତାର ବିଶିଷ୍ଟ ଇଂରେଜୀ-ଶିକ୍ଷିତ ବ୍ୟକ୍ତିବର୍ଗ, ଏହି ଠାକୁର ପରିବାରରେ ମିଳିତ ହେଉଥିଲେ ସାମାଜିକ, ରାଷ୍ଟ୍ରିକ ଓ କୃଷ୍ଟିମୂଳକ ଅନୁଷ୍ଠାନରେ । ନାରୀ ଶିକ୍ଷାର ପ୍ରବର୍ତ୍ତନରେ ମଧ୍ୟ ଏହି ଠାକୁର ପରିବାର ଅଗ୍ରଗଣ୍ୟ ଥିଲେ ।

 

କବିଗୁରୁଙ୍କ ଜନ୍ମ ପୂର୍ବ ଏକଶତ ବର୍ଷର ରାଷ୍ଟ୍ରିକ ଓ ସାମାଜିକ ଅବସ୍ଥାରେ ପାଶ୍ଚାତ୍ୟ ଶିକ୍ଷିତ ନବ୍ୟ ବଙ୍ଗଳାବାସୀଙ୍କ ମଧ୍ୟରେ ରାଷ୍ଟ୍ର, ଧର୍ମ ଓ ସାମାଜତତ୍ତ୍ୱରେ ନୂତନ ମତବାଦ ଦେଖା ଯାଇଥିଲା-ଯାହା ଥିଲା ବ୍ୟକ୍ତି ସ୍ୱାତନ୍ତ୍ର୍ୟ ଓ ଆତ୍ମବିକାଶର ସ୍ୱାଧୀନତାର ବାଣୀ । ଯେଉଁମାନେ ଏହି ନୂତନ ମତବାଦର ପ୍ରବର୍ତ୍ତକ ଥିଲେ, ସେମାନେ ହେଲେ-ରାଜା ରାମମୋହନ ରାୟ, ମହର୍ଷି ଦେବେନ୍ଦ୍ରନାଥ ଠାକୁର, ବିଖ୍ୟାତ ବ୍ରାହ୍ମ କେଶବଚନ୍ଦ୍ର ସେନ, ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ସାହିତ୍ୟକ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଏବଂ ଆହୁରି ଅନେକ । ରାଷ୍ଟ୍ର, ଧର୍ମ, ସମାଜ-ସଂସ୍କାର ଏବଂ ସାହିତ୍ୟରେ ଏହି ନୂତନ ମତବାଦ ବଙ୍ଗଦେଶର ଯୌବନଚିତ୍ତକୁ ସ୍ପନ୍ଦିତ କଲା । ରବୀନ୍ଦ୍ରନାଥ ଯେଉଁ ଘରେ ଜନ୍ମ ନେଲେ ସେହି ଠାକୁର ପରିବାର ଥିଲା ନବ୍ୟବଙ୍ଗର ବିପ୍ଳବିକ ମତବାଦର ଧାରକ ଓ ବାହକ, ପିତା ମହର୍ଷି ଦେବନ୍ଦ୍ରନାଥ ଠାକୁର, ରାଜା ରାମମୋହନ ରାୟ ପ୍ରବର୍ତ୍ତିତ ଉପନିଷଦର ବ୍ରହ୍ମତତ୍ତ୍ୱକୁ ଗୁଞ୍ଜରିତ କଲେ ନବୀନ ଯୁବକ ଚିତ୍ତର ଅନ୍ତଃସ୍ଥଳରେ । ସେ ଯୁଗର ରବୀନ୍ଦ୍ରନାଥଙ୍କ ଅଗ୍ରଜଗଣ ସଙ୍ଗୀତ, ଚିତ୍ରାଙ୍କନ, ସ୍ଥାପିତ୍ୟଶିଳ୍ପ ଓ ସାହିତ୍ୟରେ ନବଭାବର ବାହକ ଥିଲେ ଏବଂ ବିଧ ପାରିବାରିକ ଆବେଷ୍ଟନ ଓ ସାମାଜିକ ପରିବେଶରେ ରବୀନ୍ଦ୍ରନାଥ ବର୍ଦ୍ଧିତ ହୋଇଥିଲେ; ତେଣୁ ଏହିସବୁ ଗୁଣ ନିର୍ଭର ବାଲ୍ୟକାଳରେହିଁ ହୋଇ, ତାଙ୍କ ଚିତ୍ତ ବିକଶିତ ହୋଇଥିଲା । ପିତାଙ୍କ ପାଖରୁ ଉପନିଷଦର ବାଣୀ ସବୁର ତତ୍ତ୍ୱ ଶିକ୍ଷାଲାଭ କରି ପରିଣତ ବୟସରେ ତାଙ୍କର ଜ୍ଞାନ ପ୍ରକୃତିର ସୀମା ଲଙ୍ଘନ କରି ଅସୀମରେ ଲୀନ ହୋଇଥିଲା ଏବଂ ତାଙ୍କର ଜୀବନଦର୍ଶନ ମାନବପ୍ରେମରେ ପରିପୂର୍ଣ୍ଣତା ଲାଭ କରିଥିଲା । ସେ ପିତୃପ୍ରଦତ୍ତ ବ୍ରହ୍ମବାଦର ମୁକ୍ତିମାର୍ଗ ଛାଡ଼ି ତାଙ୍କର ସୁଦୂର-ପ୍ରସାରୀ ମାନସିକ ଦୃଷ୍ଟିରେ ବ୍ରହ୍ମ ବା ଈଶ୍ୱରସତ୍ତାର ଉପଲବ୍‌ଧି କଲେ । ବିଶ୍ୱକୁ ଦେଖିଲେ ଚିରନ୍ତନ ସତ୍ୟରୂପରେ-ଅନୁଭବ କଲେ ଈଶ୍ୱର, ମନୁଷ୍ୟ ଓ ବିଶ୍ୱ ପ୍ରକୃତି ମଧ୍ୟରେ ଐକ୍ୟବୋଧ ଅପୂର୍ବ ସାମଞ୍ଜସ୍ୟ ।

 

ସେ ଗାନ କଲେ :-

‘‘ବୈରାଗ୍ୟ ସାଧନେ ମୁକ୍ତି ସେ ଆମାର ନୟ

ଅସଂଖ୍ୟ ବନ୍ଧନ ମାଝେ ଲଭିବ ମୁକ୍ତିର ସ୍ୱାଦ ମହାନନ୍ଦମୟ ।’’

 

ଅନ୍ୟତ୍ର :-

‘‘ଯେଥାୟ ଥାକେ ସବାର ଅଧମ ଦୀନେର ହାତେ ଦୀନ

ସେଇଖାନେ ଯେ ଚରଣ ତୋମାର ରାଜେ

ସବାର ପିଛେ ସବାର ନୀଚେ

ସବ ହାରାଦେର ମାଝେ ।’’

 

ବାଲ୍ୟକାଳରେ ତାଙ୍କ ପ୍ରଥମ କବିତାରେ ପରିସ୍ଫୁରିତ ହେଲା, ଜନ୍ମଭୂମି ଭାରତର ପରାଧୀନତାରେ ଗଭୀର ବେଦନାବୋଧ । ପ୍ରୌଢ଼ାବସ୍ଥାରେ ସ୍ୱଦେଶୀ ଆନ୍ଦୋଳନ ଯୁଗରେ ସେ ଲେଖିଲେ-

 

‘‘ସାର୍ଥକ ଜନମ ଆମାର ଜନ୍ମେଛି ଏଇ ଦେଶେ

ସାର୍ଥକ ଜନମ ମାଗୋ ତୋମାର ଭାଲବେସେ ।’’

 

ରବୀନ୍ଦ୍ରନାଥ ୧୯୦୪-୧୯୦୬ର ବଙ୍ଗଭଙ୍ଗ ରୋଧ ଆନ୍ଦୋଳନାରେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ । ସାହିତ୍ୟ ସାଧନାରୁ ଆସି ଏହି ପ୍ରଥମ ସେ ରାଜନୈତିକ ସଭାସମିତିରେ ଯୋଗଦାନ କରିବାକୁ ଲାଗିଲା । ସେତେବେଳେ ଦକ୍ଷିଣ-ପଶ୍ଚିମ ଭାରତରେ ମରଟ୍ଟା ଦେଶରେ ବାଳଗଙ୍ଗାଧର ତିଳକଙ୍କ ନେତୃତ୍ୱରେ ବ୍ରିଟିଶରାଜା-ବିରୋଧୀ ଆନ୍ଦୋଳନ ଚଳୁଥିଲା । ଭାରତର ପୂର୍ବ ଓ ପଶ୍ଚିମ ପ୍ରାନ୍ତର ଦୁଇ ଜାତୀୟ ଆନ୍ଦୋଳନକୁ ଐକ୍ୟବଦ୍ଧଭାବରେ ଗଢ଼ିତୋଳିବା ଚେଷ୍ଟା ହେଉଥୁଲା । ମରଟ୍ଟା-ବୀର ଛତ୍ରପତି ଶିବାଜୀ ମୋଗଲ ରାଜଶକ୍ତିର ବିରୋଧରେ ଆମରଣ ସଂଗ୍ରାମ କରି ଭାରତର ଜାତୀୟ ଇତିହାସରେ ଯେଉଁ ତ୍ୟାଗର ଐତିହ୍ୟ ଓ ଜାତୀୟ ପ୍ରେରଣା ରଖିଯାଇଥିଲେ-ତାକୁ ଅବଲମ୍ବନ କରି ସେଦିନ ମରଟ୍ଟା ଓ ବଙ୍ଗଳାର ଭୌଗୋଳିକ ବ୍ୟବଧାନ ମଝିରେ ସେତୁ ନିର୍ମାଣ କରାହେଲା । ରବୀନ୍ଦ୍ରନାଥ ଉତ୍ସବ-ସ୍ମରଣରେ ଲେଖିଥିଲେ:-

 

‘‘କୋନ୍‌ଦୂର ଶତାବ୍ଦେର କୋନ୍‌ ଏକ ଅଖ୍ୟାତ ଦିବସେ

ନାହି ଜାନି ଆଜି

ମାରାଠାର କୋନ୍‌ ଶୈଳେ ଅରଣ୍ୟେର ଅନ୍ଧକାରେ ବସେ

ହେ ରାଜା ଶିବାଜୀ

ତବ ଭାଲ ଉଦ୍‌ଭାସୟା ଏ ଭାବନା ତଡ଼ିତ୍‌ ପ୍ରଭାବତ୍‌

ଏସେଛିଲ ନାମି-

ଏକ ଧର୍ମରାଜ୍ୟ ପାଶେ ଖଣ୍ଡ ଛିନ୍ନ ବିକ୍ଷିପ୍ତ ଭାରତ

ବେଁଧେ ଦିବ ଆମି ।’’

 

ରବୀନ୍ଦ୍ରନାଥ ସ୍ୱଦେଶୀ ଆନ୍ଦୋଳନ ଯୁଗରେ ନେତୃତ୍ୱ ମଧ୍ୟ ଗ୍ରହଣ କରିଥିଲେ । ୧୯୦୬ ବଙ୍ଗୀୟ ରାଜନୈତିକ ସମ୍ମେଳନରେ ପାବନା ଅଧିବେଶନରେ ସଭାପତିତ୍ୱ କରିଥିଲେ । ସେ ଅନୁଭବ କରିଥିଲେ ଯେ ଜାତୀୟ ଆନ୍ଦୋଳନ କେବଳ ଭଦ୍ରସମାଜ ମଧ୍ୟରେ ସୀମାବଦ୍ଧ ରହିଛି, ଜନଗଣ ମଧ୍ୟରେ କୌଣସି ଆଲୋଡ଼ନ ଜଗାଇ ନାହିଁ । ମୁସଲମାନ ସମ୍ପ୍ରଦାୟ ଏଥିରେ ଅଂଶ ଗ୍ରହଣ କରିନାହିଁ; ତା ଛଡ଼ା ସାଂଗଠନିକ ଏପରି କୌଣସି କର୍ମତାଲିକା ନାହିଁ ଯହିଁରେ ଜନଗଣଙ୍କ ସହିତ ଯୋଗସୂତ୍ର ସ୍ଥାପନ କରାଯିବ । ତେଣୁ ସେ ତାଙ୍କ ସଭାପତିତ୍ୱର ଅଭିଭାଷଣରେ ସଂଗଠନ ଓ ଗଣସଂଯୋଗର ବିଷୟ ଉଲ୍ଲେଖ କରିଥିଲେ । କିନ୍ତୁ ସେଦିନ ତାଙ୍କ କଥାରେ କେହି କର୍ଣ୍ଣପାତ କରି ନଥିଲେ । ସେ ବୁଝି ପାରିଥିଲେ ଯେ କେବଳ ଉତ୍ତେଜନା ଓ ପ୍ରଚାରଦ୍ୱାରା କାର୍ଯ୍ୟୋଦ୍ଧାର ହେବ ନାହିଁ । ତେଣୁ ସେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ଗ୍ରହଣ କଲେ । ୧୯୦୬ ମସିହାରେ କଲିକତା ଓ ବଙ୍ଗଳାର ଜିଲ୍ଲାମାନଙ୍କରେ ବିପ୍ଲବୀମାନଙ୍କର ଗୁପ୍ତ ସମିତି ସବୁ ଗଭର୍ଣ୍ଣମେଣ୍ଟଙ୍କ ଗୋଇନ୍ଦା ବିଭାଗର ଗୋଚରୀଭୂତ ହେବାରୁ, ବ୍ୟାପକ ଗ୍ରେପ୍ତାର ଓ ଖାନ୍‌ତଲାସି ହୋଇଥିଲା । ବିପ୍ଲବୀମାନଙ୍କ ନେତା ଶ୍ରୀ ଅରବିନ୍ଦ ଘୋଷ ଗିରଫ ହୋଇଥିଲେ । ବିଚାରରେ ନିରପରାଧ ପ୍ରମାଣିତ ହେବାରୁ ଏକବର୍ଷ କାରାଭୋଗ ପରେ ମୁକ୍ତିଲାଭ କରିଥିଲେ । ଶ୍ରୀ ଅରବିନ୍ଦଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନରେ କବି ଗୁରୁ ଲେଖିଥିଲେ:-

 

‘‘ଅରବିନ୍ଦ ରବୀନ୍ଦ୍ରେର ଲହ ନମସ୍କାର

ହେ ବନ୍ଧୁ, ହେ ଦେଶବନ୍ଧୁ, ସ୍ୱଦେଶ ଆତ୍ମାର

ବାଣୀ ମୂର୍ତ୍ତି ତୁମି । ତୋମା ଲାଗି ନହେ ମାନ,

ନହେ ଧନ, ନହେ ସୁଖ, କୋନ କ୍ଷୁଦ୍ର ଦାନ

ଚାହ ନାହିଁ କୋନ କ୍ଷୁଦ୍ର କୃପା, ଭିକ୍ଷା ଲାଗି

ବାଡ଼ାଓନି ଆତୁର ଅଞ୍ଜଳି ।’’

 

୧୯୧୪ ମସିହାରେ ଇଉରୋପରେ ମହାଯୁଦ୍ଧ ଆରମ୍ଭ ହେଲା । ପରାଧୀନ ଭାରତ ବ୍ରିଟିଶ ଗଭର୍ଣ୍ଣମେଣ୍ଟର ଇଚ୍ଛାରେ ସେହି ଯୁଦ୍ଧରେ ଯୋଗ ଦେବାକୁ ବାଧ୍ୟ ହେଲା । ଦେଶର ନେତୃବୃନ୍ଦ ଜାତୀୟ କଂଗ୍ରେସରେ ଦାବୀ ଉତ୍‌ଥାନ କରିଥିଲେ-ହୋମ୍‍ରୁଲ୍‌ ବା ସ୍ୱରାଜ । ଇଂରେଜ ମହିଳା ଏନି ବେସାନ୍ତ ହୋମ୍‌ରୁଲ୍‌ ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରିବାରୁ ଗଭର୍ଣ୍ଣମେଣ୍ଟ ତାଙ୍କୁ ବିନା ବିଚାରରେ ଅଟକ ବା ଅନ୍ତରୀଣ କରିଥିଲେ । ଦେଶରେ ପ୍ରବଳ ବିକ୍ଷୋଭ ଖେଦାଦେଲା । ରବୀନ୍ଦ୍ର ନାଥ କଲିକତାର ଏକ ବିରାଟ ଜନସଭାରେ ଏନି ବେସାନ୍ତଙ୍କ ଗ୍ରେପ୍ତାରର ପ୍ରତିବାଦ କରିଥିଲେ ।

 

ପ୍ରଥମ ମହାଯୁଦ୍ଧର ଅବସାନରେ ସ୍ୱାଧୀନତାର ଦାବୀଦ୍ୱାରା ଗଣ-ବିକ୍ଷୋଭ ପ୍ରବଳତ୍ତର ହେବାକୁ ଲାଗିଲା । ଗଭର୍ଣ୍ଣମେଣ୍ଟ ରାଉଲାଟ୍‌ ଆଇନ୍‌ ପାଶ କରି ମନୁଷ୍ୟର ଗଣତାନ୍ତ୍ରିକ ଅଧିକାର ସଭାସମିତି ଓ ସମ୍ବାଦପତ୍ର ପ୍ରଚାର ବନ୍ଦ କରିଥିଲେ । ଏହି ଆଇନର ପ୍ରତିବାଦରେ ଅମୃତ ସହରର ଜାଲିୟାନଓୟାଲା ବାଗରେ ଏକ ଶାନ୍ତିପୂର୍ଣ୍ଣ ଜନସଭାରେ ଇଂରେଜ ଶାସକଗଣ ନିର୍ବିଚାର ଭାବରେ ଗୁଳିବର୍ଷଣଦ୍ୱାରା ବହୁ ନରନାରୀ ଓ ଶିଶୁ ହତ୍ୟା କଲେ । ଏହି ହତ୍ୟାକାଣ୍ଡ ଭାରତବାସୀଗଣ ନୀରବରେ ସହ୍ୟ କରି ନ ଥିଲେ । ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଦେଶରେ ଅହିଂସା ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ଏହି ହତ୍ୟାକାଣ୍ଡର ପ୍ରତିବାଦସ୍ୱରୂପ ରବୀନ୍ଦ୍ରନାଥ ଭାରତ ସମ୍ରାଟ ପ୍ରଦତ୍ତ ‘‘ନାଟଇ’’ ଉପାଧି ତ୍ୟାଗ କଲେ । ଉତ୍ତରୋତ୍ତର ଭାରତରେ ବ୍ରିଟିଶ ଶାସନ ଅତ୍ୟାଚାର ଓ ଦମନ ମୂଳକ ହୋଇ ଉଠିଲାରୁ ସେ ଦୁଃଖ କରି ଲେଖିଥିଲେ:- ‘‘ୟୁରୋପରେ ଚରିତ୍ରେର ପ୍ରତି ଆସ୍ଥା ନିୟେଇ ଆମାଦେର୍‌ ନବଯୁଗରେ ଆରମ୍ଭ ହୟେଛିଲ । ଦେଖେଛିଲାମ ଜ୍ଞାନେର କ୍ଷେତ୍ରେ ୟୁରୋପ ମାନୁଷେର ମୋହମୁକ୍ତ ବୁଦ୍ଧିକେ ଶ୍ରଦ୍ଧା କରେଛେ ଏବଂ ବ୍ୟବହାରରେ କ୍ଷେତ୍ରେ ସ୍ୱୀକାର କରେଛେ ତାର ନ୍ୟାୟସଙ୍ଗତ ଅଧିକାରକେ । ଅନେକଦିନ ଆଶା କରେଛିଲାମ ବିଶ୍ୱ ଇତିହାସରେ ସଙ୍ଗେ ଆମାଦେର ଓ ସାମଞ୍ଜସ୍ୟ ହବେ, ଆମାଦେର ଓ ରାଷ୍ଟ୍ରଜାତିକ ରଥ ଚଲବେ ସାମନେର ଦିକେ ଏବଂ ଏଓ ମନେ ଛିଲ ଯେ ଏଇ ଚଲାର ପଥେ ଟାନ ଦେବେ ସ୍ୱୟଂ ଇଂରେଜଓ । ଅନେକଦିନ ତାକିୟେ ଦେଖେ ଅବଶେଷେ ଦେଖଲୁମ, ଚକା ବନ୍ଦ । ଆଜି ଇଂରେଜ ଶାସନରେ ପ୍ରଧାନ ଗର୍ବ ‘‘ଲ ଏବଂ ଆର୍ଡ଼ାର’’ ବିଧିଓ ବ୍ୟବସ୍ଥା ନିୟେ ।’’

 

ରବୀନ୍ଦ୍ରନାଥଙ୍କ ସ୍ୱାଦେଶିକତାରେ ରାଜନୀତିର ଦଳାଦଳିର ସ୍ଥାନ ନ ଥିଲା । ସେ ଯେପରି ସ୍ୱଦେଶରେ ଛୋଟ ବଡ଼ ସବୁ ମନୁଷ୍ୟ ଗୋଷ୍ଠୀକୁ ଐକ୍ୟବଦ୍ଧ ହେବାର ଆହ୍ୱାନ ଜଣାଇଥିଲେ, ସେପରି ହିନ୍ଦୁ-ମୁସଲିମ ଐକ୍ୟ ସ୍ୱାଧୀନତା-ଅର୍ଜନ ପାଇଁ ଯେ ଏକାନ୍ତ ପ୍ରୟୋଜନ ତାହାର ବାରମ୍ବାର ତାଙ୍କ ଲେଖନୀରେ ପ୍ରକାଶ କରିଥିଲେ-‘‘ଆସଲ କଥା ଆମରା ଏକ ନଇ, ଆମାଦେର ନିଜେଦରେ ମଧ୍ୟେ ଭେଦେର ଅନ୍ତ ନେଇ । ଭେଦଟା ଦୁଃଖ, ଐଟେଇ ପାପ, ସେ ଭେଦି ବିଦେଶୀର ସଙ୍ଗେ ହୋକ ଆର ସ୍ୱଦେଶୀର ସଙ୍ଗେଇ ହୋକ । ସମାଜଟାକେ ଏକଟା ଭେଦ ବିହୀନ ବୃହତ୍‌ଦେହେର ମତ ବ୍ୟବହାର କରତେ ପାରି କଖନ ? ଯଖନ ତାର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗେର ମଧ୍ୟେ ବୋଧଶକ୍ତିର ପ୍ରାଣଗତ ଯୋଗ ଥାକେ.... ।’’

 

‘‘ସୁଇଜରଲ୍ୟାଣ୍ଡେ ଭିନ୍ନ ଭିନ୍ନ ଜାତ ପାଶାପାଣି ରୟେଛେ-ତବୁଓ ତାରା ଏକ ନେଶନ । ସେଖାନେ ପରସ୍ପରେର ମଧ୍ୟେ ରକ୍ତ ବିମିଶ୍ରଣେ କୋନ ବାଧା ନାଇ-ଧର୍ମେ ବା ଆଚାରେ ବା ସଂସ୍କାରେ । ଯାଁରା ନିଜେଦେର ଏକ ମହାଜାତ ବଲେ କଳ୍ପନା କରେନ ତାଁଦେର ମଧ୍ୟେ ସେଇ ନାଡ଼ୀର ମିଳନେର ପଥ ଧର୍ମେର ଶାସନେ ଚିରଦିନେର ଜନ୍ୟ ଯଦି ଅବରୁଦ୍ଧ ଥାକେ ତାହଲେ ତାଁଦେର ମିଳନ କଖନଇ ପ୍ରାଣେର ମିଳନ ହତେ ପାରେ ନା । ଜାତୀୟ ଐକ୍ୟେର ଆଦିମ ଅର୍ଥ ହଚ୍ଛେ ଜନ୍ମଗତ ଐକ୍ୟ । ଯାରା ଭେଦକେ ନିଜେଦେର ମଧ୍ୟେ ଇଚ୍ଛେ କରେ ପୋଷଣ କରେ ତାରା ସ୍ୱାଧୀନତା ରାୟ-ଏକଥାର କୋନ ଅର୍ଥ ହୟନା ।’’

 

ସ୍ୱାଧୀନତା ପାଇଁ ମୁଷ୍ଟିମେୟ ଯୁବକଙ୍କ ଆତ୍ମତ୍ୟାଗ ଓ ଦୁଃଖବରଣକୁ ସେ ପରମ ଶ୍ରଦ୍ଧା ନିବେଦନ କରି ମଧ୍ୟ ଏହାର ତ୍ରୁଟି ସମ୍ବନ୍ଧରେ ଲେଖିଛନ୍ତି-‘‘ସେଦିନକାର ସେଇ ଦୁଃସାହସିକ ଯୁବକେରା ଭେବେଛିଲେନ ସମସ୍ତ ଦେଶେର ହୟେ ତାଁରା କୟଜନ ଆତ୍ମୋତ୍ସର୍ଗଦ୍ୱାରା ରାଷ୍ଟ୍ରବିପ୍ଲବ ଘଟାବେନ । କିନ୍ତୁ ତାଁରା ଆଜ ବୁଝେଛେନ, ସମଗ୍ର ଦେଶ ବଲେ ଏକଟା ଜିନିଷ ସମସ୍ତ ଲୋକେର ସୃଷ୍ଟି ସମସ୍ତ ଦେଶେର ଅନ୍ତଃକରଣଥେକେ ସମସ୍ତ ଦେଶେର ଉଦ୍ଧାର ଜେଗେ ଓଠେ, ତାର କୋନ ଏକଟା ଅଂଶ ଥେକେ ନୟ ।’’

 

ତାପରେ ଯେତେବେଳେ ବ୍ରିଟିଶ ରାଜଶକ୍ତିର ବର୍ବର ଅତ୍ୟାଚାର ସହିବା ସୀମା ଅତିକ୍ରମ କରି ଦେଶର ମନୁଷ୍ୟମାନଙ୍କ ମଧ୍ୟରେ ବିକ୍ଷୋଭ ସୃଷ୍ଟି କଲା, ସେତେବେଳେ ମହାତ୍ମା ଗାନ୍ଧୀ ଆହ୍ୱାନ କଲେ ଭାରତର ଆପାମର ଜନସାଧାରଣଙ୍କୁ ପରାଧୀନତାର ବନ୍ଧନ ମୁକ୍ତିର ସଂଗ୍ରାମକୁ-ସ୍ୱରାଜ-ଲାଭକୁ । ରବୀନ୍ଦ୍ର ନାଥ ଗାନ୍ଧୀଙ୍କର ଏ ଆହ୍ୱାନକୁ କହିଥିଲେ-ସତ୍ୟର ଆହ୍ୱାନ । ସେ ଲେଖିଥିଲେ ‘‘ବଙ୍ଗବିଭାଗେର ଆନ୍ଦୋଳନେର ପରେ ଏବାର ଦେଶେ ଯେ ଆନ୍ଦୋଳନ ଉପସ୍ଥିତ ହୟେଛେ ତାର ପରିଣାମ ଆରଓ ଅନେକ ବଡ଼, ସମସ୍ତ ଭାରତବର୍ଷ ଜୁଡ଼େ ତାର ପ୍ରଭାବ । ବହୁଦିନଧରେ ଆମାଦେର ପଲିଟିକେଲ ନେତାରା ଇଂରେଜିପଢ଼ା ଦଳେର ବାଇରେ ତାକାନନି-କେନନା ତାଁର ଦେଶ ଛିଲ ଇଂରେଜି ଇତିହାସ ପଢ଼ା ଏକଟା ପୁଁଥିଗତ ଦେଶ । ତାର ମଧ୍ୟେ ପ୍ରକୃତ ଆତ୍ମତ୍ୟାଗ ବା ଦେଶର ମାନୁଷେର ପ୍ରତି ଯଥାର୍ଥ ଦରଦ ଦେଖା ଯାୟନି । ଏମନ ସମୟ ମହାତ୍ମା ଗାନ୍ଧୀ ଏସେ ଦାଁ ଡାଲେନ ଭାରତେର ବହୁକୋଟି ଗରିବେର ଦ୍ୱାରେତାଦେରଇ ସଙ୍ଗେ କଥା କଇଲେନ ତାଦେର ଆପନ ଭାଷାୟ । ମହାତ୍ମା ତାଁର ସତ୍ୟପ୍ରେମେରଦ୍ୱାରା ଭାରତେର ହୃଦୟ ଜୟ କରେଛେନ ।’’

 

ରବୀନ୍ଦ୍ରନାଥଙ୍କ ସ୍ୱଦେଶ ପ୍ରେମ ଓ ମାନବତାର ମଧ୍ୟରେ ଆଦର୍ଶର ଐକ୍ୟ ବୋଧ ଥିଲା ବୋଲି ନିପୀଡ଼ିତ ଜନସାଧାରଣଙ୍କ ପ୍ରତି ତାଙ୍କର ସ୍ନେହ ଥିଲା ଅସୀମ । କି ଦେଶ କାର୍ଯ୍ୟରେ କି ସାମାଜିକତାରେ, କି ବ୍ୟକ୍ତିଗତ ବ୍ୟବହାରରେ, ଯେଉଁଠାରେ ସେ ସେମାନଙ୍କ ପ୍ରତି ଅବହେଳା ଓ ଅବଜ୍ଞା ଲକ୍ଷ୍ୟ କରିଥିଲେ ସେହିଠାରେହିଁ ତାଙ୍କର ଅନ୍ତର ବ୍ୟଥିତ ହୋଇଥିଲା ଏବଂ ସେ ଲେଖିଥିଲେ-

 

‘‘ହେ ମୋର ଦୁର୍ଭାଗାଦେଶ ଯାଦେର କରେଛ ଅପମାନ,

ଅପମାନେ ହତେ ହବେ ତାହାଦେର ସବାର ସମାନ

ମାନୁଷେର ଅଧିକାରେ ବଞ୍ଚିତ କରେଛ ଯାରେ

ସମ୍ମୁଖେ ଦାଁ ଡାୟେ ରେଖେ ତବୁ କୋଳେ ଦାଓନାଇ ସ୍ଥାନ

ଅପମାନେ ହତେ ହବେ ତାହାଦେର ସବାର ସମାନ ।’’

 

ଆମ୍ଭେମାନେ ମନୁଷ୍ୟକୁ ନୀଚ, ପତିତ, ଅବହେଳିତ କରିରଖି ଅନ୍ୱେଷଣକରୁଛୁ ଈଶ୍ୱରଙ୍କୁ ଚିରନ୍ତନ ସୁଖ ଓ ସ୍ୱର୍ଗ ଲାଭର ଆଶାରେ । କବିଗୁରୁ ଭଗବାନଙ୍କୁ ଖୋଜିବାକୁ କହିଛନ୍ତି ନୀଚ ପତିତର ଗୃହରେ-ସେମାନଙ୍କ ସଙ୍ଗେ କର୍ମେଯୋଗରେ ଏକ ହୋଇ । ତେଣୁ ସେ ଲେଖିଥିଲେ:-

 

‘‘ଅନ୍ଧକାରେ ଲୁକିୟେ ଆପନ ମନେ

କାହାରେ ତୁଇ ଖୁଜିସ ସଂଗୋପନେ

ନୟନ ମେଲେ ଦେଖ ଦେଖି ତୁଇ ଚେୟେ

ଦେବତା ନାଇ ଘରେ ।

ତିନି ଗେଛେନ ଯେଥାୟ ମାଟି ଭେଙ୍ଗେ

କରଛେ ଚାଷା ଚାଷ

ପାଥର ଭେଙ୍ଗେ କାଟଛେ ଯେଥା ପଥ,

ଖାଟଛେ ବାରୋ ମାସ

ରୌଦ୍ର ଜଳେ ଆଛେନ ସବାର ସାଥେ,

ଧୂଳା ତାଁହାର ଲେଗେଛେ ଦୁଇ ହାତେ,

ତାଁରି ମତନ ଶୁଚି ବସନ ଛାଡ଼ି

ଆୟରେ ଧଳାର ପରେ ।’’

 

ଏ ସ୍ଥଳରେ ଗୀତାରେ ଭଗବାନଙ୍କ ନିର୍ଦ୍ଦେଶ ପ୍ରଣିଧାନ ଯୋଗ୍ୟ

ଯଥା-

‘‘ସର୍ବଭୂତସ୍ଥ ମାତ୍ମାନଂ ସର୍ବଭୂତାନି ଚାତ୍ମନି

ଈକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ ।।’’

 

ମହାତ୍ମାଗାନ୍ଧୀଙ୍କର ଅସ୍ପୃଶ୍ୟତା ବର୍ଜନ ଆନ୍ଦୋଳନ ସାରା ଭାରତରେ ବିସ୍ତାର ଲାଭ କରନ୍ତେ କବିଗୁରୁ ଉତ୍ତରଭାରତର ଧର୍ମ ଓ ସମାଜ ସଂସ୍କାରକ ରାମାନନ୍ଦ ଓ କବୀରଙ୍କ କାହାଣୀ ଅବଲମ୍ବନରେ ଲେଖିଥିଲେ-

 

‘‘କବୀର ବସେଛେନ ତାଁର ପ୍ରାଙ୍ଗଣେ

କାପଡ଼୍ ବୁନଛେନ ଆର ଗାନ ଗାଇଛେନ ଗୁନ ଗୁନ କରେ,

ରାମାନନ୍ଦ ବସଲେନ ପାଶେ

କଣ୍ଠ ତାର ଧରଲେନ ଜଡ଼ିୟେ ।

କବୀର ବ୍ୟସ୍ତ ହୟେ ବଲଲେନ

ପ୍ରଭୁ ଜାତିତେ ଆମି ମୁସଲମାନ

ଆମି ଜୋଲା, ନୀଚ ଆମାର ବୃତ୍ତି ।

ରାମାନନ୍ଦ ବଲଲେନ-ଏତଦିନ ତୋମାର ସଙ୍ଗ ପାଇନି ବନ୍ଧୁ

ତାଇ ଅନ୍ତରେ ଆମି ନଗ୍ନ

ଚିତ୍ତ ଆମାର ଧୂଳାୟ ମଳିନ,

ଆଜି ଆମି ପରବୋ ଶୁଚିବସ୍ତ୍ର ତୋମାର ହାତେ

ଆମାର ଲଜ୍ଜା ଯାବେ ଦୂର ହୟେ ।’’

ଅନ୍ୟ ଏକ ସ୍ଥାନରେ ସେ ଲେଖିଲେ:-

‘‘ଗୁରୁ ରାମାନନ୍ଦ ପ୍ରାତଃସ୍ନାନ ସେରେ

ଚଲେଛେନ ଦେବାଲୟେର ପଥେ

ଦୂର ଥେକେ ରବିଦାସ ପ୍ରଣାମ କରଲ ତାଁକେ

ଧୂଳାୟ ଠେକାଲ ମାଥା ।

ରାମାନନ୍ଦ ସୁଧାଲେନ-ବନ୍ଧୁ କେ ତୁମି ?

ଉତ୍ତର ପେଲେନ, ଆମି ଶୁକ୍‌ନୋ ଧୂଲୋ,

ପ୍ରଭୁ, ତୁମି ଆକାଶେର ମେଘ,

ଝରେ ଯଦି ତୋମାର ପ୍ରେମେର ଧାରା

ଗାନ ଗେୟେ ଉଠ୍‌ବେ ବୋବା ଧୂଳୋ

ରଙ୍ଗ୍‌ବେରଙ୍ଗେର ଫୁଲେ ।

ରାମାନନ୍ଦ ନିଲେନ ତାକେ ବୁକେ,

ଦିଲେନ ତାକେ ପ୍ରେମ ।’’

 

ତାଙ୍କର ଏହି ମାନବ ପ୍ରେମ ସ୍ୱଦେଶର ସୀମା ଅତିକ୍ରମ କରି ବିଶ୍ୱରେ ବ୍ୟାପ୍ତ ହୋଇ ପଡ଼ିଥିଲା । ତାଙ୍କର ରାଜନୈତିକ ମତବାଦର ବା ‘‘ଇଜମ୍‌’’ କିଛି ନ ଥିଲା । ଯେ ଦେଶ ହେଉ-ମନୁଷ୍ୟର ଦୁର୍ଦ୍ଦିନରେ ତାଙ୍କ ପ୍ରାଣ କାନ୍ଦିଛି । ନୀଚ ପତିତ ମନୁଷ୍ୟ ଯେଉଁଠାରେ ଜାଗି ଉଠି ନିପୀଡ଼ନର ପଥରକୁ ହଟାଇ ଦେଇଛି, ସେଠାରେ ତାଙ୍କର ଆଶୀର୍ବାଦ ପହଞ୍ଚି ଅଛି । ଏକଦା ରୁଷିଆରେ ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଲୋକ ଅନାହାର ଓ ରୋଗରେ ମୃତ୍ୟୁମୁଖରେ ପତିତ ହୋଇଥିଲେ । ସେହି ୧୯୨୦ ମସିହାରେ ଆମ ଦେଶରେ ଇଂରେଜ ଶାସନ ବିରୁଦ୍ଧରେ ଅହିଂସା ଅସହଯୋଗ ସଂଗ୍ରାମ ଚାଲୁଥିବା ସମୟରେ ରୁଷିଆର ଏହି ଦୁର୍ଭିକ୍ଷ ଓ ମହାମାରୀ । ରବୀନ୍ଦ୍ରନାଥ ସେଠାର ଧ୍ୱଂସୋନ୍ମୁଖ ମନୁଷ୍ୟମାନଙ୍କୁ ବଞ୍ଚାଇବାପାଇଁ ଦଶହଜାର ଟଙ୍କା ସଂଗ୍ରହ କରି ରେଡକ୍ରସ ମାରଫତରେ ପଠାଇଥିଲେ । ସେଥିପାଇଁ ସେଦିନ ତାଙ୍କୁ ଦେଶର ଏକଶ୍ରେଣୀର ଭଦ୍ରଲୋକମାନଙ୍କଠାରୁ ଥଟ୍ଟା ଓ ବିଦ୍ରୂପ ଶୁଣିବାକୁ ପଡ଼ିଥିଲା । ତାପରେ ୧୯୩୦ ମସିହାରେ ତାଙ୍କର ନିମନ୍ତ୍ରଣ ଆସି ପହଞ୍ଚିଲା ସୋଭିଏତ ରୁଷିଆରୁ । ଆଟ୍‌ଲାଣ୍ଟିକ୍‌ ଶକ୍ତିସମୂହ ଯାହାଙ୍କୁ ଲୌହମାନବ ଆଖ୍ୟା ଦେଇଥିଲେ, ସେହି ଷ୍ଟାଲିନଙ୍କର ଶାସନକାଳରେ ପରାଧୀନ ଭାରତର ମାନବତାର ମୂର୍ତ୍ତ ପ୍ରତୀକ କବିଗୁରୁ ରବୀନ୍ଦ୍ରନାଥଙ୍କୁ ରୁଷିଆର ଆମନ୍ତ୍ରଣ ବସ୍ତୁତଃ ବିସ୍ମୟକର ଘଟଣା-। ସେଦିନ ଲୌହଜାଲଦ୍ୱାରା ଆବୃତ୍ତ ନିଷିଦ୍ଧାଦେଶକୁ ତାଙ୍କର ଆମନ୍ତ୍ରଣ ଇତିହାସର ଏକ ଅଭୂତପୂର୍ବ ଅଧ୍ୟାୟ ରୁଷିଆରେ ପଦାର୍ପଣ କରି ସେଠାକାର ସମବାୟ ପ୍ରଥାରେ ଚାଳିତ କ୍ଷେତ, ଖମାର ଏବଂ ସଂସ୍କୃତି ସମ୍ବନ୍ଧରେ ବିଦ୍ୟାଳୟ ପରିଦର୍ଶନ କରି ଗୋଟିଏ ଚିଠିରେ ଲେଖିଥିଲେ-‘‘ଏଖାନେ ଏସେ ଯେଟା ସବଚେୟେ ଆମର ଚୋଖେ ଭାଲ ଲେଗେଛେ ସେ ହଚ୍ଛେ ଧନ-ଗିରିମାର ଇତରତାର-ତିରୋଭାବ । କେବଳ ଏଇ କାରଣେଇ ଏ ଦେଶେ ଜନସାଧାରଣେରେ ଆତ୍ମମର୍ଯ୍ୟାଦା ଏକ ମୁହୂର୍ତ୍ତେ ଅବାରିତ ହୟେଛେ । ଚାଷାଭୂଷୋ ସକଳେଇ ଆଜ ଅସମ୍ମାନେର ବୋଝା ଝେଡ଼େ ଫେଲେ ମାଥା ତୁଳେ ଦାଡ଼ାତେ ପେରେଛେ । ଏଇଟେ ଦେଖେ ଆମି ଯେମନ ବିସ୍ମିତ ତେମନି ଆନନ୍ଦିତ ହୟେଛି । ମାନୁଷେ ମାନୁଷେ ବ୍ୟବହାର କି ଆଶ୍ଚର୍ଯ୍ୟ ସହଜ ହୟେଛେ ।’’

 

ଆଉ ଗୋଟିଏ ଚିଠିରେ ରବୀନ୍ଦ୍ରନାଥ ଲେଖିଥିଲେ :- ‘‘ଏକଦିନ ଫରାସୀ ବିଦ୍ରୋହ ଘଟେଛିଲ ଏଇ ଅସାମ୍ୟେର ତାଡ଼ନାୟ ସେଦିନ ସେଖାନକାର ପୀଡ଼ିତେରା ବୁଝେଛିଲ ଏଇ ଅସାମ୍ୟେର ଅପମାନ ଓ ଦୁଃଖ ବିଶ୍ୱବ୍ୟାପୀ । ତାର ସେଦିନକାର ବିପ୍ଲବେ ସାମ୍ୟ, ସୌଭ୍ରାତ୍ର୍ୟ ଓ ସ୍ୱାତନ୍ତ୍ର୍ୟେର ବାଣୀ ସ୍ୱଦେଶର ଗଣ୍ଡୀ ପେରିୟେ ବିଶ୍ୱେ ଧ୍ୱନିତ ହୟେଛିଲ । କିନ୍ତୁ ଟିକ୍‌ଲ ନା । ଏଦେର ଏଖାନକାର ବାଣୀ ଓ ବିଶ୍ୱବାଣୀ । ଆଜ ପୃଥିବୀତେ ଅନ୍ତତଃ ଏଇ ଏକଟା ଦେଶେର ଲୋକ ସ୍ୱଜାତିକ ସ୍ୱାର୍ଥେର ଉପରେ ଓ ସମସ୍ତ ମାନୁଷେର ସ୍ୱାର୍ଥେର କଥା ଚିନ୍ତା କରଚେ ।

 

ଆଉ ଗୋଟିଏ ଚିଠିରେ ସେ ଲେଖିଥିଲେ-‘‘ଉପନିଷଦେର ଏକଟା କଥା ଆମି ଏଖାନେ ଏସେ ଖୁବ୍‌ ସ୍ପଷ୍ଟ କରେ ବୁଝେଛି-‘ମା ଗୃଧଃ’ ଲୋଭ କରୋନା । କେନ ଲୋଭ କରବେ ନା ? ଯେ ହେତୁ ସମସ୍ତ କିଛୁ ଏକ ସତ୍ୟେରଦ୍ୱାରା ପରିବ୍ୟାପ୍ତ । ବ୍ୟକ୍ତିଗତ ଲୋଭେତେ କରେଇ ସେଇ ଏକେର ଉପଲବ୍‌ଧିର ମଧ୍ୟେ ବାଧା ଆନେ । ‘ତେନ ତ୍ୟକ୍ତେନ ଭୁଞ୍ଜୀଥାଃ’ ସେଇ ଏକେର ଥେକେ ଯା ଆସଛେ ତାକେଇ ଭୋଗ କରେ । ଏରା ଆର୍ଥିକ ଦିକ୍‌ଥେକେ ସେଇ କଥାଟା ବଲଚେ । ସମସ୍ତ ମାନବ ସାଧାରଣରେ ମଧ୍ୟ ଏରା ଏକଟି ଅଦ୍ୱିତୀୟ ମାନବ ସତ୍ୟକେଇ ବଡ଼ ବଲେ ମାନେ ସେଇ ଏକେର ଯୋଗେ ଉତ୍ପନ୍ନ ଯା କିଛୁ, ଏରା ବଲେ ତାକେଇ ସକଳେ ମିଳେ ଭୋଗ କରେ ।’’

 

ପରିଶେଷରେ ରବୀନ୍ଦ୍ରନାଥ ଜନ୍ମଭୂମି ଭାରତବର୍ଷର ଆତ୍ମାରସ୍ୱରୂପ ନିର୍ଣ୍ଣୟ କରିବାକୁ ଯାଇ କହିଥିଲେ-‘‘ଅହଂସୀମାରେ ମଧ୍ୟେ ଆତ୍ମାର ନିରୁଦ୍ଧ ଅବସ୍ଥା ଆତ୍ମାର ସତ୍ୟ ଅବସ୍ଥା ନୟ । ବ୍ୟକ୍ତିଗତ ମାନୁଷେର ଜୀବନେର ସାଧନାୟ ଏ ଯେମନ ଏକଟା ବଡ଼ କଥା, ନେଶନେର ଐତିହାସିକ ସାଧନାତେ ଓ ସେଇ ରକମ । କୋନ ମହାଜାତି କି କରେ ଆପନାକେ ବିଶ୍ୱେର କାଛେ ପରିଚିତ କରତେ ପାରେ ଏଇ ତପସ୍ୟାଇ ତାର ତପସ୍ୟା । ଭାରତବର୍ଷ ବିଶ୍ୱେର ନିକଟ ଯେ ମହତ୍ତର ବାଣୀ ପ୍ରଚାର କରେଛ, ତା ତ୍ୟାଗେରଦ୍ୱାରା, ଦୁଃଖେରଦ୍ୱାରା, ମୈତ୍ରୀରଦ୍ୱାରା, ଆତ୍ମାରଦ୍ୱାରା । ଆତ୍ମାର ଆଲୋକଦୀପ୍ତି ଭାରତବର୍ଷ ନିଜେର ମଧ୍ୟେ ବଦ୍ଧ ରାଖତେ ପାରେନି । ଏଇ ଆଲୋକେର ଆଭାତେଇ ଭାରତ ଭୂଖଣ୍ଡ ସୀମାର ବାଇରେ ଆପନାକେ ପ୍ରକାଶ କରେଛିଲ, ସୁତରାଂ ଏଇଟିଇ ହଛେ ଭାରତେର ସତ୍ୟ ପରିଚୟ । ଆମାରା ଯେ ଭାରତବର୍ଷ ଜନ୍ମଲାଭ କରେଛି ସେ ଏଇ ମୁକ୍ତି ମନ୍ତ୍ରେର ଭାରତବର୍ଷ ।’’ ତେଣୁ ରବୀନ୍ଦ୍ରନାଥ ଗାଇଥିଲେ-

 

‘‘ହେ ମୋର ଚିତ୍ତ ପୁଣ୍ୟ ତୀର୍ଥେ

ଜାଗୋରେ ଧୀରେ–

ଏଇ ଭାରତେର ମହାମାନବେର

ସାଗର ତୀରେ ।’’

 

ରବୀନ୍ଦ୍ର ନାଥ ଏହି ମହାମାନବର ସାଗର ତୀରରେ ଆହ୍ୱାନ ଦେଇଛନ୍ତି ବିଶ୍ୱର ମନୀଷୀମାନଙ୍କୁ ତାଙ୍କ ବିଶ୍ୱଭାରତୀ ପ୍ରତିଷ୍ଠାନ ମାଧ୍ୟମରେ । ଏହାହିଁ କବି ଗୁରୁଙ୍କର ବିଶ୍ୱବାସୀଙ୍କ ପ୍ରତି କାଳକାଳାନ୍ତରର ଅବଦାନ ।

 

(ଏ ପ୍ରବନ୍ଧରେ ରବୀନ୍ଦ୍ରନାଥଙ୍କ ‘କାଳାନ୍ତର’, ‘ଗୀତାଞ୍ଜଳି’, ‘ସଞ୍ଚୟିତା’, ‘ପୁନଶ୍ଚ’, ଓ ‘ରାଶିୟାର ଚିଠି’ ପୁସ୍ତକମାନଙ୍କର ଅଂଶ ବିଶେଷ ଉଦ୍ଧୃତ ହୋଇଅଛି ।)

 

***

 

ଆଧୁନିକ ଅସମୀୟା ସାହିତ୍ୟିକଙ୍କର ସମାଜ ଚେତନା

ଡଃ ଫଣୀନ୍ଦ୍ର ନାରାୟଣ ଦତ୍ତବରୁଆ

ପୂର୍ବାଞ୍ଚଳ ଭାଷାକେନ୍ଦ୍ର, ଭୁବନେଶ୍ୱର-୬

 

ଭାରତର ପୂର୍ବପ୍ରାନ୍ତରେ ଅବସ୍ଥିତ କ୍ଷୁଦ୍ର ରାଜ୍ୟ ଆସାମର ପ୍ରଚଳିତ ଭାଷା ଅସମୀୟା । ଏହାର ଐତିହ୍ୟ ଏବଂ ଗାରିମା ସମ୍ପର୍କରେ କହିବାର ଆବଶ୍ୟକତା ନାହିଁ । ତ୍ରୟୋଦଶ ଶତାବ୍ଦୀରୁ ଧାରାବାହିକ ଏବଂ ଉଚ୍ଚକୋଟୀର ସାହିତ୍ୟ ରଚନାର ଐତିହ୍ୟ ବହନ କରୁଥିବା ଏହି ଭାଷା ବ୍ରିଟିଶ ଅମଳରେ ଖ୍ରୀ: ୧୮୩୬ ମସିହାରେ ବିଦ୍ୟାଳୟ ଏବଂ କଚେରୀରୁ ବହିଷ୍କୃତ ହୋଇଥିଲା । ରାଜନୈତିକ କାରଣ ଯୋଗୁଁ ସେହି ସମୟରୁ ଆସାମରେ ବଙ୍ଗଳାଭାଷା ପ୍ରଚଳିତ ହେଲା । ଖ୍ରୀଷ୍ଟଧର୍ମ ପ୍ରଚାର କରିବାପାଇଁ ଆସିଥିବା ମିଶନେରୀମାନଙ୍କ ସାହାଯ୍ୟରେ ସ୍ଥାନୀୟ ପଣ୍ଡିତମାନଙ୍କୁ ନିଜ ମାତୃଭାଷାର ପୁନଃ ପ୍ରତିଷ୍ଠା ଲାଗି ସଂଗ୍ରାମ କରିବାକୁ ପଡ଼ିଲା । ପ୍ରାୟ ପଚାଶ ବର୍ଷପରେ ଖ୍ରୀ: ୧୮୭୩ ମସିହାରେ ଅସମୀୟା ଭାଷା ବିଦ୍ୟାଳୟ ଏବଂ କୋର୍ଟ କଚେରୀରେ ପୁନଃ ପ୍ରତିଷ୍ଠିତ ହେଲା । ଅସମୀୟା ପଣ୍ଡିତମାନେ ମାତୃଭାଷାରେ ପାଠ୍ୟପୁସ୍ତକ ରଚନା କଲେ, ବ୍ୟାକରଣ ଓ ଅଭିଧାନ ପ୍ରଣୟନ କଲେ ଏବଂ ଅସମୀୟା ସାହିତ୍ୟ ପତ୍ରିକା ପ୍ରକାଶ କରିବାପାଇଁ ଉଦ୍ୟମ କଲେ । ପ୍ରକୃତ ଅର୍ଥରେ ଅସମୀୟା ଭାଷା ସାହିତ୍ୟର ବଳିଷ୍ଠ ଭିତ୍ତି ସ୍ଥାପନ ହୁଏ ୧୮୮୯ ମସିହାରେ ପ୍ରକାଶିତ ‘ଜୋନାକୀ’ ପତ୍ରିକା ପୃଷ୍ଠାରେ । ସେହି ସମୟଠାରୁ ଅସମୀୟା ସାହିତ୍ୟକୁ ଦୁଇଟି ସ୍ତରରେ ବିଭକ୍ତ କରାଯାଇପାରେ ।

 

୧) ପ୍ରାକ୍‌ ବିଶ୍ୱଯୁଦ୍ଧ ଯୁଗ

୨) ଉତ୍ତର ବିଶ୍ୱଯୁଦ୍ଧ ଯୁଗ

 

ପ୍ରାକ୍‌ ବିଶ୍ୱଯୁଦ୍ଧ ଯୁଗର ଅସମୀୟା ସାହିତ୍ୟରେ ମଧ୍ୟ ଦୁଇଟି ଧାରା ପରିଲକ୍ଷିତ ହୁଏ । ଗୋଟାଏ ଧାରା ହେଉଛି, ଉଦ୍ଦେଶ୍ୟଧର୍ମୀ ଏବଂ ସମାଜ ସଚେତନ, ଅନ୍ୟ ଧାରାଟି ହେଉଛି କଳ୍ପନା ବିଳାସୀ ଭାବପ୍ରବଣ ଏବଂ ସମାଜ ବିମୂଖ । ପ୍ରଥମ ଧାରାର ସାହିତ୍ୟରେ ସମାଜ, ସଭ୍ୟତା

 

୧) ଅବଶ୍ୟ ଏହା ପୂର୍ବର ଅସମୀୟାରେ ‘ଅରୁଣୋଦୟ’ ନାମକ ଗୋଟିଏ ପତ୍ରିକା ୧୯୪୮ ମସିହାରେ ପ୍ରକାଶିତ ହୋଇଥିଲା । ଏହି ପତ୍ରିକା ମିଶନେରୀମାନଙ୍କ ଖ୍ରୀଷ୍ଟଧର୍ମ ପ୍ରଚାର ପାଇଁ ଉଦ୍ଦିଷ୍ଟ ଏକ ପ୍ରଚାର ପତ୍ରିକା ମାତ୍ର । ଏବଂ ପାରିପାଶ୍ୱିକତାକୁ ନିକଟରେ ଦେଖିବାକୁ ମିଳେ, ଆମର ସମସ୍ୟାବହୁଳ ଜୀବନ-ଦୁଃଖ କଷ୍ଟ, ଗ୍ଲାନି, ହସ ଖୁସି, ଆନନ୍ଦ-ଉତ୍ସବ, ବିଶ୍ୱାସ-ଅନ୍ଧ ବିଶ୍ୱାସ ଇତ୍ୟାଦିର ବହୁଳ ପରିଚୟ ସେଥିରେ ମିଳେ; କିନ୍ତୁ ବାସ୍ତବର ନିଷ୍ଠୁରତା ଏବଂ ନିର୍ମମତାର ମାତ୍ରାଧିକ୍ୟରେ ଅନେକ ସମୟରେ କଳା ସୌନ୍ଦର୍ଯ୍ୟ ବ୍ୟାହତ ହେବା ମଧ୍ୟ ପରିଲକ୍ଷିତ ହୁଏ । ଦ୍ୱିତୀୟ ଧାରାରେ ସମାଜ ପରିବର୍ତ୍ତେ ବ୍ୟକ୍ତିକୁ ନିକଟରୁ ଦେଖିବାକୁ ମିଳେ, ସାମାଜିକ କିମ୍ବା ଅର୍ଥନୈତିକ ସମସ୍ୟା ପରିବର୍ତ୍ତେ ବ୍ୟକ୍ତିର ନିକଟରୁ ଦେଖିବାକୁ ମିଳେ, ସାମାଜିକ କିମ୍ୱା ଅର୍ଥନୈତିକ ସମସ୍ୟା ପରିବର୍ତ୍ତେ ବ୍ୟକ୍ତିର ବୌଦ୍ଧିକ, ମାନସିକ ଏବଂ ଆବେଗିକ ସମସ୍ୟା ଏବଂ ସଙ୍କଟର ଚିତ୍ର ଥାଏ । ସେମାନଙ୍କ ଦୃଷ୍ଟିରେ ପ୍ରେମ ଅପାର୍ଥିବ, ସଂସାର କଳ୍ପନାର ଏକ ଆଦର୍ଶ ଜଗତ, ବାସ୍ତବକୁ ପାଶୋରି ସେମାନେ ଏକ ଅନାଗତ ସୁନ୍ଦର ଭବିଷ୍ୟତର କଳ୍ପନା କରି ଆତ୍ମବଞ୍ଚନା କରିବାପାଇଁ ଦ୍ୱିଧାବୋଧ କରନ୍ତି ନାହିଁ । ଏହି ଧାରାର ସାହିତ୍ୟରେ ଅବଶ୍ୟ କାବ୍ୟିକ ସୌନ୍ଦର୍ଯ୍ୟ ଅବ୍ୟାହତ ଥାଏ ।

 

ପ୍ରାକ୍‌ ବିଶ୍ୱଯୁଦ୍ଧ ଯୁଗର ଅଧିକାଂଶ ଲେଖକ ସମାଜ ସଚେତନ, ଯୁଦ୍ଧଜନିତ ଉତ୍ତେଜନା ପରିବର୍ତ୍ତନମୁଖୀ ରାଜନୈତିକ ପରିସ୍ଥିତି ଏବଂ ପୁରାତନ ମୂଲ୍ୟବୋଧର କ୍ରମାଗତ ଅବକ୍ଷୟଯୋଗୁଁ ସେମାନେ ସାମାଜିକ ଭାବରେ ଦାୟଗ୍ରସ୍ତ ଅନୁଭବ କରୁଥିଲେ । ସେମାନଙ୍କ ଉପରେ ଯେମିତି ସମାଜର ଦାବୀ ରହିଛି, ଅଧିକାର ଅଛି, ସମାଜର ଦୁଃଖ-ଦୁର୍ଦ୍ଦଶାର ନିବାରଣପାଇଁ ସେମାନେ ଯେମିତି କାହାରି ପାଖରେ ପ୍ରତିଶୁତିବଦ୍ଧ । ଅସମୀୟା ଭାଷାରେ ପ୍ରଥମ ପାଠ୍ୟପୁସ୍ତକ, ଅଭିଧାନ, ବ୍ୟାକରଣ ପ୍ରଣେତା ହେମଚନ୍ଦ୍ର ବରୁଆଙ୍କ ନାଟକ ଏବଂ ଉପନ୍ୟାସରେ ସେହି ସମୟର ସମାଜରେ ପ୍ରଚଳିତ ଧର୍ମଜନିତ ଅନ୍ଧବିଶ୍ୱାସ, ଚିକିତ୍ସାଜନିତ କୁସଂସ୍କାର, ଆଭିଜାତ୍ୟର ଅଭିମାନ, ଇଂରାଜୀ ଶିକ୍ଷା ଉପରେ ବିଦ୍ୱେଷ ଇତ୍ୟାଦି ବିଷୟ ଉପରେ କୁଠାରଘାତ କରାଯାଇଥିଲା । ତାଙ୍କ ସମସାମୟିକ ଗୁଣାଭିରାମ ବରୁଆ ‘ରାମନବମୀ’ ନାଟକରେ ବିଧବା ସ୍ୱୀକାର କରି ସମାଜର ଏକ ଗୁରୁତର ସମସ୍ୟା ସମାଧାନ କରିବାପାଇଁ ଉଦ୍ୟମ କରିଥିଲେ । କମଳାକାନ୍ତ ଭଟ୍ଟାଚାର୍ଯ୍ୟଙ୍କ କବିତାରେ ପରାଧୀନ ଜନତାର ଦେଶପ୍ରେମର ଜ୍ୱଳନ୍ତ ସ୍ଫୁଲିଙ୍ଗ ବାହାରୁଥିଲା । କିନ୍ତୁ ଏ ଦିଗରେ ସମସ୍ତଙ୍କଠାରୁ ଅଧିକ ଅବଦାନ ରହିଛି ଲକ୍ଷ୍ମୀନାଥ ବେଜବରୁଆଙ୍କର । ସେ ସମ୍ବଲପୁରରେ ରହି କାଠ ବ୍ୟବସାୟ କରୁଥିଲେ ଏବଂ ‘ବାହୀ’ ନାମକ ଗୋଟିଏ ପତ୍ରିକା ସମ୍ପାଦନା କରୁଥିଲେ । ସେ ଅନେକ ସମୟରେ ଅସମୀୟା ଜାତିକୁ ଅକର୍ମଣ୍ୟ, ମାନ୍ଦା, ଅପଦାର୍ଥ ବୋଲି ଉପହାସ କରି ଏହି ଦୋଷଗୁଡ଼ିକରୁ ଊର୍ଦ୍ଧ୍ୱକୁ ଉନ୍ନୀତ କରିବାପାଇଁ ଉଦ୍ୟମ କରୁଥିଲେ । ତାଙ୍କ କବିତାରେ ଅବଶ୍ୟ ସେମିତି ଆକ୍ଷେପ କିମ୍ୱା ନୈରାଶ୍ୟ ନାହିଁ; କିନ୍ତୁ ସଞ୍ଜୀବନୀ ଶକ୍ତି ଅକ୍ଷୁର୍ଣ୍ଣ ରହିଛି । ତାଙ୍କର କେତେକ ରଚନା ସମାଜ ସଂସ୍କାରଧର୍ମୀ, ଅନ୍ଧ କୁସଂସ୍କାର ପ୍ରତି ସେ ଲୋକଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ; ଏହାର ଏକ ନିଦର୍ଶନ ହେଉଛି ‘ରତନମୁଣ୍ଡା’ । ଗଳ୍ପର ନାୟକ ନାୟିକା ହେଉଛନ୍ତି ଦୁଇଜଣ କୋହ୍ଲ ଯୁବକ ଯୁବତୀ: ରତନ ଏବଂ ଜୁମୁରୀ, ସେମାନଙ୍କର ପ୍ରେମକୁ ସ୍ୱୀକୃତି ଦେଇ ରତନ ବାପା ଜୁମୁରୀ ବାପା ପାଖରେ ବରପଣ କରିବାକୁ ଗଲା । ଜୁମୁରୀର ବାପା ହଳେ ବଳଦ, ଗୋଟାଏ ଗାଈ ଏବଂ ସାତଟଙ୍କା ଦାବୀ କଲେ । ରତନର ବାପା ଦେଇ ପାରିଲେ ନାହିଁ, ଫଳରେ ବାହାଘର ହେଲା ନାହିଁ । ବିଚାରା ରତନ-ଜୁମୁରୀ ପଳାଇଗଲେ । କୌଣସି ଏକ ପର୍ବତ ଗୁମ୍ଫାରେ ଆଶ୍ରୟ ନେଲେ । ଦୈବକ୍ରମେ ଦିନେ ରତନ ଗାଧୋଇବାକୁ ଯାଇ ଆଉ ଫେରିଲା ନାହିଁ, ଜୁମୁରୀ ଦିନ ପରେ ଦିନ ଅପେକ୍ଷା କରି ରହିଲା କାନ୍ଦି କାନ୍ଦି । ଦିନେ ଡେପୁଟି କମିଶନର ଶିକାରକୁ ଯାଇ ଜୁମୂରୀକୁ ଆବିଷ୍କାର କଲେ । କର୍ମଚାରୀମାନେ ତାଙ୍କୁ ଭୂତ ବୋଲି କହିଲେ ମଧ୍ୟ ସେ ମାନିଲେ ନାହିଁ ଏବଂ ଜୁମୂରୀକୁ ସାଙ୍ଗରେ ନେଇ ତା ମା’ ବାପାଙ୍କୁ ସମର୍ପଣ କରିବାକୁ ଗଲେ । କିନ୍ତୁ ମଣିଷର କି ମୂଢତା ଏବଂ ଅନ୍ଧବିଶ୍ୱାସ । ନିଜ ମା ବାପା ନିଜ କନ୍ୟାକୁ ଭୂତ ବୋଲି ଘରେ ରଖିବାକୁ ନାରାଜ ହେଲେ । ଶେଷରେ ସାହେବ ତାକୁ ନେଇ ଗୋଟାଏ ମିଶନେରୀ ବୋଡ଼ିଂରେ ରଖିବାକୁ ବାଧ୍ୟ ହେଲେ । ଭୂତ ବିଶ୍ୱାସ, କୁସଂସ୍କାର ଏବଂ ପଣପ୍ରଥା ଗ୍ରାସ କରୁଥିବା ସମାଜର ଆର୍ତ୍ତନାଦ ଏଥିରେ ପରିସ୍ଫୁଟ, ବାସ୍ତବ, ଅତ୍ୟନ୍ତ ନଗ୍ନ ନିଷ୍ଠୁର ।

 

ସେହି ସମୟର ଆଉ ଜଣେ ଲେଖକ ରଜନୀକାନ୍ତ ବରଦଲୈ ଯେମିତି ଜନସାଧାରଣଙ୍କ ପାଖରେ ପ୍ରତିଶ୍ରୁତିବଦ୍ଧ ଥିଲେ ଅତୀତର ଗୌରବ ଉଦ୍ଧାର କରି ଐତିହାସିକ ପ୍ରେରଣାରେ ଜନଗଣଙ୍କୁ ଉଦ୍‌ବୁଦ୍ଧ କରିବା ପାଇଁ । ତାଙ୍କର ରାଜନୈତିକ ଉପନ୍ୟାସଗୁଡ଼ିକରେ ଯେପରି ଅତୀତର ରାଜନୈତିକ ବାତାବରଣ ମଧ୍ୟରେ ପଶି ସେ ସାଧାରଣ ଲୋକଙ୍କ ପ୍ରାଣର କରୁଣ ରୋଦନ ଶୁଣୁଛନ୍ତି, ରାଜଭବନ ଭିତରେ ବସବାସ କରୁଥିବା ସାଧାରଣ ନର-ନାରୀର ଜୀବନ ସଙ୍କଟ, ବିଜିତ ରାଜଶକ୍ତିର ଉପଢୌକନସ୍ୱରୂପ ବିଜୟୀ ରାଜଶକ୍ତି ପାଖକୁ ଯିବାକୁ ବାଧ୍ୟ ହୋଇଥିବା ଅସମୀୟା ରମଣୀଙ୍କର ବିଷାଦକାତର ମୌନବିଳାସ, ଜମିଦାର ଶ୍ରେଣୀ ହାତରେ ଅତ୍ୟାଚାରିତ ସାଧାରଣ ନରନାରୀର ଜୀର୍ଣ୍ଣ, ବ୍ୟଥାଜୀର୍ଣ୍ଣ ହୃଦୟର କରୁଣ ସ୍ୱର ନିଜେ ଶୁଣୁଛନ୍ତି, ଆମକୁ ବି ଶୁଣାଉଛନ୍ତି । ତାଙ୍କର ଏକମାତ୍ର ସାମାଜିକ ଉପନ୍ୟାସ ‘ମିରୀ ଜୀୟରୀ’ରେ ମିରୀ ନାମକ ଆଦିବାସୀ ସମାଜରେ ବରପକ୍ଷ କନ୍ୟାପକ୍ଷକୁ ‘ପଣ’ ଦବାର ଯେଉଁ କଠୋର ନିୟମ ଥିଲା, କନ୍ୟାପିତାଙ୍କ ଝିଅର ହୃଦୟାନୁଭୂତି ସମ୍ପୂର୍ଣ୍ଣ ଉପେକ୍ଷା କରି ଅର୍ଥ ଏବଂ ପ୍ରତିପତ୍ତି ଲାଳସାରେ ଅନ୍ୟତ୍ର ପାତ୍ର ସ୍ଥିର କରିବା ପାଇଁ ଜିଦ୍‌ ଧରିବାର ପ୍ରବଣତା ଥିଲା ଏବଂ ପାର୍ବତ୍ୟ ମିରୀମାନଙ୍କ ମଧ୍ୟରେ କେମିତି ଅମାନୁଷିକ ଶାସ୍ତି ବିଧାନର ବ୍ୟବସ୍ଥା ଥିଲା ତାର ସ୍ୱଛନ୍ଦ ପ୍ରକାଶ ଘଟିଛି । ମିରୀ ସମାଜ ଉପରେ ତାଙ୍କର ଏହି ଉପନ୍ୟାସର ପ୍ରଭାବ ସୁଦୂର ପ୍ରସାରୀ । ସେମାନେ ଅନେକ ପରିମାଣରେ ଆତ୍ମସଚେତନ ହେଲେ ଏବଂ ପୂର୍ବ ପ୍ରଚଳିତ ଅନ୍ଧ କୁସଂସ୍କାର ଅନେକାଂଶରେ ବର୍ଜ୍ଜନ କଲେ ।

 

ତାଙ୍କ ପରବର୍ତ୍ତୀ ଲେଖକମାନେ ଗଳ୍ପ ଉପନ୍ୟାସରେ ସମାଜର ସମସ୍ୟା ଜର୍ଜରିତ ଚିତ୍ର ଉପସ୍ଥାପନ କରିଛନ୍ତି; ସେଗୁଡ଼ିକରେ ସମସ୍ୟା ଅଛି, ଦ୍ୱନ୍ଦ୍ୱ ଅଛି, କିନ୍ତୁ ସଂଗ୍ରାମ ନାହିଁ । ପରିସ୍ଥିତିର ମୁକାବିଲା ପାଇଁ ଯୁଦ୍ଧ ଘୋଷଣା ହୋଇନାହିଁ । କିନ୍ତୁ କବିତାରେ ସଂଗ୍ରାମର ଆହ୍ୱାନ, ବିପ୍ଲବର ତୂର୍ଯ୍ୟଧ୍ୱନୀ ସ୍ପଷ୍ଟ ଭାବରେ ଶୁଣାଯାଇଛି । ଅମ୍ବିକାଗିରି ରାୟ ଚୌଧୁରୀ, ବିଷ୍ଣୁ ରାଭାଙ୍କ କବିତାରେ ସେମାନଙ୍କ ସମାଜତାନ୍ତ୍ରିକ ବିପ୍ଲବର ସୂଚନା ମିଳେ:

 

ପଦମର୍ଯ୍ୟାଦା କ୍ଷମତାର ଖକେ

ମାନବୀୟତାର ଗିଲେ ଡିଙ୍କିଲୋକେ,

ଆତ୍ମାର କ୍ଷୁଧାର ପିଶାଚୀ ରୂପତ ମତ୍ତ

ତାତେ ନେକି ମୋର ତୋଲୋ ତାଣ୍ଡବ...ବିପ୍ଲବ... ?

(ଅମ୍ବିକାଗିରି ରାୟଚୌଧୁରୀ)

 

ଦୁଃଖୀୟାର କଲିଜା ନିଗାରି ଲଅ

ଟୁପି ଟୁପି ତେଜ ଶୁହି ଶୁହି ପିଅ

ରୁକି ରୁକି ମଣ୍ଡହ ଚୋବାଇ ଖାଅ

କୁରୁକି ହାଡ଼ କେଇଡାଲୋ ଚୋବାଅ

ହୁସିଆର ! ହୁସିଆର !

ଧନୀ, ମହାଜନ, ଜମିଦାର

ହୁସିଆର ! ହୁସିଆର !

(ବିଷ୍ଣୁ ରାଭା)

 

ଶ୍ରେଣୀ ସଂଗ୍ରାମ ଏବଂ ସମାଜ ବିପ୍ଲବର ଏହି ଧାରା ଆଉ କିଛିଦୂର ଆଗେଇ ନେଇଛନ୍ତି ଭାବାନନ୍ଦ ଦତ୍ତ, ଅମୂଲ୍ୟ ବରୁଆ ପ୍ରଭୃତି ପ୍ରଗତିଶୀଳ କବିମାନେ;

 

ହେ ରାଜପଥ,

ଧନ୍ୟ ତୋମାର ଦୟା

ଶୂନ୍ୟ ଭିକ୍ଷା ପ୍ରାତ୍ରଲୈ ଶୁଇପରା

ମୃତପ୍ରାୟ କଙ୍କାଳର ଶାରି

ଗୃହହୀନ ଯୀସକଲ

ଭଗ୍ନପ୍ରାୟ ସମାଜର ଦସ୍ୟୁତାର ଚାଇନପୋରଯେନ

ଅର୍ଥହୀନ, ଅଧିକାରହୀନ

ବଞ୍ଚିତର ବଞ୍ଚିବାର ବାଞ୍ଛା

ତୋମାର କୋଇ ତ ପାୟ ସି ନିଶ୍ରେୟସ ମୋଷା

(ଭବାନନ୍ଦ ଦତ୍ତ)

 

ବିଧବାକୁ ପ୍ରଗତିର ପଥ ଦେଖାଇ ସାହସୀ ପ୍ରେରଣା ଯୋଗାଇବାର ସାହସ ନ ଥିଲେ ମଧ୍ୟ ସହର ଜୀବନର ଅନ୍ଧାକାରମୟ ଚିତ୍ର ଅଙ୍କନ କରି ରୂଢ଼ ବାସ୍ତବତାକୁ ଲୋକଚକ୍ଷୁ ସାମନାକୁ ଆଣିବାର ପ୍ରଚଣ୍ଡ ଉଦ୍ୟମ କରୁଥିବା ଆଉ ଜଣେ କବି ହେଉଛନ୍ତି ଅମୂଲ୍ୟ ବରୁଆ । ତାଙ୍କର ‘ବେଶ୍ୟା’ ଶୀର୍ଷକ କବିତାରେ ପୀଡ଼ିତ ପ୍ରତି ମମତା, ପୁରାତନ ଭାବ ବିଳାସ ଏବଂ ପୁଞ୍ଜିବାଦୀ ମନୋବିକାର ପ୍ରତି ବିତୃଷ୍ଣା ଏବଂ କ୍ରୋଧ, ରକ୍ଷଣଶୀଳ ମଧ୍ୟବିତ୍ତ ସମାଜର ସଂସ୍କାର ଏବଂ ପ୍ରବଞ୍ଚନା ବିରୁଦ୍ଧରେ ତାଙ୍କର କଟାକ୍ଷପାତ । ବେଶ୍ୟା କେବଳ ଦେହୋପଜୀବିନୀ ନୁହେଁ, ବର୍ତ୍ତମାନ ସମାଜର କ୍ଷୟଙ୍କର ଆତ୍ମଦ୍ୱନ୍ଦ୍ୱର ପ୍ରତୀକ । (ହୀରେଣ ଗୋହାଁଇଁ) ଶେଷ ଆଡ଼କୁ ଅବଶ୍ୟ ଲେଖକ ଅଦୃଷ୍ଟବାଦୀ ହୋଇ ପଡ଼ିଛନ୍ତି ।

 

ସୁଖର ସପୋନ ସଖୀ

ଦୁଃଖରେ ଭଅଁଲି ଗଲ

ଜୀବନର ଆଜି ଆରୁ

ନାଇ ପ୍ରୟୋଜନ ।

(ଅମୂଲ୍ୟ : ବରୁଆ:ବିଫଳତା)

 

ପ୍ରାକ୍‌ ଯୁଦ୍ଧଯୁଗର ଦ୍ୱିତୀୟଧାରାର କବି, ସାହିତ୍ୟକମାନେ ହେଉଛନ୍ତି ରୋମାଣ୍ଟିକ ଭାବାପନ୍ନ, ସେମାନେ କଳ୍ପନାର ବିଚିତ୍ର ଜଗତରେ ବିଚରଣ କରନ୍ତି । ସେମାନେ ସତ୍ୟ ଏବଂ ସୁନ୍ଦରର ପୂଜାରୀ, ପୃଥିବୀରେ ଅସତ୍‌ ଏବଂ ଅସୁନ୍ଦର ନାହିଁ ବୋଲି ନ କହିଲେ ମଧ୍ୟ ସେମାନେ ସେ ବିଷୟରେ ନିର୍ବିକାର । ସେମାନେ କେତେଜଣ ମଣିଷ ପ୍ରତି ଉଦାସୀନ-ପ୍ରକୃତି ବିହଙ୍ଗ ଈଶ୍ୱର, ରୂପ ସୌନ୍ଦର୍ଯ୍ୟ ନେଇ ବ୍ୟସ୍ତ । ମାନବର ସାମାଜିକ ସ୍ଥିତି, ସାଂସାରିକ ଘାତ-ପ୍ରତିଘାତ ଏବଂ ସେଥିରୁ ନିଷ୍କୃତି ଲାଗି ସେମାନେ ବ୍ୟସ୍ତ ନୁହନ୍ତି । ମନୁଷ୍ୟ କହିଲେ ସେମାନଙ୍କ ଦୃଷ୍ଟିରେ ବ୍ୟକ୍ତିଗତ ଜୀବନର ଚିନ୍ତା, ବ୍ୟକ୍ତିଗତ ଜୀବନର ହତାଶା, ବେଦନା ଏବଂ ବ୍ୟର୍ଥତାକୁହିଁ ବୁଝାଏ । ନୈସର୍ଗିକ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ କେହି କେହି ସଂସାର ତ୍ୟାଗ କରିବା ପାଇଁ ମଧ୍ୟ ଉଦ୍ୟମ କରିଛନ୍ତି:

 

ତୋମାର ଲଗତେ ଉଡ଼ି ଯାମ ବହଙ୍ଗିନୀ,

ସଦାୟ ବଇଛେ ଯ’ତ ପ୍ରେମ ମନ୍ଦାକିନୀ ।

(ରଘୁନାଥ ଚୌଧୁରୀ)

X      x      x

ସଂଧିୟାର ଆକାଶର ସରୁ ତରାଟିର

ସାଦରର ଶେଷ ଆବାହନ,

ସେଉଜୀୟା ପ୍ରକୃତିର କୋମଳ କୋଳାତ

ଖେଳା ମୋର ହଳ ସମାପଣ

(ଯତୀନ୍ଦ୍ର ନାଥ ଦୁଅରା)

 

କେତେଜଣ କବି ଭଗବଦ୍‌ ପ୍ରେମରେ ବିମୋହିତ ହୋଇ ସଂସାରର ମାୟା ମମତା, କପଟତା-କୁଟିଳତାରୁ ମୁକ୍ତି ଲଭିବା ପାଇଁ ବ୍ୟସ୍ତ ହୋଇ ପଡ଼ିଛନ୍ତି ।

 

କୋନ କାର ଜଗତର କୋନ କାର ମରମର

ଚକୁର ଚିନାକି ଦୁବିନର,

ସମୀମର ରୂପତୃଷ୍ଣା ଅସୀମରେ ଦୂର ଯାବ

ଖହିଗଲେ ଜରୀ ମରମର ।

(ନଲିନୀବାଲା ଦେବୀ)

 

ଗଳ୍ପରେ ମଧ୍ୟ ମାନବ ସମାଜ ପ୍ରତି ବିରାଗ କେତେକ ସ୍ଥାନରେ ପ୍ରକାଶ ପାଇଛି । ମାନବ ପରିବର୍ତ୍ତେ ‘ଲୁଇତ’ର (=ବ୍ରହ୍ମପୁତ୍ର) ମୋହରେ ଲେଖକ ବନ୍ଦୀ ହୋଇଛନ୍ତି ।

 

ଉତ୍ତର ଯୁଦ୍ଧଯୁଗର ଲେଖକମାନଙ୍କ ମଧ୍ୟରେ ଏକ ମିଶ୍ରିତ ଲକ୍ଷଣ ଦେଖାଯାଏ । ଯେଉଁ ଲେଖକମାନେ ସାମାଜିକ ଅବସ୍ଥାକୁ ନେଇ ପ୍ରାରମ୍ଭିକ ଅବସ୍ଥାରେ ବିଶେଷ ବ୍ୟସ୍ତତା ଅନୁଭବ କରୁଥିଲେ, ଯେଉଁମାନେ ଜନ-ଜୀବନର ପ୍ରାଣର ସ୍ପନ୍ଦନ ନିକଟରୁ ଅନୁଭବ କରୁଥିଲେ, ଯେଉଁମାନଙ୍କର ଲେଖାରେ ବିଧ୍ୱସ୍ତ କିମ୍ବା ଧ୍ୱଂସମୁଖୀ ପୃଥିବୀର ଅଭିଜ୍ଞତା ବ୍ୟକ୍ତ ହେଉଥିଲା ଏବଂ ଏହି ଅଭିଜ୍ଞତା ଅନଳରେ ରୋମାଣ୍ଟିକ ପ୍ରେମର ସ୍ୱପ୍ନ ପୋଡ଼ି ପାଉଁଶ ହୋଇଯାଉଥିଲା, ସେମାନଙ୍କ ମଧ୍ୟରୁ ଅନେକ ପରବର୍ତ୍ତୀ ଦଶକରେ ନିଃସ୍ପୃତ ହୋଇ ପଡ଼ିଲେ-ସେମାନେ ନାଗରିକ ସଭ୍ୟତା, ଫୟେଡ଼ ଦର୍ଶନ ପ୍ରଭାବିତ ବ୍ୟକ୍ତି-ଜୀବନର ମାନସିକ ଦ୍ୱନ୍ଦ୍ୱ ଏବଂ ଅବକ୍ଷୟର ଚିତ୍ର ଅଙ୍କନ କରିବାରୁ କ୍ଷାନ୍ତ ହେଲେ । ଏହାର ପଛରେ ଅବଶ୍ୟ ପରିବର୍ତ୍ତିତ ସାମାଜିକ ପରିସ୍ଥିତିର ପ୍ରଭାବ ରହିଛି । ଯୁଦ୍ଧ ପୂର୍ବରୁ ବ୍ୟକ୍ତି ଯେମିତି ସମାଜ ପାଖରେ ଦାୟଗ୍ରସ୍ତ ଅନୁଭବ କରୁଥିଲେ ଏବେ ଆଉ ସେମିତି କରନ୍ତି ନାହିଁ । ମଣିଷ ଏଯୁଗରେ ବହୁତ ପରିମାଣରେ ବ୍ୟକ୍ତି-କୈନ୍ଦ୍ରିକ ହୋଇପଡ଼ିଛି । ବ୍ୟତିକ୍ରମସ୍ୱରୂପ ଅଳ୍ପ କେତେଜଣ ଲେଖକ ସମାଜ ଚେତନାରେ ଉଦ୍‌ବୁଦ୍ଧ ହୋଇଥିଲେ ।

 

ହିରୋସିମା ନାଗାସାକିରେ ବୋମା ବର୍ଷଣ ଫଳରେ ଅଜସ୍ର ନିରପରାଧ ନରନାରୀ ମୃତ୍ୟୁବରଣ କଲେ । ପ୍ରକୃତ ଅର୍ଥରେ ସେଇଟା ହେଉଛି ବିଜ୍ଞାନୀର ଏବଂ ବିଜ୍ଞାନର ପରାଜୟ, ମଣିଷର ନୁହେଁ; ଯୁଗ ଯୁଗ ଧରି ମଣିଷ ଏପରି ଭାବରେ ସଂଗ୍ରାମ କରୁଛି, ଭୀତ ହୋଇଛି, ତ୍ରସ୍ତ ହୋଇଛି; ଆଜି ମଣିଷର ସ୍ୱପ୍ନ ଭଙ୍ଗ ହେଲା ।

 

ନାଗାସାକି ହିରୋସୀମାତ ଧୋଆଁ ହୋଆ ମାନୁହର

ଅଶରୀରୀ ଆତ୍ମାର ଅହା ଯୋଆ ।

ବିଜ୍ଞାନ ନିମାତ । ନିର୍ବାକ ।

ଆଲିପଦୁଲି ପଥାର ସମାର ସକଲୋତେ

କର୍ମବ୍ୟସ୍ତ ସ୍ୱପ୍ନଭଙ୍ଗ ଜନତାର ଦଳ

ମାନୁହର ମୃତ୍ୟୁ ନାଇ ।

(ହେମ ବରୁଆ: ବାଳଛନ୍ଦ)

 

ଶାସକ ଦଳର ଶୋଷଣର ବଲି ମେହନତି ଜନତା ଅବକ୍ଷୟ ଆଡ଼କୁ ଅଗ୍ରସର ହୋଇଛନ୍ତି-। ଧନତ୍ରାନ୍ତ୍ରିକ ସମାଜ ପ୍ରତିଷ୍ଠା ଉପରେ କବିର କ୍ଷୋଭ ସମାଜର ବୈପ୍ଲବିକ ପରିବର୍ତ୍ତନ, ଆଶୁ ପୁନରୁତ୍‌ଥାନର ଆବଶ୍ୟକତା କବି ପ୍ରବଳ ଭାବରେ ଉପଲବ୍ଧି କରିଛନ୍ତି । ସମକାଳୀନ ଜନତା ପାଇଁ ନୂତନ ସ୍ୱପ୍ନ, ନୂତନ ପ୍ରତ୍ୟୟ, ନୂତନ ପ୍ରତିଶ୍ରୁତି ଏହି ଦଳର କବିମାନେ ଦବାକୁ ଚାହାଁନ୍ତି:

 

ଆମାର ଚକୁତ ଆଶାର ନେଜାଳତରା,

ଏଇ ଜ୍ୱଲେ, ଏଇ ମରେ ।

କମରେଡ଼ ଶଙ୍କା କିହର ?

ସୋନପାହି ହେରା, ଆମାର ସ୍ୱପ୍ନ ଆମିଏ ରଚିମ

ବୋକା ଆରୁ ପାନୀ ।

ସୋନାଳୀ ଧାନ । ଆମାର ପଥାର । ଆମାର ମାଟି ।

(ହୀରେଣ ଭଟ୍ଟାଚ୍ଚାର୍ଯ୍ୟ)

 

ଯୁଦ୍ଧୋତ୍ତର ଯୁଗର ଶ୍ରେଷ୍ଠ ସାମାଜିକ ଔପନ୍ୟାସିକ ବୀଣା ବରୁଆଙ୍କ ଲେଖାରେ ଗ୍ରାମ୍ୟ ଜୀବନଯାତ୍ରାର ଚିତ୍ର ଜୀବନ୍ତ ହୋଇ ଉଠିଛି । ବ୍ରିଟିଶ ସରକାରଙ୍କ ଚାକିରୀର ସାମାଜିକ ମୂଲ୍ୟ, ବ୍ୟକ୍ତି ଉପରେ ଜାତିଭେଦ ପ୍ରଥାର ସର୍ବଗ୍ରାସୀ ପ୍ରଭାବ, ବିଧବା ରମଣୀପ୍ରତି ସମାଜର ସନ୍ଦିହାନସ୍ୱରୂପ ତାଙ୍କ ‘ଜୀବନର ବାଟତ’ ଉପନ୍ୟାସରେ ସୁସ୍ପଷ୍ଟ । ଏକ ନୂଆ ମଧ୍ୟବିତ୍ତ ଶ୍ରେଣୀର ଅଭ୍ୟୁତ୍‌ଥାନର ସୂଚନା ଦେଇ ସେ ମଧ୍ୟବିତ୍ତ ସଭ୍ୟତା ପ୍ରତି ସଂଶୟ ବ୍ୟକ୍ତ କରିଛନ୍ତି । ଏହି ନୂଆ ମଧ୍ୟବିତ୍ତ ସମାଜର ପ୍ରତିନିଧିସ୍ୱରୂପ ନାୟକ କମଳାକାନ୍ତର କାପୁରୁଷତା ଏବଂ ବୈଷୟିକ ଲୋଭ ଲାଳସାରେ ତଗରର ନିଷ୍କଳୁଷ ଜୀବନ ଏବଂ ପ୍ରେମ, ହତାଶା, ଅତୃପ୍ତି ଏବଂ ବଓ୍ୱନାର ଏକ ପ୍ରତିଧ୍ୱନି ତୋଳି ଭାସି ଯାଇଛି ।

 

ପୂର୍ବଦର୍ଶକର ସମାଜ ସଚେତନ ଲେଖକ ବୀରେନ୍ଦ୍ରକୁମାର ଭଟ୍ଟାଚାର୍ଯ୍ୟଙ୍କର କେତେକ ଲେଖାରେ ସମାଜ ଲୁଚି ଯାଇଛି ଯାହା ଅଛି ସେଇଟା ବ୍ୟକ୍ତିର ମନୋଜଗତ । ‘ଚିନାକୀ ସୂତି’ର ଲେଖକ ଅସମୀୟା ସମାଜ ସଂସ୍କୃତି ପ୍ରତି ସମ୍ପୂର୍ଣ୍ଣ ଉଦାସୀନ । ଅପର୍ଣ୍ଣା ଅନାଥ ଏବଂ ପାମେଳାକୁ ନେଇ ଲେଖକ ଗୌହାଟୀ-କଲିକତାର ରାଜପଥରେ ବୁଲୁଛନ୍ତି ସେମାନେ ପ୍ରତ୍ୟେକେ ବ୍ୟକ୍ତିଜୀବନର ଆବେଗ ଅନୁଭୂତିକୁ ନେଇ ବ୍ୟସ୍ତ । ‘ଭାଇନୀ’ ଉପନ୍ୟାସରେ ଟ୍ରାକ୍‌ଟର ଚଳେଇ ଚାଷ କରୁଥିବା ଜଣେ ଝିଅକୁ ନେଇ ଯେଉଁ ବଳିଷ୍ଠ ଚିତ୍ର ଅଙ୍କନ କରିଛନ୍ତି ସେଇଟା ଅବାସ୍ତବ ଏବଂ ଅପ୍ରାକୃତିକ ଘଟଣା ବିନ୍ୟାସରେ ପରିଣତ ହୋଇଛି ।

 

ସୟଦ୍‌ ଅବଦୁଲ ମାଲିକ ଏବଂ ପଦ୍ମ ବରକଟକୀଙ୍କ ଉପନ୍ୟାସରେ ସମାଜର ଅବହେଳିତ, ଅନ୍ଧକାରାଚ୍ଛନ୍ନ, ପଙ୍କିଳ, ବୀଭତ୍ସ, ଭୟାବହସ୍ୱରୂପ ଲଜ୍ଜାର ଆବରଣ ଖୋଲି ପ୍ରକାଶିତ ହୋଇଛି । ମାଲିକଙ୍କ ଦୃଷ୍ଟିରେ ଯୌନ-ବ୍ୟଭିଚାର ହେଉଛି ମାନବର ଅବଚେତନ ମନରେ ଥିବା ଅନୁଭୂତିର ସହଜ ପ୍ରକାଶ । ଧନୀ କ୍ଷମତାବାନ ଲୋକଙ୍କ ଅପେକ୍ଷା ସାଧାରଣ ନରନାରୀ ପରସ୍ପର ସମ୍ମତିରେ ଯୌନ ବ୍ୟଭିଚାରରେ ଲିପ୍ତ ହୁଅନ୍ତି; ଏଥିରେ କ୍ଷମତା ପ୍ରୟୋଗରେ ପ୍ରଶ୍ନ ନାହିଁ । ମାଲିକଙ୍କ ଲେଖାରେ ଧନୀ ଏବଂ ସଂଭ୍ରାନ୍ତ ବ୍ୟକ୍ତିଙ୍କର ଅର୍ଥର ଦମ୍ଭ ରହିଛି-ଆଭିଜାତ୍ୟର ଅଭିମାନ ରହିଛି, ସାଧାରଣ ମେହନତି ଲୋକଙ୍କର ବହୁଧା ବିଭକ୍ତ ସମସ୍ୟାର ଅଭିବ୍ୟକ୍ତି ରହଛି-ଅସହାୟ, ଭାଗ୍ୟହୀନ ଜଣଙ୍କ ପ୍ରତି ତାଙ୍କର ଅନ୍ତରର ଆତ୍ମୀୟତା, ଗଭୀର ସହାନୁଭୂତି ରହିଛି, ମଣିଷର ଆର୍ଥିକ ଏବଂ ଜୈବିକ ପୀଡ଼ନର ସଙ୍କେତ ରହିଛି; କିନ୍ତୁ ବିପ୍ଲବର ଆହ୍ୱାନ ନାହିଁ, ବିଦ୍ରୋହର ଲକ୍ଷଣ ନାହିଁ । ପୀଡ଼ିତ, ଦଳିତ, ଅବହେଳିତଙ୍କୁ ଲୋକ ସମାଜର ସାମନାକୁ ଆଣିବାରେ ସେ ଯେମିତି ବଦ୍ଧପରିକର, କିନ୍ତୁ ସେମାନଙ୍କୁ ଦୁଃଖ, ବେଦନା, ଦାରିଦ୍ର୍ୟ ଏବଂ ବଓ୍ୱନାରୁ ମୁକ୍ତ କରିବାପାଇଁ ସେ ପ୍ରତିଶ୍ରୁତିବଦ୍ଧ ନଥିଲେ । ତାଙ୍କର ଅନ୍ୟ ଏକ ବିଶିଷ୍ଟ ଅବଦାନ ହେଉଛି ସାହିତ୍ୟ ମାଧ୍ୟମରେ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ସଂପ୍ରୀତି ଏବଂ ସହାବସ୍ଥାନର ଆଦର୍ଶ ପ୍ରତିଷ୍ଠା । ହିନ୍ଦୁ ମୁସଲମାନଙ୍କର ଧର୍ମୀୟ ଏବଂ ଆଚରଣଗତ ସ୍ୱାତନ୍ତ୍ର୍ୟ ରହିଛି-ତାସତ୍ତ୍ୱେ ଓ ସେମାନେ ପରସ୍ପରର ବନ୍ଧୁ ବେଳେ ବେଳେ ଦୁଇଧର୍ମୀୟ ଗୋଷ୍ଠୀ ମଧ୍ୟରେ ବୈବାହିକ ସମ୍ପର୍କ ମଧ୍ୟ ସ୍ଥାପିତ ହେଉଛି । ହିନ୍ଦୁ ମୁସଲମାନଙ୍କ ସାମ୍ପ୍ରଦାୟିକ ସଂଘର୍ଷବିହୀନ ସମାଜ ଗଠନରେ ତାଙ୍କର ଅବଦାନ ଅତୁଳନୀୟ । ସେ ନିଜେ ଗାଇଛନ୍ତି:

 

ଅସମର ହକେ ଯୁଞ୍ଜି, ଅସମର ହକେ ମରୋଁ

ଧର୍ମ ମୋର, ଜାତି ମୋର, ଅସମୀୟା ପ୍ରାଣର ଆପୋନ ।

 

ବରକଟକୀଙ୍କ ଦୃଷ୍ଟିରେ ଧନୀ ଏବଂ ସମ୍ଭ୍ରାନ୍ତ ଶ୍ରେଣୀ ଯୌନ ବ୍ୟଭିଚାର ନିମନ୍ତେ ଦାୟୀ, ତାଙ୍କ ଲେଖାରେ ସବଳ ଗୋଷ୍ଠୀଦ୍ୱାରା ଦୁର୍ବଳ ନିଷ୍ପେଷିତ, ସୁବିଧାବାଦୀ ଶାସକ ଶ୍ରେଣୀର ଭାଣ୍ଡାମୀଦ୍ୱାରା ଅତିଥିପରାୟଣ, ଦାରିଦ୍ର୍ୟ ପୀଡ଼ିତ, କଳା ଶିଳ୍ପୀ ସାଧକଶ୍ରେଣୀ, ଉପେକ୍ଷିତ, ଲାଞ୍ଛିତ-। (ସିହଁତରୋ ଆଛେ ଇତିହାସ)

 

ଚଳିତ ଶତାବ୍ଦୀର ଶେଷ ଦଶକରେ ସାହିତ୍ୟିକ ମଣ୍ଡଳୀଙ୍କ ମଧ୍ୟରେ ଏକ ଅବସାଦ ଲକ୍ଷ୍ୟ କରାଯାଏ । ପ୍ରତିଷ୍ଠିତ ଲେଖକମାନେ ମଧ୍ୟ ଯେମିତି ସମାଜବିମୁଖ ହୋଇ ପଡ଼ିଛନ୍ତି । ସମାଜର ସ୍ପର୍ଶକାତରସ୍ୱରୂପ ପରିସ୍ଫୁଟ କରିବାପାଇଁ, ସମାଜର ପରିବର୍ତ୍ତିତ ମୂଲ୍ୟବୋଧ ଉପଲବ୍ଧ କରିବାପାଇଁ ସେମାନଙ୍କର ଉତ୍ସାହ ଏବଂ ନିଷ୍ଠାର ଅଭାବ । କେଉଁଠି ସମାଜ ଯଦି ରହିଛି, କେବଳ ବ୍ୟକ୍ତିର background ଅର୍ଥାତ୍‌ ପୃଷ୍ଠଭୂମିସ୍ୱରୂପ । ସେମାନେ ବ୍ୟକ୍ତିର ମନସ୍ତାତ୍ତ୍ୱିକ ବିଶ୍ଲେଷଣ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । (ମାଲିକଙ୍କ ‘ଅଘରୀ ଆତ୍ମାର କାହାଣୀ’ ମଧ୍ୟ ଏହି ଅବସାଦର ସ୍ୱାକ୍ଷର ବହନ କରେ, ଯେଉଁଠି ନିର୍ମମ ମୋହଭଙ୍ଗ ଏବଂ ଆତ୍ମ-ଜିଜ୍ଞାସାରେ ସାମାଜିକ ବନ୍ଧନ ମୁକୁଳି ଯାଇଛି) ବ୍ୟକ୍ତିର ବୌଦ୍ଧିକ ଉତ୍କୃଷ୍ଟତା ପ୍ରତିପାଦନ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି (ହୋମେନ ବରଗୋହାଇଁଙ୍କ ତାନ୍ତ୍ରିକ), ଫଳରେ ସାହିତ୍ୟର appeal ସାର୍ବଜନୀନ ହୋଇପାରୁ ନାହିଁ । ବର୍ତ୍ତମାନ ଦର୍ଶକର ପରିବର୍ତ୍ତିତ ସାମାଜିକ ପରିସ୍ଥିତିର ପରିପ୍ରେକ୍ଷୀରେ ସାମ୍ପ୍ରତିକ ଜ୍ୱଳନ୍ତ ସମସ୍ୟାଗୁଡିକର ଯଥାବିହିତ ସାହିତ୍ୟିକ ଉପସ୍ତାପନ ଏବଂ ତାଦ୍ୱାରା ଜନ ଜନସାଧାରଙ୍କୁ ଉଦ୍‌ବୁଦ୍ଧ କରବାରେ ଲୋକମାନା କୃତକାର୍ଯ୍ୟ ହୋଇ ନାହାନ୍ତି । ବେକାର ସମସ୍ୟା, ବର୍ଦ୍ଧିତ ଜନସଂଖ୍ୟାର ସମସ୍ୟା, ଦ୍ରବ୍ୟମୂଲ୍ୟ ବୃଦ୍ଧି, ଅନ୍ନବସ୍ତ୍ର ସମସ୍ୟା, ଭୂମି ସମସ୍ୟା, ଦୁର୍ନୀତିଗ୍ରସ୍ତତା, କ୍ଷୟମାନ ନୈତିକ ଚେତନାବୋଧ, ସମାଜର ପରିବର୍ତ୍ତିତ ମୂଲ୍ୟବୋଧ ଇତ୍ୟାଦି ବିଷୟ ଲେଖକ ସମାଜକୁ ବିବ୍ରତ ନ କରିବାଟା, ସମାଜରେ ତାର ଯଥାଯଥ ପ୍ରତିଧ୍ୱନି ନ ଉଠିବାଟା ଆମ ସାହିତ୍ୟିକଙ୍କର ନିସ୍କ୍ରିୟତାର, ସାମାଜିକ ଦାୟିତ୍ୱହୀନତାର ଲକ୍ଷଣ । ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତ ଏହି ଦାୟିତ୍ୱହୀନତା ଦୋଷରେ ଦୋଷୀ । ଯେଉଁ ଦୁଇଜଣ ତରୁଣ ଲେଖକ ସମାଜ ସଚେତନତାର ପରିଚୟ ଦେଇଛନ୍ତି ସେମାନେ ହେଲେ ପ୍ରଣବ ଜ୍ୟୋତି ଡେକା ଏବଂ ଅରୁଣ ଗୋସ୍ୱାମୀ । ଡେକାଙ୍କ ଲେଖାରେ ମୃତ୍ୟୁପରେ ମଣିଷ କୁକୁର, ଶୃଗାଳ ପରି ରାସ୍ତାକଡ଼ରେ ପଡ଼ିଥାଏ । ପୁରୁଣା ପ୍ରେମିକର ଶବ ଦେଖି ପ୍ରେମିକା ଭାବନ୍ତି-‘‘ହାସ୍‌ପାତାଲରେ ବା ଶବପାଇଁ କେତେ ଟଙ୍କା ଦିଅନ୍ତି ? ସାଙ୍ଗେ ସାଙ୍ଗେ ଦେବେ କି ପରେ ଦେବେ ? ଡାକ୍ତରଙ୍କୁ କିଛି ଉପୁରି ଦବାକୁ ପଡ଼ିବ କି ? ଗୋସ୍ୱାମୀଙ୍କ ଗଳ୍ପରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟର ମିଳିତ ଦୁର୍ନୀତି ପ୍ରଚେଷ୍ଟାରେ ଅଚଳ ହୋଇପଡ଼ୁଥିବା ଆମର ଶାସନଯନ୍ତ୍ର ଚଲେଇବା ପାଇଁ ମୁମୂର୍ଷୁଜନତାର ଆପ୍ରାଣ ଚେଷ୍ଟା, ସେମାନେ ନିଜ ଦେହର ରକ୍ତ ବି ଦବାପାଇଁ ପ୍ରସ୍ତୁତ-କିନ୍ତୁ କଟୁରୀରେ ଛାତି କାଟିଲେ ମଧ୍ୟ ରକ୍ତ ବାହାରେ ନାହିଁ-। କାରଣ, ‘‘ପେଟରେ ଆହାର ନାମରେ ଗୋଟାଏ ଚାଉଳ ବି ପଡ଼ି ନାହିଁ ।’’ ସ୍ୱାଧୀନ ଭାରତରେ ଦାରିଦ୍ର୍ୟର କି କରୁଣ ପୀଡ଼ନ ! ଗଳ୍ପଟାର ଶେଷରେ ଆଶାର ରଶ୍ମି ବିଚ୍ଛୁରିତ ହୋଇଛି-କେଉଁ ସାହସୀ ଯୁବକ ଆଗ୍ନେୟାସ୍ତ୍ର ହାନି ସେହି ଦୁର୍ଜନକୁ ବହିଷ୍କାର କରିଛନ୍ତି । ଦୁଃଖ ଦୁର୍ଦ୍ଦଶାରୁ ସମାଜର ନିଷ୍କୃତି ନିମନ୍ତେ ଏଭଳି ସାହସୀ ଯୁବକ, ସାହସୀ ଲେଖକଙ୍କ ଅଭ୍ୟୁତ୍‌ଥାନ ଅତୀବ ପ୍ରୟୋଜନ । ତରୁଣ ଲେଖକ ଲେଖିକାମାନଙ୍କଠାରୁ ଆମେ ଏଭଳି ସାହସୀ ପଦକ୍ଷେପ, ମୁକ୍ତିର ଆହ୍ୱାନ, ସମାଜର ପୁନର୍ବିନ୍ୟାସର ଆନ୍ତରିକ ପ୍ରଚେଷ୍ଟା ଆଶା କରୁଛୁ ।

 

ପ୍ରସଙ୍ଗ ଗ୍ରନ୍ଥ:-

(୧)

ହୀରେଣ ଗୋହାଇଁ – ସାହିତ୍ୟର ସତ୍ୟ, ସାହିତ୍ୟ ଆରୁ ଚେତନା, ବାସ୍ତବର ସ୍ୱପ୍ନ

(୨)

ଡଃ ଶୈଳେନ ଭରାଳୀ:-ଆଧୁନିକ ଅସମୀୟା ସାହିତ୍ୟ:ଦୁଟି ତରଙ୍ଗ

(୩)

ଡଃ ମହେଶ୍ୱର ନେଓଗ:-ଅସମୀୟା ସାହିତ୍ୟର ରୁପରେଖା

(୪)

ଚନ୍ଦ୍ରପ୍ରସାଦ ଶଇକୀୟା:-ଅସମୀୟା ଗଳ୍ପ ସଙ୍କଳନ

(୫)

ଡଃ ପ୍ରଫୁଲ୍ଲ କଟକୀ:-ସାହିତ୍ୟ ବିଚାର

(୬)

ଡଃ ହେମନ୍ତକୁମାର ଶର୍ମା:-ଅସମୀୟା ସାହିତ୍ୟର ଦୃଷ୍ଟିପାତ

(୭)

ଶ୍ରୀ ଶଶୀ ଶର୍ମା:-ଅସମୀୟା ସାହିତ୍ୟର ବୈପ୍ଲବିକ ଚିନ୍ତାଧାରା (ପ୍ରବନ୍ଧ)

(୮)

ହୋମେନ ବରଗୋହାଁଇ:-ଅସମୀୟା ଗଳ୍ପ ସଙ୍କଳନ (ସମ୍ପାଦିତ)

 

***

 

Unknown

ବୁଦ୍ଧାବତାର ଓ ଭାଗବତ

ପ୍ରଫେସର ପ୍ରହଲାଦ ପ୍ରଧାନ

 

ଭଗବାନଙ୍କର ଅବତାର ହେଉଛି ଅସଂଖ୍ୟ, କିନ୍ତୁ ଦଶ ଅବତାର ହେଉଛି ପ୍ରସିଦ୍ଧ । ଏହି ଦଶ ଅବତାର ହେଲେ-

 

ମତ୍ସ୍ୟାଃ କୂର୍ମୋ ବରାହଶ୍ଚ ନରସିଂହୋଽଥ ବାମନଃ ।

ରାମୋ ରାମଶ୍ଚ ରାମଶ୍ଚ ବୁଦ୍ଧଃ କଳ୍‌କୀ ଚ ତେ ଦଶ ।।

 

ମତ୍ସ୍ୟ, କୂର୍ମ, ବରାହ, ନୃସିଂହ, ବାମନ, ରାମ (ପର୍ଶୁରାମ), ରାମ (ରାମଚନ୍ଦ୍ର), ରାମ (ବଳରାମ), ବୁଦ୍ଧ ଓ କଳ୍‌କୀ ହେଉଛନ୍ତି ଅବତାର । ଅର୍ଥାତ୍‌ ଅସଂଖ୍ୟ ଅବତାର ଭିତରୁ ଏହି ଦଶ ଅବତାର ହେଉଛନ୍ତି ପ୍ରସିଦ୍ଧ । କିନ୍ତୁ ଭାଗବତରେ ପ୍ରଥମସ୍କନ୍ଧ ତୃତୀୟ ଅଧ୍ୟାୟରେ ୨୨ ଅବତାର କଥା ଉଲ୍ଲେଖ ଅଛି ।

 

୧-ବ୍ରହ୍ମା (କୁମାର), ୨-ବରାହ, ୩-ନାରଦ, ୪-ନରନାରାୟଣ, ୫-କପିଳ, ୬-ଦତ୍ତାତ୍ରେୟ, ୭-ଯଜ୍ଞ, ୮-ଋଷଭ ଦେବ, ୯-ପୃଥୁ, ୧୦-ମତ୍ସ୍ୟ, ୧୧-କୂର୍ମ, ୧୨-ଧନ୍ୱନ୍ତରୀ, ୧୩-ମୋହିନୀ, ୧୪-ନୃସିଂହ, ୧୫-ବାମନ, ୧୬-ପର୍ଶୁରାମ, ୧୭-ବେଦବ୍ୟାସ, ୧୮-ରାମ, ୧୯-ବଳରାମ, ୨୦-କୃଷ୍ଣ, ୨୧-ବୁଦ୍ଧ, ୨୨-କଳ୍‌କୀ ।

 

ଏଠାରେ ବ୍ରହ୍ମା ଅବତାରକୁ କେହି କେହି ‘କୁମାର ଅବତାର’ ବୋଲି କହିଛନ୍ତି । ଏହି କୁମାରର ଅର୍ଥ ସନତ୍‌କୁମାରାଦି ଅବତାର । ଶ୍ରୀଧର ସ୍ୱାମୀ ଓ ବିଶ୍ୱନାଥ ଚକ୍ରବର୍ତ୍ତୀ କହିଛନ୍ତି-

 

‘ସନତ୍‌କୁମାରାଦ୍ୟବତାରଂ ତଚ୍ଚରିତ୍ରଂ ଚାହ ସ ଏବେ’ ତି ।

ଭଗବତ, ୧।୩।୬। ଟୀକା

 

ସେହି ଭାଗବତରେ ଦ୍ୱିତୀୟସ୍କନ୍ଧ ୭ମ ଅଧ୍ୟାୟରେ ୨୪ ଅବତାର ଉଲ୍ଲେଖ ରହିଛି । ସେଠାରେ ୨୪ ଅବତାରରୁ ସମସ୍ତଙ୍କର ନାମତଃ ଉଲ୍ଲେଖ ନାହିଁ, କିନ୍ତୁ ସେମାନଙ୍କର ଚରିତ୍ରର ଉଲ୍ଲେଖ ଥିବାରୁ ସେଥିରୁ ୨୪ ଅବତାରଙ୍କ କଥା ଜଣାପଡ଼ିଯାଉଛି । ଟୀକାକାରମାନେ ମଧ୍ୟ ଏହାକୁ ସ୍ପଷ୍ଟ କରି ଦେଇଛନ୍ତି । ଏହି ୨୪ ଅବତାର ହେଲେ-

 

୧-ବରାହ, ୨-ସୁଯଜ୍ଞ, ୩-କପିଳ, ୪-ଦତ୍ତାତ୍ରେୟ, ୫-ଚତୁଃସନ, ୬-ନରନାରାୟଣ, ୭-ଭଗବତ, ୮-ପୃଥୁ, ୯-ଋଷଭ, ୧୦-ହୟଗ୍ରୀବ, ୧୧-ମତ୍ସ୍ୟ, ୧୨-କୂର୍ମ, ୧୩-ନୃସିଂହ, ୧୪-ହରି, ୧୫-ବାମନ, ୧୬-ହଂସ, ୧୭-ମନୁ ବଂଶଧର, ୧୮-ଧନ୍ୱନ୍ତରୀ, ୧୯-ପର୍ଶୁରାମ, ୨୦-ରାମ, ଶ୍ରୀକୃଷ୍ଣ, ୨୨-ବ୍ୟାସ, ୨୩-ବୁଦ୍ଧ, ୨୪-କଳ୍‌କୀ ।

 

ଏଥିରୁ ୫-ଚତୁଃସନାବତାରକୁ କେହି କେହି ଚତୁଃସନାତନ କହିଛନ୍ତି ଏବଂ କେହି କେହି କୁମାର ବୋଲି ଉଲ୍ଲେଖ କରିଛନ୍ତି । ସେହିପରି ୭ମ ଅବତାରକୁ କେହି କେହି ‘ଭଗବତ୍‌’ କହିଛନ୍ତି କେହି କେହି ଧ୍ରୁବ (?) ଭାବାର୍ଥ ଦୀପିକାରେ ସ୍ପଷ୍ଟତଃ କୌଣସି ନାମ ଆସୁନାହିଁ । ସେ କହିଛନ୍ତି-‘‘ଚରିତ୍ରେଣୈବ କମପ୍ୟବତାରଂ ସୂଚୟତି ।’’ ଚରିତ୍ରଦ୍ୱାରାହିଁ କୌଣସି ଅବତାରକୁ ସୂଚିତ କରୁଅଛନ୍ତି । ସେହିପରି ୧୭-ମନୁ ବଂଶଧରକୁ କେହି କେହି ମନ୍ୱନ୍ତରର ଅବତାର କହିଛନ୍ତି । କିନ୍ତୁ ମନୁବଂଶଧର (ମନୁଷ୍ୟ) ବା ମନ୍ୱନ୍ତର ଅପେକ୍ଷା କେବଳ ମନୁ କହିଥିଲେ ବେଶି ଯୁକ୍ତି ସଂଗତ ହୋଇଥାନ୍ତା । ଆହୁରି ମଧ୍ୟ ୨୧-ଶ୍ରୀକୃଷ୍ଣଙ୍କ ବଳରାମକୃଷ୍ଣ କୁହାଯାଇପାରେ ।

 

ଭାଗବତର ଦଶମ ସ୍କନ୍ଧ ୪୦ ଅଧ୍ୟାୟ ‘‘ଅକ୍ରୂର ସ୍ତୁତି’’ରେ ମଧ୍ୟ କେତୋଟି ଅବତାରର ଉଲ୍ଲେଖ ହୋଇଛି । ସେମାନେ ହେଲେ- ୧-କାରଣ ମତ୍ସ୍ୟ, ୨-ହୟଶୀର୍ଷ, ୩-ମଧୁ-କୈଟଭାରି, ୪-କୂର୍ମ, ୫-ଶୂକର, ୬-ନୃସିଂହ, ୭-ବାମନ, ୮-ଭୃଗୁପତି ପର୍ଶୁରାମ, ୯-ରଘୁବର୍ଯ୍ୟ ରାମ, ୧୦-ବାସୁଦେବ-ସଙ୍କର୍ଷଣ-ପ୍ରଦ୍ୟୁମ୍ନ-ଅନିରୁଦ୍ଧ-ଚତୁର୍ବ୍ୟୂହ, ୧୧-ବୁଦ୍ଧ, ୧୨-କଳ୍‌କୀ । ଚତୁର୍ବ୍ୟୂହକୁ ଅଲଗା ଅଲଗା ନେଲେ ଏମାନେ ହେବେ ୧୫ ଅବତାର ।

 

ଏହି ତିନୋଟିଯାକ ପ୍ରସଙ୍ଗକୁ ତୁଳନା କଲେ ଦେଖାଯାଉଛି ଯେ ଶେଷରେ ଚତୁର୍ବ୍ୟୂହର ଉଲ୍ଲେଖ ଅଧିକାଂଶରେ ରହିଛି, ଯାହା ପ୍ରଥମ ଦୁଇଟିରେ ନାହିଁ । କିନ୍ତୁ ପ୍ରଥମ ଦୁଇଟିରେ ଅନେକ ପାର୍ଥକ୍ୟ ଆସୁଛି । ପ୍ରଥମ ତାଲିକାର ପ୍ରଥମ ଅବତାର ବ୍ରହ୍ମାବତାରକୁ ‘କୁମାରାବତାର’ ରୂପରେ ନିଆଯାଏ । ତେବେ ଏହା ଦ୍ୱିତୀୟ ତାଲିକାର ୫-ଚତୁଃସନାତନ=ଚତୁଃସନାତନ (ସନକ, ସନନ୍ଦନ, ସନାତନ, ସନତ୍‌ କୁମାର) ବା କୁମାର ଅବତାର ସହିତ ଏକ ହୋଇପାରେ । ନ ହେଲେ ଏମାନେ ପୃଥକ ପୃଥକ ଅବତାର ହେବେ । ପ୍ରଥମ ତାଲିକାରେ ଥିବା ୩-ନାରଦ ଏବଂ ୧୩-ମୋହିନୀ ଦ୍ୱିତୀୟ ତାଲିକାରେ ନାହିଁ । ଦ୍ୱିତୀୟ ତାଲିକାରେ ଥିବା ୭-ଭଗବତ୍‌, ୧୦-ହୟଗ୍ରୀବ, ୧୪-ହରି, ୧୬-ହଂସ, ୧୭-ମନୁବଂଶଧର ବା ମନ୍ୱନ୍ତର, ଓ ୨୨-ବ୍ୟାସ ଅନ୍ୟ ତାଲିକାରେ ନାହିଁ । ଏ ସମସ୍ତଙ୍କୁ ମିଶାଇଲେ ଭଗବତରେ ଅବତାର ହେବେ ୨୪+୨+୧=୨୭ ଏବଂ ଚତୁବ୍ୟୂହ ଏବଂ ଚତୁଃସନଙ୍କର ପ୍ରତ୍ୟେକଙ୍କୁ ପୃଥକ ପୃଥକ ଅବତାର ରୂପରେ ଗ୍ରହଣ କଲେ, ଅବତାରର ହେବ ସଂଖ୍ୟା ୩୩ ।

 

ଭାଗବତରେ ଏହି ଅବତାର ପ୍ରସଙ୍ଗରେ ଲକ୍ଷ୍ୟ କରିବାର କଥା ଯେ କୃଷ୍ଣଙ୍କୁ ଅବତାର ବୋଲି କୁହା ହୋଇଛି ଏବଂ ପ୍ରଥମ ସ୍କନ୍ଧରେ ପ୍ରଥମ ତାଲିକାର ଠିକ୍‌ ପରେ ପରେ କୃଷ୍ଣଙ୍କୁ ଅବତାରୀ ବୋଲି କୁହା ହୋଇଛି । ଏହି ପ୍ରସଙ୍ଗରେ ଭାଗବତକାର କହିଛନ୍ତି-

 

ଅବତାରା ହ୍ୟସଂଖ୍ୟେୟା ହରେଃ ସତ୍ତ୍ୱାନିଧେ ର୍ହିଜାଃ ।

ଯଥାବିଦାସିନଃ କୁଲ୍ୟାଃ ସରସଃ ସ୍ୟୁଃ ସହସ୍ରଶଃ ।। ୧। ୩ । ୨୬।।

ଋଷୟୋ ମୁନୟୋ ଦେବା ମନୁପୁତ୍ରା ମହୌଜସଃ ।

କଳାଃ ସର୍ବେ ହରେରେବ ସପ୍ରଜା ପତୟସ୍ତଥା ।। ୨୭ ।।

ଏତେ ଚାଂଶକଳାଃ ପୁଂସଃ କୃଷ୍ଣସ୍ତୁ ଭଗବାନ ସ୍ୱୟମ୍‌।। ୨୮ ।।

 

ହେ ବ୍ରାହ୍ମଣଗଣ, ସତ୍ତ୍ୱନିଧି ହରିଙ୍କ ଅବତାର ସଂଖ୍ୟା କରାଯାଇ ପାରିବ ନାହିଁ । ଯେପରି ଉପକ୍ଷୟ ରହିତ ସରୋବର ବା ହ୍ରଦରୁ ହଜାର କୁଲ୍ୟା ବା କୃତ୍ରିମ ଛୋଟ ଛୋଟ ନଦୀ (କେନାଲ) ବାହାରେ, ସେହିପରି ମହାତେଜସ୍ୱୀ ଋଷି, ମୁନି, ଦେବ, ପ୍ରଜାପତି ସହିତରେ ମନୁପୁତ୍ରମାନେ ହରିଙ୍କ କଳା ଅଟନ୍ତି । ଏମାନେ (ଆଦି) ପୁରୁଷଙ୍କ ଅଂଶ କଳା, କୃଷ୍ଣ କିନ୍ତୁ ନିଜେ ଭଗବାନ ।

 

ଏଠାରେ ‘ଅଂଶ କଳା’କୁ ଟୀକାକାରମାନେ ଦ୍ୱନ୍ଦ୍ୱ ସମାସରୂପରେ ଗ୍ରହଣ କରିଛନ୍ତି ଏବଂ କଳାର ଅର୍ଥ ହେଉଛି ବିଭୂତି । ଅର୍ଥାତ୍‌ ଅବତାରମାନଙ୍କ ଭିତରୁ ଅନେକେ ଅଂଶାବତାର ଏବଂ କେତେକ କଳାବତାର, ଏଣୁ ଏହା ଉପରେ ଭାବାର୍ଥ ଦୀପିକାରେ କୁହା ହୋଇଅଛି–

 

ବିଭୂତୀରାହ ଋଷୟ ଇତି ।୨୭। ତତ୍ର ବିଶେଷ ମାହ-ଏତେ ଚେତି ।୨୮। ପୁଂସଃପରମେଶ୍ୱରସ୍ୟ କେଚିଦଂଶାଃ, କେଚିତ, କଳାଃ ବିଭୂତୟଃ । ତତ୍ର ମତ୍ସ୍ୟାଦୀନାବତାରତ୍ୱେନ ସର୍ବଜ୍ଞତ୍ୱେ ସର୍ବଶକ୍ତିମତ୍ତ୍ୱେଽପି ଯଥୋପଯୋଗମେବ ଜ୍ଞାନତ୍ରିୟାଶକ୍ତ୍ୟା ବିଷ୍କରତାମ୍‍ କୁମାରନାରଦାଦି ଷ୍ୱାଧିକାରିକେଷୁ ଯଥୋପଯୋଗମଂଶକଳାବେଶଃ । ତତ୍ର କୁମାରାଦିଷୁ ଜ୍ଞାନାବେଶଃ । ପୃଥ୍ୱାଦିଷୁ ଶକ୍ତ୍ୟା ବେଶଃ । କୃଷ୍ଣସ୍ତୁ ସାକ୍ଷାତ୍‌ ଭଗବାନ ନାରାୟଣ ଏବ, ଆବିଷ୍କୃତ ସର୍ବଶକ୍ତି ମତ୍ତ୍ୱାତ୍‌।

 

ବିଭୂତିକୁ ଅର୍ଥାତ୍‌, ବିଭୂତିକୁ ନେଇ ଅବତାର କଥା କହିଲେ ‘ଋଷିୟୋ ମୁନୟୋ ଦେବା’ ଇତ୍ୟାଦି (ଶ୍ଲୋକ ୭) ଏମାନେ ସମସ୍ତେ ହରିଙ୍କ କଳା ଅର୍ଥାତ୍‌ ବିଭୂତି । ୨୮ ଶ୍ଲୋକର ବ୍ୟାଖ୍ୟା ପ୍ରସଙ୍ଗରେ କହିଲେ–ପୁରୁଷ ପରମେଶ୍ୱରଙ୍କର କେତେକ ହେଉଛନ୍ତି ଅଂଶ ଏବଂ କେତେକ ହେଉଛନ୍ତି କଳା ଅର୍ଥାତ୍‌ ବିଭୂତି । ଏଣୁ ଜଗନ୍ନାଥ ଦାସ ଏହାର ଅନୁବାଦ କରି କହି ଅଛନ୍ତି:-

 

ସେ ସତ୍ୟ (ସତ୍ତ୍ୱ) ନିଧି ମାୟାଧର

ଅସଂଖ୍ୟ କରେ ଅବତାର

।।

ଯଥା ଅକ୍ଷୟ ହ୍ରଦ ଦେହେ

ସହସ୍ର କ୍ଷୁଦ୍ର ନଦୀ ବହେ

।।

ଋଷି ଦେବତା ମନୁ (ମୁନି) ରାଜା

ଯେ ମନୁ ପୁତ୍ରେ ମହାତେଜା

।।

ଏ ଆଦି ଯେତେ ପ୍ରଜାପତି

ବିଷ୍ଣୁର ଅଂଶେ ଜନ୍ମ ହୋନ୍ତି

।।

କେ ଅଂଶେ କେତେକଳା ହୋଇ

ବିଭୂତିଗୁଣେ କେ ଜନ୍ମଇ

।।

ସକଳ ଅବତାର ସାର

କି ଅବା ଦେବା ପଟାନ୍ତର

।।

ନିଜ ମୂରତି ଚକ୍ରଧର

ସ୍ୱୟଂ ଶ୍ରୀକୃଷ୍ଣ ଅବତାର

।।

 

କେବଳ କଳା ବା ଅଂଶ ନୁହେ, ଅଂଶାଂଶକୁ ନେଇ ମଧ୍ୟ ଅବତାର ଗ୍ରହଣ କରିବା କଥା ଭାଗବତରେ ରହିଛି ।

 

ଏତନ୍ନାନାବତାରାଣାଂ ନିଧାନଂ ବୀଜମବ୍ୟୟମ୍‌ ।

ଯସ୍ୟାଂଶାଂଶେନ ସୃଜ୍ୟନ୍ତେ ଦେବ ତିର୍ଯ୍ୟଙ୍‌ନରାଦୟଃ ।।୧।୩।୫।।

 

ଏହି କୂଟସ୍ଥ ଆଦି ନାରାୟଣ ହେଉଛନ୍ତି ନାନା ଅବତାରମାନଙ୍କର ନିଧାନ ବା କାର୍ଯ୍ୟାବସାନ ପରେ ପ୍ରବେଶ ସ୍ଥାନ, ବୀଜ ବା ଉଦୟ ସ୍ଥାନ ଏବଂ ତାହା ହେଉଛି ଅବ୍ୟୟ । ସେ କେବଳ ଅବତାରମାନଙ୍କର ବୀଜ ନୁହନ୍ତି, ସବୁ ପ୍ରାଣୀମାନଙ୍କର ବୀଜ, ଦେବ ତିର୍ଯ୍ୟକ୍‌ ଏବଂ ନରମାନେ ଏହାଙ୍କଠାରୁ ସୃଷ୍ଟ ହୁଅନ୍ତି । ଏହାଙ୍କର ଅଂଶ ବା ଅଂଶାଂଶରୁ ଅବତାରମାନେ ଆବିର୍ଭୂତ ହୁଅନ୍ତି । ଅର୍ଥାତ୍‌ ଏହାଙ୍କର ଅଂଶ ହେଉଛନ୍ତି ବ୍ରହ୍ମା, ତାଙ୍କର ଅଂଶ ହେଉଛନ୍ତି ମରୀଚି ଆଦି । ଜଗନ୍ନାଥ ଦାସ ଏହାର ଅନୁବାଦ କରି ଲେଖିଛନ୍ତି-

 

ସେ ସୃଷ୍ଟି ମଧ୍ୟ ମାୟାଧର

ହୁଅନ୍ତି ଯେତେ ଅବତାର

।।

ତାଙ୍କରି ମୂଳବୀଜ ଏହି

ଜଗତେ ବ୍ରହ୍ମ ସେ ବୋଲାଇ

।।

ଯାହାର ଅଂଶାଂଶର ବଳେ

ଗଗନ ପୃଥିବୀ ପାତାଳେ

।।

ଦେବ ମନୁଷ୍ୟ ପଶୁ ଆଦି

ନିଗମ ଗୋଚରେ ସଂପାଦି

।।

 

ଏହି ଆଲୋଚନାରୁ ଜଣାପଡ଼ୁଛି ଯେ ଆଦି ପୁରୁଷ (ବ୍ରହ୍ମ)ଙ୍କ ଅଂଶ, ଅଂଶାଂଶ ଓ କଳା ବା ବିଭୂତିରୁ ଅବତାର ଗ୍ରହଣ କରନ୍ତି; ଶ୍ରୀକୃଷ୍ଣଙ୍କର ହେଉଛି ସଂପୂର୍ଣ୍ଣ କଳା, ସେ ସ୍ୱୟଂ ଭଗବାନ ଅର୍ଥାତ୍‌ କୃଷ୍ଣ ହେଉଛନ୍ତି ଅବତାରୀ ଏବଂ ଅନ୍ୟମାନେ ହେଉଛନ୍ତି ଅବତାର, ବୁଦ୍ଧ ମଧ୍ୟ । ବୁଦ୍ଧଙ୍କ ସ୍ଥାନ ଶ୍ରୀକୃଷ୍ଣଙ୍କ ତଳେ, ଅନ୍ୟ ଅବତାରମାନଙ୍କ ଅପେକ୍ଷା ମଧ୍ୟ ଅନେକ ତଳେ ।

 

ଭାଗବତରେ ସବୁ ଅବତାରମାନଙ୍କର ଗୋଟିଏ ଗୋଟିଏ ବିଶିଷ୍ଟ ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ କରା ହୋଇଅଛି, ବୁଦ୍ଧ ଅବତାରର ମଧ୍ୟ । ବୁଦ୍ଧ ଅବତାରର ଉଦ୍ଦେଶ୍ୟ ସମ୍ବନ୍ଧରେ ସେଠାରେ କୁହା ହୋଇଅଛି-

 

ତତଃ କଳୌ ସଂପ୍ରବୃତ୍ତେ ସଂମୋହାୟ ସୁରଦ୍ୱିଷାମ୍‌।

ବୁଦ୍ଧୋ ନାମ୍ନାଞ୍ଜନ ସତଃ କୀକଟେଷୁ ଭବିଷ୍ୟତି ।।୧।୩।୨୪।।

 

ଏହା ପରେ କଳିଯୁଗରେ ସୁରଶତ୍ରୁ ଅର୍ଥାତ୍‌ ଅସୁରମାନଙ୍କର ସଂମୋହ ବା ଚିତ୍ତଭ୍ରମ ପାଇଁ ଅଞ୍ଜନଙ୍କ ପୁତ୍ରରୂପରେ କୀକଟ ଦେଶରେ ବୁଦ୍ଧ ନାମରେ (୨୧ତମ ଅବତାର ରୂପରେ) ଜନ୍ମଗ୍ରହଣ କରିବେ । * ଏଠାରେ ବୁଦ୍ଧ ଅବତାରର ପ୍ରୟୋଜନ ପ୍ରସଙ୍ଗରେ କୁହା ହୋଇଅଛି । ‘‘ସଂମୋହାୟ ସୁରଦ୍ୱିଷାମ୍‌’’ ବା ସୁରଶତ୍ରୁ ଅସୁରମାନଙ୍କ ମୋହ ବା ଚିତ୍ତଭ୍ରମକରଣ ପାଇଁ ବୁଦ୍ଧ ଅବତାର ଗ୍ରହଣ କରିଥିଲେ । ଏଠାରେ ମନରେ ପ୍ରଶ୍ନ ଉଠେ ଯେ, ଅସୁରମାନଙ୍କୁ ଭୁଲାଇବା ପାଇଁ ବା ସେମାନଙ୍କ ମନରେ ଭ୍ରମ ସୃଷ୍ଟି କରିବା ହେଉଛି ବୁଦ୍ଧ ଅବତାର ଗ୍ରହଣର ପ୍ରୟୋଜନ, ଏହା କ’ଣ ସତ୍ୟ ?

 

* ଜଗନ୍ନାଥ ଦାସ ଏହାର ଅନୁବାଦ କରି କହିଛନ୍ତି-

 

କଳି ଆରମ୍ଭେ ଭାବଗ୍ରାହୀ । ପାଷାଣ୍ଡ ଜନମନ ମୋହି ।

ବୁଦ୍ଧ ନାମରେ ଦ୍ୱିଜବାରେ । ଜନ୍ମିଲେ କୀକଟ ନଗରେ ।।

 

ସେହି ଭାଗବତର ଦ୍ୱିତୀୟ ସ୍କନ୍ଦ ୭ମ ଅଧ୍ୟାୟରେ ୨୪ ଅବତାର ପ୍ରସଙ୍ଗରେ ନାମତଃ କୌଣସି ଅବତାରର ଉଲ୍ଲେଖ କରି ନଥିଲେ ମଧ୍ୟ ଚରିତ୍ର ଉଲ୍ଲେଖ କରି କହି ଅଛନ୍ତି-

 

ଦେବଦ୍ୱିଷାଂ ନିଗମ ବର୍ତ୍ମନି ନିଷ୍ଠିତାନାଂ

ପୂର୍ତ୍ତିର୍ମୟେନ ବିହାତାଭିର ଦୃଶ୍ୟ ତୂର୍ଭିଃ

ଲୋକାନ୍‌ଘ୍ନତାଂ ମତିବିମୋହମତି ପ୍ରଲୋଭଂ

ବେଷଂ ବିଧାୟ ବହୁ ଭାଷ୍ୟତ ଔପ ଧର୍ମ୍ୟମ୍‌ ।।୩।।

 

ଏ ଶ୍ଲୋକର ଅର୍ଥ ଏତେ ସ୍ପଷ୍ଟ ହେଉନାହିଁ । କିନ୍ତୁ ଏତିକି ଲକ୍ଷଣୀୟ ଯେ, ଏହା ବୁଦ୍ଧଙ୍କ ବିଷୟରେ କୁହା ହୋଇଅଛି । ଶ୍ରୀଧର ସ୍ୱାମୀ ଏହା ବ୍ୟାଖ୍ୟା କରି କହିଅଛନ୍ତି- ‘‘ବୁଦ୍ଧାବତାରମାହ–ଦେବଦ୍ୱିଷାଂ ଦୈତ୍ୟାନାଂ ନିଗମର୍ତ୍ମନି ନିଷ୍ଠିତାନାଂ ନିତରାଂ ସ୍ଥିତାନାଂ ତତ୍‌ବେଳନ ଚ ପୂର୍ତ୍ତିଃ ପୁରୀଭିଃ ଅଦୃଶ୍ୟ ତୂର୍ଭିଃ ଅଲକ୍ଷ୍ୟ ବେଗାଭିଃ । ମତେ ର୍ବିମୋହଃ ଯୋଗ୍ୟତା ତ୍ୟାଗୋ ଯସ୍ମାତ୍‌ ମତେଃ ପ୍ରଲୋଭଃ ଅଯୁକ୍ତ ସ୍ୱୀକାରୋ ଯସ୍ମାତ୍‌ ତଂ ପାଷଣ୍ଡ ବେଷଂ ବିଧାୟ ତେନ ଔପଧର୍ମ୍ୟଂ, ସ୍ୱାର୍ଥେଷ୍ୟଙ୍‌। ବହୁ ଭାଷିଷ୍ୟତ ଇତ୍ୟର୍ଥଃ ।’’

 

ବୁଦ୍ଧାବତାର ସମ୍ବନ୍ଧରେ କହୁଛନ୍ତି- ଦେବଦ୍ୱିଷ୍ ଅର୍ଥାତ୍‌ ଦୈତ୍ୟମାନେ ନିଗମବର୍ତ୍ମ ଅର୍ଥାତ୍‌ ବେଦ ମାର୍ଗରେ ନିଷ୍ଠିତ ବା ନିତରାଂ ସ୍ଥିତ ହୋଇଥିବାରୁ ତାହାରି ବଳରେ ପୁର୍‌ ଅର୍ଥାତ୍‌ ପୁରୀ ଯାହା ଅଦୃଶ୍ୟତୁର ବା ଅଲକ୍ଷ୍ୟତବେଗା, ସେମାନଙ୍କଦ୍ୱାରା । ମତିର ବିମୋହ ଅର୍ଥାତ୍‌ ଯୋଗ୍ୟତା ତ୍ୟାଗହୁଏ ଯାହାଠାରୁ ଏବଂ ମତିର ପ୍ରଲୋଭ ଅର୍ଥାତ୍‌ ଅଯୁକ୍ତ (ଅନୁଚିତ) ସ୍ୱୀକାର ହୁଏ ଯାହାଠାରୁ, ଏହିପରି ପାଷଣ୍ଡବେଷ ବିଧାନ କରି ତାଙ୍କଦ୍ୱାରା (ବୁଦ୍ଧଙ୍କଦ୍ୱାରା ଔପଧର୍ମ୍ୟ ଉପଧର୍ମରୁ ସ୍ୱାର୍ଥରେ ଷ୍ୟଙ୍‌ (ୟ) ପ୍ରତ୍ୟୟ ହୋଇ ଔପଧର୍ମ୍ୟ ଶବ୍ଦ ସିଦ୍ଧ ହୋଇଛି) ବା ଉପଧର୍ମ ବହୁତ କୁହାହେବ ।

 

ଏହି ଟୀକାକୁ ନେଇ ଶ୍ଲୋକର ବ୍ୟାଖ୍ୟା କଲେ ଶ୍ଲୋକର ଅର୍ଥ ହେବ–ଦେବଙ୍କ ଶତ୍ରୁ ଦୈତ୍ୟମାନେ ବେଦମାର୍ଗରେ ନିଷ୍ଠିତ ହୋଇଥିବାରୁ ତାହାରି ବଳରେ ମୟଙ୍କଦ୍ୱାରା ନିର୍ମିତ ଅଲକ୍ଷ୍ୟବେଗ ପୁରୀମାନଙ୍କଦ୍ୱାରା ଲୋକମାନଙ୍କୁ ନାଶ କରୁଥିବା ବା ସେମାନଙ୍କ ଅନିଷ୍ଟ କରୁଥିବା ବ୍ୟକ୍ତିମାନଙ୍କର ମତି ବିମୋହନକାରୀ ଏବଂ ମତି ପ୍ରଲୋଭନକାରୀ ବେଷ ଧାରଣକରି ସେ (ବୁଦ୍ଧ) ଉପଧର୍ମ ବା ନିମ୍ନସ୍ତରର ଧର୍ମ ବହୁତ କହିବେ, ବା ଉପଦେଶ ଦେବେ ।

 

ଏହାକୁ ଦେଖିଲେ ଜଣାପଡ଼ୁଛି ଯେ ଦେବବିରୋଧୀ ଲୋକମାନେ ବେଦମାର୍ଗରେ ନିଷ୍ଠିତ ହୋଇ ଲୋକମାନଙ୍କର ଅନିଷ୍ଟ କରୁଥିଲେ ଏବଂ ସେମାନଙ୍କୁ ଭୁଲାଇବାକୁ ବା ଭୁଲ ପଥରେ ନେବାକୁ ବୁଦ୍ଧ ଅବତାର ଗ୍ରହଣ କରିଥିଲେ ଏବଂ ସେ ଉପଧର୍ମ ପ୍ରଚାର କରିଥିଲେ । କିନ୍ତୁ ମୟନିର୍ମିତ ଅଲକ୍ଷ୍ୟ ବେଗ ପୁରୀର ସାର୍ଥକତା ଏବଂ ଅଭିପ୍ରାୟ କ’ଣ ? ‘‘ଅଦୃଶ୍ୟ ତୂର୍ଭିଃ’’ର ‘‘ଅଲକ୍ଷ୍ୟ ବେଗାଭିଃ’’ ଅର୍ଥ କରାହୋଇଅଛି । ଏହି ‘ତୁର’ ଶବ୍ଦ ‘ଞ୍ଜି ତ୍ୱରା ସଂଭ୍ରମେ’ ଧାତୁରୁ ଆସିଛି, ଯେଉଁଥିରୁ ତ୍ୱରା, ତୂର୍ଣ୍ଣ ଆଦି ଶବ୍ଦ ଆସିଛି । ତେବେ ଏହି ଅଦୃଶ୍ୟ ତୁର୍‌ବା ଅଲକ୍ଷ୍ୟ ବେଗା ପୁରୀର ତାତ୍ପର୍ଯ୍ୟ କ’ଣ ? ଜଗନ୍ନାଥ ଦାସଙ୍କ ଭାଗବତରେ ମଧ୍ୟ ଏହାର ଅର୍ଥ ସ୍ପଷ୍ଟ ହେଉ ନାହିଁ । ଏହି ପ୍ରକରଣରେ ସେ ବୁଦ୍ଧଙ୍କ ନାମ ଉଲ୍ଲେଖ ନ କରି ଅନୁବାଦ କରିଛନ୍ତି-

 

ଅସୁରେ ତେଜି ବେଦମାର୍ଗେ

ମାୟାବିମାନେ କଳିଯୁଗେ

।।

ତାହାଙ୍କ ନିସ୍ତାର ଯେମନ୍ତେ

ଦୃଶ୍ୟ ଅଦୃଶ୍ୟ ଶୂନ୍ୟପଥେ

।।

କରିଲେ ବହୁଜନ ହିତ

ସେ କଥା ଜାଣି ଜଗନ୍ନାଥ

।।

କପଟେ ମାୟା ମୋହ ପାଶେ

ପାଷଣ୍ଡ ମାର୍ଗ ଉପଦେଶେ

।।

ଅଜ୍ଞାନ ମଦେ ନ ବୁଝିବେ

ସୁଜନ ଜନଙ୍କୁ ହିଂସିବେ

।।

 

ଶ୍ରୀଧର ସ୍ୱାମୀଙ୍କ ଦୈତ୍ୟକୁ ଏଠାରେ ଅସୁର ବୋଲି କୁହା ହୋଇଅଛି । କିନ୍ତୁ ପୂର୍ବ ଶ୍ଲୋକର ‘ସୁରଦ୍ୱିଷାମ୍‌’କୁ ସେ ‘ପାଷାଣ୍ଡ’ ବୋଲି କହି ଅଛନ୍ତି । ସୁରଦ୍ୱିଷାଂ ଓ ଦେବଦ୍ୱିଷାଂର ଅର୍ଥ ଏକ ହେବା କଥା, କିନ୍ତୁ ଅସୁର ଓ ଦୈତ୍ୟ ଏବଂ ପାଷାଣ୍ଡ ଏକ ନୁହନ୍ତି । ଆହୁରି ମଧ୍ୟ ମୟ ନିର୍ମିତ ପୁରୀକୁ ଏଠାରେ ‘ମାୟାବିମାନ’ ବୋଲି କୁହା ହୋଇଅଛି । ଏହା ପ୍ରସଙ୍ଗକୁ ଆହୁରି ଜଟିଳ କରି ଦେଉଛି । ବୁଦ୍ଧଙ୍କର ମାୟା ବିମାନ ସହିତ ସମ୍ବନ୍ଧ କିଛି ବୁଝି ହେଉନାହିଁ । ‘ଅଦୃଶ୍ୟତୁର୍ଭିଃ’ର ଅନୁବାଦ ‘ଦୃଶ୍ୟ ଅଦୃଶ୍ୟ ଶୂନ୍ୟପଥ’ କିପରି ହେଲା ଏବଂ ଏହାର ଅର୍ଥ କ’ଣ, ତାହା ମଧ୍ୟ ବୁଝି ହେଉନାହିଁ । ‘କରିଲେ ବହୁ ଜନ ହିତ’ର ମୂଳ ଶ୍ଲୋକରେ କୌଣସି ସୂଚନା ନାହିଁ । ଏଠାରେ ବେଷର ମଧ୍ୟ କୌଣସି ଉଲ୍ଲେଖ ନାହିଁ । ‘ହତ’ ସ୍ଥାନରେ ‘ହତ’ ଏବଂ ‘ବେଷ’ ସ୍ଥାନରେ ଯଦି ‘ପାଶେ’ ହୋଇ ଯାଇଅଛି, ତାହା ଅନ୍ୟ କଥା । ତଥାପି ‘ଅସୁରେ ତେଜି ବେଦମାର୍ଗେ’ର ‘ତେଜି’ର ମୂଳରେ କୌଣସି ପ୍ରତିଶବ୍ଦ ନାହିଁ । ମୂଳରେ ଅଛି ‘ନିଷ୍ଠିତାନାମ୍‌’ ବା ଭଲଭାବରେ ରହି । ସେ ଯାହା ହେଉ, ‘ହତ’ ସ୍ଥାନରେ ହିତ ଏବଂ ‘ବେଷେ’ ସ୍ଥାନରେ ‘ପାଶେ’ ହୋଇ ଯାଇଅଛି, ତେବେ ଏହାର ଅର୍ଥ ହେବ-ଦେବଦ୍ୱିଷ୍‌ବା ଅସୁରମାନେ ଶୂନ୍ୟ ପଥରେ ଆସି ଅନେକ ଜନହିତ କରି (ଲୋକାନ୍‌ଘ୍ନତାମ୍‌) ମତି ବିମୋହ ଓ ମତି ପ୍ରଲୋଭ ବେଷ ଧାରଣ କରି (କପଟେ ମାୟା ମୋହ ପାଶେ (ବେଷେ) ଔପଧର୍ମ୍ୟ ବା ପାଷଣ୍ଡମାର୍ଗ ଉପଦେଶ ଦେବେ । ଏହିପରି ଅର୍ଥ କଲେ ମଧ୍ୟ ଜଗନ୍ନାଥ ଦାସଙ୍କର ‘ସୁଜନଜନଙ୍କୁ ହିଂସିବେ’ ଅଧିକା ହୋଇଯାଉଅଛି ।

 

ଏହି ଶ୍ଲୋକର ଏପରି ଅର୍ଥ କରାଯାଇ ପାରେ । ଏହା ବୁଦ୍ଧାବତାର ପ୍ରସଙ୍ଗରେ ଆସିଛି । ଏଣୁ ବୌଦ୍ଧ ଭିକ୍ଷୁମାନଙ୍କ ଚର୍ଚ୍ଚା ଆସିବା ମଧ୍ୟ ସ୍ୱାଭାବିକ । ଦେବତାମାନଙ୍କ ଦ୍ୱେଷକର୍ତ୍ତା ବା ଶତ୍ରୁ ହେଉଛନ୍ତି ଅସୁର । ସେହି ଅସୁରମାନେ ନିଗମବର୍ତ୍ମ ବା ବେଦମାର୍ଗରେ ନିଷ୍ଠିତ ହୋଇଅଛନ୍ତି, କିନ୍ତୁ ତାହା ବେଦାନୁଯାୟୀ ବ୍ରାହ୍ମଣ୍ୟଧର୍ମାବଲମ୍ବୀମାନଙ୍କ ପକ୍ଷରେ ସ୍ପୃହଣୀୟ ବା ଗ୍ରହଣୀୟ ନୁହେ । ସେମାନେ ହେଉଛନ୍ତି ବୈଦିକ ଯାଗ ଯଜ୍ଞାଦି କରୁଥିବା ବ୍ରାହ୍ମଣମାନଙ୍କ ପରିପନ୍ଥୀ । ସେହି ଅସୁର (? ବୌଦ୍ଧଭିକ୍ଷୁ)ମାନେ ମୟ ନିର୍ମିତ ପୁରୀ ବା ବିହାରମାନଙ୍କରେ ବାସ କରନ୍ତି, ଯେଉଁଠାରେ ବାତାବରଣ ହେଉଛି ଶାନ୍ତ, ଯେଉଁଠାରେ ଭିକ୍ଷୁମାନେ ଧ୍ୟାନରେ ରତ, ଯେଉଁଠାରେ ଯାଗଯଜ୍ଞାଦିର ତୁର୍‌ ବା ତ୍ୱରା ବା ଚଳପ୍ରଚଳ ନାହିଁ । ଏହି ଅସୁରମାନେ ସେହି ପୁରୀ ବା ବିହାରମାନଙ୍କରେ ରହି ଯାଗଯଜ୍ଞାଦି ନ କରି ଲୋକମାନଙ୍କ ଅନିଚ୍ଛା ସାଧନ କରୁଛନ୍ତି (ଲୋକାନ୍‌ଘ୍ନତାମ୍‌) । ଯେଉଁମାନେ ଲୋକମାନଙ୍କ ଅନିଷ୍ଟ ସାଧନ କରୁଛନ୍ତି, ଭୁଲମାର୍ଗରେ ନେଉଛନ୍ତି, ସେମାନଙ୍କୁ ମୋହଗ୍ରସ୍ତ କରି ରଖିବା ଉଚିତ । ଏଣୁ ଭଗବାନ ବୁଦ୍ଧ ରୂପରେ ଅବତୀର୍ଣ୍ଣ ହୋଇ ସେମାନଙ୍କ ମତି ବିମୋହ ଘଟାଉ ଅଛନ୍ତି ଏବଂ ବେଷଦ୍ୱାରା (ବୌଦ୍ଧ ଭିକ୍ଷୁମାନଙ୍କ ବେଷଦ୍ୱାରା) ସେମାନଙ୍କ ମତିରେ ପ୍ରଲୋଭନ ମଧ୍ୟ ଜାତ କରୁଅଛନ୍ତି । ଏହିପରି ଭାବରେ ସେମାନଙ୍କ ମତିରେ ବିମୋହ ଓ ପ୍ରଲୋଭ ଘଟାଇ ଅଥବା ଘଟାଇବାକୁ ଔପଧର୍ମ୍ୟ ବା ନିମ୍ନସ୍ତରର ଧର୍ମ୍ମ ବା ବେଦବାହ୍ୟ ଧର୍ମ୍ମ ବହୁଳଭାବରେ ଉପଦେଶ ଦେଉଛନ୍ତି ।

 

(ପୂର୍ଭିର୍ମୟେନ ବିହାତାଭିଃ) ଅଦୃଶ୍ୟ ତୂର୍ଭିଃ ଏବଂ ‘ମତି ବିମୋହ ମତି ପ୍ରଲୋଭମ୍‌’ର ଆଉ ଗୋଟିଏ ଅର୍ଥ କରାଯାଇପାରେ । ଆଗରୁ କୁହା ହୋଇଅଛି ‘ତୁର୍‌’ ଶବ୍ଦ ‘ଞ୍ଜି ତ୍ୱରା ସଂଭ୍ରମେ’ ଧାତୁରୁ ଆସିଛି, ଯା’ର ଅର୍ଥ ବେଗ ହୋଇପାରେ, ଚଳପ୍ରଚଳ ବା ଚହଳ ମଧ୍ୟ ହୋଇପାରେ । ଏହି ତୁର୍‌ ଶବ୍ଦ ‘ତୁର୍ବୀ ହିଂସାୟାମ୍‌’ ଧାତୁରୁ ମଧ୍ୟ ସିଦ୍ଧ ହୋଇପାରେ । ଏହିପରି ହେଲେ ‘ତୁର୍‌’ ଶବ୍ଦର ଅର୍ଥ ହେବ ହିଂସା, ଅର୍ଥାତ୍‌ ସେମାନେ ରହୁଥିବା ପୁରୀ ବା ବିହାରମାନଙ୍କରେ କୌଣସି ପ୍ରକାର ହିଂସା ଦେଖିବାକୁ ମିଳୁ ନ ଥିଲା, ଯାଗଯଜ୍ଞାଦି ହେଉ ନଥିଲା କି ଯାଗଯଜ୍ଞାଦି ପାଇଁ ପଶୁବିଧ ମଧ୍ୟ ସଂପାଦିତ ହେଉ ନ ଥିଲା । ଅଦୃଶ୍ୟ ତୂର୍ଭି (ପୂର୍ଭିଃ)ର ଏହି ଅର୍ଥ କଲେ ଗୀତ ଗୋବିନ୍ଦର ‘‘ନିନ୍ଦସି ଯଜ୍ଞ ବିଧେରହହ ଶ୍ରୁତି ଜାତମ୍‌ । ସଦୟ ହୃଦୟ ଦର୍ଶିତ ପଶୁଘାତମ୍‌’’ ସହିତ ଏହାର ସାମଞ୍ଜସ୍ୟ ରହିବ ।

 

ଆହୁରି ମଧ୍ୟ ‘ମତି ବିମୋହ ମତି ପ୍ରଲୋଭଂ’କୁ ‘ମତି ବିମୋହମ୍‌+ଅତି ପ୍ରଲୋଭମ୍‌’ ଏହିପରି ସନ୍ଧିଚ୍ଛେଦ କରାଯାଇପାରେ । ଏହିପରି ସନ୍ଧିଚ୍ଛେଦ କଲେ ‘ଅତି ପ୍ରଲୋଭ’ ବା ‘ଅତି ଲୋଭନୀୟ’ ବେଷର ବିଶେଷଣ ହେବ ଏବଂ ଗୋଟିଏ ‘ଚ’ (ଏବଂ)ର ଅଧ୍ୟାହାର କଲେ ‘‘ଲୋକାନ୍‌ଘ୍ନତାଂ ମତି ବିମୋହମ୍‌, ଅତି ପ୍ରଲୋଭଂ ବେଷଂ ଚ ବିଧାୟ’’ ହେବ, ଯାହାର ଅର୍ଥ ହେବ ଲୋକ ଅନିଷ୍ଟକାରୀମାନଙ୍କର ଚିତ୍ତ-ବିଭ୍ରମ ଏବଂ ଅତି ଲୋଭନୀୟ ବେଷ ସଂପାଦନ କରି (ଉପଧର୍ମ୍ମ ବହୁଳ ଭାବରେ ଉପଦେଶ ଦେଉଛନ୍ତି ବା ଦେବେ) ଅର୍ଥ ହେବ ।

 

ଏହିପରି ଅର୍ଥ କରାଗଲେ ପୂର୍ବୋକ୍ତି ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟ ୨୪ ଶ୍ଲୋକ ସହିତ ସାମଞ୍ଜସ୍ୟ ମଧ୍ୟ ରହିବ । ସେହି ଶ୍ଲୋକଟି ହେଲା-

 

ତତଃ କଳୌ ସଂପ୍ରବୃତ୍ତେ ସଂମୋହାୟ ସୁରଦ୍ୱିଷାମ୍‌ ।

ବୁଦ୍ଧୋନାମ୍ନାଞ୍ଜନ ସୁତଃ କୀକଟେଷୁ ଭବିଷ୍ୟତି ।।

 

ଦ୍ୱିତୀୟ ସ୍କନ୍ଦର ଶ୍ଲୋକରେ ‘‘ଦେବଦ୍ୱିଷାଂ...ଲୋକାନ୍‌ଘ୍ନତାଂ ମତି ବିମୋହଂ...ବିଧାୟ’’ ଅଛି ଏବଂ ଏଠାରେ ‘‘ସଂମୋହାୟ ସୁରଦ୍ୱିଷାମ୍‌’’ ଅଛି; କିନ୍ତୁ ଅଭିପ୍ରାୟ ଏକ ।

 

ତେବେ ପୂର୍ବୋତ୍‌ଥାପିତ ପ୍ରଶ୍ନକୁ ପୁନରାବୃତ୍ତି କରାଯାଇପାରେ ଯେ, କ’ଣ ଲୋକ ଅନିଷ୍ଟକାରୀ ସୁରଦ୍ୱିଟ୍‌ ଅସୁରମାନଙ୍କ ମନରେ ସଂମୋହ ବା ଚିତ୍ତ ବିଭ୍ରମ ଘଟାଇବା ପାଇଁ ବୁଦ୍ଧ ଅବତାରର ପ୍ରୟୋଜନ ହୋଇଥିଲା ? ଉପଧର୍ମ୍ମ ପ୍ରଚାର କରି ଲୋକମାନଙ୍କୁ ଅନିଷ୍ଟ ସାଧନ କରିବାକୁ କି ବୁଦ୍ଧଙ୍କ ଆବିର୍ଭାବ ହୋଇଥିଲା ? ବୁଦ୍ଧଙ୍କ ପ୍ରଚାରିତ ଧର୍ମ କ’ଣ ଉପଧର୍ମ ?

 

ବୌଦ୍ଧ ଧର୍ମ ସମ୍ବନ୍ଧରେ ଏହି ସବୁ ମନ୍ତବ୍ୟ ଅସୂୟା ପ୍ରଣୋଦିତ ଏବଂ ଭ୍ରାନ୍ତି ଧାରଣା ଉପରେ ପ୍ରତିଷ୍ଠିତ । ପୂର୍ବୋକ୍ତ ଶ୍ଲୋକକୁ ବିଶ୍ଲେଷଣ କରି ଦେଖିଲେ ଏହା ସ୍ପଷ୍ଟତର ହେବ ।

 

କୀକଟ (କୀକଟେଷୁ ଭବିଷ୍ୟତି)ର ଅର୍ଥ ହେଉଛି ବିହାର ପ୍ରଦେଶ । ଶ୍ରୀଧର ସ୍ୱାମୀ ଏହା ଉପରେ ଟୀକା କରି କହି ଅଛନ୍ତି-‘କୀକଟେଷୁ ମଧ୍ୟେ ଗୟା ପ୍ରଦେଶେ’ ଅର୍ଥାତ୍‌ କୀକଟ ଦେଶ ଭିତରେ ଗୟା ପ୍ରଦେଶରେ । କିନ୍ତୁ ଗୌତମ ବୁଦ୍ଧ ଗୟା ପ୍ରଦେଶର ବୋଧଗୟା ଠାରେ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ । ସେଠାରେ ଜନ୍ମଗ୍ରହଣ କରି ନ ଥିଲେ । ଏହା ବାହାରେ-ବୁଦ୍ଧଙ୍କୁ ସେହି ଶ୍ଲୋକରେ ‘ଅଞ୍ଜନ ସୁତ’ ବୋଲି କୁହା ହୋଇଅଛି । ଭାବାର୍ଥ ଦୀପିକାରେ ଏହାର ବ୍ୟାଖ୍ୟା କରି ‘ଅଞ୍ଜନସ୍ୟ ସୁତଃ’ ଅଞ୍ଜନଙ୍କ ପୁତ୍ର ବୋଲି କୁହା ହୋଇଅଛି । ସେହିଠାରେ ପାଠାନ୍ତରର ଉଲ୍ଲେଖ କରି ସେ କହିଛନ୍ତି-‘‘ଅଜିନ ସୁତ ଇତି ପାଠେ ଅଜିନୋଽପି ସଏବ ।’’ ଅର୍ଥାତ୍‌ଅଞ୍ଜନ ସୁତ ସ୍ଥାନରେ ଅଜିନ ସୁତ ପାଠ ମଧ୍ୟ ଅଛି । ସେହିପରି କଲେ ଅଜିନ ମଧ୍ୟ ସେହି ଲୋକ ଅର୍ଥାତ୍‌ବୁଦ୍ଧ ହେଉଛନ୍ତି ଅଞ୍ଜନ ବା ଅଜିନଙ୍କ ପୁତ୍ର । କିନ୍ତୁ ବୁଦ୍ଧଙ୍କ ପିତାଙ୍କ ନାମ ଅଞ୍ଜନ ବା ଅଜିନ ନଥିଲା । ଏହା ସର୍ବ ବିଦିତ । ଗୀତା ପ୍ରେସରେ ମୁଦ୍ରିତ ଭଗବତରେ ‘‘ବୁଦ୍ଧୋନାମ୍ନା ଜନସୁତେ’’ ପାଠ ଅଛି । ବୁଦ୍ଧ ଜନସୁତ ମଧ୍ୟ ନୁହନ୍ତି । ଜଗନ୍ନାଥ ଦାସ ଏହାର ଓଡ଼ିଆ ଅନୁବାଦ କରି କେହି ଅଛନ୍ତି-

 

କଳି ଆଗମେ ଭାବଗ୍ରାହୀ

ପାଷଣ୍ଡ ଜନ ମନ ମୋହି

।।

ବୁଦ୍ଧ ନାମରେ ଦ୍ୱିଜ ଘରେ

ଜନ୍ମିଲେ କୀକଟ ନଗରେ

।।

 

ଏଠାରେ ବୁଦ୍ଧଙ୍କ ଦ୍ୱିଜଘରେ ଜନ୍ମଗ୍ରହଣ କରିଥିବା କଥା ଉଲ୍ଲେଖ କରା ହୋଇଅଛି; କିନ୍ତୁ ବୁଦ୍ଧ ଦ୍ୱିଜ ଘରେ ଜନ୍ମଗ୍ରହଣ କରି ନଥିଲେ । ଜଗନ୍ନାଥ ଦାସ କେଉଁଠାରୁ ‘ଦ୍ୱିଜଘର’ କଥା ପାଇଲେ, ତାହା ମଧ୍ୟ ବୁଝି ହେଉନାହିଁ । ମୂଳ ଶ୍ଲୋକରେ ଏହାର କୌଣସି ଚର୍ଚ୍ଚା ଆସିନାହିଁ । ଅଞ୍ଜନ ବା ଅଜିନ ଦ୍ୱିଜ ହୋଇ ପାରିଥାନ୍ତି, କିନ୍ତୁ ତା’ର ଅର୍ଥ ‘ଦ୍ୱିଜ’ ନୁହେଁ । ବୋଧହୁଏ ଜଗନ୍ନାଥ ଦାସ ଭାବିନେଲେ ଯେ ଭଗବାନଙ୍କ କୌଣସି ଅବତାର ବ୍ରାହ୍ମଣ ଛଡ଼ା ଅନ୍ୟ ଘରେ ଜନ୍ମଗ୍ରହଣ କରି ନ ପାରନ୍ତି । ଆହୁରି ମଧ୍ୟ ‘ସୁର ଦ୍ୱିଷାମ’ର ଅର୍ଥ ‘ପାଷାଣ୍ଡ’ ନୁହେଁ, ଅସୁରମାନେ ପାଷଣ୍ଡ ହୋଇଥାଇ ପାରନ୍ତି ।

 

ଦୀନକୃଷ୍ଣ ଦାସ ନାମରତ୍ନ ଗୀତାରେ କହି ଅଛନ୍ତି–

 

ନବମ ଅବତାର ବଉଦ୍ଧ ରୂପ ଧରି ।

ମାତାଙ୍କର ନାମ ଯେ କରୁଣାବତୀ ନାରୀ ।।

ପିତାଙ୍କର ନାମ ମୋର ଗଙ୍ଗାମଉପାମ ।

ଶୁଣିକରି ଅର୍ଜ୍ଜୁନ ହୋ ସ୍ଥିରକର ମନ ।।

କ୍ଷେତ୍ରବର କଟକ ସେ ନୀଳଗିରି ହୋଇ ।

ଦାରୁରୂପେ ବିଜୟେ ପୁରୁଷୋତ୍ତମେ ଯାଇ ।।

ଗୟାସୁର ଦାନବକୁ ତହିଁ ଥାଇ ମାରି ।

ଗଦାଧର ନାମ ଯେ ବହିଲୁ ତେଣୁକରି ।।

ନାମରତ୍ନ ଗୀତା ୧୫ ଅଧ୍ୟାୟ, ପୃ-୫୯

 

ଏଠାରେ ଜଗନ୍ନାଥ ଓ ବୁଦ୍ଧଙ୍କୁ ଏକ କରାହୋଇଅଛି । ବୁଦ୍ଧଙ୍କ ଜନ୍ମ ଓ ଚରିତ୍ର ସମ୍ବନ୍ଧରେ କୁହା ହୋଇଅଛି ଯେ–ତାଙ୍କ ମାତାଙ୍କ ନାମ କରୁଣାବତୀ ଏବଂ ପିତାଙ୍କ ନାମ ଗଙ୍ଗାମଉପାମ (?) ବୁଦ୍ଧ ଭଗବାନ କରୁଣା ଓ ମୈତ୍ରୀ ପ୍ରଚାର କରିଥିଲେ ବୋଲି ତାଙ୍କ ପ୍ରସଙ୍ଗରେ କରୁଣା କଥା ମନକୁ ମନକୁ ଆସିପାରେ; କିନ୍ତୁ ‘ଗଙ୍ଗାମଉପାମ’ର ଅର୍ଥ କିଛି ବୁଝି ହେଉନାହିଁ । ଆହୁରି ମଧ୍ୟ କୀକଟକୁ ଗୟା ପ୍ରଦେଶ ଅର୍ଥ କରାହୋଇ ଥିବାରୁ ବୁଦ୍ଧଙ୍କ ଚର୍ଚ୍ଚା ଆସିଲାବେଳେ ଗୟାର ଉଲ୍ଲେଖ ଆସିପାରେ-। କିନ୍ତୁ ସେ’ତ ଗୟାସୁରକୁ ମାରି ନଥିଲେ । ଗୟାସୁରକୁ ମାରିଥିଲେ ବିଷ୍ଣୁ । ବିଷ୍ଣୁ ଗଦାଧର, କିନ୍ତୁ ଗୟାସୁରକୁ ବଧକଲେ ବୋଲି ଗଦାଧର କାହିଁକି ହେବେ ?

 

ଏହିପରି ଭାବରେ ବୁଦ୍ଧଙ୍କ ଜନ୍ମବୃତ୍ତାନ୍ତ ଓ ଚରିତ୍‌ ସମ୍ବନ୍ଧରେ ନାନା ଭ୍ରାନ୍ତଧାରଣା ରହିଛି । ପୂର୍ବୋଲ୍ଲିଖିତ ଶ୍ଲୋକରେ ‘‘ବୁଦ୍ଧୋ ନାମ୍ନାଽଞ୍ଜନସୁତଃ’’ ବା ‘‘ବୁଦ୍ଧୋନାମ୍ନାଽଜିନସୁତଃ’’ ବା ବୁଦ୍ଧୋନାମ୍ନାଜନସୁତଃ ପ୍ରକୃତରେ ‘‘ବୁଦ୍ଧୋ ନାମ୍ନା ଜିନସୁତଃ’’ ହେବ । ବମ୍ବେର ଗୋଟିଏ ସଂସ୍କରଣରେ ଏପରି ଦେଖିବାକୁ ମିଳେ ମଧ୍ୟ । ଶକାବ୍ଦ ୧୮୨୬ (ଖ୍ରୀ:୧୯୦୦)ରେ ବମ୍ବେରୁ ‘ଗଣପତ କୃଷ୍ଣାଜୀ’ ମୁଦ୍ରାଯନ୍ତ୍ରରୁ ଶ୍ରୀଧର ସ୍ୱାମୀଙ୍କ ତତ୍ତ୍ୱାର୍ଥ ଦୀପିକା ଟୀକା ସହିତ ଭାଗବତର ଗୋଟିଏ ସଂସ୍କରଣ ତୃତୀୟ ବାର ମୁଦ୍ରିତ ହୋଇଥିଲା । ସେଠାରେ ପାଠ ହେଲା-

 

ତତଃ କଳୌ ସଂପ୍ରବୃତ୍ତେ ସଂମୋହାୟ ସୁରଦ୍ୱିଷାମ୍‌।

ବୁଦ୍ଧୋ ନାମ୍ନାଽଜନସୁତଃ କୀକଟେଷୁ ଭବିଷ୍ୟତ ।

ବୁଦ୍ଧାବତାରମାହତେ ଇତି । ଅଜନସ୍ୟ ସୁତଃ

ଜିନସୁତ ଇତିପାଠେ ଜିନୋଽପିସ ଏବ ।

 

ଅର୍ଥାତ୍‌ ବୁଦ୍ଧ ହେଉଛନ୍ତି ଅଜନଙ୍କର ସୁତ । ‘ଜିନସୁତ’ ଏପରି ପାଠକଲେ ଜିନ ମଧ୍ୟ ସେହି ବ୍ୟକ୍ତି । ଏହି ଅଜନସୁତ ସମ୍ଭବତଃ ଗୀତାପ୍ରେସ୍‌ରେ ଜନସୁତ ହୋଇଗଲା । କିନ୍ତୁ ଏହା ସତ୍ୟ ଯେ-‘ଜିନ ସୁତ’ ଗୋଟିଏ ପାଠ ଥିଲା । ତାଙ୍କୁ ନ ବୁଝି ଅଞ୍ଜନସୁତ, ଅଜିନସୁତ, ଅଜନସୁତ, ଜନ ସୁତ, ଏତେ ପ୍ରକାର ପାଠାନ୍ତର କରାହୋଇଅଛି ।

 

ବୁଦ୍ଧଙ୍କର ଗୋଟିଏ ନାମ ଜିନ ମଧ୍ୟ । ଅମର କୋଷରେ ଅଛି ‘‘ଧର୍ମ ରାଜୌ ଯମ ଜିନୌ’’, ଯମ ଓ ଜିନଙ୍କୁ ଧର୍ମରାଜ କହନ୍ତି । ଏଠାରେ ‘ଜିନି’ର ଅର୍ଥ ‘ବୁଦ୍ଧ’ । ବିନୟ ପିଟକ, ଆଦିରେ ବୁଦ୍ଧ ଭଗବାନ୍‌ନିଜେ କହିଛନ୍ତି-

 

‘‘ଜିତା ମେ ପାପକାଧମ୍ମା ତସ୍ମାହଂ ଉପକ ଜିନୋ’’ତି

 

ହେ ଉପକ, ମୁଁ ସବୁ ପାପକ ଧର୍ମକୁ ଜୟ କରିଅଛି; ତେଣୁ ମୁଁ ହେଉଛି ‘ଜିନ୍‌’ (ଜିତ=ଜିନ) ମିଳିନ୍ଦ ପ୍ରଶ୍ନରେ ବୌଦ୍ଧ ଭିକ୍ଷୁମାନଙ୍କୁ ‘ଜିନ ପୁତ୍ତ ବା ଜନିପୁତ୍ର’ କୁହା ହୋଇଅଛି । ଏହି ଜିନପୁତ୍ତ ବା ଜିନପୁତ୍ରରୁ ‘ଜିନ ସୁତ’ ଆସିଥାଇପାରେ ଏବଂ ବୁଦ୍ଧଙ୍କୁ ମଧ୍ୟ ଜିନସୁତ କୁହା ହୋଇଥିବ-

 

ଏହି ସବୁକୁ ଦେଖିଲେ ଜଣାପଡ଼ୁଛି ଯେ–ଭାଗବତକାର, ତାଙ୍କ ଟୀକାକାର ଏବଂ ତାଙ୍କ ପରବର୍ତ୍ତୀ ଅନୁଯାୟୀମାନେ ବୌଦ୍ଧଧର୍ମ ପରମ୍ପରା ବିଷୟରେ ଆଦୌ ଅଭିଜ୍ଞ ନଥିଲେ । ଏଣୁ ବୁଦ୍ଧଙ୍କ ପ୍ରଚାରିତ ଧର୍ମକୁ ଔପଧର୍ମ୍ୟ ବା ଉପଧର୍ମ କୁହା ହୋଇଅଛି ଏବଂ ଅବତାରର ପ୍ରୟୋଜନ ସମ୍ଭନ୍ଧରେ ‘‘ସଂମୋହାୟ ସୁରଦ୍ୱିଷାମ’’ ବା ‘‘ଲୋକାନ୍‌ଘ୍ନତାଂମତି ବିମୋହମ୍‌’’, ଅର୍ଥାତ୍‌ ଅସୁରମାନଙ୍କୁ ବା ଲୋକ ଅନିଷ୍ଟକାରୀ ଅସୁରମାନଙ୍କୁ ଭୁଲାଇବା ପାଇଁ ଅବତାର ଗ୍ରହଣ କରିଥିଲେ ବୋଲି କୁହା ହୋଇଅଛି । ଏହାର ମୂଳରେ ସାମ୍ପ୍ରଦାୟିକତା ପ୍ରଣୋଦିତ ଅସୂୟା ରହିଅଛି ଏବଂ ଏଥିରୁ ବୌଦ୍ଧ ଓ ବ୍ରାହ୍ମଣମାନଙ୍କ ସାମ୍ପ୍ରଦାୟିକ କଳହର ସୂଚନା ମିଳେ ।

 

ଏହି ସାମ୍ପ୍ରଦାୟିକ କଳହକୁ ନେଇ ବ୍ରାହ୍ମଣମାନେ ବୌଦ୍ଧମାନଙ୍କ ଦେବତା ଶୁମ୍ଭ-ନିଶୁମ୍ଭ ବା ଶୁମ୍ଭ-ନିଶୁମ୍ଭଙ୍କୁ ଦୁର୍ଗା ସପ୍ତଶତୀ ଚଣ୍ଡୀରେ ଅସୁର କରିଦେଇଅଛନ୍ତି । ବୌଦ୍ଧମାନେ ମଧ୍ୟ ଏହି କଳହର ଊର୍ଦ୍ଧ୍ୱରେ ନଥିଲେ । ସେମାନେ ମଧ୍ୟ ହିନ୍ଦୁମାନଙ୍କ ଦେବତା ବ୍ରହ୍ମା, ଇନ୍ଦ୍ର, ଶିବ, କୃଷ୍ଣ ଆଦିଙ୍କୁ ସେମାନଙ୍କ ମଣ୍ଡଳରେ ବହିରାବରଣରେ ଅତ୍ୟନ୍ତ ଗୌଣସ୍ଥାନ ଦେଇଅଛନ୍ତି । ଭାଗବତକାର ମଧ୍ୟ ସେହି ସାମ୍ପ୍ରଦାୟିକତାରୁ ମୁକ୍ତ ନୁହଁନ୍ତି । ଏଣୁ ବ୍ରାହ୍ମଣ୍ୟ ଅବତାରମାନଙ୍କ ଭିତରେ ବୁଦ୍ଧଙ୍କୁ ଗୌରସ୍ଥାନ ଦିଆ ହୋଇଅଛି ଏବଂ ତାଙ୍କ ସମ୍ବନ୍ଧରେ ଭ୍ରାନ୍ତଧାରଣା ପ୍ରଚାର କରାଯାଇଅଛି ।

 

***

 

ପ୍ରାଚୀନ ଶିଶୁ ପାଠ୍ୟପୁସ୍ତକ

ଶ୍ରୀ ରାଜକିଶୋର ରାୟ

 

ଢେଙ୍କାନାଳ–କେନ୍ଦୁଝର ମଣ୍ଡଳ ଶିକ୍ଷାନୁଷ୍ଠାନମାନଙ୍କର ପରିଦର୍ଶକ ଥିବା ସମୟରେ ବିଭିନ୍ନ ପାଠାଗାରରେ ଦୁର୍ଲଭ ଶିଶୁ ପାଠ୍ୟପୁସ୍ତକ ମୋ’ ଦୃଷ୍ଟିକୁ ଆସିଥିଲା । ପରିଦର୍ଶନ ସମୟରେ ଏଥିପ୍ରତି ମୋର କୌତୁହଳ ଜାତ ହେବାରୁ କେବଳ ଢେଙ୍କାନାଳ ହାଇସ୍କୁଲର ଅତି ପୁରାତନ ବିବରଣୀରୁ ମୁଁ କବିବର ରାଧାନାଥ ରାୟ ଓ ଏଚ୍‌: ଡ଼ି: ପି: ଏମ୍‌: ଏ; ଡ଼ି: ଏସ୍‌: ଓ; ସି: ଆଇ: ଇ:, ବିହାର-ଓଡ଼ିଶା ପ୍ରଦେଶର ପ୍ରାଥମିକ ଓ ବାଳିକା ଶିକ୍ଷାର ବିଶିଷ୍ଟ କର୍ମଚାରୀଙ୍କର ନିଜ ନିଜ ହାତଲେଖା ମନ୍ତବ୍ୟ ଉଦ୍ଧାର କରି ପତପତ୍ରିକାରେ ପ୍ରକାଶ କରିଥିଲି । ଏହା ହେଉଛି ୧୯୬୭-୧୯୬୮ ତଳର କଥା । ମୁଁ ସେ ସର୍କଲରୁ ସ୍ଥାନାନ୍ତରିତ ହେବାରେ ମୋରଠାରୁ ଦାୟିତ୍ୱ ଗ୍ରହଣ କରିଥିବା ପରିଦର୍ଶକଙ୍କୁ ନିବେଦନ କରିଥିଲି ଏସବୁ ସାରସ୍ୱତ ଅମୂଲ୍ୟ ସମ୍ପଦକୁ ଉଦ୍ଧାର କରି ଲୋକଲୋଚନକୁ ଆଣିବାକୁ । କିନ୍ତୁ ତାହା ସମ୍ଭବ ହେଲା ନାହିଁ । ଏ ସମସ୍ତ ଗବେଷଣା କାର୍ଯ୍ୟ ବ୍ୟକ୍ତିଗତ ରୁଚି ଓ ଭାବପ୍ରବଣତା ଉପରେ ନିର୍ଭର କରେ । ସମସ୍ତେ ବା କାହିଁକି ସମୟକ୍ଷେପ କରି ଏଭଳି ଜାତୀୟ କାର୍ଯ୍ୟ ହାତକୁ ନେବେ ?

 

ପୁରାତନ ପାଠାଗାରମାନଙ୍କରେ ଦୁଇଅଣା, ତିନିଅଣା ମୂଲ୍ୟର ଶିଶୁ ପାଠ୍ୟପୁସ୍ତକ ଏବେ ବି ରହିଥିବ । ମୋର ଆଶଙ୍କା, ନୂତନ ପୁସ୍ତକମାନଙ୍କର ଆବିର୍ଭାବ ଓ ଦୌରାତ୍ମ୍ୟରେ ସେମାନଙ୍କୁ ସ୍ଥାନ ଦେବା ଆଳରେ ଗ୍ରନ୍ଥାଗାରିକ ହୁଏତ ସେ ସବୁ ନଷ୍ଟ କରିଦେଉଥବେ । ପ୍ରାଚୀନ ପୋଥି ଆମେ ସମୟେ ସମୟେ ଉଦ୍ଧାର କରୁଛୁ, କିନ୍ତୁ ପ୍ରାଚୀନ ପାଠ୍ୟ ପୁସ୍ତକଗୁଡ଼ିକ କାଳଗର୍ଭରୁ ଉଦ୍ଧାର କରିବାର ପ୍ରୟାସ ଆମର ନାହିଁ ।

 

ଏବର ପ୍ରାଠ୍ୟପୁସ୍ତକ ସହିତ ତାହାର ତୁଳନା ହୋଇ ନ ପାରେ । ସେଥିରେ ବିଷୟ ସୂଚୀ ପ୍ରାୟ ଈଶ୍ୱର-ବନ୍ଦନା ଓ ଧର୍ମଭିତ୍ତିକ ଥିଲା । ପ୍ରତ୍ୟେକଟି ବିଷୟରେ ଗୋଟିଏ ଆଦର୍ଶ ଜୀବନ ଓ କର୍ମର ଚିତ୍ର ରହିଥିଲା । ଶିଶୁ ମନ ପ୍ରଥମରୁ ସୂର୍ଯ୍ୟ ତାପ-ତାପିତ ଫୁଟିଲା ଫୁଲର ସୌରଭ ଓ ଦୀପ୍ତିରେ ରଞ୍ଜିତ ହୋଇଯାଇଥିଲା ଏହିସବୁ ବିଷୟବସ୍ତୁକୁ ପାଠ କରି । ସେଥିରୁ କେତେଗୁଡ଼ିଏ ଦୃଷ୍ଟାନ୍ତ ଦେଇ ଏ ସମ୍ପର୍କୀୟ ସଂଗ୍ରହ ଓ ଗବେଷଣା ପ୍ରତି ମୁଁ ଦୃଷ୍ଟି ଆକର୍ଷଣ କରୁଛି ।

 

୧୮୮୯ ଖ୍ରୀଷ୍ଟାବ୍ଦରେ କଟକ ପ୍ରିଣ୍ଟିଂ କମ୍ପାନୀଦ୍ୱାରା ମୁଦ୍ରିତ ସୀତାନାଥ ରାୟଙ୍କଦ୍ୱାରା ଲିଖିତ ଶିଶୁ ପାଠ୍ୟ ‘‘ଚତୁର୍ଥ ପାଠ’’ (ପୃଷ୍ଠା ସଂଖ୍ୟା-୮୧)ର ସୂଚିପତ୍ର ଦେଖନ୍ତୁ । ବହିଟିର ଶେଷ ପୃଷ୍ଠାରେ ଗୋଟିଏ ବିଜ୍ଞାପନ ଅଛି-‘‘ନିମ୍ନଲିଖିତ ପୁସ୍ତକମାନ ବାଲେଶ୍ୱର ବାବୁ ସୀତାନାଥ ରାୟଙ୍କ ଏଜେନ୍‌ସିରେ, ଦେ’ଙ୍କ ଉତ୍କଳ ପ୍ରେସରେ; କଟକର ବାବୁ ରାମପ୍ରସନ୍ନ ମୁଖୁର୍ଯ୍ୟା ବାବୁ ଚକ୍ରଧର ଆଚାର୍ଯ୍ୟ ଏବଂ ବାବୁ ଗୌରୀଶଙ୍କର ରାୟଙ୍କଠାରେ ପ୍ରାପ୍ତବ୍ୟ ।’’ ପୁସ୍ତକଗଡ଼ିକର ନାମ ଓ ମୂଲ୍ୟ ହେଲା-ପ୍ରାକୃତିକ ଭୂଗୋଳ ପାଠ (ସଚିତ୍ର) ଟ୦.।୯, ନବ ତୃତୀୟ ପାଠ-ଟ୦. ।୯, ଦ୍ୱିତୀୟ ପାଠ-ଟ୦.।୯, ପ୍ରଥମ ପାଠ-ଟ୦.।୯. ଭୂଗୋଳ ପାଠ-ଟ୦.।୯, ସରଳଭୂଗୋଳ ପାଠ-ଟ୦.୯, ସରଳ ବ୍ୟାକରଣ –ଟ୦.୧୦, ମାନସାଙ୍କ ବଜାର ହିସାବ-ଟ୦.୯୧୦, ରାମାୟଣ ଆଦିକାଣ୍ଡ-ଟ୦.୯, ଆରଣ୍ୟକାଣ୍ଡ-ଟ୦.୯, ଅଯୋଧ୍ୟାକାଣ୍ଡ-ଟ୦.୯, କିସ୍କିନ୍ଧ୍ୟାକାଣ୍ଡ-ଟ୦.।୯ ଓ ସୁନ୍ଦରାକାଣ୍ଡ-ଟ୦.୯ ।

 

ନିମ୍ନ ମୂଲ୍ୟ ଟ୦ ୫ ଠାରୁ ଆରମ୍ଭ କରି ସର୍ବୋଚ୍ଚ ମୂଲ୍ୟ ଟ୦.୯ ଯାଏ ରହିଛି ।

 

‘ଚତୁର୍ଥ ପାଠ’ର ବିଷୟ ସୂଚୀ ହେଉଛି, ଆର୍ଯ୍ୟମାନଙ୍କ ପ୍ରାଚୀନ ଅବସ୍ଥା, ଗ୍ରୀକ୍‌ଜାତି, ସୌର ଜଗତ, ବ୍ରହ୍ମାଣ୍ଡର ଅସୀମତ୍ୱ, ଗରିଲା, ସୂର୍ଯ୍ୟ, ପର୍ଯ୍ୟଟନ, ମାତୃଗୁପ୍ତ, ଫରାସୀ ରାଷ୍ଟ୍ର ବିପ୍ଲବ, ପ୍ରତାପ ସିଂହ, ଆଲେକଜାଣ୍ଡରଙ୍କ ବାଲ୍ୟୋପାଖ୍ୟାନ, ଅଦ୍ଭୁତ ପ୍ରଭୁଭକ୍ତି ଏବଂ ଆତ୍ମତ୍ୟାଗ, ଆଓରଙ୍ଗଜେବଙ୍କ ଅନ୍ତିମ ପତ୍ର, ମରୀଚିକା, ରବର୍ଟ ବ୍ରୁସ୍‌, ରାଜପୁତମାନଙ୍କର ବଂଶ-ମର୍ଯ୍ୟାଦାର ଆଶ୍ଚର୍ଯ୍ୟ ଉଦାହରଣ, ରାଜପୁତ ଜାତିର ଅପୂର୍ବ ସୌଜନ୍ୟ, ଜୀବ ରହସ୍ୟ ଓ ଦସ୍ୟୁ ଓ ଦିଗ୍‌ବିଜୟୀ । ମୂଲ୍ୟ ଟ୦।୯ ।

 

ବହିଟି ଯେତେବେଳେ ‘ଚତୁର୍ଥପାଠ’ ଏହା ନିଶ୍ଚିତରେ ତୃତୀୟ ବା ଚତୁର୍ଥ ଶ୍ରେଣୀରେ ପଢ଼ା ହେଉଥିବ । ପଢ଼ୁଥିବା ଶିଶୁମାନଙ୍କର ବୟସ ସହଜରେ ଅନୁମେୟ । ଏହା ପାଠ୍ୟପୁସ୍ତକ ଭାବରେ ଅନୁମୋଦିତ । ‘ବ୍ରହ୍ମାଣ୍ଡର ଅସୀମତ୍ୱ’ରୁ କିଛି ଅଂଶ ଉଦ୍ଧାର କରାଯାଇଛି ।

 

‘‘ସୌର ଜଗତ ଏହିପରି ପ୍ରକାଣ୍ଡ ହେଲେ ମଧ୍ୟ ସମଗ୍ର ବ୍ରହ୍ମାଣ୍ଡ ସଙ୍ଗେ ତୁଳନା କଲେ ଏହା ଯତ୍‌ସାମାନ୍ୟ ଅଟେ । ସୌରଜଗତ ସଙ୍ଗେ ୪।୫ ସହସ୍ର ପୃଥିବୀ ଯୋଗ ଅବା ବିଯୋଗ କଲେ ଯେପରି କୌଣସି ବିଶେଷ ହ୍ରାସ ବୃଦ୍ଧି ହେବନାହିଁ । ସମଗ୍ର ବ୍ରହ୍ମାଣ୍ଡ ସଙ୍ଗେ ୪।୫ ଲକ୍ଷ ସୌର ଜଗତ ଯୋଗ ଅବା ବିଯୋଗ କଲେ ବିଶେଷ କ୍ଷତି ବୃଦ୍ଧି ଲକ୍ଷିତ ହେବନାହିଁ । ନିର୍ମଳ ରଜନୀରେ ଆକାଶ ପ୍ରତି ଦୃଷ୍ଟିପାତ କଲେ ସହସ୍ର ସହସ୍ର ତାରକା ଦୃଷ୍ଟିପଥରେ ପତିତ ହେବ । ମାତ୍ର ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ନିରୀକ୍ଷଣ କଲେ କୋଟି କୋଟି ତାରକା ଦୃଷ୍ଟିଗୋଚର ହେବ-। ଯାହାକୁ ଛାୟାପଥ ବୋଲି କହନ୍ତି, ଦୂରବୀକ୍ଷଣଦ୍ୱାରା ସ୍ଥିର ହୋଇଅଛି, ତାହା ବହୁ ଦୂରସ୍ଥ ନକ୍ଷତ୍ରପୁଞ୍ଜ ବ୍ୟତୀତ ଅନ୍ୟ କିଛି ନୁହେଁ । ଏହି ନକ୍ଷତ୍ରମାନଙ୍କ ଦୂରତ୍ୱ ବିଷୟ ଚିନ୍ତାକଲେ ମନ ବିସ୍ମୟରେ ଅଭିଭୂତ ହୋଇଯିବ ।’’

 

ଶିଶୁମନର ବିସ୍ମୟାକୁଳ ଭାବ ପ୍ରକଟନରେ ଏ ଲେଖା ସାହାଯ୍ୟ କରୁ ନାହିଁ କି ? ମନେ ରଖିବାକୁ ହେବ ଏ ପୁସ୍ତକ ପ୍ରକାଶିତ ହୋଇଛି ୧୮୮୯ ସାଲରେ । ଆଜିର ପାଠ୍ୟପୁସ୍ତକ ନିର୍ବାଚକଦଳ ଶିହରି ଉଠିବେ ଏହାକୁ ଶିଶୁପାଠ୍ୟରୂପେ ଅବଧାରଣ କରିବାରେ । ଆମେ ତ ପୁଣି ଅର୍ଥାତ୍‌ ମୋ ବୟସର ଲୋକ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢ଼ୁଥିଲୁଁ ‘‘ରେ ଆତ୍ମନ୍‌ନିଦ୍ରା ପରିହରି, କର କର ନିରୀକ୍ଷଣ –‘‘ଇତ୍ୟାଦି । ଶିକ୍ଷକଙ୍କର ଗମ୍ଭୀର କଣ୍ଠଧ୍ୱନି, ଛାନ୍ଦର ସାବଲୀଳତା ଏବଂ ଅନ୍ତର୍ନିହିତ ଅର୍ଥର ଦ୍ୟୋତକ ଯାହା ଗୁରୁଙ୍କର ମୁଖମଣ୍ଡଳରେ ପ୍ରକାଶ ପାଇଥିଲା, ଏସବୁ ଦେଖି, ଶୁଣି ଆମର କୋମଳ ମନରେ ଈଶ୍ୱରପ୍ରୀତି ଓ ଧର୍ମଭାବର ଅନୁରଞ୍ଜନ ଘଟୁ ନ ଥିଲା କି ? ଆଜି ତ ଏ ‘ରେ ଆତ୍ମନ୍’ ସ୍ନାତକ ଶ୍ରେଣୀ ପାଠ୍ୟ ହୋଇଛି । ଏହା ପ୍ରଗତି ନା ଅବନତି ?

 

ଶିଶୁଶ୍ରେଣୀ ଏବଂ ୧ମ ଓ ୨ୟମାନ ନିମିତ୍ତ ‘‘ପ୍ରକୃତି ପର୍ଯ୍ୟବେକ୍ଷଣ ପାଠ’’ ଶ୍ରୀ ଦ୍ୱାରକାନାଥ ସିଂହଙ୍କ ପ୍ରଣତି Printed by R.T.Sen, at the De’s Utkal Press, 2 Manik Khan Street, Balasore, 1913-ମୂଲ୍ୟ ଛଅପଇସା ମାତ୍ର । ଏହାର ପୃଷ୍ଠା ସଂଖ୍ୟା ୨୬ । ପ୍ରଶ୍ନୋତ୍ତର କ୍ରମରେ ଅବଧାନ ଓ ଚାଟ୍‌ଙ୍କୁ ମୁହଁରୁ ବାହାରିବା ବଚନିକା ମାଧ୍ୟମରେ ବିଷୟବସ୍ତୁ ହେଉଛି-ମନ୍ଦାର ଫୁଲ, ବାଇଗଣ, ପକ୍ଷୀହଂସ, ମାଛ, ଗୃହର ବ୍ୟବହୃତ ପଦାର୍ଥ, ଦୁଗ୍‌ଧ, ବିଭିନ୍ନ ଋତୁରେ ସୂର୍ଯ୍ୟର ଅବସ୍ଥାନ ସୂର୍ଯ୍ୟୋଦୟ, ପ୍ରତ୍ୟୁଷ ଓ ସୂର୍ଯ୍ୟାସ୍ତ, ଦିବାରାତ୍ରି ଓ ସେମାନଙ୍କର ହ୍ରାସବୃଦ୍ଧି, ଛାୟା, ବାୟୁ, ବତାସ ବା ବାୟୁପ୍ରବାହ, ବାଷ୍ପ ଜନ୍ମିବା, ବୃଷ୍ଟି, ଇନ୍ଦ୍ରଧନୁ, ଶିଶିର ଓ ସ୍ଥଳ ଉପରେ ଜଳର କାର୍ଯ୍ୟ ।

 

ମାତ୍ର ଛଅ ପଇସା ବ୍ୟୟରେ ଶିଶୁର ପ୍ରକୃତି ପର୍ଯ୍ୟବେକ୍ଷଣର ସୀମା କେତେଦୂର ବ୍ୟାପ୍ତ ଥିଲା, ତାହାର କଳନା କରିହେଉଛି କି ? ଶିଶୁଶ୍ରେଣୀର ପାଠ୍ୟହେବା ଭଳି ଏ ବିଷୟ ଉପସ୍ଥାପନା ବିଶ୍ୱାସଯୋଗ୍ୟ କି ? କିନ୍ତୁ ବହିଟି ବିଭାଗୀୟ ଅନୁମୋଦନ ପାଇଛି ।

 

‘‘ସୂର୍ଯ୍ୟୋଦୟ, ପ୍ରତ୍ୟୁଷ ଓ ସୂର୍ଯ୍ୟାସ୍ତ’’ ବିଷୟ ଉଦ୍ଧାର କରାଯାଇଛି ।

 

ଅବଧାନ

ଖୁବ୍‌ସକାଳେ ଆମ୍ଭେମାନେ କେଉଁଠି ସୂର୍ଯ୍ୟ ଦେଖୁଁ ?

ଚାଟ

ଆକଶର ଖୁବ୍‌ତଳରେ ଅର୍ଥାତ୍‌ ଯେଉଁଠାରେ ଆକାଶ ପୃଥିବୀ ସହିତ ମିଶିଥିବା ପରି ଦେଖାଯାଏ ।

 

ସେ ସ୍ଥାନର ନାମ ଚକ୍ରବାଳ । ଆଛା ସେଠାରେ କଅଣ ସୂର୍ଯ୍ୟ ସବୁବେଳେ ସ୍ଥିର ହୋଇଥାଏ ?

ଚା

ନା, କ୍ରମେ କ୍ରମେ ଉପରକୁ ଉଠି ଶେଷରେ ଆମ୍ଭମାନଙ୍କ ମୁଣ୍ଡ ଉପରକୁ ଉଠେ, ପରେ ପୁଣି ତଳକୁ ଖସୁଥାଏ ।

ଠିକ୍‌ ଯେତେବେଳେ ସୂର୍ଯ୍ୟ ଚକ୍ରବାଳ ଉପରେ ଥାନ୍ତି ସେହି ସମୟକୁ ଆମ୍ଭେମାନେ ସୂର୍ଯ୍ୟୋଦୟ କହୁଁ । ଆଉ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ମଧ୍ୟ ଆମ୍ଭେମାନେ ଆଲୁଅ ଦେଖିବାକୁ ପାଉଁ । ଏହି ସମୟକୁ ଉଷା ବା ପ୍ରତ୍ୟୁଷକାଳ କହନ୍ତି । ପରେ ଠିକ୍‌ବେଳ ୧୨ଟା ସମୟରେ ସୂର୍ଯ୍ୟ ଆମ୍ଭମାନଙ୍କର ମୁଣ୍ଡ ଉପରେ, ଆକାଶର ସର୍ବୋଚ୍ଚ ସ୍ଥାନରେ ଆସି ଉପସ୍ଥିତ ହୁଏ । ସେ ସମୟକୁ ଆମ୍ଭେମାନେ ମଧ୍ୟାହ୍ନ ବା ଦୁଇପ୍ରହର କହିଥାଉଁ ।

ସନ୍ଧ୍ୟାବେଳେ ଅର୍ଥାତ୍‌ ଯେତେବେଳେ ଅନ୍ଧକାର ହେବାକୁ ଆରମ୍ଭ ହୁଏ, ସେତେବେଳେ ସୂର୍ଯ୍ୟ କେଉଁଠାରେ ଥା’ନ୍ତି ?

ଚା

ସକାଳେ ସୂର୍ଯ୍ୟକୁ ଯେଉଁଠାରେ ଉଦୟ ହେବାର ଦେଖିଥାଉଁ ତାହାର ଓଲଟା ଦିଗରେ ଯେଉଁଠାରେ ଆକାଶ ପୃଥିବୀ ସଙ୍ଗେ ମିଶିବା ପରି ଦେଖାଯାଏ, ସେହିଠାରେ ଦେଖୁଁ ।

ସୂର୍ଯ୍ୟ ୧୨ଟା ପରେ କ୍ରମେ କ୍ରମେ ତଳକୁ ଖସି ଶେଷରେ ସନ୍ଧ୍ୟାବେଳେ ଚକ୍ରବାଳର ତଳକୁ ଖସିଯାଇ ଅଦୃଶ୍ୟ ହୁଅନ୍ତି, ସେହି ସମୟକୁ ଆମ୍ଭେମାନେ ସୂର୍ଯ୍ୟ ଅସ୍ତ ହେଲେ ଆଉ ଆମ୍ଭେମାନେ କୌଣସି ପଦାର୍ଥ ଭଲରୂପେ ଦେଖିବାକୁ ପାଉନା । ଏବେ ଶୁଣ, ସକାଳେ ସୂର୍ଯ୍ୟ ଯେଉଁ ଦିଗରୁ ଉଦିତ ହୁଅନ୍ତି ତାକୁ ପୂର୍ବଦିଗ କହନ୍ତି, ସଞ୍ଜବେଳେ ଯେଉଁ ଦିଗରେ ଅସ୍ତ ଯାନ୍ତି ତା’ର ନାମ ପଶ୍ଚିମ ଦିଗ । ଆମ୍ଭେମେନେ ପୂର୍ବଦିଗକୁ ମୁହଁ କରି ଠିଆ ହେଲେ ଆମ୍ଭମାନଙ୍କର ଡାହାଣ ହାତ ଯେଉଁ ଦିଗକୁ ରହିବ ତାହାର ନାମ ଦକ୍ଷିଣଦିଗ ଓ ବାମହସ୍ତ ଯେଉଁ ଦିଗକୁ ରହିବ ତାହାର ନାମ ଉତ୍ତର ଦିଗ । କହ ଦେଖି ସୂର୍ଯ୍ୟୋଦୟ, ପ୍ରତ୍ୟୁଷ ଓ ସୂର୍ଯ୍ୟାସ୍ତ ସମ୍ବନ୍ଧରେ କଅଣ ଶିଖିଲ ?

ଚା

ପ୍ରତିଦିନ ସୂର୍ଯ୍ୟ ସକାଳେ ପୂର୍ବଦିଗରେ ଚକ୍ରବାଳ ଉପରେ ଉଦୟ ହୁଅନ୍ତି । ସୂର୍ଯ୍ୟ ଉଦୟ ହେବାର ପୂର୍ବ ସମୟକୁ ପ୍ରତ୍ୟୁଷ ବା ଉଷାକାଳ କହନ୍ତି । ସୂର୍ଯ୍ୟ ଯେତେବେଳେ ପଶ୍ଚିମ ଦିଗର ଚକ୍ରବାଳ ଉପରେ ସନ୍ଧ୍ୟାବେଳେ ବୁଡ଼ିଯାଆନ୍ତି, ସେତେବେଳେ ସୂର୍ଯ୍ୟାସ୍ତ ବୋଲାଯାଏ ।

 

ବର୍ତ୍ତମାନ ପ୍ରଶ୍ନ : ସେତେବେଳର ଶିଶୁ କଅଣ ବିଶେଷ ମେଧାବିଶିଷ୍ଟ ପ୍ରାଣୀ ଥିଲା ? ଅବା ପାଠ୍ୟପୁସ୍ତକ ପ୍ରଣେତାମାନେ ଶିଶୁ ମନସ୍ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ଥିଲେ ? ଅଥଚ ଏହି ବହିଟି ଥିଲା ‘‘ନୂତନ ସିଲାବସ ଉପଯୋଗୀ ଶିଶୁଶ୍ରେଣୀ ଏବଂ ୧ମ ଓ ୨ୟ ମାନ ନିମତ୍ତ ପ୍ରକୃତ ପର୍ଯ୍ୟବେକ୍ଷଣ ପାଠ’’ ଯେଣ ଏହା ସିଲାବସ ଅନୁଯାୟୀ ଲିଖିତ, ଏହା ବିଭାଗୀୟ ସମର୍ଥନ ପାଇଛି ଏ ପ୍ରସଙ୍ଗରେ ତତ୍‌କାଳୀନ ଶିକ୍ଷକଙ୍କର ଜ୍ଞାନ ଓ ଶିକ୍ଷାଦାନର ପ୍ରଣାଳୀ ନିଶ୍ଚୟ ଉନ୍ନତତର ଥିବ । ଯେଉଁ ନିଷ୍ଠା ଓ ଆନ୍ତରିକତା ଥିଲେ ପ୍ରତ୍ୟେକଟି, କାର୍ଯ୍ୟ ଆନନ୍ଦଦାୟକ ଓ ସାର୍ଥକ ହୁଏ, ସେହି ସଦ୍‌ଗୁଣ ରାଜିରେ ସେତେବେଳର ଶିକ୍ଷକମଣ୍ଡଳୀ ଭୂଷିତ ଥିଲେ । ଆଜିର ପରିପ୍ରେକ୍ଷୀରେ ପ୍ରାକ୍ତନ ମୂଲ୍ୟବୋଧର ପରୀକ୍ଷା କରିବା ବାଚାଳତା ହେବ ।

 

୧୯୩୧ ମସିହାରେ କଟକ ପ୍ରିଣ୍ଟିଂ କମ୍ପାନୀ ଲିମିଟେଡ୍‌ଦ୍ୱାରା ମୁଦ୍ରିତ ଓ ପଣ୍ଡିତ ଶ୍ରୀ ରତ୍ନାକର ଗର୍ଗବଟୁ, କଟକଙ୍କଦ୍ୱାରା ପ୍ରକାଶିତ ‘ପାଠମଞ୍ଜରୀ’–ଶିଶୁ ଶ୍ରେଣୀ ନିମନ୍ତେ ପ୍ରଥମଭାଗ ଲେଖକ ଶ୍ରୀ ଭାବଗ୍ରାହୀ ମହାନ୍ତି ବି.ଏ.ଏଲ୍‌ ଟି.ସ୍କୁଲ ସବ୍‌ଇନ୍‌ସପେକ୍ଟର, କେନ୍ଦୁଝର ଷ୍ଟେଟ୍‌ମୂଲ୍ୟ-ପାଞ୍ଚଅଣା ମାତ୍ର ।

 

ଆଗରୁ ସୂଚିତ ହୋଇଛି ଯେ ତତ୍କାଳୀନ ଶିଶୁପାଠ୍ୟ ପୁସ୍ତକ ଗୁଡ଼ିକରେ ବିଭୁ-ବନ୍ଦନା ଓ ପ୍ରସଙ୍ଗଗୁଡ଼ିକରେ ଜୀବନର ଶାଶ୍ୱତ ଶିକ୍ଷଣୀୟ ମୂଲ୍ୟବୋଧର ଆଭାସ ରହୁଥିଲା ।

 

ଏ ପୁସ୍ତକକୁ ପ୍ରଶଂସା କରିଛନ୍ତି :

 

Copy of D.O. No.15 dated 16.2.31 form H.Dippie, Esqr. D.S.O. M. A. (Cantab) Inspector of schools, Orissa Division.

‘‘Dear Bhabagrahi Babu,

 

I have had your book examined by various officers here and they are of opinion that will be quite useful asa reading book in the later stage of class I.

 

ପ୍ରଫେସର ରତ୍ନାକର ପତି ଲେଖିଛନ୍ତି :

 

I have gone through Pathamanjari Part I in manuscript form by Babu Bhagirathi Mahanty, B.A, L.T. This tittle book compains more than 3o lessons in prose and poetry meant for young children reading in the infant class of the primary schools of Orissa. I find the lessons informing, interesting and instructive, considering the language and style of the work. I have no hesitation in opening that it will with shight modification, never fail to benefit the understanding of the young children for whom it is meant as will remove a great need so seriously felt in this respect. Author, as it appeers of me, has not forgotten the psychology of children while composing the work.

 

ମନସ୍ତ୍ୱାତ୍ତିକ ଭିତ୍ତି ଉପରେ ଏ ପୁସ୍ତକର ରଚନାଗୁଡ଼ିକ ଆଧାରିତ ବୋଲି ପ୍ରଫେସର ରତ୍ନାକର ପତିଙ୍କର ମନ୍ତବ୍ୟ ପ୍ରଣିଧାନଯୋଗ୍ୟ । ପ୍ରଥମ ବଷୟ-‘‘ବିଭୁ ବନ୍ଦନା’’ ଜଗତ ସାଇଁ’’ । ସେତେବେଳର ରୀତି ଥିଲା ପାଠ୍ୟପୁସ୍ତକର ପ୍ରଥମ ରଚନା ପଦ୍ୟ ଓ ତାହା ଈଶ୍ୱର ଚିନ୍ତନ ବିଷୟକ-। ‘ଜଗତସାଇଁ କବିତା ଏହିପରି :–

 

‘‘ଯାହା ଚାରିଆଡ଼େ ଦେଖଇ ମୁହିଁ

ସବୁ କରିଛନ୍ତି ଜଗତ ସାଇଁ ।

ରଙ୍ଗଣୀ ଗୋଲାପ କୁସୁମ ଫୁଲ

ଫୁଟନ୍ତି ମାନିଣ ତାଙ୍କରି ବୋଲ

ପିଜୁଳି, ପଣସ, ସପୁରୀ ଜାଣ

ଏସବୁ ଅଟଇ ତାଙ୍କ ଭିଆଣ

ମଣ୍ଡା, ମାଲପୁଆ, କାକରା ପୁରି,

ତାଙ୍କରି ଦରବେ ସବୁ ତିଆରି

ପିତା, ମାତା, ବନ୍ଧୁ, ଭଉଣୀ, ଭାଇ,

ରଚିଛନ୍ତି ଆମ ସୁବିଧା ପାଇଁ

ଏମନ୍ତ ସାଇଁଙ୍କୁ ଭୁଲିବି ନାହିଁ,

ଡାକିବି ଆପଦେ ମନ ଲଗାଇ

ତାଙ୍କ ପଦେ ନମି ସଞ୍ଜ ସକାଳେ

କାମେ ଲାଗିଥିବି ଆନନ୍ଦ ଭରେ ।’’

 

ଶେଷ ପଦ୍ୟଟି, ମଧ୍ୟ ମାନବର ଚାରିତ୍ରିକ ଉଜ୍ଜ୍ୱଳତାର ପ୍ରତୀକ-‘‘ସୁନାପୁଅ’’

 

‘‘ଶଯ୍ୟା ତେଜି ଅତି ପ୍ରଭାତୁ, ନମି ବିଭୁପୟରେ,

ଚାଣ୍ଡେ ନିତ୍ୟକର୍ମ ସାରିଣ, ଲାଗିଯାଏ ପାଠରେ,

ଗୁରୁଙ୍କ କଥାକୁ ମାନି ମୁଁ କରୁଥାଏ ପଠନ

ଗୁରୁମତେ ଦେଲେ ମେଲାଣି ଯାଏ ଗୃହବହନ

ମାତା ଯାହା ସ୍ନେହେ ଦିଅନ୍ତି, ମୋତେ ଖାଇବା ପାଇଁ ।

ଆନନ୍ଦରେ ଭୁଞ୍ଜେ ତାହା ମୁଁ ଦ୍ୱନ୍ଦ୍ୱ ଭିଆଏ ନାହିଁ ।

ପାଠ ବେଳେ ପାଠ ପଢ଼େ ମୁଁ, ହୋଇ ଏକାନ୍ତ ମନ

ଖେଳବେଳେ ସଙ୍ଗୀ ସଙ୍ଗତେ, ଖେଳେ ଯାଇ ବହନ

କେବେ କାହାକୁ ମୁଁ ନ କହେ ମୁଖେ କଟୁବଚନ

ମଧୁର ବଚନେ ତୋଷ ମୁଁ, ସବୁଲୋକଙ୍କ ମନ

ଦିନବେଳେ କାମ ସାରିଣ ଅତି ପ୍ରଫୁଲ୍ଲ ମନେ

ରାତ୍ରକାଳ ସଦା କଟାଏ, ମୁହିଁ ସୁଖ ଶୟନେ;

 

ଏ ଆଲୋଚନାର ପ୍ରାରମ୍ଭରେ ମୋର ବକ୍ତବ୍ୟ ଥିଲା ଏହିଭଳି ପ୍ରାଚୀନ ଶିଶୁପାଠ୍ୟ ପୁସ୍ତକର ପୁନରୁଦ୍ଧାର କରି ସେ ସବୁରେ ବିଷୟବସ୍ତୁର ଶିଶୁପକ୍ଷରେ ଗ୍ରହଣୀୟତା ସମ୍ବନ୍ଧରେ ଗବେଷଣାତ୍ମକ ବିଚାର କରାଯାଇ ଏଗୁଡ଼ିକର ସଂଗ୍ରହ ମଧ୍ୟ ଆବଶ୍ୟକ । ସେତେବେଳର ପୁସ୍ତକ ସହିତ ଏବର ଶିଶୁପାଠ୍ୟ ପୁସ୍ତକର ତୁଳନାତ୍ମକ ବିଚାର କରାଗଲେ, କେଉଁଗୁଡ଼ିକ ଉନ୍ନତ ଓ ଜାତିଗଠନରେ ସହାୟକ ହୋଇପାରୁଛି ତାହା ଉପଲବ୍ଧି ହେବ ।

 

***

 

ସିଂହାବଲୋକନ

କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ନ୍ୟାୟଶାସ୍ତ୍ରର ଏଇ ସିଂହାବଲୋକନ ଶବ୍ଦଟି ସାହିତ୍ୟରେ ମଧ୍ୟ ଏକ ଅଳଙ୍କାର । ଆଗଧାଡ଼ିର ଶେଷ ଶବ୍ଦଟି ପଛଧାଡ଼ିର ଆରମ୍ଭରେ ରହିଲେ ତାହାରି ନାମହିଁ କବିତାରେ ହୁଏ ସିଂହାବଲୋକନ ।

 

ଶିକାର ଖୋଜି ବାହାରିଲାବେଳେ ପଶୁରାଜ ସିଂହ ପଛଆଡ଼କୁ ମଝିରେ ମଝିରେ ଚାହିଁଦିଏ । କେଉଁଠି କିଛି ଶିକାର ଅଛି-ଏଇ ମତଲବରେ ପରା ! ସେଇ ଚାହାଣୀ ହେଲା ସିଂହାବଲୋକନ ବାସ୍ତବ କ୍ଷେତ୍ରରେ ।

 

ଶୃଗାଳକୁ ତଡ଼ିଗୋଡ଼ାଇଲେ ସେ ମଧ୍ୟ ପଳାଇ ଯାଉଁ ଯାଉଁ ଠିଆ ହୋଇ ପଛକୁ ଚାହେଁ । ତାହା ଭୟ କାତରତାର ଚାହାଣୀ । ସିଂହ-ଶୃଗାଳ ମଧ୍ୟରେ ଏଇ ଫରକଟା ପ୍ରାକୃତିକ କିନ୍ତୁ ମଣିଷ-ମଣିଷ ଭିତରେ ଏମିତି ଫରକ ରହିବା ଆବଶ୍ୟକ । ସାହିତ୍ୟ ବିଚାରରେ ତାହା ଧିକ୍‌କୃତ । କବିବର ରାଧାନାଥଙ୍କ ଭାଷାରେ–

 

‘‘ଧିକରେ ସଂସାର            ସବଳର ଯହିଁ

ସବୁ କଥାରେ ସୁଯୋଗ

ଦୁର୍ବଳର ଯହିଁ            ଲଲାଟ ଲିଖନ

ନିରତେ ଲାଞ୍ଛନା ଭୋଗ ।’’

 

ମଣିଷ-ମଣିଷ ଭିତରେ ମଧ୍ୟ ଧନୀ ଗରିବ, ପଣ୍ଡିତ ମୂର୍ଖ, ମାଲିକ-ମୂଲିଆ, ସବଳ-ଦୁର୍ବଳର ଫାଁକ୍‌ ଫରକ ଘେନି ସଂଘର୍ଷ-ଦ୍ୱନ୍ଦ୍ୱ ଲାଗି ରହେ । ସବୁ ବିଭେଦ ମଧ୍ୟରେ ଯାହା ସୁଦୃଢ଼ ଯୋଗସୂତ୍ର ପ୍ରତିଷ୍ଠାର ଉପାୟ ଖୋଜେ, ତାହାରି ନାମହିଁ ସାହିତ୍ୟ ।

 

ପ୍ରତ୍ୟେକ ସାହିତ୍ୟର ସ୍ୱତନ୍ତ୍ର ଭାଷା ଅଛି । ପୁଣି ଲିଖିତ ସାହିତ୍ୟ ନ ଥାଇ ମଧ୍ୟ କେତେ ଆଦିବାସୀ-କଥିତ ଭାଷା ଅଛି । ସେଇ ନିରକ୍ଷର ଭାଷାର ପରିଚୟଟି ଚମତ୍କାର-ତାହାର ନାମ ‘ଠର’ । କାଲ ମୂକ ମଣିଷ ବିଷୟରେ ଜଣାଶୁଣା ଢଗ ଗୋଟିଏ ଅଛି-‘‘କାଲ ‘ଠାର’ କାଲ ମାଆ ଜାଣେ ।’’ ଟିକି ପିଲାଟି ତା’ର ମାତୃଭାଷା କହି ଶିଖିବା ଆଗରୁ ଏଇ ‘ଠାର’ ସାହାଯ୍ୟରେହିଁ ନିଜ କାମ ତୁଲାଇ ନିଏ । ଅଥଚ କେତେ ବୟସ୍କ ଲୋକ ଅନର୍ଗଳ ଭାଷଣ ଦେଇ କିମ୍ବା ଶୁଣି ସୁଦ୍ଧା ଅକର୍ମା ସଂଖ୍ୟା ବଢ଼ାଇବାରେ ଲାଗିପଡ଼ନ୍ତିଟି ! କେବଳ ଟିପଚିହ୍ନ ବଦଳରେ ଆପଣା ଦସ୍ତଖତଟିକ କରି ଶିଖିଥିଲେ ତାଙ୍କ ପକ୍ଷରେ ଯଥେଷ୍ଟ । କେବଳ ଉଦ୍ୟୋଗୀ ବୋଲି ସେମାନେ ପୁରୁଷ ସିଂହ । କୌଣସି ସର୍ବ ଉଚ୍ଚ ପଦପଦବୀ ଲାଗି ସେମାନେ ଯୋଗ୍ୟ ନୁହନ୍ତି କି ?

 

ଯୋଗ୍ୟତା ଆସେ ଉଦ୍‌ଯୋଗ ବଳରେ । ନିରୁଦ୍ୟମୀ ମଣିଷ କେବଳ ‘‘ସଳଖ ସୁନ୍ଦର ଭେଣ୍ଡିଆଟିଏ, ହାତଗୋଡ଼ ଥାଇ ଖଣ୍ଡିଆଟିଏ’’ ହୋଇ ରହିଯାଏ ସିନା ! ସେଥିଲାଗି ସାହିତ୍ୟର ମୂଳମନ୍ତ୍ର ବା ମୌଳିକ ପ୍ରେରଣା ଯୋଗାଏ କର୍ମ । ସବୁ ନ୍ୟାୟାନ୍ୟାୟ ବିଚାର ଉପରେ ତାହାର ସ୍ଥାନ ସୁନିର୍ଦ୍ଦିଷ୍ଟ । ସାହିତ୍ୟ ସେଇ କର୍ମକୁହିଁ ସ୍ୱୟଂ ବିଶ୍ୱସ୍ରଷ୍ଟାଙ୍କ ମୁଖରେ ଭାଗବତ ବାଣୀ ଫୁଟାଇଛି-

 

‘‘କର୍ମ ମୋହର ନିଜ ଗୁରୁ

ଉଦ୍ଧବ କେତେ ତୁ ପଚାରୁ ।’’

 

ମହାଭାରତ ଭୀଷ୍ମ ପର୍ବରେ ଉପନିଷଦ-ଭଗବତ୍‌ ଗୀତା ହେଲା ସେଇ କର୍ମ ପ୍ରେରଣାର ଚିରନ୍ତନ ଉତ୍ସ । ନିଜ ଦେଶ, ଜାତି ଅର୍ଥାତ୍‌ ନିଜକୁ ଚିହ୍ନିବା ପାଇଁ ସାହିତ୍ୟ ଗୋଟିଏ ଦର୍ପଣ । ଆମେ ସେଇ ଦର୍ପଣରେ କେତେ ଚିହ୍ନିଲୁଣି ଆପଣାକୁ ? ନିଜେ ଆଗ ନିଜ ମୁହଁକୁ ? ଚାରିପଟେ ବେଢ଼ିଥିବା ଧଉଳୀ ଖଣ୍ଡଗିରି ଗୁହାକୁ ? ଆମ ପୁରୀ କୋଣାର୍କର ଯୋଗ୍ୟ ଦାୟାଦ ହେଲୁଣି ଆମେ କି ପରିମାଣରେ ? ସାରଳା, ଜଗନ୍ନାଥ, ବଳରାମ, ଉପେନ୍ଦ୍ର, ଅଭିମନ୍ୟୁ, ଦୀନକୃଷ୍ଣଙ୍କ ବାଣୀରେ ଆମେ କେତେ ପରିମାଣ ଉଦ୍‌ବୁଦ୍ଧ ? ଭକ୍ତଚରଣ, ଭୀମ ଭୋଇ, ସାଲବେଗ, ବନମାଳୀ ନାମ ତାଲିକାରେ ଆଉ କେତେ ଯେ ଚିର ସ୍ମରଣୀୟ ନାମୋଲ୍ଲେଖ କରି ନ ପାରି ଅପରାଧୀ ହେଉ ? ପାସୋରି ପକାଉଁ ସବୁ କେଡ଼େ ସହଜରେ ?

 

ଓଡ଼ିଶା ଭୂଇଁର ବିଲ ବନ, ନଈ ନାଳ, ପାଟ ଉହାଡ଼ରେ ଉଛୁଳି ପଡ଼େ କେତେ ଛନ୍ଦ, କେତେ ଆବେଗ । କେତେ କୁଡ଼ିଆର ଅନ୍ଧାର କୋଣରୁ ଚିହିଙ୍କି ଆସେ ଓଡ଼ିଆ ପ୍ରାଣ ଫଲ୍‌ଗୁଧାରା ସବୁରି ପ୍ରାଣକୁ ଏକାଠି କରିପକାଇ !

 

ଦୂର ଅତୀତରେ ଆମ ଗଦ୍ୟ ପଦ୍ୟ କିମ୍ବା ପ୍ରବନ୍ଧ-କବିତା ଭିତରେ ଫାଁକ୍‌ ଫରକ ପ୍ରାୟ କିଛି ନ ଥିଲା-ଯେପରି ଜଗନ୍ନାଥ ଦାସଙ୍କ ‘‘ଶ୍ରୀମଦ୍‌ଭାଗବତ’’ ପ୍ରଥମ ସ୍କନ୍ଦରେ ଦ୍ୱିତୀୟ ଅଧ୍ୟାୟର ଭଣିତାଟି-

 

‘କହଇ ଜଗନ୍ନାଥ ଦାସ

ଗୀତ-ପ୍ରବନ୍ଧେ କୃଷ୍ଣ ରସ ।’

 

ସେଇ ‘ଗୀତ-ପ୍ରବନ୍ଧ’ ଭିତରେହିଁ ନିଗିଡ଼ି ପଡ଼େ ରସସୃଷ୍ଟି, ପୁଣି ଉଦ୍‌ଘାଟିତ ହୁଏ ସୃଷ୍ଟି-ରହସ୍ୟ । ବାନ୍ଧି ପକାଏ ସେଇ ପ୍ରବନ୍ଧ ଗୋଟିଏ ଅଛିଣ୍ଡା ସୂତା ଖିଅରେ ଲେଖକ ପାଠକ-ଶ୍ରୋତୃ ମଣ୍ଡଳୀକୁ ଗାଁ ମୁଣ୍ଡ ଭାଗବତ ଟୁଙ୍ଗୀ ସହିତ ।

 

ଆଜି ସେଇ ଭାଗବତ ଟୁଙ୍ଗୀ କେଉଁଠି ? ? ? –କେଉଁ ଗାଁ ମୁଣ୍ଡ ଅବା ସହର ବଜାର ଗଳିକନ୍ଦିରେ ଖୋଜିଲେ ପାଇବା ତାହାକୁ ? କଲିକତା, ରେଙ୍ଗୁନ୍‌, ଦିଲ୍ଲୀ, ବମ୍ବେ, ମାନ୍ଦ୍ରାଜ, ପଞ୍ଜାବ, ଗୌହାଟି ? ହଁ, ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣ ସବୁ ଦିଗରୁ ଆସେ ଜବାବ ତ । ସବୁଆଡ଼ୁ ତ ଶୁଭେ ଖଞ୍ଜଣି ଶବ୍ଦ ସଙ୍ଗେ-

 

‘ଭଜମନ କଳାକହ୍ନାଇ...’ ଅବା

‘କହଇ ମନ ଆରେ ମୋ ବୋଲ କର ।’

 

ପୁଣି ସେଇ ‘ରସିକ ବିଚାର କରେ

ଦୀପ ଦାନ କାର୍ତ୍ତିକରେ

ପ୍ରୟାଗେ ସ୍ନା ମକରେ

ଯେହୁ ନ କରେ ।’

 

ଆଜିର ଗଦ୍ୟ-ବହୁଳ ସାହିତ୍ୟ ସୃଷ୍ଟି ଭିତରେ ସେ କାଳର ପଦ୍ୟ-ବାହୁଲ୍ୟ ରଚନା ତୁଳନୀୟ । ପ୍ରାଚୀନ ଗଦ୍ୟରୀତିରେ ଘରେ ଘରେ ବ୍ରତ କଥା କିମ୍ବା ଦୋଳ ବେଦୀ ଉପର ପୂର୍ଣ୍ଣମୀ ଦିନ ‘ନଆ ପାଞ୍ଜି’ ପାଠରେ ଓଡ଼ିଶା ରାଜାମାନଙ୍କ ଅତୀତ କୀର୍ତ୍ତି ବର୍ଣ୍ଣନାରୁ ସେ କାଳ ଗଦ୍ୟ ରୀତିରସୂଚନା ମିଳେ ନାହିଁ କି ?

 

ଏଇ ସବୁ ବିଚାରରୁ ସାହିତ୍ୟ କିମ୍ବା ପ୍ରବନ୍ଧ, କବିତା ବା ଗଳ୍ପ ଭିତରେ ଓ ଉପନ୍ୟାସ-ନାଟକରେ ଗୋଟିଏ ମାତ୍ର ଛନ୍ଦର ସନ୍ଧାନ ମିଳେ-ତାହା ହେଲା ସତ-ମିଛ, ସୁନ୍ଦର-କୁତ୍ସିତ, ନ୍ୟାୟାନ୍ୟାୟ କିମ୍ବା ସୃଷ୍ଟି ଓ ଧ୍ୱଂସର ପଥକୁ ଚିହ୍ନି ଚିହ୍ନାଇବାର ଛନ୍ଦ । ସେଇ ଛନ୍ଦର ଧ୍ୱନିହିଁ ପ୍ରତିଧ୍ୱନିତ ହୁଏ ପ୍ରତି ମୁହୂର୍ତ୍ତର ସୃଷ୍ଟି ଓ ଧ୍ୱଂସର କ୍ରିୟା-ପ୍ରତିକ୍ରିୟା ଭିତରେ ।

 

ଯୁକ୍ତି ସହିତ ତର୍କ ଭଳି ସୃଷ୍ଟି ଓ ଧ୍ୱଂସର ସହାବସ୍ଥାନହିଁ ନିୟମ । ସେଇ ନିୟମର ବ୍ୟତିକ୍ରମହିଁ କୃତ୍ରିମତା । ବ୍ୟାଧ ଶରାଘାତରେ ଉଭୟ କ୍ରୌଞ୍ଚର ନିଧନ ଘଟିଥିଲେ ଆଦିକବିଙ୍କ ଆବିର୍ଭାବ ହୁଅନ୍ତା ନି ବୋଲି ଯୁକ୍ତି ଅଛି । ପୁଣି ମିଳନ୍ତା ନି ସେଇ ପ୍ରଥମ ଛନ୍ଦ-

 

‘‘ମା ନିଷାଦ ପ୍ରତିଷ୍ଠାତ୍ୱମଗମଃ ଶାଶ୍ୱତୀ ସମାଃ

ୟତ୍‌ କୌଞ୍ଚମିଥୁନାଦେକ ମବଧିଃ କାମମୋହିତମ୍‌’’

 

ସୂର୍ଯ୍ୟ ଚନ୍ଦ୍ର ନ ଥାଇ ପୃଥିବୀ ରହିଲା ଭଳି ଏପରି ମନ୍ତବ୍ୟକୁ ‘ତର୍କ’ ବୋଲାଯାଇ ପାରେ ସିନା, ‘ଯୁକ୍ତି’ ନୁହେଁ କଦାପି, ଅନ୍ଧାର-ଆଲୁଅ ଭଳି ମିଛ-ସତର ପରୀକ୍ଷା ନିରୀକ୍ଷାହିଁ ଚିରନ୍ତନ ନିୟମ । ଆଜି ସୁଦ୍ଧା ବ୍ୟାଧ ଓ ବାଲ୍ମୀକି ଜୀବିତ ନୁହନ୍ତି କି ?

 

ଆଜିସୁଦ୍ଧା ମଣିଷର ବାହାଦୂରୀ ଯେତେ ବେଶି ଅନ୍ଧାରକୁ ଆଲୁଅ କଲେ ବି ସେଇ ଆଲୁଅରେ ଦେଖାଦିଏ ତ ଅନ୍ଧାର ଆହୁରି କେଡ଼େ ଭୀଷଣ ! ପୁଣି ଏତେ ଆଲୁଅରେ ବି ଚିହ୍ନା ପଡ଼େନି ତ ମଣିଷ କିଏ ବା ପଶୁ କିଏ ?

 

ଯୀଶୁଖ୍ରୀଷ୍ଟଙ୍କ ଜନ୍ମର ସାତଶହ ବର୍ଷ ପୂର୍ବେ ଅର୍ଥାତ୍‌ ଆଜିକି ପ୍ରାୟ ଅଢ଼େଇ ହଜାର ବର୍ଷ ହେଲାଣି ଭାରତବର୍ଷରେ ବୟାକରଣ ପାଣିନି ମହର୍ଷିଙ୍କ ଆବର୍ଭାବ ।

 

ପାଣିନୀୟ ବ୍ୟାକରଣ ଭାଷା-ବିଜ୍ଞାନର ଅଦ୍ୱିତୀୟ ଗ୍ରନ୍ଥ ବୋଲି ଶ୍ରେଷ୍ଠ ଭାଷାବିତ୍‌ ପାଶ୍ଚାତ୍ୟ ପଣ୍ଡିତମାନଙ୍କ ମତ । ସମଗ୍ର ଭାଷା ସାହିତ୍ୟର ଭଣ୍ଡାରକୁ ମାତ୍ର କେତେଗୋଟି ସୂତ୍ର ସାହାଯ୍ୟରେ ସେ ବାନ୍ଧି ପାରନ୍ତି । କଥାରେ ମଧ୍ୟ ସେ ଅନୁରୂପ ସଂଯତ ଥିବା ଜଣାଯାଏ–ଲେଖା ବା କଥାରେ ଗୋଟିଏ ଅକ୍ଷର କମିଗଲେ ଏକ ପୁତ୍ରଲାଭର ଆନନ୍ଦ ତାଙ୍କୁ ମିଳେ ବୋଲି କଥିତ । ଥରେ ରାଜସଭାରେ ଜଣେ ଦିଗ୍‌ବିଜୟୀ ପଣ୍ଡିତ ସବୁ ପ୍ରଶ୍ନର ଉତ୍ତର ଦେଇସାରି କହନ୍ତି–‘‘ମୋତେ ତାହାହେଲେ ‘ପଣ୍ଡିତ ସିଂହ’ ବୋଲି ସ୍ୱୀକୃତି ମିଳୁ ।’’

 

ନିରୁତ୍ତର ପଣ୍ଡିତମାନେ ପରସ୍ପରକୁ ଓ ଶେଷରେ ପାଣିନୀ ମହର୍ଷିଙ୍କୁ ଚାହାନ୍ତି । ସଦା ଧୀରସ୍ଥିର ସ୍ୱଳ୍ପଭାଷୀ ପାଣିନୀଙ୍କ ମୁଖରୁ ଆଉ ଏକ ସୂତ୍ର ନିଃସୃତ ହୁଏ–

 

‘‘ସିଂହୋପି ପଶୁରେବ ଗଣ୍ୟଃ’’

 

ଅର୍ଥାତ୍‌ ସିଂହ ମଧ୍ୟ ପଶୁ ଶ୍ରେଣୀର ଅନ୍ତର୍ଭୁକ୍ତ । ସତ୍ୟ, ଶିବ ଓ ସୁନ୍ଦର ସୃଷ୍ଟିଲାଗି ଆବେଦନ, ଆତ୍ମୋତ୍ସର୍ଗ ଓ ଅସୀମ ତ୍ୟାଗର ପୂର୍ଣ୍ଣାହୂତିହିଁ ପ୍ରଧାନ ଅସ୍ତ୍ର ।

 

***

 

ଓଡ଼ିଆ ଶାକ୍ତ-ସାହିତ୍ୟ

ନୀଳମଣି ମିଶ୍ର

 

ଓଡ଼ିଆ-ସାହିତ୍ୟର ବିଭିନ୍ନ ବିଭାଗ ପ୍ରତି ଦୃଷ୍ଟି ଦେଲେ, ଆମକୁ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ପଡ଼େ । ରାମ, କୃଷ୍ଣ ଯଦିଓ ଆମ ସାହିତ୍ୟକୁ ବହୁଳ ଭାବରେ ଆବୋରି ରହିଛନ୍ତି, ତଥାପି ଶାକ୍ତ-ଉପାସନା ତଥା ଦେବୀଙ୍କର ବିଭିନ୍ନ କାହାଣୀକୁ ନେଇ ଓଡ଼ିଶାରେ କମ୍‌ କାବ୍ୟ କବିତା ସୃଷ୍ଟି ହୋଇନାହିଁ ।

 

ପ୍ରାୟ ଦେଢ଼ ହଜାର ବର୍ଷ ତଳୁ ଓଡ଼ିଶାରେ ଶାକ୍ତ-ସଂସ୍କୃତିର ପ୍ରଚାର ଆରମ୍ଭ ହୋଇଛି । ଖ୍ରୀଷ୍ଟୀୟ ଚତୁର୍ଥ ଓ ପଞ୍ଚମ ଶତାବ୍ଦୀର ଶାକ୍ତ ପ୍ରତିମା ବିରଜା ଓ ଭଦ୍ରକାଳୀ ତଥା ପରବର୍ତ୍ତୀ କାଳରେ ପ୍ରତିଷ୍ଠିତା ଚୌଷଠୀ ଯୋଗିନୀ, ଗୌରୀ, ମୋହିନୀ, କାତ୍ୟାୟନୀ, କୀଚକେଶ୍ୱରୀ, ଭଗବତୀ, ମାଣିକେଶ୍ୱରୀ, ଚର୍ଚ୍ଚିକା, ଶାରଳା, ବିମଳା, ଭଟ୍ଟାରିକା, ହିଙ୍ଗୁଳା, ଶ୍ୟାମାକାଳୀ, ସମଲେଶ୍ୱରୀ, ପାଟଣେଶ୍ୱରୀ, ବ୍ୟାଘ୍ରଦେବୀ, ନାରାୟଣୀ ଆଦି ବହୁ ଦେବୀ ମୂର୍ତ୍ତିରୁ ଜଣାଯାଏ ଯେ, ସମଗ୍ର ଓଡ଼ିଶାରେ ଶାକ୍ତ-ସଂସ୍କୃତିର ବ୍ୟାପକ ପ୍ରଚାର ହୋଇଥିଲା ।

 

ଏକଦା ଓଡ଼ିଶାର ଜାତୀୟ ବିଗ୍ରହ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ତନ୍ତ୍ରର ଶ୍ରେଷ୍ଠ ଆରାଧ୍ୟ ‘ଭୈରବ’ ବୋଲି ପ୍ରଚାର କରାଯାଇଥିଲା । ଗଙ୍ଗ ରାଜବଂଶଦ୍ୱାରା ପ୍ରଚାରିତ ‘ବୈଷ୍ଣବ ମତବାଦ’ର ପ୍ରସାର ଫଳରେ, ଧୀରେ ଧୀରେ ଦେଶରୁ ତାନ୍ତ୍ରିକ ଭାବଧାରା ବା ଶାକ୍ତ-ସଂସ୍କୃତି ଲୋପ ପାଇବାକୁ ବସିଲା; କିନ୍ତୁ ଜନମାନସରୁ ଶାକ୍ତ-ଚିନ୍ତାଧାରାର ସ୍ମୃତି ଆଦୌ ଲିଭିଗଲା ନାହିଁ ।

 

ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀ ପୂର୍ବରୁ ଓଡ଼ିଆ ବିଦ୍ୱାନମାନଙ୍କଦ୍ୱାରା ରଚିତ କୌଣସି ତନ୍ତ୍ରଗ୍ରନ୍ଥର ସନ୍ଧାନ ଅଦ୍ୟାପି ମିଳିନାହିଁ । ଏହାର କାରଣସ୍ୱରୂପ ଏତିକି କୁହାଯାଇ ପାରେ ଯେ, ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀ ପରେ ତାନ୍ତ୍ରିକ ବିଦ୍ୱାନମାନଙ୍କୁ ରାଜଶକ୍ତି ପକ୍ଷରୁ ପୃଷ୍ଠପୋଷକତା ମିଳିଲା ନାହିଁ । ପୂର୍ବରୁ ରଚିତ ତନ୍ତ୍ରଗ୍ରନ୍ଥଗୁଡ଼ିକ ଜନସାଧାରଣରେ ସେପରି ଆଦୃତ ହେଲାନାହିଁ । ତେଣୁ ଆମ ପୂର୍ବପୁରୁଷଙ୍କଦ୍ୱାରା ରଚିତ ତନ୍ତ୍ରଗ୍ରନ୍ଥଗୁଡ଼ିକ ଅବହେଳିତ ଅବସ୍ଥାରେ କାଳର କରାଳ କବଳରେ କବଳିତ ହୋଇଗଲା ।

 

ଆଜି ଆମ ଆଗରେ ଯେଉଁ କେତେଖଣ୍ଡି ତନ୍ତ୍ରଗ୍ରନ୍ଥ ରହିଛି, ସେଗୁଡ଼ିକ ହେଲା ପଣ୍ଡିତ ଗୋଦାବରୀଶ ମହାପାତ୍ରଙ୍କ ‘ଶାରଦା ଶରଦର୍ଚ୍ଚନ ପଦ୍ଧତି, ତନ୍ତ୍ର ଚିନ୍ତାମଣି, ଯନ୍ତ୍ର ଚିନ୍ତାମଣି, ବର୍ଦ୍ଧିନ ମହାପାତ୍ରଙ୍କଦ୍ୱାରା ରଚିତ ଓ ଗଜପତି ରାମଚନ୍ଦ୍ର ଦେବଙ୍କ ନାମରେ ଭଣିତ ଦୁର୍ଗୋତ୍ସବ ଚନ୍ଦ୍ରିକା, ଜଗନ୍ନାଥ ଆଚାର୍ଯ୍ୟଙ୍କ ପ୍ରଣିତ ଦୁର୍ଗାଯଜନ ଦୀପିକା, ରଘୁନାଥ ଦାଶଙ୍କ ରଚିତ ବନଦୁର୍ଗା ପୂଜା, ବାସୁଦେବ ରଥଙ୍କ ରଚିତ ଭୁବନେଶ୍ୱରୀ ପୂଜାପଲ୍ଲବ, କୃଷ୍ଣ ମିଶ୍ରଙ୍କ ପ୍ରଣିତ ଶ୍ରୀ ବିଦ୍ୟାପଦ୍ଧତି, ରାମଚନ୍ଦ୍ର ଉଦ୍‌ଗାତାଙ୍କ ରଚିତ ତାରିଣୀକୁଳ ସୁଧା ତରଙ୍ଗିଣୀ ପ୍ରଭୃତି ।

 

ଏହା ବ୍ୟତୀତ ତାନ୍ତ୍ରିକ ପଣ୍ଡିତ ଲକ୍ଷେଶ୍ୱର ରଥଙ୍କ ପ୍ରଣୀତ ଦୁଇଖଣ୍ଡି ପ୍ରାମାଣିକ ତନ୍ତ୍ରଗ୍ରନ୍ଥ ଓଡ଼ିଶାରେ ରଚିତ ହୋଇଥିଲା । ତାନ୍ତ୍ରିକ ଲକ୍ଷେଶ୍ୱର ବହୁ ତନ୍ତ୍ରଶାସ୍ତ୍ରରୁ ଉଦ୍ଧୃତିମାନ ଦେଇ ‘ଜ୍ଞାନବଲ୍ଲୀତନ୍ତ୍ର’ ଓ ‘ଶିବାର୍ଚ୍ଚନ ପଦ୍ଧତି’ ଶୀର୍ଷକ ଦୁଇଖଣ୍ଡ ଗ୍ରନ୍ଥ ଲେଖିଥିଲେ । ଶିବାର୍ଚ୍ଚନ ପଦ୍ଧତିରେ ପ୍ରଦତ୍ତ ଗୋଟିଏ ପୁଷ୍ପିକାରୁ ଓଡ଼ିଶାରେ ତନ୍ତ୍ରଶାସ୍ତ୍ରର ପ୍ରସାର ଓ ତାନ୍ତ୍ରିକ ରଥଙ୍କ ବଂଶ ପରମ୍ପରାରେ ତନ୍ତ୍ରଶାସ୍ତ୍ରର ଅଧ୍ୟୟନ ତଥା ଆଚରଣ କିପରି ଥିଲା-ତା’ର ପ୍ରମାଣ ମିଳିଥାଏ ।

 

‘‘ଇତି ଶ୍ରୀମଦୂତ୍କଳଦେଶକମଳତତ୍‌ ସୌରଭାଗତ ଲୋକତ୍ରୟନିବାସି-ପୁଣ୍ୟଜନ

ଦେବଗନ୍ଧର୍ବାସ୍ପରୋମଣ୍ଡଳିଭ୍ରମରାକୁଳ ତଦ୍‌ବିକାଶ ଭାନୁରୂପ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର

ତଦ୍ଦକ୍ଷିଣପାର୍ଶ୍ୱ ନିବାସ୍ୟୁତ୍କଳଦେଶଜନ୍ମା ଶ୍ରୀ ଆତ୍ରେୟ କୁଳ ମଣ୍ଡନ ପ୍ରସୂତ ଯୁଯୁରଥ

ତତ୍‌ପ୍ରପୌତ୍ର ଶ୍ରୀ ଗଙ୍ଗାଧର ରଥ ଯୋଗରୂପ ତତ୍ତନୟ ତଦ୍‌ଗୁରୁକୁଳ ଶ୍ରୀ ଗୌଡ଼-

ଦେଶ ଗଙ୍ଗାତୀରସ୍ଥ ନବଦ୍ୱୀପୋଦ୍ଭବ ଦ୍ୱିଜକୁଳୋତ୍ତଂସ ଶ୍ରୀ ଚନ୍ଦ୍ରଶେଖରାଚାର୍ଯ୍ୟ ପ୍ରସୂତ

ଶ୍ରୀପୁରୁଷୋତ୍ତମକ୍ଷେତ୍ର ଦକ୍ଷିଣପାର୍ଶ୍ୱସ୍ଥ ମହା ମହୋପାଧ୍ୟାୟ ସକଳାଗମଶାସ୍ତ୍ରତତ୍ତ୍ୱଜ୍ଞ

ଶ୍ରୀ ମହାତ୍ରିପୁର ସୁନ୍ଦରୀ ପୁତ୍ରକଳ୍ପ ଶ୍ରୀ ଗୋପାଳ ବ୍ରହ୍ମଚାରୀ ସ୍ୱାମୀବର ଶିଷ୍ୟ

ଲକ୍ଷେଶ୍ୱର ବିରଚିତାୟାମାଗମାମୃତାର୍ଣ୍ଣବ ତଜ୍ଜାତପୂର୍ଣ୍ଣଚନ୍ଦ୍ରସ୍ୟ ଷୋଡ଼ଶାମୃତ

କଳାୟାଂ ଶିବାର୍ଚ୍ଚନପଦ୍ଧତିଃ ସମାପ୍ତା ।’’

 

ଓଡ଼ିଶାର କାବ୍ୟ ପୁରାଣାଦିରେ ଦୁର୍ଗା ପ୍ରଭୃତି ବିଭିନ୍ନ ଦେବୀଙ୍କ ଚରିତ ଛାନ୍ଦବନ୍ଧରେ ଚଉତିଶା, ଚଉପଦୀ, ଜଣାଣ, ଭଜନ, ବ୍ରତକଥାଦି ମାଧ୍ୟମରେ ଯେଉଁ ସାହିତ୍ୟ ସୃଷ୍ଟି ହୋଇଛି, ତାହାକୁ ‘ଶାକ୍ତ-ସାହିତ୍ୟ’ ନାମରେ ନାମିତ କରାଯାଇପାରେ ।

 

ଶ୍ରୀଜଗନ୍ନାଥ, ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଲୀଳାଦି ବର୍ଣ୍ଣିତ ପୁସ୍ତକ ତୁଳନାରେ ‘ଶାକ୍ତସାହିତ୍ୟ’ର ପ୍ରସାର ଆମ ଦେଶରେ କମ ହୋଇ ନଥିଲା । ବିଶେଷତଃ ‘ଦେବୀ ଭାଗବତ’ର ପ୍ରଚାର ଓଡ଼ିଶାରେ ଆଦୃତ ହୋଇଥିବାରୁ, ଦେବୀଙ୍କ ବିଭିନ୍ନ ଅବତାରାଦିର ବର୍ଣ୍ଣନା କରି ଓଡ଼ିଆରେ କେତେଖଣ୍ଡି ପୁରାଣ, କାବ୍ୟ, ଖଣ୍ଡକାବ୍ୟ ରଚିତ ହୋଇଛି ।

 

ସାରଳାଦାସ:-

ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀର ମହାନ୍‌ କବି ସାରଳା ଦାସ ସର୍ବ ପ୍ରଥମେ ଓଡ଼ିଆ ଭାଷାରେ ପ୍ରସିଦ୍ଧ ମହାଭାରତ ଗ୍ରନ୍ଥ ରଚନା କରିଥିଲେ । ଉକ୍ତ ପୁସ୍ତକଟି ମୁଖ୍ୟତଃ ସଂସ୍କୃତ ମହାଭାରତର ଅବଲମ୍ବନରେ ରଚିତ ହୋଇଥିଲେହେଁ, ସେଥିରେ ଝଙ୍କଡ଼ବାସିନୀ ସାରଳାଙ୍କ ସମ୍ବନ୍ଧରେ ଅନେକ ପଦ ରହିଛି–

 

‘‘ନମସ୍ତେ ସାରଳା ମାଗୋ ଜଙ୍ଖେରପୁରବାସୀ ।

ଅନଳ ସମ୍ଭବୀ ଗୋ ମୁଖ ପୌର୍ଣ୍ଣମୀର ଶଶୀ ।।

କୃପାଜଳନନ୍ଦିନୀ ଗୋ ନର୍ମଦା ସରସ୍ୱତୀ ।

ଶ୍ରୀ ଚନ୍ଦ୍ରଭାଗା ତୀର୍ଥେ ଗୋ ଯୋଗଲୟେ ସ୍ଥିତି ।।

ସୁରସିଦ୍ଧ ମୁନି ମାଗୋ ତୋହର ନାମ ଘୋଷି ।

ଧ୍ୱଂସିଲୁ ଅସୁର ମାଗୋ ରଣରଙ୍ଗେ ପଶି ।।

କେଶରୀ ପିଠିରେ ବିଜେ ମାଗୋ ଦୁରିତନିବାସୀ ।

କର ଅନୁଗୃହ ମାଗୋ ମୋତେ ଅଭୟବର ଦେସି ।।

X            x            x

ସେ ଦେବୀଙ୍କ ଶ୍ରୀଚରଣକୁ ନିତିଏ ମୋର ଆସ ।

ଜନ୍ମେ ଜନ୍ମେ ଅଟଇ ମୁଁ ଶୂଦ୍ରମୂନି ସାରଳା

ଦେବୀଙ୍କର ଦାସ ।।

X            x            x

ନମସ୍ତେ ବିମଳା ଗୋ ନମୋ ନାରାୟଣୀ ।

ସଂସାରଜଳେ ମାଗୋ ତୋ ନାମ ବଖାଣି ।।

ଦୁର୍ଗତି ଖଣ୍ଡନୀ ଗୋ ପଦ୍ମଂ ଯେ ଆସନୀ ।

ଅରକ୍ଷ-ଲୋକର ଦୁଃଖ ବିନାଶିନୀ ।।

ନିତ୍ୟେ ତୋର ଯେହୁ କରଇ ସ୍ମରଣ ।

ନାନା ଦୁର୍ଗତିରୁ ହୋଏ ସେ ମୋକ୍ଷଣ ।

ସଦୟାଚିତ୍ତେ ମାଗୋ ଦୟାକର ମୋତେ ।

ସାରୋଳଦାସକୁ ଗୋ ରଖ ଜଗତମାତେ ।।

ଜୟ ଭୋ ମଙ୍ଗଳା ସଙ୍କଟ ତାରେଣୀ ।

କାକଟପୁରେ ମାଗୋ ବସିଛୁ ଗୋସାମଣି ।।

ପ୍ରାଚୀ ନଦୀ ତୀରେ ପୂର୍ବ କୋଣେ ସ୍ଥିତି ।

ପୋଢ଼ୁଅ ବୋଦା ଗୋ ଖାଉ ଭଗବତୀ ।।

ରାଜାଘରେ ତୋତେ ଭୋଗ ଖଞ୍ଜା ନାହିଁ ।

ସଂସାର ଜନଙ୍କୁ ଗୋ ମୋହିପାରୁ ତୁହି ।।

ମୈଂଷା ନାଶଗଲା ଗୋ ତୋହରି ବୁଦ୍ଧିବଳେ ।

ରକତବୀର୍ଯ୍ୟକୁ ଭକ୍ଷିଲୁ ଖପରେ ।।

ଅଶୁଭ ନାଶେନୀ ଗୋ ନାମ ଜିଘ୍ନସେନୀ ।

ଦୁର୍ଗତିନାଶି ସ୍ଥିତି କଲୁ ୟେ ମେଦିନୀ ।।

ମୁହିଁ ଅରକ୍ଷିତ ସାରଳା ଚଣ୍ଡୀ ଦାସ ।’’

 

(ସାରଳା ମହାଭାରତ-ମଧ୍ୟପର୍ବ)

ରାଜ୍ୟ ସଂଗ୍ରହାଳୟ ପୋଥି

 

ମହାଭାରତର ବହୁସ୍ଥଳରେ ସାରଳା ତଥା ପ୍ରସଙ୍ଗକ୍ରମେ ଅନ୍ୟାନ୍ୟ ବହୁ ଶାକ୍ତପୀଠରେ ପୂଜିତା ଦେବୀମାନଙ୍କ ସମ୍ବନ୍ଧରେ ବିଭିନ୍ନ ପ୍ରକାର ବର୍ଣ୍ଣନା ରହିଛି । କବି ସାରଳା ଦାସ ନିଜର କଳ୍ପନା ବଳରେ ତଥା ବହୁ ଜନଶ୍ରୁତିକୁ ଆଧାର କରି ଦେବୀମାନଙ୍କ ବର୍ଣ୍ଣନା କରିଛନ୍ତି ।

 

ଚଣ୍ଡୀପୁରାଣ ହେଉଛି–ସାରଳା ଦାସଙ୍କର ଏକ ଅନବଦ୍ୟ ରଚନା । ‘ଦେବୀ ଭାଗବତ’ର ଅବଲମ୍ବନରେ କବି ସାରଳା ଦାସ ‘ଓଡ଼ିଆ ଶାକ୍ତ-ସାହିତ୍ୟ’ର ପ୍ରଥମ ସ୍ୱତନ୍ତ୍ର ଗ୍ରନ୍ଥ ଲେଖି ପରବର୍ତ୍ତୀ କବିମାନଙ୍କ ଲାଗି ପଥ ପ୍ରଶସ୍ତ କରିଛନ୍ତି । କଳ୍ପନାପ୍ରବଣ କବି ରୂପେ ସାରଳା ଦାସ ପ୍ରସିଦ୍ଧି ଅର୍ଜ୍ଜନ କରିଛନ୍ତି । ସେ ଯେ କୌଣସି ଗୋଟିଏ ପ୍ରାମାଣିକ ଆଖ୍ୟାୟିକାକୁ ଆଧାର ରୂପେ ଗ୍ରହଣ କରି, ଓଡ଼ିଶାର ଦେବ-ଦେବୀ, ଲୋକ-ସଂସ୍କୃତି ତଥା ଲୋକକଥା ଉପରେ ଏକ ସ୍ୱତନ୍ତ୍ର କାହାଣୀ କରିପାରନ୍ତି । ମହାଭାରତ ଓ ସପ୍ତକାଣ୍ଡ ରାମାୟଣରେ ଏହାର ପ୍ରଭୂତ ପ୍ରମାଣ ରହିଛି । ଏଗୁଡ଼ିକରେ ସେ କେବଳ ପ୍ରଧାନ ଚରିତଗୁଡ଼ିକୁ ଉପଜୀବ୍ୟରୂପେ ଗ୍ରହଣ କରିଛନ୍ତି । ଅବିଶିଷ୍ଟ ପ୍ରାୟ ସମସ୍ତ ବର୍ଣ୍ଣନା ତାଙ୍କର କପୋଳକଳ୍ପିତ ବୋଲି କହିଲେ ଅସମୀଚୀନ ହେବ ନାହିଁ । ସେହିପରି ‘ଚଣ୍ଡୀପୁରାଣ’ ରଚନା କରିବା ପୂର୍ବରୁ ସେ ‘ସପ୍ତଶତୀଚଣ୍ଡୀ ଓ ‘ଦେବୀ-ଭାଗବତ’ ଭଲଭାବରେ ଅଧ୍ୟୟନ କରି, ସେହି ଆଖ୍ୟାୟିକାକୁ ଓଡ଼ିଶୀ ଛାଞ୍ଚରେ ଢାଳି ଏପରି ଭାବରେ ବର୍ଣ୍ଣନା କରିଛନ୍ତି ଯେ; ଉପରୋକ୍ତ ଗ୍ରନ୍ଥ ଦୁଇଟିକୁ ପାଠ କରି ନଥିବା ପାଠକ, ସାରଳାଦାସଙ୍କ ବର୍ଣ୍ଣନାକୁ ମୌଳିକ ରଚନା ବୋଲି ଗ୍ରହଣ କରିବ ।

 

ସାରଳା ଦାସ ‘ଚଣ୍ଡୀପୁରାଣ’ ଆରମ୍ଭରେ ଗ୍ରନ୍ଥ ରଚନାର ଉଦ୍ଦେଶ୍ୟ ଓ ଜଙ୍ଖେରପୁରବାସିନୀ ସାରାଳା ଚଣ୍ଡୀଙ୍କ ନିର୍ଦ୍ଦେଶ ସମ୍ବନ୍ଧରେ ବର୍ଣ୍ଣନା କରିବାକୁ ଲେଖିଛନ୍ତି-

 

‘‘ଜମ୍ବୁଦୀପ ଭ୍ରଥଖଣ୍ଡ ଓଡ଼ରାଷ୍ଟ୍ର ଈଶାନ ।

ଅର୍କସ୍ଥାନକୁ ଉତ୍ତର ଯେ ଅପୂର୍ବ ରମ୍ୟସ୍ଥାନ ।।

ପର୍ଶୁରାମ ପାଟଣା ଯେ କନକାବତୀ ନଗ୍ର ।

କଳିଯୁଗ ଚାରିଲକ୍ଷ ବତୀଶ ସହସ୍ର ଭୋଗ ।।

ଅନାଦି ଶକତି ତହିଁ ଅଛନ୍ତି ବିଜେ କରି ।

ସ୍ୱ-ଇଚ୍ଛାରେ ବିହରନ୍ତି ମହାମାୟା ନାରୀ ।।

ଶୟଳଜନତାରଣେ ଶ୍ରୀ ସାରଳା ଚଣ୍ଡୀ ନାମ ।

ଜଙ୍ଖେରପୁରେ ରହିଲେ ଯୋଗେଣ ଆଦିବ୍ରହ୍ମ ।।

ଅଭୟ ମାତଙ୍ଗ ଶ୍ରୀ ସାରଳା ଚଣ୍ଡୀ ଦେବୀ ।

ଶୂଦ୍ରମୁନି ସାରଳା ଦାସ ଜନ୍ମେ ଜନ୍ମେ ସେବି ।।

X            x            x

ଆଜ୍ଞା ହେଲା ମୋତେ ଶୁଣ ରେ ବାଳୁତ ।

ଏ ମୋହର ମହିମା ତୁ ସଂସାରେ କର ବିଖ୍ୟାତ ।।

ସେ ଦେବୀଙ୍କର ଆଜ୍ଞାରେ ପୁରାଣର ବାଣୀ ।

ସଂସାର ଜନ ଅର୍ଥେ ବଖାଣ କଲି ପୁଣି ।।

X            x            x

ସେ ଦେବୀଙ୍କ ଆଜ୍ଞା ପ୍ରମାଣେ ଗୀତ କରି ।

ଶାସ୍ର କଇ ନିର୍ଜିତ ସେ ଦେବୀର ନାମ ଧରି ।।

ହେ ବୁଧଜନେ ସେ ମୋତେ ପ୍ରସନ୍ନେ ଯାହା କହଇ ।

ଅରୁଣ ଅବକାଶେ ମୁଁ ତାହା ପତ୍ରରେ ଲିହଇ ।।

ଯେବଣ ଆଜ୍ଞା ମୋତେ ଦେଲେକ ଭବାନୀ ।

ତାହାଙ୍କ ଆଜ୍ଞା ପ୍ରମାଣେ ମୁଁ ଲିହଇ ଶୂଦ୍ରମୁନି ।

(ଚଣ୍ଡୀ ପୁରାଣ, ରାଜ୍ୟ ସଂଗ୍ରହାଳୟ ପୋଥି)

 

ଶ୍ରୀମଦ୍‌ ଭାଗବତରେ ଅଛି ଯେ, ରାଜା ପରୀକ୍ଷିତଙ୍କୁ ତକ୍ଷକ ଦଂଶନ କରିଥିଲା । ବ୍ରହ୍ମଶାପ ହେତୁରୁ ସର୍ପଦଂଶନରେ ତାଙ୍କର ମୃତ୍ୟୁ ସାତଦିନ ମଧ୍ୟରେ ହେବାର ନିଶ୍ଚିତ ହୋଇଥିଲା । ତେଣୁ ସେ ଶୁକଦେବ ମହର୍ଷିଙ୍କଠାରୁ ଶ୍ରୀମଦ୍‌ ଭାଗବତ ଶୁଣି କୃତାର୍ଥ ହୋଇଥିଲେ । ଠିକ୍‌ ସେହିପରି ସାରଳା ଦାସ ଭାଗବତର ପ୍ରସଙ୍ଗଟିକୁ ଚଣ୍ଡୀ ପୁରାଣରେ ଅବିକଳ ମିଶାଇ ଦେଇ, ଚଣ୍ଡୀ ପୁରାଣ ଆରମ୍ଭର ସୂତ୍ରପାତ କରିଛନ୍ତି । ଚଣ୍ଡୀପୁରାଣରୁ ଜଣାଯାଏ-ରାଜା ପରୀକ୍ଷିତ ମହର୍ଷି ଅଙ୍ଗିରାଙ୍କଠାରୁ ଅଭିଶାପ ପାଇ ଶୁକଦେବଙ୍କଠାରୁ ଦୁର୍ଗାମାହାତ୍ମ୍ୟ ଶୁଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ରାଜା ପରୀକ୍ଷିତ ଦୁର୍ଗାଙ୍କର ବିଭିନ୍ନ ରୂପ ଓ ତାଙ୍କ ଯୋଗିନୀଙ୍କର ବିଭିନ୍ନ କୃତ୍ୟ ସମ୍ବନ୍ଧରେ ମୃତ୍ୟୁ ପୂର୍ବରୁ ଶୁଣି କୃତାର୍ଥ ହେବାଲାଗି ବ୍ୟାକୁଳତା ପ୍ରକାଶ କରିଥିଲେ । ରାଜାଙ୍କର ମୃତ୍ୟୁକାଳୀନ ବ୍ୟାକୁଳତାରେ ମହର୍ଷି ଶୁକଦେବ ଦୟାପରବଶ ହୋଇ ତାଙ୍କୁ ‘ଚଣ୍ଡୀ ପୁରାଣ’ ଶୁଣାଇଛନ୍ତି ।

 

‘ପରୀକ୍ଷ ବୋଇଲେ ମୁନି ଅପୂର୍ବ କଥାଏ ଶୁଣିଲି ।

ଅଦ୍ଭୁତ ଦୁର୍ଗାଙ୍କର ଅବତାର ରୂପ ବୋଲି ।।

ମହିଷାସୁର ଦାନବକୁ ବଧିଲେକ ରଣେ ।

ଏହା ମୁଁ ଶୁଣିଲି ମୁନି ହେ ତୁମ୍ଭ ପୁରାଣେ ।।

ମୁନି ହେ ଅନେକ ଜାତ ହୋଇଲେ ନାରାୟେଣୀ ।

ଅନେକ ଦାନବ ବଧି ରଖିଲେ ଧରଣୀ ।।

ସେହି ଦୁର୍ଗାଙ୍କର ଚରିତ ଶୁଣିତେ ମୋର ଇଚ୍ଛା ।

ସଂକ୍ଷେପି କରି କହ ପୂରାଅ ମନବାଞ୍ଛା ।।

 

କବି ସାରଳା ଦାସ ଚଣ୍ଡୀପୁରାଣରେ ଯେତେ ଚରିତ ବର୍ଣ୍ଣନା କରିଛନ୍ତି, ତନ୍ମଧ୍ୟରେ ଚଉଷଠୀ ଯୋଗିନୀ ଆଖ୍ୟାନ ଐତିହାସିକ ତଥା ମୂର୍ତ୍ତତାତ୍ତ୍ୱିକା ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ଦୁଇଟି ଚଉଷଠୀ ଯୋଗିନୀ ମନ୍ଦିର ଥିବାର ଦେଖାଯାଏ । ଗୋଟିଏ ଭୁବନେଶ୍ୱରର ନିକଟବର୍ତ୍ତୀ ହୀରାପୁର ଗ୍ରାମରେ, ଅନ୍ୟଟି ବଲାଙ୍ଗୀର ଜିଲାର ରାଣୀପୁର ଝରିଆଲଠାରେ ଅବସ୍ଥିତ-। ତନ୍ମଧ୍ୟରେ ହୀରାପୁର ଶାସନର ପୂର୍ବପଟେ ଅବସ୍ଥିତ ଚଉଷଠି ଯୋଗିନୀ ମନ୍ଦିରରେ ତେଷଠିଟି ମୂର୍ତ୍ତି ଅଦ୍ୟାପି ରହିଛନ୍ତି । ଗୋଟିଏ ମୂର୍ତ୍ତିର ସ୍ଥାନ ଶୂନ୍ୟ । ଖୁବ୍‌ ସମ୍ଭବତଃ କବି ସାରଳା ଦାସ ହୀରାପୁରର ଯୋଗିନୀ ମନ୍ଦିରଟିକୁ ଦେଖି, ନିଜ କଳ୍ପନା ବଳରେ ସେମାନଙ୍କର ନାମକରଣ କରିଛନ୍ତି । ସେହି ବର୍ଣ୍ଣନାରୁ ଜଣାଯାଏ ୧- ଛାୟା, ୨- ମାୟା, ୩- ନାରାୟଣୀ, ୪- ବ୍ରହ୍ମାୟଣୀ, ୫- ରୁଦ୍ରାୟଣୀ, ୬- ଇନ୍ଦ୍ରାୟଣୀ, ୭- ଭୈରବୀ, ୮- ଚକ୍ରବାସେଳୀ, ୯- ମାହେଶ୍ୱରୀବାଶେଳୀ, ୧୦- ତ୍ରିପୁର ଉଗ୍ରତାରା, ୧୧- ଚର୍ଚ୍ଚିକା, ୧୨- ଅମ୍ବିକା, ୧୩- କୋଠାରୀ ଭଗବତୀ, ୧୪- କମଳା, ୧୫- ଶାନ୍ତି, ୧୬- କାନ୍ତି, ୧୭- ମାଧବୀ, ୧୮- ଚାମୁଣ୍ଡା, ୧୯- ବିମଳା, ୨୦- ଚାଚେଶ୍ୱରୀ, ୨୧- ଆନନ୍ଦାୟୀ, ୨୨- ବାରାହୀ, ୨୩- ସ୍ୱରୂପା, ୨୪- ବିରୂପା, ୨୫- ଖେଚରୀ, ୨୬- ଭୂଚରୀ, ୨୭- କଙ୍କାଳୀ, ୨୮- ବେତାଳୀ, ୨୯- ଭଦ୍ରକାଳୀ, ୩୦- ରୋହିଣୀକେଶ୍ୱରୀ, ୩୧-କାମାକ୍ଷୀ, ୩୨- ଉଲ୍ଲକା, ୩୩- ଉଲ୍ଲୋଳା, ୩୪- ସମୁଦ୍ରତାରେଣୀ, ୩୫- ଅନୁଛାୟା, ୩୬- ଗୋପାଳୀ, ୩୭- ବନଦେବତୀ, ୩୮- ମୋହିନୀ, ୩୯- କାମଶ୍ରେଣୀ, ୪୦- ସୁଧର୍ମିଣୀ, ୪୧- ସନ୍ଧାୟୀ, ୪୨- ବନ୍ଧାୟୀ, ୪୩- କାମଭଦ୍ରା, ୪୪- କାମେନୀ, ୪୫- ଅମ୍ବିକା, ୪୬- କାପାଳୀ, ୪୮- ଭାସ୍କରୀ, ୪୯- ଚନ୍ଦ୍ରାୟଣୀ, ୫୦- ସୋମଭଦ୍ରା, ୫୧- ତ୍ରିଲୋକମୋହିନୀ, ୫୨- ଡାକେଶ୍ୱରୀ, ୫୩- ପିଙ୍ଗଳେଶ୍ୱରୀ, ୫୪- ସର୍ବାଙ୍ଗିନୀ, ୫୫- କୋୟେଲାନୀ, ୫୬- କୋଠାରୀ, ୫୭- ସୁରେଶ୍ୱରୀ, ୫୮- ଭଗବତୀ, ୫୯- ସରସ୍ୱତୀ, ୬୦- ହିଙ୍ଗୁଳା, ୬୧- ଚଞ୍ଚଳାୟୀ, ୬୨- ବିରଜା, ୬୩- ସୁରେଖା, ୬୪- ତ୍ରିପୁରା ।

 

‘‘ଶୁଣ ହୋ ପରୀକ୍ଷ ରାଜା ବଦନ୍ତି ଶୁକମୁନି,

ଏସନକ ନାମ ଅଟେ ଚଉଷଠି ଯୋଗିନୀ ।।’’

 

ଚଣ୍ଡୀପୁରାଣରେ କବି ସାରଳା ଦାସ ଚଉଷଠି ଯୋଗିନୀଙ୍କର ନାମୋଲ୍ଲେଖ କରିବା ପରେ ପଞ୍ଚଚାଳିଶିଟି ଯୋଗିନୀଙ୍କର ଜନ୍ମ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଛନ୍ତି । ଏହି ପ୍ରସଙ୍ଗରେ କବି ଦେବୀମାନଙ୍କ ନାମର ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ମହାମାୟାଙ୍କ ଶରୀରରୁ ଚଉଷଠୀ ଜାତ ହୋଇଥିବାର କବି ଉଲ୍ଲେଖ କରି ଲେଖିଛନ୍ତି-

 

‘‘ଶୁଣ ହୋ ପରୀକ୍ଷ ରାଜା କହନ୍ତି ଶୁକମୁନି ।

ଏକ ଶରୀରୁ ଜାତ କଲେ ଚଉଷଠି ଯୋଗ୍ନୀ ।।’’

 

ଅସୁରମାନଙ୍କ ନିସୂଦନ ଲାଗି ଦେବୀ ଦୁର୍ଗା ଶ୍ରୀଅଙ୍ଗରୁ ଚଉଷଠି ଯୋଗ୍ନୀ ଜାତକରି, ସେମାନଙ୍କୁ ବିଭିନ୍ନ ବାହନ ସମର୍ପଣ କରିଥିଲେ । ସେହି ପ୍ରସଙ୍ଗରେ କବି ମାତ୍ର ତିରିଶଟି ଯୋଗ୍ନୀଙ୍କ ନାମ ଉଲ୍ଲେଖ କରି ସେମାନଙ୍କ ବାହନଗୁଡ଼ିକର ନାମ ଚଣ୍ଡୀପୁରାଣରେ ପ୍ରଦାନ କରିଛନ୍ତି-

 

‘‘ଚଉଷଠି ଯୋଗ୍ନୀଙ୍କି ବାହନ ସମର୍ପିଲେ ।

ପୂର୍ବେ ଦେବତାମାନେ ବାହନ ଦେଇଥିଲେ ।।

 

ପୁସ୍ତକ ଆକାରରେ ଛପା ଯାଇଥିବା ସାରଳା ଦାସଙ୍କ ‘ଚଣ୍ଡୀପୁରାଣ’ରେ ଚଉଷଠି ଯୋଗ୍ନୀଙ୍କର ଯେଉଁ ନାମ ମିଳୁଛି, ତାହା ତାଳପତ୍ର ପୋଥିରେ ଥିବା ଚଣ୍ଡୀପୁରାଣ ସହିତ ସମାନ ନୁହେଁ । ଆହୁରି ମଧ୍ୟ ଅନ୍ୟ ଗୋଟିଏ ପ୍ରକରଣରେ ଯୋଗ୍ନୀମାନଙ୍କ ବର୍ଣ୍ଣନା ଶହେ ଅଠାଶୀ ସମାନ ନୁହେଁ । ଆହୁରି ମଧ୍ୟ ଅନ୍ୟ ଗୋଟିଏ ପ୍ରକରଣରେ ଯୋଗ୍ନୀମାନଙ୍କ ବର୍ଣ୍ଣନା ଶହେ ଅଠାଶୀ ପର୍ଯ୍ୟନ୍ତ ଥିବାର ଦେଖାଯାଏ । ସେଥିରୁ ଅନୁମାନ କରାଯାଏ ଯେ, ସାରଳା ଦାସ ଓଡ଼ିଶାରେ ଥିବା ପ୍ରତ୍ୟେକ ଗ୍ରାମର ଦେବୀମାନଙ୍କ ନାମ ଚଣ୍ଡୀପୁରାଣରେ ଉଲ୍ଲେଖ କରିବାର ପ୍ରୟାସ କରିଛନ୍ତି ।

 

ଚଣ୍ଡୀ ପୁରାଣ ଶେଷରେ କବି ସାରଳା ଦାସ ଓଡ଼ିଶାର ବିଭିନ୍ନ ସ୍ଥାନରେ ପୂଜିତା ଦେବୀମାନଙ୍କ ନାମ ମଧ୍ୟରୁ କେତୋଟିକୁ ବିଶେଷ ସମ୍ମାନର ସହିତ ସ୍ୱପୁରାଣ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି-

 

‘‘ଝଙ୍କଡ଼େ ରହିଲୁ ମାଗୋ ସାରଳା ନାମ ବହି,

କାକଟପୁରେ ରହିଲୁ ମାଗୋ ମଙ୍ଗଳା ବୋଲାଇ ।

X            x            x

କୋଣାରକେ ରହିଲୁ ମାଗୋ ଅଭୟେ ରାମଚଣ୍ଡୀ ।

X            x            x

ପୁରୀରେ ରହିଲୁ ମାଗୋ ବିମଳା ବୋଲାଇ,

ବାଙ୍କିରେ ରହିଲୁ ମାଗୋ ଚର୍ଚ୍ଚିକା ନାମ ବହି ।

ଯାଜପୁରେ ରହିଲୁ ବିରାଜା କାକଟପୁରେ ମଙ୍ଗଳା,

ପଶ୍ଚିମ ଦିଗେ ରହିଲୁ ବୋଲାଇ ହେଙ୍ଗୁଳା ।।

X            x            x

ଭୁବନେଶ୍ୱରେ ରହିଲୁ ନାମ ତୋ’ ଗଉରୀ ।।’’

 

ସଂକ୍ଷେପରେ ଏତିକି କୁହାଯାଇପାରେ ଯେ, କବି ସାରଳା ଦାସ ‘ଚଣ୍ଡୀ ପୁରାଣ’ର ରଚନା କରି, ଓଡ଼ିଆ ‘ଶାକ୍ତ ସାହିତ୍ୟ’ର ପ୍ରଥମ ସୂତ୍ରପାତ କରିଛନ୍ତି ।

 

ଓଡ଼ିଆ ସାହିତ୍ୟରେ କେତୋଟି ‘ମାଳଶ୍ରୀ’ ଶୀର୍ଷକ କବିତା ଦେଖିବାକୁ ମିଳେ । ସେହି କବିତାଗୁଡ଼ିକ ଦେବୀ ଭଜନ । ସେଥିମଧ୍ୟରେ ‘ସାରଳା ମାଳଶ୍ରୀ’ ଶୀର୍ଷକ ଗୋଟିଏ କବିତା ସାରଳା ଦାସଙ୍କ ନାମରେ ଭଣିତ ହୋଇଛି । ଏହି ‘ମାଳଶ୍ରୀ’ ଶବ୍ଦ ଖୁବ୍‌ ସମ୍ଭବତଃ ‘ମୌଳିଶ୍ରୀ’ ଶବ୍ଦର ଅପଭ୍ରଂଶ । ‘ମୌଳି’ ଶବ୍ଦର ଅର୍ଥ ଶିର ବା ପୃଥିବୀ । ତେଣୁ ‘ମୌଳଶ୍ରୀ’ ଅର୍ଥ ଅତ୍ୟନ୍ତ ସୁନ୍ଦର କିମ୍ବା ପୃଥିବୀର ଶୋଭା ହେବା ସ୍ୱାଭାବିକ । ଜଗଜ୍ଜନନୀ ଦେବୀଙ୍କର ସ୍ତୁତି ଏହି ଭଜନ ମାଧ୍ୟମରେ ବର୍ଣ୍ଣିତ ହୋଇଥିବାରୁ ଏ ପ୍ରକାର ସ୍ତୁତିଗୁଡ଼ିକୁ ‘ମୌଳୀଶ୍ରୀ’ ବା ‘ମାଳଶ୍ରୀ’ କହିବା ଅସମୀଚୀନ ବୋଲି ମନେହୁଏ ନାହିଁ । ଆଲୋଚକମାନଙ୍କ ଅବଗତି ନିମିତ୍ତ ‘ସାରଳା ମାଳଶ୍ରୀ’ର କେତୋଟି ପଦର ଉଲ୍ଲେଖ ଏଠାରେ କରାଗଲା-

 

ଆପଦଖଣ୍ଡନୀ ମାଗେ ବିପଦ ନାଶେନୀ

ଦୁଃସହ ଦୂର୍ଗତିରୁ ଫେଡ଼ କାନ୍ତାୟେନୀ ।

ପରମ ଯୋଗେଶ୍ୱରୀ ଗୋ ଆଦି ଯେ ଅପର୍ଣ୍ଣା

ମାହାମାୟେ ମାହେଶ୍ୱରୀ ଅନାଦି ଅନ୍ନପୂର୍ଣ୍ଣା ।

X            x            x

ତବ ପାଦପଦ୍ମେ ଯେ ବିନୟ ଭଗତି,

ଜୟ ଜୟ ଦୁର୍ଗା ମାଗୋ ଅନ୍ନପୂର୍ଣ୍ଣା ପାର୍ବତୀ ।

କରନ୍ତି ଚରଣେ ଯେ ବିନୟେ ଦୟିନୀ

ବଦନ୍ତି ସାରଳା ଦାସ କବି ଶୂଦ୍ରମୁନି ।।

 

କେବଳ ‘ସାରଳା ମାଳଶ୍ରୀ’ ନୁହେଁ; ସାରଳା ଦାସଙ୍କ ନାମରେ ମଙ୍ଗଳାମାଳଶ୍ରୀ, କାଳିକାସ୍ତୁତି ପ୍ରଭୃତି କେତୋଟି ଦେବୀ ଭଜନ ଭଣିତା ହୋଇଥିବାର ଦେଖାଯାଏ । ସେଗୁଡ଼ିକର ଭାଷା, ରଚନାଶୈଳୀ ସାରଳା ଦାସଙ୍କ ସମସାମୟିକ ବୋଲି ମନେହୁଏ ନାହିଁ ।

 

ସାରଳା ଦାସଙ୍କ ପରବର୍ତ୍ତୀଯୁଗର ପଞ୍ଚସଖାଙ୍କ ରଚନାରେ ମଧ୍ୟ ଶାକ୍ତଭାବନାର ପରିଚୟ ମିଳୁଥିଲେହେଁ ସ୍ୱତନ୍ତ୍ର କାବ୍ୟ ପ୍ରଣୟନ ସୂଚନା ମିଳୁନାହିଁ; କିନ୍ତୁ ବଳରାମ ଦାସଙ୍କ ନାମରେ ଦୁର୍ଗାସ୍ତୁତି, ଜୟଦୁର୍ଗା ଜଣାଣ, ଚଣ୍ଡିକା ସ୍ତୁତି, ବିମଳାମାଳଶ୍ରୀ ପ୍ରଭୃତି କେତୋଟି ଭଜନ ଓ ଜଗନ୍ନାଥଙ୍କ ନାମରେ ‘ଦୁର୍ଗାସ୍ତୁତି’ ଶୀର୍ଷକ ଗୋଟିଏ ଭଜନ ମିଳୁଛି ।

 

ଏହି କବିଦ୍ୱୟଙ୍କ ବ୍ୟତୀତ ଅନ୍ୟ ଯେଉଁ କବିମାନେ ଓଡ଼ିଆ ଶାକ୍ତ-ସାହିତ୍ୟର ପୃଷ୍ଠପୋଷକତା କରି ଭଜନ, ଜଣାଣ, ଚଉତିଶା ଆଦି ରଚନା କରିଛନ୍ତି, ସେମାନଙ୍କ ମଧ୍ୟରେ ପୀତାମ୍ବର ଦାସଙ୍କ ଦୁର୍ଗାସ୍ତୁତି, ବାପୀ ଦାସଙ୍କ ଦୁର୍ଗା-କବଚ, ବାଳକବିଙ୍କ ଭଗବତୀ ଜଣାଣ ଓ ଭଗବତୀ ଚଉତିଶା, ଦ୍ୱଜ ନାରାୟଣଙ୍କ ଦଶବିଦ୍ୟା ମାଳଶ୍ରୀ, କବି ଗୋବିନ୍ଦଙ୍କ ଭଗବତୀ ମାଳଶ୍ରୀ, ବୀରବର ଜଗଦ୍ଦେବଙ୍କ ଦେବୀସ୍ତୁତି, ନାରାୟଣ ମର୍ଦ୍ଦରାଜ ଓ ହରିହର ମର୍ଦ୍ଦରାଜଙ୍କ ଦୁର୍ଗା ମାଳଶ୍ରୀ, ସର୍ବମଙ୍ଗଳା ମାଳଶ୍ରୀ, ଚାଲି ମାଳଶ୍ରୀ, ବୃନ୍ଦାବନ ଦାସଙ୍କ ମଙ୍ଗଳାସ୍ତୁତି, ବିମଳା ମାଳଶ୍ରୀ, ବଜ୍ରଧର ନରେନ୍ଦ୍ରଙ୍କ ଛିନ୍ନମସ୍ତା ମାଳଶ୍ରୀ, ବାଣୀ ଦାସଙ୍କ ମହିଷାମର୍ଦ୍ଦିନୀ ମାଳଶ୍ରୀ, ଦୀନବନ୍ଧୁ ଦାସଙ୍କ କଳା ମାଳଶ୍ରୀ, ବିପ୍ର ବନମାଳୀ ଓ ଦାଶରଥି ଦାସଙ୍କ ଦେବୀ ସ୍ତୁତି, ବିପ୍ର ହାଡ଼ିବନ୍ଧୁଙ୍କ କାଳିକା ମାଳଶ୍ରୀ, ଗୋବିନ୍ଦ ଦାସଙ୍କ ଚୁଡ଼ଙ୍ଗ ମାଳଶ୍ରୀ ଓ ଦୁର୍ଗା ମାଳଶ୍ରୀ, କବିସୂର୍ଯ୍ୟଙ୍କ ବିମଳା ମାଳଶ୍ରୀ, ନାଥିଆଙ୍କ ଆଦିଶକ୍ତି ଜଣାଣ ତଥା ଅନାମଧେୟ କବିଙ୍କ ଭଗବତୀ ଠାକୁରାଣୀ ଜଣାଣ, ଦେବୀ ଚଉତିଶା, ବିମଳା ସ୍ତୁତି ପ୍ରଭୃତି ଆମର ଆଲୋଚନା-ପରିସରକୁ ଆସିପାରେ ।

 

କବି ନୀଳକଣ୍ଠଙ୍କ ନାମରେ ଭଣିତ ‘ତାରା ପ୍ରମୋଦ’ ଶୀର୍ଷକ ଖଣ୍ଡିଏ ଅପ୍ରକାଶିତ ପୋଥି ରାଜ୍ୟ ସଂଗ୍ରହାଳୟର ପୋଥିଭଣ୍ଡାରରେ ସଂରକ୍ଷିତ ହୋଇଛି । ଦୁର୍ଭାଗ୍ୟବଶତଃ ପୋଥିର କେତେକାଂଶ ଛିନ୍ନ । ପୋଥିର ପାଠରୁ ଜଣାଯାଏ–ଏହାର ବିଷୟବସ୍ତୁ, ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅନ୍ତର୍ଗତ ‘ତାରାତାରିଣୀ ପୀଠ’ର ଉତ୍ପତ୍ତି ଉପରେ ଆଧାରିତ । ପ୍ରସଙ୍ଗକ୍ରମେ କବି ଗଞ୍ଜାମ ଜିଲ୍ଲାର ବଡ଼ଗଡ଼, ଧରାକୋଟ ଓ ସୋରଡ଼ା ରାଜ୍ୟର ଉତ୍ପତ୍ତି ସମ୍ବନ୍ଧରେ ବର୍ଣ୍ଣନା କରିବା ସଙ୍ଗେସଙ୍ଗେ ରାଜା ଦିବ୍ୟସିଂହ ଦେବଙ୍କ ନାମ ସେଥିରେ ଉଲ୍ଲେଖ କରିଛନ୍ତି । ତେଣୁ ଖୁବ୍‌ ସମ୍ଭବତଃ ପୋଥିଟି ନୀଳକଣ୍ଠଙ୍କଦ୍ୱାରା ଭୋଇବଂଶର ରାଜା ଗଜପତି ଦିବ୍ୟସିଂହଙ୍କ ରାଜତ୍ୱରେ ଲିଖିତ ହୋଇଥିବାର ଅନୁମାନ କରାଯାଏ । ଗଜପତି ଦିବ୍ୟସିଂହ ଖ୍ରୀ: ଅ: ୧୬୮୮ରୁ ୧୭୧୬ ମଧ୍ୟରେ ଖୁରୁଧାରେ ରାଜତ୍ୱ କରୁଥିଲେ-

 

‘‘ପ୍ରାସାଦ ମଧ୍ୟେ ଦିବ୍ୟସିଂହ ରାଣ । ରୌପ୍ୟ ପୀଠେ ଅଷ୍ଟରତ୍ନ ନିର୍ମାଣ’’ ।।

                                    ତାରା ପ୍ରମୋଦ- (ORP/98)

 

ଅନ୍ୟ ଗୋଟିଏ ପ୍ରସଙ୍ଗରେ ‘ତାରାପ୍ରମୋଦ’ର ଦ୍ୱାଦଶ ପତ୍ରରେ କବି ଲେଖିଛନ୍ତି-

 

‘‘ହିନ୍ଦୁ ରାଜ୍ୟେ ଅଛି ପଠାଣ ରାଜା ।

ବିମୁଖ ତା ଠାରେ ସମସ୍ତ ପ୍ରଜା ।।

ଯୁଦ୍ଧ କରିଣ ତାହାକୁ ଜିଣିବା ।

ଏ ପୁତ୍ରକୁ ତହିଁ ରାଜା କରିବା’’ ।।

 

ଏହି ଉକ୍ତିରୁ ଜଣାଯାଏ ଯେ, ଦେଶରେ ପଠାଣଗୋଳ ସେ ସମୟର ପ୍ରଜାମାନଙ୍କୁ ଅତିଷ୍ଠ କରିଥିଲା । କବି ନୀଳକଣ୍ଠ ଦିବ୍ୟସିଂହ ଦେବଙ୍କ ନାମ ଓ ପଠାଣଗୋଳ ସମ୍ପର୍କରେ ଉଲ୍ଲେଖ କରିଥିବାରୁ, ତାହା ଦିବ୍ୟସିଂହଦେବ (୧୬୮୮-୧୭୧୬)ଙ୍କ ସମୟର ଘଟଣା ବୋଲି ନିଧାର୍ଯ୍ୟଭାବରେ କହିହୁଏ । କାରଣ ଦିବ୍ୟସିଂହଦେବ (୧ମ)ଙ୍କ ସମୟରେ ମୋଗଲଗୋଳ ବା ପଠାଣଗୋଳ ହୋଇଥିଲା । କିନ୍ତୁ ଦିବ୍ୟସିଂହଦେବ-୨ୟ ଓ ତୃତୀୟଙ୍କ ସମୟରେ ନୁହେଁ ! ତେଣୁ ‘ତାରାପ୍ରମୋଦ’ ପୁସ୍ତକଟି ଖ୍ରୀ: ଅ: ୧୬୮୮ରୁ ୧୭୧୬ ମଧ୍ୟରେ ରଚିତ ହୋଇଥିବାର ଅନୁମାନ କରିନା ଅସମୀଚୀନ ନୁହେ ।

 

କବି ନୀଳକଣ୍ଠ ତାରାତାରିଣୀ ଦେବୀଙ୍କ ମହିମା ଏବଂ ସୋମନାଥ ବିପ୍ରଙ୍କଦ୍ୱାରା ତାରିଣୀ ଓ ଉଗ୍ରତାରା ଦେବୀଙ୍କ ଆନୟନ ସମ୍ବନ୍ଧରେ ଏକ କୌତୂହଳୋଦ୍ଦୀପକ ଆଖ୍ୟାୟିକା ସୃଷ୍ଟି କରିଛନ୍ତି-। କବି ‘ତାରାପ୍ରମୋଦର’ର ମଙ୍ଗଳାଚରଣରେ କୁଲାଡ଼ଗଡ଼ର ଇଷ୍ଟଦେବୀ ବାଗ୍‌ଦେବୀ ବା ବ୍ୟାଘ୍ରଦେବୀଙ୍କୁ ସ୍ତୁତି କରିବା ସଙ୍ଗେ ସଙ୍ଗେ ପୁସ୍ତକର ବିଷୟବସ୍ତୁ ସମ୍ବନ୍ଧରେ ସୂଚନା ଦେଇଛନ୍ତି-

 

‘‘ମହାବ୍ୟାଘ୍ର ଶବ ଉପରେ ତିଷ୍ଠ ।

ହେ ମାତା ଏ ବ୍ୟାଘ୍ର ପୃଷ୍ଠେ ଆବିଷ୍ଟ ।।

ହୋଇଅଛ ଅଗ୍ନିବର୍ଣ୍ଣ ଯେସନ ।

ତ୍ରିଲୋଚନା ଚତୁର୍ବାହୁ ଶୋଭନ ।।

ଦୁଇବାହୁରେ ଅଛି ଧନୁଶର ।

ଦୁଇବାହୁ ମାତା ଅଭୟବର ।।

ଜିହ୍ୱା ଲହ ଲହ ହୋଇ ଲମ୍ବିତ ।

ବଳିପ୍ରୀତିସାଦନ ରକ୍ତବସ୍ତ୍ର ।।

ଏହିପରି ରୂପ ଘୁମୁସରରେ ।

ଇଷ୍ଟହୋଇ ବିଜୟେ କୁଲାଡ଼ରେ ।

ନମୋ ବ୍ୟାଘ୍ରଦେବୀ ନମୋ ନମସ୍ତେ ।

ପ୍ରଶ୍ନ ହୋଇ ପଦ କହିବା ମୋତେ ।।

ଜୟ ଜୟ ମାତା ଜୟ ତାରିଣୀ ।

ଜୟ ଉଗ୍ରତାରା ଦୁଇ ଭୟେଣୀ ।।

ହିଙ୍ଗୁଳାଦେଶେ ଯାହାଙ୍କ ନିବାସ ।

ପୂର୍ବଖଣ୍ଡେ ଯେ ମହିମା ପ୍ରକାଶ ।।

ସେ କଥାମାନ କୁହାଇଛ ମୋତେ ।

ଖ୍ୟାତ କରିବି ସୁଜନଙ୍କ ହିତେ ।।

ସକଳ ଦୋଷ କ୍ଷମାକର ମୋର ।

ଗୀତେ ରଞ୍ଚିବି ତୁମ୍ଭ ଆସିବାର ।।

ତାରାତାରେଣୀ ବୋଲାନ୍ତି ସେ କେହି ।

କେଉଁପରି ତାଙ୍କ ପ୍ରୀତି ଅଟଇ ।।

ନମୋନମ ଜୟ ତାରେଣୀ ମାତ ।

ନିର୍ବିଘ୍ନେ ସୁଜନେ ହେଉ ଏ ଖ୍ୟାତ ।।

ତାରାତାରେଣୀ କହୁଛନ୍ତି ଯାହା ।

ବିପ୍ର ନୀଳକଣ୍ଠ ଲେଖଇ ତାହା ।।

X            x            x

ଦକ୍ଷିଣଭାଗ ସେ ତାରା ବୋଲାନ୍ତି ।

ଉତ୍ତରଭାଗ ଯେ ତାରେଣୀ ମୂର୍ତ୍ତି ।।

ବାମ ଦକ୍ଷିଣ ଯେ ଦୁଇ ଭାଗରେ ।

ସ୍ତନପୀଠ ହୋଇଛି ଏହିଠାରେ’’ ।।

(ତାରାପ୍ରମୋଦ-ପ୍ରଥମ ଓ ସପ୍ତମ ପ୍ରକାଶ)

 

କେନ୍ଦୁଝର, ଢେଙ୍କାନାଳ ଓ ଖୁରୁଧା ରାଜଦରବାରର ଖ୍ୟାତନାମା କବି ବ୍ରଜନାଥ ବଡ଼ଜେନାଙ୍କ ଲେଖନୀରୁ ‘ଅ’ ବର୍ଣ୍ଣ ଆଦ୍ୟାନୁପ୍ରାସରେ ଏକଚାଳିଶଛାନ୍ଦ ବିଶିଷ୍ଟ ‘ଅମ୍ବିକାବିଳାସ’ ଓ ଏଗାରପଦ ବିଶିଷ୍ଟ ‘ଚଣ୍ଡୀମାଳଶ୍ରୀ’ ଶୀର୍ଷକ ଦୁଇଖଣ୍ଡି ପୁସ୍ତକ ନିଃସୃତ ହୋଇଥିଲା । ‘ଅମ୍ବିକାବିଳାସ’ କାବ୍ୟଟି କେନ୍ଦୁଝରର ରାଜା ବଳଭଦ୍ର ଭଞ୍ଜଙ୍କ ନାମରେ ଭଣିତ । କିନ୍ତୁ ତାହା କବି ବଡ଼ଜେନାଙ୍କଦ୍ୱାରା ଲିଖିତ ହୋଇଥିବାର ସମସ୍ତ ପ୍ରକାର ପ୍ରମାଣ ଉପଲବ୍ଧି ହୁଏ । ଆଲୋଚକ ଶ୍ରୀଯୁକ୍ତ ସୁଧାକର ପଟ୍ଟନାୟକ ‘ବ୍ରଜନାଥ ଗ୍ରନ୍ଥାବଳୀ’ ସମ୍ପାଦନା କରି ତନ୍ମଧ୍ୟରେ ‘ଅମ୍ବିକାବିଳାସ’ ତଥା ବ୍ରଜନାଥଙ୍କ କବିପ୍ରତିଭା ସମ୍ବନ୍ଧରେ ସମ୍ୟକ୍‌ ଆଲୋଚନା କରିଛନ୍ତି । କବି ବଡ଼ଜେନା ‘ଅମ୍ବିକାବିଳାସ’ରେ ତାଙ୍କ ବଂଶର ଉତ୍ପତ୍ତି, ପିତା ଓ ଭ୍ରାତାଙ୍କ ନାମ ଏବଂ ସଂସ୍କୃତ, ପ୍ରାକୃତ, ହିନ୍ଦୀ, ତୈଲଙ୍ଗ ଓ ବଙ୍ଗଳାଭାଷାରେ ନିଜର ଦକ୍ଷତା ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି । ସେହି ଆଲୋଚନାରୁ ଜଣାଯାଏ ଯେ, କବି ବ୍ରଜନାଥ ପ୍ରସିଦ୍ଧ ଭକ୍ତକବି ରଘୁଅରକ୍ଷିତଙ୍କ ବଂଶରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଶେଷ ଜୀବନ ଖୁରୁଧା ରାଜା ଦିବ୍ୟସିଂହଦେବ (୨ୟ)ଙ୍କ ଦରବାର ଓ ପୁରୀରେ ବିତିଥିଲା ଏବଂ ହିନ୍ଦୀ ବ୍ରଜଭାଷାରେ ସେ ‘ଗୁଣ୍ଡିଚାବିଜୟ’ ଶୀର୍ଷକ ଖଣ୍ଡିଏ ମନୋଜ୍ଞ ଖଣ୍ଡକାବ୍ୟ ରଚନା କରିଛନ୍ତି ।

 

ଗଣକବି ବଡ଼ଜେନା ସୁଗେୟଛାନ୍ଦ ଯୋଜନାରେ ଜଣେ ସୁଦକ୍ଷ କଳାକାର ଥିଲେ । ସେ ‘ଅମ୍ବିକାବିଳାସ’ର ଏକଚାଳିଶଟି ଛାନ୍ଦରେ ବିଭିନ୍ନ ଆଳଙ୍କାରିକ ଚମତ୍କୃତିର ବିନ୍ୟାସ କରିବା ସଙ୍ଗେ ସଙ୍ଗେ ‘ମଙ୍ଗଳଗୁଜ୍ଜରୀ, କେଦାରକାମୋଦୀ, କାଳୀ, ରସକୁଲ୍ୟା, ଚିନ୍ତାକେଦାର, କୁମ୍ଭକାମୋଦୀ, ରାମକେରୀ, ମୁଖାରୀ, କାଫୀ, ପାହାଡ଼ିଆ କେଦାର, ବରାଡ଼ୀ, ମଙ୍ଗଳ, କୌଶିକ, ଚୋଖି, ମାଳଶ୍ରୀ, କନଡ଼ା, କଳହଂସ କେଦାର, ଶଙ୍କରାଭରଣ, କାମୋଦୀ, ରସକଦମ୍ବ, ଭୂପାଳ’ ପ୍ରଭୃତି ରାଗ ବ୍ୟବହାର କରି କାବ୍ୟଟିକୁ ସୁଗେୟ କରିଛନ୍ତି ।

 

ଅମ୍ବିକାବିଳାସର ବର୍ଣ୍ଣନାଶୈଳୀ ଓ ଅନ୍ୟାନ୍ୟ କାବ୍ୟିକ ବୈଭବରୁ ମନେହୁଏ, କବି ବ୍ରଜନାଥ ତିଗିରିଆ ନିବାସୀ ମହାମହୋପାଧ୍ୟାୟ ଗୋବିନ୍ଦ ମିଶ୍ରଙ୍କ ଲିଖିତ ‘ପ୍ରଦ୍ୟୁମ୍ନସମ୍ଭବ’ ମହାକାବ୍ୟ ଓ ‘କୁମାରସମ୍ଭବ’ ମହାକାବ୍ୟରୁ ଅନେକ ପ୍ରସଙ୍ଗ ଗ୍ରହଣ କରିଛନ୍ତି । ବିଶେଷତଃ ମହାମହୋପାଧ୍ୟାୟ ଗୋବିନ୍ଦ ଓ ବ୍ରଜନାଥ ସମସାମୟିକ ହୋଇଥିବାରୁ ଦୁହିଁଙ୍କ ମଧ୍ୟରେ ସୁସମ୍ପର୍କ ଥିବା ଅସମ୍ଭବ ନୁହେଁ । କବି ବଡ଼ଜେନା ବହୁ ପୁସ୍ତକର ପ୍ରଣେତା ରୂପେ ଓଡ଼ିଶାର ସାହିତ୍ୟିକଙ୍କ ମହଲରେ ସୁପରିଚିତ । ତାଙ୍କ କାବ୍ୟଗୁଡ଼ିକରେ ବିଷୟବସ୍ତୁର ବିନ୍ୟାସ, ଅଳଙ୍କାର ଯୋଜନା, ବିଶେଷତଃ ବ, ଶ, ଅ ଆଦ୍ୟାନୁପ୍ରାସରେ ପଦରଚନା ବିଦଗ୍‌ଧପାଠକ ସମାଜକୁ ଚମକୃତ କରାଏ । ‘ଅମ୍ବିକାବିଳାସ’ ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ସର୍ବୋତ୍କୃଷ୍ଟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅ ଆଦ୍ୟାନୁପ୍ରାସରେ ସମୁଦାୟ ଏକଚାଳିଶଟି ଛାନ୍ଦରେ ପ୍ରାୟ ବାରଶହ ସତସ୍ତୋରୀ ପଦ ରହିଛି । ଭଞ୍ଜୀୟରୀତିରେ କବି ବଡ଼ଜେନା ପ୍ରସ୍ତୁତ ଶାକ୍ତସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ପୁସ୍ତକ ‘ଅମ୍ବିକା ବିଳାସ’ ପରିବେଷଣ କରି ଧନ୍ୟବାଦାର୍ହ ହୋଇଛନ୍ତି ।

 

କବି ବ୍ରଜନାଥଙ୍କ ସମସାମୟିକ ଗଞ୍ଜାମ ଜିଲ୍ଲାର ଆଠଗଡ଼ର ରାଜା ମଧୁସୂଦନ ହରିଚନ୍ଦନ ‘ଦୁର୍ଗାରହସ୍ୟ’ ଶୀର୍ଷକ ଖଣ୍ଡିଏ ପୁସ୍ତକ ରଚନା କରିଛନ୍ତି । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ‘ସପ୍ତଶତୀଚଣ୍ଡୀ’ର ଅବଲମ୍ବନରେ ଲିଖିତ ଦୁର୍ଗାରହସ୍ୟ ପୁସ୍ତକଟି ଅଦ୍ୟାପି ପାଠକ ମହଲରେ ସୁପରିଚିତ ନୁହେ । ପୁସ୍ତକଟିର ପାଣ୍ଡୁଲିପି ତାଳପତ୍ର ପୋଥିରେ ରାଜ୍ୟସଂଗ୍ରହାଳୟରେ ସଂରକ୍ଷିତ ହୋଇଛି ।

 

ରାଜକବି ମଧୁସୂଦନ ଖୁରୁଧା ରାଜା ବୀରକେଶରୀ ଦେବଙ୍କ ୨୫ ଅଙ୍କ ଅର୍ଥାତ୍‌ ୧୭୫୭ ମସିହାରେ ଖଣ୍ଡିଏ ତମ୍ବାପଟା ଦାନ କରିଥିବାରୁ ତାଙ୍କ ସମୟ ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ବୋଲି ଅନୁମାନ କରାଯାଏ । ତାଙ୍କ ପ୍ରଣୀତ ‘ଦୁର୍ଗାରହସ୍ୟ’ ପୁସ୍ତକଟି ଓଡ଼ିଆ ଶାକ୍ତସାହିତ୍ୟର ଅନ୍ୟତମ ପୁସ୍ତକ । ସେ ପୁସ୍ତକର ଆରମ୍ଭରେ ଲେଖିଛନ୍ତି-

 

‘‘ମାରକଣ୍ଡ ଋଷି ଚଣ୍ଡୀଗୁଣରାଶି

ପ୍ରକାଶିଲେ ପୁଣ୍ୟବଳେ ।

ଶୁଣି ମୁନିବୃନ୍ଦ ହୋଇଣ ଆନନ୍ଦ

ଯେ ଯାହା ଆସ୍ଥାନେ ଗଲେ ।

 

ହେ ଜନେ,

ଏଥି ବିଶ୍ୱାସ କର ଯତନେ ହେ ।

ତୁମ୍ଭ ବୁଦ୍ଧି ନ ରହୁ ଅଜ୍ଞାନେ ହେ ।

ହେବି ଭୂକ୍ତି ମୁକ୍ତି ଏ ଗାୟନେ ହେ ।।

 

ଧରଣୀ ମଣ୍ଡନ ଶ୍ରୀ ମଧୁସୂଦନ- ଦେବ ନୃପ-କୁଳମଣି

ଚଣ୍ଡିକାଚରଣ ତଳରେ ଶରଣ ହୋଇ ତୋଷେ ଦେଲେ ଭଣି ।

ହେ ଜ୍ଞାନୀ-

ମାନେ ପାଇବେ ଭକ୍ତିକି ଘେନି ହେ ।

ବାଞ୍ଛା ପୂର୍ଣ୍ଣ କରିବେ ଜନନୀ ହେ ।

ସୁଖେ ନେବ ଦିବସ ରଜନୀ ହେ’’ ।।

 

ଓଡ଼ିଆ ଶାକ୍ତସାହିତ୍ୟର ପରିସର ମଧ୍ୟରେ ଓଡ଼ିଆ ବ୍ରତକଥା ମଧ୍ୟରୁ ଅଧିକାଂଶ ଅନ୍ତର୍ଭୁକ୍ତ ହେବା ସମୀଚୀନ । ଓଡ଼ିଶାରେ ପାଳିତ ହେଉଥିବା ଖୁଦୁରୁକୁଣୀ, ବୁଧେଇ, ନିଶା ମଙ୍ଗଳବାର, ଚଇତି ମଙ୍ଗଳବାର, ଧାନମାଣିକା, ସୁଦଶା, ବଜ୍ରମହାକାଳୀ, ସୁକୁତୁନୀ, ରାଧାଷ୍ଟମୀ, ଉତ୍ତରାୟଣୀ, କାଞ୍ଜିଅଁଳା, ଗୌରୀ, ଜାଡ଼ୀଖନୀ, ଦୁର୍ଗାଷ୍ଟମୀ, ଷଷ୍ଠୀ ଓଷା, ସାବିତ୍ରୀବ୍ରତ ପ୍ରଭୃତି ବ୍ରତକଥା ଗୁଡ଼ିକରେ ଶକ୍ତିସ୍ୱରୂପିଣୀ ବିଭିନ୍ନ ଦେବୀଙ୍କ ଆଖ୍ୟାୟିକା ରଚିତ ହୋଇଛି । ସେହି କଥାଗୁଡ଼ିକ ‘ଓଡ଼ିଆ ଶାକ୍ତ-ସାହିତ୍ୟ’ର ଏକ ପ୍ରଧାନ ଅଙ୍ଗ ।

 

***

 

Unknown

ବୈଦେହୀଶ ବିଳାସ ଚତୁର୍ବିଂଶ ଛାନ୍ଦ-ଏକ ଅଧ୍ୟୟନ

ଅଧ୍ୟାପକ କିଶୋରଚନ୍ଦ୍ର ମିଶ୍ର

 

ଗାମ୍ଭୀର୍ଯ୍ୟପୂର୍ଣ୍ଣ ଶୈଳୀ–ଅର୍ଥ ଗୌରବ-ସଂଯତ ରୀତି ଓ କଳାତ୍ମକ ଉପସ୍ଥାପନା ଦୃଷ୍ଟିରୁ ପ୍ରସିଦ୍ଧ ରାମଚରିତ ଅବଲମ୍ୱନରେ ଲିଖିତ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ କାବ୍ୟ ପ୍ରୌଢ଼ରଚନା ମଧ୍ୟରୁ ଅନ୍ୟତମ । ପ୍ରତି ପଦର ଆଦ୍ୟରେ ‘ବ’ ଅକ୍ଷର ଥାଇ ୫୨ ଛାନ୍ଦ ଏବଂ ୨୭୨୪ ପଦ ବିଶିଷ୍ଟ ଏହି କାବ୍ୟ ଭଞ୍ଜୀୟ ଶୈଳୀ ବା ରୀତିଯୁଗୀୟ ଶୈଳୀର ପ୍ରକୃଷ୍ଟ ଦ୍ୟୋତକ । ଶବ୍ଦାର୍ଥାଳଂକାରର ସୁଷମ ପ୍ରୟୋଗ ଫଳରେ କୃତିର ଅନନ୍ୟ ସାଧାରଣତା ପାଠକର ଦୃଷ୍ଟି ଆକର୍ଷଣ କରେ । ମାଧୁର୍ଯ୍ୟ-ଓଜ-ପ୍ରସାଦ ପ୍ରଭୃତି ସମସ୍ତ ଗୁଣରେ ଭୂଷିତ ଭାବାନୁରୂପ ଶବ୍ଦାବଳୀଯୁକ୍ତ ଓ ସମସ୍ତ ରସର ଆଧାର ବୈଦେହୀଶ-ବିଳାସ କାବ୍ୟ ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ରତ୍ନ । ସାଙ୍ଗୀତିକ ଭାଷା ଓ ବର୍ଣ୍ଣନାଚାତୁରୀ ଦୃଷ୍ଟିରୁ ଉକ୍ତ କାବ୍ୟର ଯେଉଁ ପାଞ୍ଚଟି ଛାନ୍ଦ (୧) ଅତିଶୟ ଲୋକପ୍ରିୟ ସେ ମଧ୍ୟରେ ଚତୁର୍ବିଂଶ ଛାନ୍ଦ ଅନ୍ୟତମ । ଏହି ପ୍ରବନ୍ଧରେ ଉକ୍ତ ଛାନ୍ଦର ସଂକ୍ଷିପ୍ତ ବିଷୟବସ୍ତୁ ସହିତ ଛାନ୍ଦ ଅନ୍ତର୍ଗତ ପାତ୍ର-ପାତ୍ରୀଙ୍କ ଚାରିତ୍ରିକ ମହତ୍ତ୍ୱ-ଘଟଣାର ଉପସ୍ଥାପନାରେ ନୀତିକୁଶଳତା-ଉପମାନର ପ୍ରୟୋଗରେ କବିଙ୍କ ପାଣ୍ଡିତ୍ୟ-କବିତ୍ୱ ଓ ବହୁ ଶାସ୍ତ୍ରଦର୍ଶିତା ଆହରଣରେ ସ୍ୱକୀୟତା ତଥା ଶବ୍ଦ-ପ୍ରୟୋଗର ଯଥାର୍ଥ୍ୟ ଆଲୋଚିତ ହୋଇ ଏ ଛାନ୍ଦର କଳାତ୍ମକ ସୌନ୍ଦର୍ଯ୍ୟ ଉପରେ ଆଲୋକପାତ କରାଯାଇଛି ।

 

(୧)

ନବମଛାନ୍ଦ–ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ ଇତ୍ୟାଦି ।

 

ଦଶମ ଛାନ୍ଦ–ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ.... ଇତ୍ୟାଦି ।

 

ଚତୁର୍ବିଂଶ ଛାନ୍ଦ–ବିନାଶୁ ନାସା-ଶ୍ରବଣ ସୂର୍ପଣଖା ପ୍ରବେଶ ଲଙ୍କାର ଇତ୍ୟାଦି ।

 

ଅଷ୍ଟବିଂଶ ଛାନ୍ଦ–ବୋଲେ ସୁଗ୍ରୀବ ରାମ କ୍ଳେଶ ଭାଷା ଇତ୍ୟାଦି ।

 

ଏକତ୍ରିଂଶ ଛାନ୍ଦ–ବକେ ବସିଥିଲା ଧ୍ରୁବ ଉପରେ ଇତ୍ୟାଦି ।

 

ବିଷୟବସ୍ତୁ-

ଲକ୍ଷ୍ମଣଙ୍କଦ୍ୱାରା ନାସା-କର୍ଣ୍ଣ ଛେଦିତ ହେବା ପରେ ସୂର୍ପଣଖା ଭ୍ରାତା ଲଙ୍କାପତି ରାବଣ ନିକଟରେ ଉପସ୍ଥିତ ହୋଇ ଭ୍ରାତା ଏବଂ ପତ୍ନୀ ସହିତ ଜନସ୍ଥାନରେ ପରିଭ୍ରମଣ କରୁଥିବା ପିତୃସତ୍ୟ ପାଳକ ବନବାସୀ ରାମହିଁ ତା’ର ଏ ଦୁର୍ଦ୍ଦଶାର କାରଣ, ଏ କଥା ପ୍ରକାଶ କରିଛି । ରାମ-ଲକ୍ଷ୍ମଣଙ୍କ ସହିତ ଯୁଦ୍ଧ କରି ଜନସ୍ଥାନ ସୀମାରକ୍ଷକ ଖର ଦୂଷଣ ହତ ହେବା କଥା ମଧ୍ୟ ବ୍ୟକ୍ତ କରିଛି । ଅନିନ୍ଦ୍ୟ ସୁନ୍ଦରୀ ରାମପତ୍ନୀ ସୀତାଙ୍କୁ ରାବଣର ରକ୍ଷିତା ରୂପେ ଆଣିବାକୁ ଯିବାବେଳେ ତା’ର ଏ ଦୁର୍ଦ୍ଦଶା । ତେଣୁ ସେ ଚାହେ ପ୍ରତିଶୋଧ । ରାବଣ ଭଗିନୀକୁ ସାନ୍ତ୍ୱନା ଦେଇ ପୁଷ୍ପକ ବିମାନରେ ବସି ମାରୀଚ ନିକଟରେ ନିଜର ପରିକଳ୍ପନା ଜଣାଇଛି । ‘‘ମାୟାମୃଗ ରୂପରେ ମାରୀଚ ସୀତାଙ୍କୁ କରିବ ପ୍ରଲୁବ୍‌ଧ-ରାମ ତାକୁ ହତ୍ୟା କରିବା ପାଇଁ ତା’ପଛରେ ହେବେ ଧାବିତ–ଶରବିଦ୍ଧ ଅବସ୍ଥାରେ ରାମଙ୍କ ସ୍ୱର ଅନୁକରଣ କରି ‘ତ୍ରାହି ଲକ୍ଷ୍ମଣ’ ଶବ୍ଦରେ ସୀତାଙ୍କୁ କରିବ ବିଚଳିତ–ଏବଂ ରାମଙ୍କ ରକ୍ଷାପାଇଁ ସୀତାଙ୍କଦ୍ୱାରା ପ୍ରେରିତ ହେବେ ଲକ୍ଷ୍ମଣ–କୁଟୀରରେ ଏକାକିନୀ ସୀତାଙ୍କୁ ପାଇ ରାବଣ କରିବ ଅପହରଣ । ପରିଣତି ହେବ ପ୍ରାଣପ୍ରିୟା ବିଚ୍ଛେଦରେ ରାମର ମୃତ୍ୟୁ । ସାଧିତ ହେବ ଉଭୟ କାର୍ଯ୍ୟ–ପ୍ରତିଶୋଧ ଓ ନାରୀରତ୍ନ ଲାଭ ।’’ ରାବଣ ତା’ର ନୀତିରେ ହୋଇଛି ସଫଳ । ସୀତାଙ୍କୁ ନେଇ ଫେରିବା ପଥରେ ଜଟାୟୂ ପ୍ରତିରୋଧ କରି ମୁମୂର୍ଷୁ ଅବସ୍ଥାରେ ହୋଇଛି ପତିତ । କ୍ରନ୍ଦିତା ସୀତା ଲଙ୍କାର ଅଶୋକବନରେ ରାକ୍ଷସୀ ପରିବୃତା ହୋଇ ହୋଇଛନ୍ତି ବନ୍ଦିନୀ ।

 

ଏହି ସଂକ୍ଷିପ୍ତ କଥାବସ୍ତୁକୁ କବି ଚତୁର୍ବିଂଶ ଛାନ୍ଦରେ କୁମ୍ଭକାମୋଦୀ ରାଗରେ ୫୨ଟି ପଦରେ ବର୍ଣ୍ଣନା କରିଛନ୍ତି ।

 

ଏ ଛାନ୍ଦରେ ସୂର୍ପଣଖା-ରାବଣ-ମାରୀଚ-ରାମ-ଲକ୍ଷ୍ମଣ-ସୀତା ଏବଂ ଜଟାୟୂର ଚାରିତ୍ରିକ ମହତ୍ତ୍ୱ କବି ସୁନ୍ଦର ଶବ୍ଦରେ ବ୍ୟକ୍ତ କରିଛନ୍ତି, କିନ୍ତୁ ଏଥିରେ ସୀତାଙ୍କ ଚରିତ୍ର ଅତି ହୀନଭାବରେ ଏବଂ ଜଟାୟୂର ଚରିତ୍ର ଅତି ଉନ୍ନତଭାବେ ଚିତ୍ରିତ ।

 

ସୂର୍ପଣଖା-

ବିଶ୍ରବା ଋଷିଙ୍କ କନ୍ୟା ଲଙ୍କାପତି ରାବଣର ଭଗିନୀ ରାକ୍ଷସୀ ସୂର୍ପଣଖା ରାମାୟଣର ଏକ ସୂତ୍ରଧର ଚରିତ୍ର । ବୈଦେହୀଶ ବିଳାସର ତ୍ରୟୋବିଂଶ ଛାନ୍ଦରେ ହଠାତ୍‌ ଆବିର୍ଭୂତ ହୋଇ ଚତୁର୍ବିଂଶ ଛାନ୍ଦରେ ଅପସରି ଯାଇଛି, କିନ୍ତୁ ତା’ର ଉପସ୍ଥିତି ରାମ-ସୀତାଙ୍କ ଜୀବନାକାଶରେ ଯେପରି ସୃଷ୍ଟି କରିଛି ଦୁଃଖର ଘନଘଟା ଓ ରାବଣର ଜୀବନରେ ଆଣିଛି ଦ୍ୱନ୍ଦ୍ୱ-ଯୁଦ୍ଧ-ବଂଶକ୍ଷୟ, ସେପରି ରାମାୟଣର କଥାବସ୍ତୁରେ ଆଣିଛି ବିରାଟ ପରିବର୍ତ୍ତନ ଓ ବିଷୟକୁ କରିଛି ଘଟଣାବହୁଳ । ସେ ନାରୀ ହୋଇ ମଧ୍ୟ ସ୍ୱାଧୀନପ୍ରିୟା-ଆତ୍ମବଳ-ଗର୍ବିଣୀ-କାମୁକୀ-ଈର୍ଷାଳୁ ଓ ପ୍ରତିଶୋଧପରାୟଣା । ଉଦ୍ଦେଶ୍ୟ ସାଧନପାଇଁ ଛଳନା ବା ମିଥ୍ୟାର ଆଶ୍ରୟ ନେବାରେ ଅକୁଣ୍ଠିତା-ବହୁରୂପିଣୀ-ମାୟାବିନୀ ଓ ନୀତିକୁଶଳା ।

 

ରାବଣ-

ଏ ଛାନ୍ଦରେ ରାବଣର ସମସ୍ତ ଚାରିତ୍ରିକ ମହତ୍ତ୍ୱ ଅଭିବ୍ୟକ୍ତ ହୋଇଛି । ଭଗିନୀର ଦୁର୍ଦ୍ଦଶା ଦର୍ଶନରେ ନିଜକୁ ସର୍ବଶକ୍ତିମାନ ମନେ କରୁଥିବା ଅନୁରୂପ ଚିନ୍ତା କରିଛି–ଏ ଦଣ୍ଡ କିଏ ଦେଇପାରେ, ତା ଦୃଷ୍ଟିକୁ ଆସିଛନ୍ତି କେବଳ ତ୍ରିଭୂବନର ଅଧିପତି-ଇନ୍ଦ୍ର-ରୁଦ୍ର-ବାସୁକୀ । କିନ୍ତୁ ସେମାନେ ସମସ୍ତେ ଯେ ତା ପରାକ୍ରମରେ ପରାଭୂତ: ତେଣୁ ନିଷ୍ପତ୍ତି ନେଇଛି–ଏ ଦୁର୍ଦ୍ଦଶାର କାରଣ ଦଣ୍ଡ ନୁହେ; ରୋଗ । ତେଣୁ ସେବକ ସ୍ୱର୍ଗବୈଦ୍ୟ ଅଶ୍ୱିନୀ କୁମାରଙ୍କ କର୍ତ୍ତବ୍ୟରେ ଅବହେଳା ଲାଗି ସେ ହୋଇଛି କ୍ରୁଦ୍ଧ । ଏଥିରୁ ଉଚ୍ଚମନା ହେବାର ଆଭାସ ମିଳେ । କିନ୍ତୁ ଏପରି ଉଦ୍‌ଭଟ କଳ୍ପନା ଲାଗି ଭଗିନୀଦ୍ୱାରା ହୋଇଛି ଲାଞ୍ଛିତ । ରାବଣର ପଟ୍ଟମହିଷୀ ମନ୍ଦୋଦରୀଠାରୁ ସୀତା ସୁନ୍ଦରତରା ଏ କଥା ସୂର୍ପଣଖା ମୁଖରୁ ଶୁଣି ସୁଦ୍ଧା ସେ ଦୁଃଖିତ ହୋଇନାହିଁ । ବରଂ ବସ୍ତୁ ତାନ୍ତ୍ରିକ ସଭ୍ୟତାର ଅଧିକାରୀ ରାବଣ ଉପଭୋଗ ଲାଳସାରେ ସୀତାଙ୍କୁ ଅପହରଣ କରିବାପାଇଁ ହୋଇ ଉଠିଛି ବ୍ୟଗ୍ର-। ପତ୍ନୀର ବାରଣକୁ ଉପେକ୍ଷା କରିଛି । ‘ପର ଦାରା ହରଣ ବିନାଶର କାରଣ’ ଏ କଥା ଭୁଲି ଯାଇଛି-। ଏଥିରୁ ରାବଣର ଭୋଗ-ଲାଳସା-କାମୁକତ୍ୱ ଓ ସଂସ୍କୃତିହୀନତା ବ୍ୟକ୍ତ ହୁଏ, ‘‘ରାବଣ ଏକ ନୀତି-କୁଶଳୀ, ହୋଇପାରେ ତାହା କୁନୀତି ବା କୁଟିଳ ନୀତି । ସୀତା-ହରଣ ପାଇଁ ଯେଉଁ ନୀତିଗୁଡ଼ିକ ସେ କଳ୍ପନା କରିଥିଲା ସମସ୍ତ ଯଥାଯଥ ସମ୍ପନ୍ନ ହୋଇଛି ଓ ସେ ନିଜ ଉଦ୍ଦେଶ୍ୟ ସାଧନ କରି ପାରିଛି । ମାରୀଚକୁ କରଗତ କରି କାର୍ଯ୍ୟହାସଲ ପାଇଁ ବନ୍ଧୁତ୍ୱର ଯେଉଁ ପ୍ରତାରଣା ପୂର୍ଣ୍ଣ ନିଦର୍ଶନ ଦେଖାଇଛି ତାହା ବାସ୍ତବରେ ଭାରତୀୟ ସଂସ୍କୃତିର ଅନୁକୂଳ । (୨) ସାମନୀତିରେ ଉଦ୍ଦେଶ୍ୟ ସାଧନ ନ ହେବାରୁ ମାରୀଚକୁ କରଗତ କରିବା ପାଇଁ ଦଣ୍ଡନୀତି ପ୍ରୟୋଗ କରି ରାବଣ ସଫଳ ରାଜନୀତିଜ୍ଞତାର ପରିଚୟ ଦେଇଛି । ଭୀତ ମାରୀଚର ଉପଦେଶବାଣୀ ତା’ର ଅହଂତ୍ୱକୁ କରିଛି ଆଘାତ । ସୀତାଙ୍କ ନିକଟରେ ଯତି ବେଶରେ ଉପସ୍ଥିତ ହୋଇ ଯେଉଁ ପରିହାସମୟୀ ବାଣୀ ପ୍ରୟୋଗ କରିଛି । (୩) ଏବଂ ପରେ ନିଜର ବୈଭବ-ବଡ଼ିମା-ବଳ-ଶାଳିତା-କୁଳୀନତା ପ୍ରଭୃତି ସ୍ୱଗୁଣ କଥନା ବା ପ୍ରଖ୍ୟାପନ କରିଛି ତାହା ରାବଣ ପରି ବୀରର ଏକ ଚାରିତ୍ରିକ ଦୁର୍ବଳତା । କିନ୍ତୁ ପରିସ୍ଥିତି ତାକୁ ବାଧ୍ୟ କରିଛି । ଲକ୍ଷ୍ମଣଙ୍କ ଅନୁପସ୍ଥିତିଠାରୁ ରାମଙ୍କ ପ୍ରତ୍ୟାଗମନ ମଧ୍ୟରେ ସୀତାଙ୍କୁ ଅପହରଣ କରିବାକୁ ହେବ । ରାବଣ କିନ୍ତୁ ଚାହୁଥିଲା-ବଳ ପ୍ରୟୋଗ ଅପେକ୍ଷା ଯଦି କୌଶଳରେ ନାରୀକୁ ପ୍ରଲୁବ୍‌ଧ କରାଯାଇ ପାରେ ତେବେ ତାହା ହୋଇ ପାରିବ ହୃଦ୍ୟ ଓ ସ୍ପୃହଣୀୟ । ମାତ୍ର କମ୍‌ ସମୟ ମଧ୍ୟରେ ସଫଳ ହୋଇ ନ ପାରି ବଳ ପ୍ରୟୋଗ କରି ସୀତାଙ୍କୁ ଅପହରଣ କରିଛି । ଜଟାୟୂ ପ୍ରତିରୋଧ କରି ବହୁ ଭର୍ତ୍ସନା କରିବା ସତ୍ତ୍ୱେ ରାବଣ କୌଣସି ବାକ୍ୟବାଣ ପ୍ରୟୋଗ କରିନାହିଁ । ବୋଧହୁଏ ଜଟାୟୂକୁ ସେ ସମକକ୍ଷ ଯୋଦ୍ଧା ମନେ କରିନାହିଁ ।

 

(୨)

ଚତୁର୍ବିଂଶ ଛାନ୍ଦ- ୧୪-୧୫ ପଦ

(୩)

ଚତୁର୍ବିଂଶ ଛାନ୍ଦ- ୩୫-୩୬ ପଦ

 

ମାରୀଚ-

ଏ ଛାନ୍ଦରେ ମାରୀଚ ଏକ ଭୀତ-ଦୂରଦ୍ରଷ୍ଟା-ବୁଦ୍ଧିମାନ୍‌-ମାୟାବୀ ଓ ମୁକ୍ତିକାମୀ ବ୍ୟକ୍ତି ରୂପରେ ଚିତ୍ରିତ । ରାବଣକୁ ଦେଇଥିବା ଉପଦେଶ ଗୁଡ଼ିକ ଏକ ଅଭିଜ୍ଞ-ପୂରୋଦୃଷ୍ଟି ସମ୍ପନ୍ନ ଜ୍ଞାନୀର ମୁଖନିଃସୃତ ବାଣୀ ପରି ମନେହୁଏ । ରାମଙ୍କୁ ସେ ମନେ କରିଛି ବିଷ୍ଣୁଙ୍କ ଅବତାର ବା ଅଂଶବିଶେଷ ।

 

ରାମ-

ଏ ଛାନ୍ଦରେ ରାମ ଜଣେ ପତ୍ନୀପ୍ରିୟ ଏବଂ ଯୋଦ୍ଧା ଭାବରେ ଅଙ୍କିତ । ଲକ୍ଷ୍ମଣଙ୍କ ବାରଣ ଓ ଭୀରୁପତ୍ନୀର ନିବାରଣ ସତ୍ତ୍ୱେ ରାମ ସ୍ୱର୍ଣ୍ଣ ହରିଣ ପଛରେ ଦୌଡ଼ିବା ଅଯୌକ୍ତିକ ମନେହୁଏ । କିନ୍ତୁ ଏଠାରେ ଲକ୍ଷ୍ମଣଙ୍କ ଉକ୍ତି (୪)ରୁ ସ୍ପଷ୍ଟ ହୁଏ ଯେ ରାମ ମୃଗ ବା ରାକ୍ଷସ ସନ୍ଦେହ କରି ସୁଦ୍ଧା ଲକ୍ଷ୍ୟରୁ ବିଚଳିତ ହୋଇ ନାହାନ୍ତି । ତେଣୁ ମନେହୁଏ ରାମ ଏ ଛାନ୍ଦରେ ଦୃଢ଼ବ୍ରତୀ ଭାବରେ ଚିତ୍ରିତ-

 

(୪)

ବଦତି ଲକ୍ଷ୍ମଣ ଏ କପଟୀ ଏତା ମାରିଚ ନିଶ୍ଚୟ । ଛାନ୍ଦ-

 

ବିଲୋକିବା ଆଉ ଶୁଣିଛ ବାତାୟୁ ସ୍ୱର୍ଣ୍ଣରତ୍ନମୟ (୨୪-୨୯ ପଦ)

 

ଲକ୍ଷ୍ମଣ-      

ରାମାୟଣରେ ଲକ୍ଷ୍ମଣ କ୍ରୋଧୀ-ଯୋଦ୍ଧା-ଭ୍ରାତୃଭକ୍ତ ରୂପରେ ଚିତ୍ରିତ । ଏ ଛାନ୍ଦରେ ସେ ସମସ୍ତ ଗୁଣର ବିକାଶ ସହିତ ଅଧିକ କିଛି ଚାରିତ୍ରିକ ବୈଶିଷ୍ଟ୍ୟ ପାଠକ ଅନୁଭବ କରେ । ମାୟାମୃଗ ଦର୍ଶନରେ ରାମଙ୍କୁ ସଚେତନ କରାଇଛନ୍ତି ଲକ୍ଷ୍ମଣ । ‘‘ଲକ୍ଷ୍ମଣ ତ୍ରାହି’’ ଶବ୍ଦ ଶ୍ରବଣରେ ବିଚଳିତ ସୀତାଙ୍କୁ ସାନ୍ତ୍ୱନା ଦେଇ କହିଛନ୍ତି–

 

‘‘ବିଶ୍ୱେ ଏକ ବୀର ଏ ନିଷତ ଗିର ତାଙ୍କର କି ସତି !’’ ଉକ୍ତିରୁ ସ୍ପଷ୍ଟହୁଏ ଲକ୍ଷ୍ମଣ ଭାଇଙ୍କୁ ଯେତିକି ଚିହ୍ନିଛନ୍ତି ସୀତା ସ୍ୱାମୀଙ୍କୁ ସେତିକି ଚିହ୍ନିପାରି ନାହାନ୍ତି । ଗୁଣ ଚିହ୍ନେ ଗୁଣିଆ । ସୀତାଙ୍କ କଟୁ ବଚନରେ ସେ ହୋଇଛନ୍ତି ବିଚଳିତ ଏବଂ ସୀତାଙ୍କୁ କରିଛନ୍ତି ଅଭିଶପ୍ତ ।

 

ସୀତା-

ରାମାୟଣର ସୀତା ସତୀ-ସାଧ୍ୱୀ-ପତିଗତପ୍ରାଣା-ତପସ୍ୱିନୀ ପ୍ରଭୃତି ମହନୀୟ ଗୁଣରେ ଭୂଷିତା ହୋଇ ଯୁଗେ ଯୁଗେ ଆଦର୍ଶ ନାରୀ ଭାବେ ସମାଜକୁ ପ୍ରେରଣା ଦେଇ ଆସୁଛନ୍ତି । କିନ୍ତୁ ଏ ଛାନ୍ଦରେ ସୀତାଙ୍କ ନାରୀ ହୃଦୟର ଦୁର୍ବଳ ଦିଗଟି ଚିତ୍ରିତ ହୋଇଛି । ମାୟାମୃଗ ଦର୍ଶନରେ ସୀତା ପ୍ରଲୁବ୍‌ଧା । ଭୁଲି ଯାଇଛନ୍ତି ଶାଶୁ କୌଶଲ୍ୟାଙ୍କ ନିଷେଧ ବାଣୀ (୫) । ମାୟାମୃଗକୁ ଲକ୍ଷ୍ମଣ ରାକ୍ଷସ ରୂପେ ବର୍ଣ୍ଣନା କରିବାରୁ ରାମଙ୍କୁ ନିବର୍ତ୍ତାଇବାଦ୍ୱାରା ଭୀରୁ, ମାରୀଚର ପ୍ରତାରଣା ପୂର୍ଣ୍ଣ ଶବ୍ଦରେ ଲକ୍ଷ୍ମଣଙ୍କୁ ପ୍ରେରିତ କରିବା କାର୍ଯ୍ୟରେ ଅଜ୍ଞ ଏବଂ ଲକ୍ଷ୍ମଣଙ୍କୁ ଭରତର ଗୁପ୍ତଚର କହିବାରେ ସ୍ୱୀୟ ଦୂଷିତ ହୃଦୟର ପରିଚୟ ଦେଇ ସେ ପାଠକର ହୃଦୟ ସିଂହାସନରୁ ତଳକୁ ଖସି ଯାଇଛନ୍ତି । ଏ ସମସ୍ତ କୁକର୍ମର ସଦ୍ୟ କୁଫଳ ଭୋଗ କରିଛନ୍ତି- ଦୀର୍ଘ ସ୍ୱାମୀ-ବିଚ୍ଛେଦ ଓ ରାକ୍ଷସୀ ପରିବୃତ୍ତ ଏକାନ୍ତ ଜୀବନ ।

 

(୫)

ବିପିନରେ ପୀନ ଉରଜା ଅପୂର୍ବ ଦ୍ରବ୍ୟ ଦେଖି ନ ମାଗିବୁ । ଛାନ୍ଦ

 

ବେନି ସହୋଦର ମଧ୍ୟରେ ଆଦର ବିପଥରେ କରିଥିବୁ । (୧୭-୨୯ ପଦ)

 

ଜଟାୟୁ-

ଏ ଛାନ୍ଦରେ ଜଟାୟୁ ଚରିତ୍ରଟି ସବୁଠାରୁ ହୋଇଛି ବିଶେଷ ଆକର୍ଷଣୀୟ ଓ ବନ୍ଦନୀୟ । ରାମାୟଣ ଓ ମହାଭାରତ ଶିକ୍ଷା ଦିଏ-ଆର୍ଯ୍ୟଲଳନାର ମହତ୍ତ୍ୱ ରକ୍ଷା ଓ ସ୍ୱାଧିକାର ସୁରକ୍ଷା । ନାରୀର ମହତ୍ତ୍ୱ ରକ୍ଷା ପାଇଁ ରାମ ବାନରସେନା ସହିତ ବନ୍ଧୁତା-ସେତୁବନ୍ଧ ନିର୍ମାଣ ଓ ରାବଣର ସବଂଶ ନାଶ ପ୍ରଭୃତି କାର୍ଯ୍ୟକରି ଯେଉଁ ମହାନୁଭବତାର ପରିଚୟ ଦେଇଛନ୍ତି, ସେହି ମହତ୍ତ୍ୱ ରକ୍ଷା କାର୍ଯ୍ୟରେ ପ୍ରଥମେ ପ୍ରାଣପାତ କରିଛି ଜଟାୟୁ ।

 

ରାମ ନିଜର ପତ୍ନୀ ଲାଗି କରିଥିଲେ ଏ ସାଧନା । କିନ୍ତୁ ଜଟାୟୁର ଏ ପ୍ରାଣପାତ ଯୁଦ୍ଧ ସାର୍ବଜନୀନ ସଂସ୍କୃତିର ସୁରକ୍ଷା ଲାଗି । ଏଣୁ ଏହା ଯେପରି ମହନୀୟ ସେପରି ବନ୍ଦନୀୟ । ଭାରତୀୟ ଚିନ୍ତାରେ ପଶୁ-ପକ୍ଷୀ-କୀଟ-ପତଙ୍ଗ ଏବଂ ମନୁଷ୍ୟ ପ୍ରାଣୀଜଗତରେ ଏକାକାର ହୋଇ ଯାଇଛନ୍ତି । କ୍ରୌଞ୍ଚ ପକ୍ଷୀର ବିକଳ କ୍ରନ୍ଦନରେ ଋଷି ବାଲ୍ମୀକିଙ୍କ ଶୋକ ଶ୍ଳୋକରେ ପରିଣତ ହୋଇ ଯାଇଛି (୬) ଏବଂ ମାନବୀ ସୀତାର ଅପମାନ ଦର୍ଶନରେ ପ୍ରାଣଦାନ କରିଛି ଜଟାୟୁ ପକ୍ଷୀ । କି ଅଦ୍‌ଭୁତ ଏକାତ୍ମତା । ଏ ଉଦାରତା ସର୍ବଭୂତାନ୍ତରାତ୍ମାର ମଧୁମୟ ପ୍ରକାଶ ମାତ୍ର ।

 

(୬)

ମା ନିଷାଦ ! ପ୍ରତିଷ୍ଠାଂ ତ୍ୱମଗମଃ ଶାଶ୍ୱତୀ ସମା

 

ଯତ୍‌ କ୍ରୌଞ୍ଚ ମିଥୁନା ଦେକ ମବଧୀଃ କାମ ମୋହିତମ୍‌ । (ବାଲ୍ମୀକି ରାମାୟଣ)

 

ନୀତି-କୁଶଳତା–

ଏହି ଚତୁର୍ବିଂଶ ଛାନ୍ଦରେ ଦୁଇଟି ନୀତିକୁଶଳ ଚରିତ୍ର ଆମର ଦୃଷ୍ଟି ଆକର୍ଷଣ କରନ୍ତି । ପ୍ରଥମେ ସୂର୍ପଣଖା ଏବଂ ପରେ ପରେ ରାବଣ । ନିଜର ଉଦ୍ଦେଶ୍ୟ ସିଦ୍ଧି ପାଇଁ ଉଭୟେ କରିଛନ୍ତି ଯତ୍ନ । ଜଣେ ନେଇଛି ମିଥ୍ୟାର ଆଶ୍ରୟ, ଅନ୍ୟ ଜଣକ ଛଳନାର ଆବରଣ । ନାରୀର ଈର୍ଷା ଏବଂ କାମ ପ୍ରବୃତ୍ତି ଯେପରି ତୀବ୍ର ପ୍ରତିଶୋଧ-ପରାୟଣତା ସେପରି ଅଲଙ୍ଘନୀୟ । ସୀତାର ସୌନ୍ଦର୍ଯ୍ୟ ଦର୍ଶନରେ ସେ ହୋଇଛି ଈର୍ଷାନ୍ୱିତ । ରାମ ଲକ୍ଷ୍ମଣଙ୍କ ସୌନ୍ଦର୍ଯ୍ୟରେ ହୋଇଛି ଅଭିଭୂତା । କିନ୍ତୁ ଦୁର୍ଦ୍ଦଶାଗ୍ରସ୍ତ ହେବା ପରେ ପ୍ରତିଶୋଧ ମନୋବୃତ୍ତି ବଳବତ୍ତର ହୋଇଛି ଏବଂ ସେ ନେଇଛି ମିଥ୍ୟାର ଆଶ୍ରୟ । ବଳଶାଳୀ ଦୁର୍ଦ୍ଧର୍ଷ ଭାଇ ରାବଣକୁ ଏ ଦିଗରେ ପ୍ରେରିତ କରିବା ପାଇଁ ତାର ଦୁର୍ବଳ ଭୋଗବୃତ୍ତିକୁ କରିଛି ଆଘାତ । ପରିଶେଷରେ ନାରୀର ଶେଷ ସମ୍ୱଳ ଆତ୍ମହତ୍ୟା କଥା କହି (୭) ରାବଣକୁ କରିଛି ଉତ୍ତେଜିତ । ଠିକ୍‌ ସେପରି ରାବଣ ଭଗିନୀର ପ୍ରତିଶୋଧ ଓ ନିଜର ଭୋଗାକାଙ୍‌କ୍ଷାର ଚରିତାର୍ଥତା ପାଇଁ ଛଳନାର ଆଶ୍ରୟ ନେଇ ମାରୀଚ ଜରିଆରେ ଯେଉଁ ସୂତ୍ର କଳ୍ପନା କରିଥିଲା ତାହା ଅକ୍ଷରେ ଅକ୍ଷରେ ସମ୍ଭବ ହୋଇ ପାରିଛି । ଏଣୁ ନୀତି-କୁଶଳୀ ଭାବରେ ସୂର୍ପଣଖା ଏବଂ ରାବଣର ଚରିତ୍ର ପାଠକକୁ କରେ ବିସ୍ମିତ । ପ୍ରତାରିତ ହୋଇଛନ୍ତି ଦୁର୍ବଳ ହୃଦୟ ରାବଣ ଓ ସରଳ ହୃଦୟ ରାମ-ଲକ୍ଷ୍ମଣ-ସୀତା ।

 

(୭)

ବାରିଧି ଜୀବନେ ଜୀବନ ତେଜିବା ତେବେ ମୋ ନୋହିବ । (୨୪-୧୦)

 

ଉପମାନର ପ୍ରୟୋଗ-

ଏ ଛାନ୍ଦରେ କବି ଉପମାନ ପ୍ରୟୋଗରେ କବିତ୍ୱ-ପାଣ୍ଡିତ୍ୟ-ବହୁଦର୍ଶିତା ଓ କଳ୍ପନା ପ୍ରବଣତାରେ ସ୍ୱକୀୟତା ପ୍ରଦର୍ଶନ କରି ଅଦ୍ୱିତୀୟ ପ୍ରତିଭାର ପରିଚୟ ଦେଇଛନ୍ତି । ଭାବହିଁ କବିତାର ପ୍ରାଣ । ଉପମେୟକୁ ଉନ୍ନତତର ରୂପେ ଉପଲବ୍‌ଧି କରିବାପାଇଁ ଉପମାନର ପ୍ରୟୋଗ ସହାୟକ ହୋଇଥାଏ ଏବଂ ଭାବକୁ ଅତିରଞ୍ଜିନ କରି ହୃଦୟଗ୍ରାହୀ କରାଏ । ଏ ଛାନ୍ଦରେ ନିମ୍ନଲିଖିତ ଉପମାନର ପ୍ରୟୋଗ ଯେପରି ଯଥାର୍ଥ ସେପରି ହୃଦୟସ୍ପର୍ଶୀ ମଧ୍ୟ ।

 

ଉପମେୟ

ଉପମାନ

ଅଳଙ୍କାର

ପଦସଂଖ୍ୟା

ସୂର୍ପଣଖା

ପାଟଳୀବୃକ୍ଷ

ଉତ୍‌ପ୍ରେକ୍ଷା

ନାସା

କୀର

ଉତ୍‌ପ୍ରେକ୍ଷା

ରକ୍ତ

ପାଟଳୀପୁଷ୍ପ

ଉତ୍‌ପ୍ରେକ୍ଷା

ଅଶ୍ରୁ

ତୁଷାର

ଉତ୍‌ପ୍ରେକ୍ଷା

ନେତ୍ର

ପତ୍ର

ଉତ୍‌ପ୍ରେକ୍ଷା

ରାଜା

ନାଗ

ଉପମା

ସୀତା

ରମ୍ଭା-ଉର୍ବଶୀ

ପ୍ରତୀପ

ମୁଖଓଷ୍ଠ

ପୂର୍ଣ୍ଣଚନ୍ଦ୍ର, ବାଳସୂର୍ଯ୍ୟ

ଉତ୍‌ପ୍ରେକ୍ଷା

ବିହଗ

ଆଳୀ

ରୂପକ

କାକଳୀ

ହୁଳହୁଳି

ଉତ୍‌ପ୍ରେକ୍ଷା

କାନ୍ତି

ସୁବର୍ଣ୍ଣ

ବ୍ୟତିରେକ

ରାବଣ

ଚାତକ

ଉପମା

୧୩

ମାରୀଚ

ବାରିଦ

ରୂପକ

୧୩

ଶର

ଯମ

ଉପମା

୧୬

ରାବଣ

ବାପୂହ

ଉପମା

୧୮

 

ସିଂହ

ଉପମା

୧୮

 

ମଧୁ

ଉପମା

୨୧

ବଂଶ

ପଦ୍ମବନ

ରୂପକ

୨୧

ସୀତା

ଶୀତକାଳ

ରୂପକ

୨୨

ରାମ

ଚନ୍ଦ୍ର

ରୂପକ

୨୨

କର

କିରଣ

ରୂପକ

୨୨

ଶର

ତୁଷାର

ରୂପକ

୨୨

ରାବଣ

ମଧୁଦୈତ୍ୟ-ମହିଷ

ରୂପକ

୨୩

 

ଗ୍ରାହବଂଶ

ରୂପକ

୨୫

ମାରୀଚ

ମୀନ

ରୂପକ

୨୫

ପୁଚ୍ଛ

ଚାମର

ଉତ୍‌ପ୍ରେକ୍ଷା

୨୬

ରାବଣ

ଦୀନକୃପଣ

ଉପମା

୨୭

ମାରୀଚ

ବିଦ୍ୟୁତ୍‌

ଉପମା

୩୧

ଲକ୍ଷ୍ମଣ

ବ୍ୟାଘ୍ର

ଉପମା

୩୩

ସୀତା

ବେଦମତୀ

ଉପମା

୪୦

ସ୍ୟନ୍ଦନ

କାରାପୁର

ଉପମା

୪୬

ସୀତା

କୋକିଳ

ରୂପକ

୪୩

 

ବେଦପୋଥି

ରୂପକ

୪୪

ରାବଣ

ସୂରାପ

ରୂପକ

୪୪

ଜଟାୟୁ

ଅଗସ୍ତି

ଉପମା

୪୪

ରାବଣ

ସମୁଦ୍ର

ଉପମା

୪୪

ସୀତା

ପାଶବଦ୍ଧାମୃଗୀ

ଉପମା

୫୦

 

ଶିଳା

ଉପମା

୫୦

 

ରୋଗୀ

ଉପମା

୫୧

ବାଣୀ

ଔଷଧ

ଉପମା

୫୧

ନାରଦ

ବୈଦ୍ୟ

ଉପମା

୫୧

 

ଉକ୍ତ ଉପମାନଗୁଡ଼ିକ କାବ୍ୟର ଶ୍ରୀବୃଦ୍ଧିରେ ଏବଂ ଭାବୋଦ୍‌ବୋଧକତାରେ କେତେଦୂର ସହାୟକ ହୋଇଛନ୍ତି ତାହା ଅଭିଜ୍ଞ ପାଠକ ପକ୍ଷରେ ଅଛପା ରହେ ନାହିଁ । ଏ କ୍ଷୁଦ୍ର ପ୍ରବନ୍ଧରେ ପ୍ରତ୍ୟେକକୁ ବିଶ୍ଳେଷଣ କରିବା ସହଜ ନୁହେଁ । ତଥାପି ଏତିକି କୁହାଯାଇପାରେ ଯେ ଏଥିରେ ସାଦୃଶ୍ୟମୂଳକ ଉପମା ଅପେକ୍ଷା ସାଧର୍ମ୍ୟମୂଳକ ଉପମା ବିଶେଷ ସୌନ୍ଦର୍ଯ୍ୟ ସୃଷ୍ଟି କରି ପାରିଛି ।

 

ଆହରଣରେ ସ୍ୱକୀୟତା-

ବିଷୟବସ୍ତୁ ବାଲ୍ମୀକି ରାମାୟଣରୁ ଗୃହୀତ । ବାଲ୍ମୀକି ଆଦିକବି ଏବଂ ରାମାୟଣ ତାଙ୍କର ମୌଳିକ ସୃଷ୍ଟି । କିନ୍ତୁ ପରେ ରାମ ଚରିତକୁ ଉପଜୀବ୍ୟ କରି ଭଞ୍ଜଙ୍କ ପୂର୍ବରୁ ଏବଂ ପରେ ବହୁ କବି ସ୍ୱୀୟ ପ୍ରତିଭାର ପରିଚୟ ଦେଇଛନ୍ତି ଏବଂ ଭଞ୍ଜ କେଉଁ କେଉଁ ରାମାୟଣ ସହିତ ବିଶେଷ ପରିଚିତ ଥିଲେ ତାହା ସେ ବୈଦେହୀଶ ବିଳାସର ପ୍ରଥମ ଛାନ୍ଦ-ଚତୁର୍ଥ ପଦରେ ଉଲ୍ଲେଖ କରିଛନ୍ତି । (୮) କିନ୍ତୁ ବାଲ୍ମୀକିଙ୍କ ମୂଳ ବିଷୟ କବି ପ୍ରତିଭାର ସ୍ୱାତନ୍ତ୍ର୍ୟରେ ଯୁଗେ ଯୁଗେ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହେବା ସ୍ୱାଭାବିକ । ମୂଳକଥା ସଂରକ୍ଷିତ ହୋଇଥିଲେ ସୁଦ୍ଧା କାବ୍ୟାଦର୍ଶ ଦୃଷ୍ଟିରୁ ଏବଂ କବିର ସ୍ୱକୀୟ ଦୃଷ୍ଟିଭଙ୍ଗୀରୁ ସାମୟିକ ଚାରିତ୍ରିକ ମହତ୍ତ୍ୱ ମଧ୍ୟ ବଦଳିଯାଏ । ଏ ପ୍ରସଙ୍ଗରେ ଏତିକି କହିଲେ ଯଥେଷ୍ଟ ହେବ ଯେ ବାଲ୍ମୀକି ରାମଙ୍କୁ ଅତିମାନବ ରୂପେ ଚିତ୍ରିତ ନ କରିଥିଲେ ସୁଦ୍ଧା ପରବର୍ତ୍ତୀକାଳରେ ରାମ-ଚରିତରେ ଅତିମାନବତ୍ୱ ଓ ଦେବତ୍ୱ ଆରୋପିତ ହୋଇଛି । ତେଣୁ ଏ ଛାନ୍ଦରେ ରାବଣ ଅପହରଣ କରିବା ପୂର୍ବରୁ ପ୍ରକୃତ ସୀତା ଅଗ୍ନିରେ ପ୍ରବେଶ କରିଛନ୍ତି । ଏ ଦିଗରେ କବିଙ୍କ ଆଦର୍ଶ ହୋଇଛନ୍ତି ଦାଣ୍ଡୀ ରାମାୟଣ ରଚୟିତା ବଳରାମ ଦାସ ।

 

(୮)

ବାଲ୍ମୀକି ବ୍ୟାସକବି ଯହିଁରେ ମହାକାବ୍ୟକେ ପୂରାଣ କରେ

 

ମହାନାଟକ ବାତସୂତରେ ହେଲେ ରଚିତା ଯେ

 

ବିହିଲେ କାବ୍ୟ ଯେ କାଳିଦାସ ଚମ୍ପୁ ରଚନା ଭୋଜ ନରେଶ

 

କୃପାସିଦ୍ଧା ଏ ଗୀତେ ପ୍ରକାଶ ଛାଡ଼ିଲି ଚିନ୍ତା ଯେ

 

କିନ୍ତୁ କାବ୍ୟରେ ସ୍ଥଳ ବିଶେଷରେ କବିଙ୍କ ବର୍ଣ୍ଣନାଶୈଳୀ ଓ ଉପସ୍ଥାପନ ପ୍ରଣାଳୀରେ ମଧ୍ୟ ପ୍ରଭାବ ପଡ଼ିଥାଏ । ତାହାକୁହିଁ କୁହାଯାଏ ଆହରଣ । ଆହରଣ ଅଯଥାର୍ଥ ବା ଦୋଷାବହ ନୁହେଁ । କିନ୍ତୁ ଯେତେବେଳେ କବି ଆହରଣ ମଧ୍ୟରେ ସ୍ୱକୀୟ କଳ୍ପନା ସାହଚର୍ଯ୍ୟରେ ଉନ୍ନତତର ପଦ-ସଂଯୋଜନଦ୍ୱାରା ଭାବକୁ ମହତ୍ତର କରେ ଆମେ ଆହରଣ ମଧ୍ୟରେ ସ୍ୱକୀୟତାର ମିଶ୍ରଣ ଦେଖି କବି ପ୍ରତିଭାର ଜୟଗାନ କରୁଁ ।

 

ଉଦାହରଣସ୍ୱରୂପ ଏ ଛାନ୍ଦରେ ମାରୀଚ ଆଗରେ ରାବଣ ତା’ର ଯୋଜନା ଉପସ୍ଥାପନ କରିବା ପରେ ମାରୀଚ କିପରି ରାମଙ୍କୁ ଭୟକରେ ତାହା ବର୍ଣ୍ଣିତ । ବାଲ୍ମୀକି ରାମାୟଣରେ ଅନୁରୂପ ବର୍ଣ୍ଣନା ମିଳେ ।

 

ରାମମେବହି ପଶ୍ୟାମି ରହିତେ ରାକ୍ଷସେଶ୍ୱର : ଦୃଷ୍ଟ୍ୱା ସ୍ୱପ୍ନଗତଂ ରାମମୁଦ୍‌ଭ୍ରମାମି ବିଚେତନଃ

ରକାରାଦୀନି ନାମାନି ରାମତ୍ରସ୍ତସ୍ୟ ରାବଣ । ରତ୍ନାନି ଚ ରଥଶ୍ୱୈବ ବିତ୍ରାସଂ ଜନୟନ୍ତି ମେ ।

(ଆରଣ୍ୟକ କାଣ୍ଡର)

 

ଭଞ୍ଜ ଏଥିରୁ ଉପସ୍ଥାପନ ପ୍ରଣାଳୀ ଗ୍ରହଣ କରିଥିଲେ ମଧ୍ୟ ଯେଉଁ ସ୍ୱକୀୟତା ପ୍ରଦର୍ଶନ କରିଛନ୍ତି ତାହା ବାସ୍ତବରେ ଅନବଦ୍ୟ । (୯)

 

ଯତିବେଶରେ ସୀତାଙ୍କୁ ପ୍ରତାରିତ କରିବାପାଇଁ ଉପସ୍ଥିତ ହୋଇ ସୀତାଙ୍କ ସହିତ ଯେଉଁ ବାକ୍ୟାଳାପ କରିଛି ସେଥିରେ ଈଶ-ଧବ ଏବଂ ରାଘବ ଶଦ୍ଦ ଶ୍ଳେଷରେ ବ୍ୟବହୃତ ହୋଇଛି । ତାହା ସଂସ୍କୃତ ଶ୍ଳୋକ ପ୍ରଭାବରେ ଉଦ୍‌ଭୂତ । (୧୦)

 

ଶବ୍ଦ ପ୍ରୟୋଗ-

ଏ ଛାନ୍ଦରେ ନାରୀ ଉଦ୍ଦେଶ୍ୟରେ ୬ଟି ସମ୍ୱୋଧନ ପଦ ପ୍ରଯୁକ୍ତ ହୋଇଛି । ସୁଲୋଚନା (୧୧ ପଦ) ବାରିଜାକ୍ଷୀ (୧୨) ବୀଣାଜିଣାଭାଷୀ (୨୮) କ୍ଷୀଣକୁକ୍ଷୀ (୪୫) ବିମଳଲୋଚନା (୫୦) ଏବଂ ବିମ୍ବୋଷ୍ଠୀ (୫୨) । ରୀତିଯୁଗୀୟ ଚେତନାରେ କବିଦୃଷ୍ଟି କଳାତ୍ମକତା ଓ ଅଳଙ୍କରଣ ପ୍ରିୟତା ଆଡ଼କୁ ଧାବିତ ହୋଇଛି । ନାରୀ କବି ଦୃଷ୍ଟିରେ ବନ୍ଦନୀୟା ନ ହୋଇ ହୋଇଛି ଶୋଭନୀୟା । ତେଣୁ ଯେଉଁଠି ନାରୀ ପ୍ରସଙ୍ଗ ଆସିଛି ସେଇଠି କବି ତାହାକୁ ସବିଶେଷତା ଓ ସାଳଙ୍କୃତ ଭାବରେ ଉପସ୍ଥାପନ କରିଛି । ଭଞ୍ଜ ସେହି ରୀତିର ଦାସ । ତେଣୁ ଏ ଧରଣର ନିରର୍ଥକ ସମ୍ୱୋଧନ ତାଙ୍କର ଅନ୍ୟାନ୍ୟ କାବ୍ୟରେ ବିରଳ ନୁହେ । କିନ୍ତୁ ଏ ଛାନ୍ଦରେ ଗୋଟିଏ ସମ୍ୱୋଧନ ମାତ୍ର ରୀତିଯୁଗୀୟ ଆଦର୍ଶରେ ଲିଖିତ । ଅନ୍ୟ ସବୁର ସାର୍ଥକ ପ୍ରୟୋଗ କାବ୍ୟ ସୌନ୍ଦର୍ଯ୍ୟକୁ ମହତ୍ତର କରିଛି ଏବଂ ଉଦ୍‌ବୋଧକ ମଧ୍ୟ ହୋଇ ପାରିଛି । ପ୍ରତ୍ୟେକ ପଦକୁ ଆଲୋଚନା କଲେ ଆମେ ତା’ର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଉପଲବ୍‌ଧି କରିପାରିବା ।

 

ସୁଲୋଚନା-

ଏ ସମ୍ୱୋଧନଟି ରାବଣ କରିଛି ଭଉଣୀ ସୂର୍ପଣଖାକୁ । ହଠାତ୍‌ ଶୁଣିଲେ ଅଡ଼ୁଆ ଲାଗେ । ଏହି କାବ୍ୟରେ ବନଗମନ ବେଳେ କୌଶଲ୍ୟା ସୀତାଙ୍କୁ ସମ୍ୱୋଧନ କରିଛନ୍ତି ପୀନଉରଜା । (୧୧) ଅବଶ୍ୟ କଷ୍ଟ କଳ୍ପନାରେ ‘‘ଭୂମିଜା’’ ଅର୍ଥକରି ଅସଙ୍ଗତି ପରିହାର କରାଯାଉଛି । କିନ୍ତୁ ଏଠାରେ ଏ ସମ୍ୱୋଧନଟି ଯଥାର୍ଥ ଭାବରେ ପ୍ରଯୁକ୍ତ । ନାସା-କର୍ଣ୍ଣ ହୀନା ସୂର୍ପଣଖା ଭାଇ ପାଖରେ କରିଛି ଆପତ୍ତି । ଶତ୍ରୁର ପ୍ରତିଶୋଧ ନ ନେଲେ ସେ କରିବ ଆତ୍ମହତ୍ୟା । ରାବଣ ତାକୁ ସାନ୍ତ୍ୱନା ଦେବାକୁ ଯାଉଛି । କି ଶଦ୍ଦରେ ଦେବ ! ନାରୀ ସାଧାରଣତଃ ସୌନ୍ଦର୍ଯ୍ୟପ୍ରିୟା । ଆତ୍ମପ୍ରଶଂସାକାଙ୍‌କ୍ଷିଣୀ । ତେଣୁ ସୁଲୋଚନା ସମ୍ୱୋଧନ ତାକୁ ବଞ୍ଚିବା ଭରସା ଦେଇଛି ।

 

(୯)

ବୋଲୁ ରାମାମଣି ରାମାଙ୍କକେ ଭଣି ବଧୂକୁ ବିଧୂକୁ ।

 

ବେଗେ ବେଗେ ଦୃଷ୍ଟୀ ରାମମଣି କଷ୍ଟୀ ହୁଅଇ ବଧକୁ ।

 

ବିରାମ ଆରାମ କହୁ ହୋଇ ଭ୍ରମ ପଛକୁ ଅନାଇ ।

 

ବିନ୍ଧିବା ଠାଣି ପୂର୍ବରୁ ଦିଶି ପୁଣି କମ୍ପି ମୁଁ ପଳାଇ । (୧୯ ପଦ)

 

 

(୧୦)

କସ୍ତୁଂଶୂଳୀ ମୃଗୟ ଭିଷଜଂ ନୀଳକଣ୍ଠଃ ପ୍ରିୟେଽହମ୍‌ ।

 

କେକାମେକାଂକୁରୁ ପଶୁପତିଃ ଲାଙ୍ଗୁଳସ୍ତେ କଞ୍ଚନ ।

 

ସ୍ଥାଣୁର୍ମୁଗ୍‌ଧେ, ନ ପତତି ତରୁଃ ଜୀବିତେଶଃ ଶିବାୟାଃ ।

 

ଗଚ୍ଛାଟବ୍ୟାଂ ପ୍ରତିହତ ବଚଃ ପାତୁବଃ ଚନ୍ଦ୍ରଚୂଡ଼ଃ ।

 

 

(୧୧)

ବିପିନରେ ପୀନ ଉରଜା ଅପୂର୍ବ ଦ୍ରବ୍ୟ ଦେଖି ନ ମାଗିବୁ । (୧୭ ଛାନ୍ଦ ୨୯ ପଦ)

 

ବାରୀଜାକ୍ଷୀ-

ରାବଣର ସମ୍ୱୋଧନ ପତ୍ନୀ ମନ୍ଦୋଦରୀକୁ ରାବଣ ସୀତାଙ୍କୁ ଅପହରଣ କରିବା ପାଇଁ ବାହାରିବାବେଳେ ମନ୍ଦୋଦରୀ ମନା କରିଛି । ରାବଣ କିନ୍ତୁ ନିଜମତରେ ଦୃତ । ପତ୍ନୀକୁ କଷ୍ଟ ଦେବାକୁ ଚାହେନା । ତେଣୁ କୋମଳ ଶବ୍ଦରେ କହିଛି–ବାରି କି ବାରିଜାକ୍ଷୀ ଅନୁକୂଳରେ (୧୨ ପଦ) ଏଥିରେ ମଧ୍ୟ ନାରୀର ସେହି ଦୁର୍ବଳତାକୁ ଆଘାତ କରାଯାଇଛି । ଏ ପ୍ରୟୋଗ ମଧ୍ୟ ଯଥାର୍ଥ ।

 

ବୀଣାଜିଣାଭାଷୀ-

ସୀତା ସ୍ୱର୍ଣ୍ଣମୃଗ ମାରିବା ପାଇଁ ଅନୁରୋଧ କରିଛନ୍ତି ସ୍ୱାମୀ ରାମଚନ୍ଦ୍ରଙ୍କୁ । ସେତେବେଳେ ସୀତାଙ୍କ ଉଦ୍ଦେଶ୍ୟରେ ବୀଣାଜିଣାଭାଷୀ ସମ୍ୱୋଧନ ପ୍ରଯୁକ୍ତ ହୋଇଛି । ଅନୁରୋଧର ଭାଷା ଏପରି ହେଲେ କାର୍ଯ୍ୟସିଦ୍ଧିର ପଥହୁଏ ପରିଷ୍କୃତ ।

 

କ୍ଷୀଣକୁକ୍ଷୀ-

ରାବଣ-ଜଟାୟୁ ଯୁଦ୍ଧରେ ରାବଣ ଗୋଟିଏ ହସ୍ତରେ ସୀତାଙ୍କୁ କୁଣ୍ଢାଇ ଧରି ଅନ୍ୟ ହସ୍ତରେ ଅସି ଚାଳନା କରିଛି । ଏ ସ୍ଥଳରେ ସୀତା କ୍ଷୀଣକୁକ୍ଷୀ ହେତୁ ରାବଣ ପକ୍ଷରେ ସୀତାଙ୍କୁ ଧରି ଯୁଦ୍ଧ କରିବା ଅସୁବିଧାଜନକ ହୋଇ ନ ଥିବ । ଏଣୁ ଏ ପ୍ରୟୋଗର ଯଥାର୍ଥତା ସହଜରେ ଅନୁମେୟ ।

 

ବିମଳଲୋଚନା-

ଅଶୋକବନରେ ଏକାକୀ କ୍ରନ୍ଦନରତା ସୀତାଙ୍କୁ କ୍ଷୁତ୍‌-ପିପାସାର ନିବୃତ୍ତି ପାଇଁ ଅମୃତ ପ୍ରଦାନ କରି ରାମଙ୍କ ସହିତ ଚତୁର୍ଦ୍ଦଶ ମାସ ପରେ ମିଳନର ଶଙ୍ଖଧ୍ୱନି ଶୁଣାଇବା ବେଳେ ନାରଦ ସୀତାଙ୍କୁ ସମ୍ୱୋଧନ କରିଛନ୍ତି ବିମଳଲୋଚନା । ଏଥିରେ କୌଣସି ଅଶ୍ଳୀଳ ଇଙ୍ଗିତ ନାହିଁ । ତେଣୁ ମୁନି ହୋଇ ମଧ୍ୟ ନାରୀକୁ ଏପରି ସମ୍ୱୋଧନ କରିବା ଅସଙ୍ଗତ ନୁହେ । ଆଗରୁ କହିଛି ଏହା ରୀତିଯୁଗୀୟ କବିଙ୍କ କଳାପ୍ରିୟତା ମାତ୍ର । ‘ବିମ୍ୱୋଷ୍ଠୀ’ ସମ୍ୱୋଧନ ତା’ର ଏକ ନମୁନା ।

 

କାବ୍ୟରେ ‘ବ’ ଅକ୍ଷର ପ୍ରୟୋଗ–

ବୈଦେହୀଶ ବିଳାସର ସମସ୍ତ ପଦ ‘ବ’ ଅକ୍ଷରରେ ଆରମ୍ଭ ହୋଇଛି । କାବ୍ୟର ନାମଟି ମଧ୍ୟ ‘ବ’ରେ ଆରମ୍ଭ । ବାସ୍ତବରେ ଉନ୍ନତ ଶବ୍ଦ ପାଣ୍ଡିତ୍ୟ ନ ଥିଲେ ଏପରି ଏକ ବିରାଟ କାବ୍ୟ ରଚନା କରି ତାହାକୁ ସର୍ବାଙ୍ଗ ସୁନ୍ଦର କରିବା ନିତାନ୍ତ ଦୁରୂହ ବ୍ୟାପାର । ଏହା କବିଙ୍କ କମ୍‌ ସାଧନା ବା ଶକ୍ତିର ପରିଚୟ ଦିଏ ନାହିଁ । କିନ୍ତୁ ସ୍ଥଳ ବିଶେଷରେ ‘ବ’ ଅକ୍ଷର ପାଇଁ କବିଙ୍କୁ କେତେକ କଷ୍ଟ କଳ୍ପନା କରିବାକୁ ପଡ଼ିଛି ଏବଂ ସ୍ଥଳ ବିଶେଷରେ କାବ୍ୟର ମହତ୍ତ୍ୱ କ୍ଷୁର୍ଣ୍ଣ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଉଦାହରଣସ୍ୱରୂପ-

 

 

ଛନ୍ଦ

ପଦ

ତ୍ରିବେଣୀ ପାଇଁ–ବେଣୀ ତ୍ରି ପୂର୍ବକ ନଭରୁ ହେଉଛନ୍ତି ପତନ

ଋଷ୍ୟଶୃଙ୍ଗ ପାଇଁ–ବିଷାଣ ଋଷ୍ୟ ଅଙ୍ଗରୁ ସୁବାସକୁ ପାଇ

୪୨

କୋଇଲି ପାଇଁ–ବୁଡ଼ିରହି ପରଭୃତ ପରାକୃତ ନାମେ

୧୪

୧୮

ଅବତୀର୍ଣ୍ଣ ପାଇଁ–ବତୀର୍ଣ୍ଣ ଅ ପୂର୍ବ ହୋଇ କେତେ ନାଗବଲ୍ଲୀ

୧୯

ପ୍ରବର୍ତ୍ତ ପାଇଁ–ବରତି ପ୍ର ଆଦ୍ୟେ ମୋ ଦୁର୍ଦ୍ଦଶାରତ ବିଚ୍ଛେଦ ହୋଇ ସମ୍ୱର

୩୦

୨୦

 

କିନ୍ତୁ ଏତେ ବଡ଼ କାବ୍ୟରେ ଏପରି କେତୋଟି ମୁଷ୍ଟିମେୟ କଷ୍ଟ କଳ୍ପନା ଦୋଷାବହ ହେବା କଥା ନୁହେ ।

 

‘ବ’ ଅକ୍ଷର ସମ୍ୱନ୍ଧରେ ଏତେ ବଡ଼ ମୁଖବନ୍ଧ ଦେବା ତାତ୍ପର୍ଯ୍ୟ ଏହି ଚତୁର୍ବିଂଶ ଛାନ୍ଦରେ ‘ବ’ ଅକ୍ଷର ପାଇଁ କବିଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହିଁ । କେବଳ ୨୯ ପଦରେ କହିବା ଅର୍ଥରେ ଓଡ଼ିଆରେ ଅପ୍ରଚଳିତ ‘ବଦତି’ ସଂସ୍କୃତ ଶବ୍ଦଟି ବ୍ୟବହୃତ ହୋଇଛି ଏବଂ ୪୯ ପଦରେ ସୀତା ଶବ୍ଦ ପାଇଁ ‘ବାନ୍ଧବୀ ରାମର’ କହିବାକୁ ପଡ଼ିଛି । ଏହାବ୍ୟତୀତ ଅନ୍ୟାନ୍ୟ ପଦଗୁଡ଼ିକର ଯଥାଯଥ ପ୍ରୟୋଗ କାବ୍ୟର ମହତ୍ତ୍ୱକୁ ବଢ଼ାଇ ଅଛି ।

 

ମହାଭାରତର ଗୋଟିଏ ଉପକଥା ସୁଭଦ୍ରା–ଅର୍ଜୁନଙ୍କ ମିଳନ ବିଷୟକୁ ଉପଜୀବ୍ୟ କରି ‘ସ’ ଆଦ୍ୟରେ ରଖି ‘ସୁଭଦ୍ରା ପରିଣୟ’ କାବ୍ୟ ରଚନା କରିଥିଲେ ମଧ୍ୟ ବୈଦେହୀଶ ବିଳାସରେ କବି ପ୍ରତିଭାର ଯେପରି ସ୍ଫୁରଣ ଘଟିଛି ସୁଭଦ୍ରା ପରିଣୟରେ ସେପରି ହୋଇପାରି ନାହିଁ ।

 

***

 

ଶ୍ରୀ ଶ୍ରୀ ଗଣେଶଙ୍କର ଇତିବୃତ୍ତ

ଶ୍ରୀ ସୁଶୀଲ ଚନ୍ଦ୍ର ଦେ

 

ଭାରତର ହିନ୍ଦୁ ସଂସ୍କୃତି ଆର୍ଯ୍ୟ ଓ ଅନାର୍ଯ୍ୟ ସଂସ୍କୃତିର ସମନ୍ୱୟ । ପ୍ରାଗାର୍ଯ୍ୟ ଯୁଗରେ ଭାରତରେ ମାତୃଦେବୀ ଓ ପିତୃଦେବଙ୍କର ପୂଜା ପ୍ରଚଳିତ ଥିଲା । ମାତୃ ପୂଜା ସିନ୍ଧୁ ସଭ୍ୟତା ଯୁଗର ବହୁ ପୂର୍ବେ ଆରମ୍ଭ ହୋଇଥିଲା । ସିନ୍ଧୁ ସଭ୍ୟତା ଯୁଗରେ ମାତୃଦେବୀ ଓ ପିତୃଦେବଙ୍କ ମୂର୍ତ୍ତି ସହିତ ସେମାନଙ୍କ ପ୍ରତୀକ ଯୋନି ଓ ଲିଙ୍ଗର ଉପାସନା ପ୍ରଚଳିତ ଥିଲା । ଆର୍ଯ୍ୟମାନେ ମୂର୍ତ୍ତି ଉପାସକ ନ ଥିଲେ । ସେଥିପାଇଁ ସେମାନେ ମୂର୍ତ୍ତି-ଉପାସକ ଓ ଲିଙ୍ଗ ଉପାସକ ଅନାର୍ଯ୍ୟ ସମ୍ପ୍ରଦାୟଙ୍କୁ ଘୃଣା କରୁଥିଲେ । ବେଦରେ ଲିଙ୍ଗ ଉପାସକଙ୍କୁ ‘ଶିଶୁଦେବ’ ଓ ମୂର୍ତ୍ତି ଉପାସକଙ୍କୁ ‘ମୂରଦେବ’ ବୋଲି ଘୃଣାର ସହିତ ଉଲ୍ଲେଖ କରାଯାଇଛି । କିନ୍ତୁ କାଳକ୍ରମେ ଆର୍ଯ୍ୟ ଅନାର୍ଯ୍ୟ ସଂସ୍କୃତିର ସମନ୍ୱୟ ହେଲା । ଅନାର୍ଯ୍ୟ ଦେବ ଦେବୀମାନେ ଆର୍ଯ୍ୟ ସଂସ୍କୃତିରେ ସ୍ଥାନ ପାଇଲେ, କେତେକଙ୍କ ଅନାର୍ଯ୍ୟ ନାମର ଆର୍ଯ୍ୟ ସଂସ୍କରଣ ହେଲା । ଉଦାହରଣସ୍ୱରୂପ ଅନାର୍ଯ୍ୟ ଶିଶୁଦେବ ବା ପିତୃଦେବ ରୁଦ୍ର ନାମରେ ଆର୍ଯ୍ୟଦେବ ପର୍ଯ୍ୟାୟଭୁକ୍ତ ହେଲେ । କ୍ରମେ ସେ ମହାଦେବ, ଶିବ, ରୁଦ୍ର ଇତ୍ୟାଦି ଆଖ୍ୟାରେ ଭୂଷିତ ହେଲେ । କିନ୍ତୁ ସେ ଯେ ପ୍ରଥମେ ଅନାର୍ଯ୍ୟ ଦେବତା ଥିଲେ ତାହା ତାଙ୍କର ‘ଗିରୀଶ’, ‘କୃତ୍ତିବାସ’, ‘ଭୂତନାଥ’ ଇତ୍ୟାଦି ଆଖ୍ୟାରୁ ସୂଚିତ ହୁଏ । ସେହିପରି ଶିବଙ୍କର ପତ୍ନୀ ଅନାର୍ଯ୍ୟ ମାତୃଦେବୀ ଆର୍ଯ୍ୟଦେବୀ ପର୍ଯ୍ୟାୟଭୁକ୍ତା ହୋଇ ‘ଶିବାନୀ’, ‘ଭବାନୀ’, ‘ଉମା’, ‘ଅମ୍ୱିକା’ ଇତ୍ୟାଦି ନାମରେ ଭୂଷିତା ହେଲେ । ତତ୍‌ସଙ୍ଗେ ତାଙ୍କୁ ତାଙ୍କର ଅନାର୍ଯ୍ୟ-ଉଦ୍‌ଭବ ପରିଚାୟକ ଆଖ୍ୟା, ଯଥା ପାର୍ବତୀ, ଅପର୍ଣ୍ଣା, କାଳୀ, କରାଳୀ ଇତ୍ୟାଦି ଦିଆଗଲା । ସୁତରାଂ ଶିବ-ପାର୍ବତୀ ଅନାର୍ଯ୍ୟ ପିତୃଦେବ ଓ ମାତୃଦେବୀଙ୍କ ଆର୍ଯ୍ୟ ସଂସ୍କରଣ ।

 

ଶ୍ରୀ ଗଣେଶ ମଧ୍ୟ ପ୍ରଥମେ ଅନାର୍ଯ୍ୟ ଦେବତା ଥିଲେ ବୋଲି ତାଙ୍କର ନାମରୁ ସୂଚିତ ହୁଏ-। ସେ ଗଣମାନଙ୍କର ଅଧିନାୟକ ହୋଇଥିବାରୁ, ତାଙ୍କର ନାମ ଗଣେଶ । ଗଣ ବା ପ୍ରମଥମାନେ ଶିବଙ୍କର ଅନୁଚର । ବେଦରେ ରୁଦ୍ରଙ୍କୁ ମରୁତ୍‌ଗଣଙ୍କର ଅଧିନାୟକ ବୋଲି ବର୍ଣ୍ଣନା କରାଯାଇଛି । ପୌରାଣିକ ଯୁଗରେ ରୁଦ୍ର ଶିବ ହେଲେ ଓ ତାଙ୍କର ମରୁତଗଣଙ୍କୁ ଗଣ କୁହାଗଲା । ଶିବଙ୍କର ଗଣମାନଙ୍କର ଅଧିନାୟକ ରୂପେ ଗଣେଶଙ୍କ ଆବିର୍ଭାବ ହେଲା ଓ ତାଙ୍କୁ ଶିବଙ୍କର ପୁତ୍ର ବୋଲି ବର୍ଣ୍ଣନା କରାଗଲା ।

 

ଗଣେଶ ପ୍ରଥମ ହୋଇଥିବାରୁ ସେ ଅନ୍ୟ ଗଣମାନଙ୍କ ସଦୃଶ ପଶୁ ମସ୍ତକ ବିଶିଷ୍ଟ । ମନ୍ଦିର ଗାତ୍ରମାନଙ୍କରେ ପ୍ରଥମମାନଙ୍କର ଯେଉଁସବୁ ଚିତ୍ର ରହିଛି ସେଥିରେ ସେମାନଙ୍କୁ ପଶୁମସ୍ତକ ବିଶିଷ୍ଟ ଖର୍ବାକୃତି ଓ ଲମ୍ୱୋଦର ରୂପରେ ଚିତ୍ରିତ କରାଯାଇଛି । ଗଣେଶ ମଧ୍ୟ ସେହିପରି ଖର୍ବାକୃତି, ଲମ୍ୱୋଦର ଓ ଗଜାନନ ।

 

ଅନାର୍ଯ୍ୟମାନେ ପଶୁ ଓ ପକ୍ଷୀମାନଙ୍କୁ ତାଙ୍କର ଇଷ୍ଟ ରୂପରେ ପୂଜା କରୁଥିଲେ । ଆର୍ଯ୍ୟ ସଂସ୍କୃତି ସହିତ ଅନାର୍ଯ୍ୟ ସଂସ୍କୃତିର ସମନ୍ୱୟ ଘଟିବା ପରେ ଅନାର୍ଯ୍ୟ-ପୂଜିତ ପଶୁ-ପକ୍ଷୀମାନଙ୍କୁ ଆର୍ଯ୍ୟ ଦେବତାମାନଙ୍କର ବାହନ ବା ନିମ୍ନସ୍ତରର ଦେବତା ରୂପେ ଆର୍ଯ୍ୟ ଦେବ-ଦେବୀମାନଙ୍କ ମଧ୍ୟରେ ସ୍ଥାନ ଦିଆଗଲା । ଉଦାହରଣସ୍ୱରୂପ ବିଷ୍ଣୁଙ୍କ ଗରୁଡ଼, ଲକ୍ଷ୍ମୀଙ୍କ ହସ୍ତୀ, ସୂର୍ଯ୍ୟଙ୍କର ଘୋଡ଼ା ଇତ୍ୟାଦି ପ୍ରଥମେ ଅନାର୍ଯ୍ୟ-ପୂଜିତ ପଶୁ-ପକ୍ଷୀ ଥିଲେ । ସେହିପରି ଆମ୍ଭେମାନେ ଭାସ୍କର୍ଯ୍ୟରେ ଯେଉଁ ନାଗ-ନାଗୀ, ଯକ୍ଷ-ପକ୍ଷିଣୀ ଇତ୍ୟାଦି ଦେଖିବାକୁ ପାଉଁ ସେମାନେ ପ୍ରଥମେ ଅନାର୍ଯ୍ୟ ପୂଜିତ ଦେବତା ଥିଲେ । ପରେ ଆର୍ଯ୍ୟ ସଂସ୍କୃତିରେ ସେମାନଙ୍କୁ ନିଆ ଯାଇ ନିମ୍ନସ୍ତରର ଦେବତା ରୂପେ ଆର୍ଯ୍ୟ ଦେବ-ଦେବୀ ପର୍ଯ୍ୟାୟରେ ସ୍ଥାନ ଦିଆଗଲା । ଭୁବନେଶ୍ୱର ସୁନ୍ଦରପଦାରେ ଥିବା ନାଗ-ନାଗୀ, ମୁକ୍ତେଶ୍ୱର ମନ୍ଦିର ନିକଟରେ ଗୋଟିଏ ସାନ ମନ୍ଦିରରେ ଥିବା ନାଗମୂର୍ତ୍ତି ଓ ମ୍ୟୁଜିୟମରେ ସଂରକ୍ଷିତ ଯକ୍ଷ ମୂର୍ତ୍ତିଗୁଡ଼ିକ ଆର୍ଯ୍ୟ ଦେବଦେବୀ ପର୍ଯ୍ୟାୟଭୁକ୍ତ ଅନାର୍ଯ୍ୟ ଦେବଦେବୀ । ଶ୍ରୀ ଗଣେଶ ଏହିପରି ପ୍ରଥମେ ଅନାର୍ଯ୍ୟ ଦେବତା ହୋଇଥିବାର ଅନୁମାନ କରାହୁଏ ।

 

ଋଗ୍‌ବେଦରେ ବ୍ରହ୍ମଣସ୍ପତି ବୃହସ୍ପତିଙ୍କୁ ଗଣପତି କୁହାଯାଇଛି । (ଋ:ବେ: ୨,୨୩୧) ଇନ୍ଦ୍ରଙ୍କୁ ମଧ୍ୟ ଗଣପତି ବୋଲି ଉଲ୍ଲେଖ କରାଯାଇଛି । (ଋ: ବେ: ୧୦,୧୦,୯) ।

 

ପରବର୍ତ୍ତୀ ଯୁଗରେ ଗଣେଶ ରୁଦ୍ର-ଶିବଙ୍କ ସହିତ ସମ୍ପୃକ୍ତ ହେଲେ । ରୁଦ୍ର-ଶିବ ମରୁତ୍‌ଗଣଙ୍କ ଅଧିନାୟକ ହେଲେ । ରାମାୟଣର ଉତ୍ତରା କାଣ୍ଡରେ ଶିବଙ୍କୁ ଗଣେଶ ବୋଲି ବର୍ଣ୍ଣନା କରାଯାଇଛି । ଆର୍ଯ୍ୟ ଧର୍ମ କ୍ଷେତ୍ରରେ ଶିବ କ୍ରମେ ପ୍ରଧାନ ତିନି ଦେବତାଙ୍କ ମଧ୍ୟରୁ ଜଣେ ହେଲେ । ସମ୍ଭବତଃ ତାଙ୍କର ଏହି ଉନ୍ନତି ପରେ ସେ ଆଉ ଗଣପତି ହୋଇ ରହିଲେ ନାହିଁ । ଫଳରେ ଗଣମାନଙ୍କର ଏକ ନୂତନ ଅଧିନାୟକ ସୃଷ୍ଟି କରାଯାଇ ତାଙ୍କୁ ଗଣେଶ ବା ଗଣପତି ନାମ ଦିଆଗଲା । ଗଣମାନେ ଶିବଙ୍କର ପୁତ୍ରସ୍ୱରୂପ ଥିବାରୁ ଗଣେଶଙ୍କୁ ଶିବପୁତ୍ର ବୋଲି ପୂରାଣମାନଙ୍କରେ ବର୍ଣ୍ଣନା କରାଗଲା । ଗଜ ପଶୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିବାରୁ ଗଣଶ୍ରେଷ୍ଠ ଗଣେଶଙ୍କୁ ଗଜ ମସ୍ତକ କରାଯାଇଥିବାର ଅନୁମାନ ।

 

ଶ୍ରୀ ଗଣେଶ ମଧ୍ୟ ବିନାୟକ ନାମରେ ପରିଚିତ । ଅଥର୍ବସିରସ ଉପନିଷଦରେ ରୁଦ୍ରଙ୍କୁ ବିନାୟକ ବୋଲି ଅଭିହିତ କରାଯାଇଛି । ମହାଭାରତରେ କେତେକ ଅନିଷ୍ଟକାରୀ ଦେବତାଙ୍କୁ ବିନାୟକ ବୋଲି କୁହାଯାଇଛି । ସେମାନେ ସବୁ ଲୋକଙ୍କ କାର୍ଯ୍ୟକୁ ଲକ୍ଷ୍ୟ କରନ୍ତି ଓ ସେମାନେ ସର୍ବତ୍ର ଉପସ୍ଥିତ ଥାଆନ୍ତି (ମହାଭାରତ, ଅନୁଶାସନ ପର୍ବ) । ମାନବ ଗୁହ୍ୟ ସୂତ୍ରରେ ୪ ଜଣ ବିନାୟକଙ୍କ ବିଷୟ ଉଲ୍ଲେଖ ଅଛି । ଯାଜ୍ଞ୍ୟବଳ୍‌କ ସ୍ମୃତିରେ ୪ ଜଣ ବିନାୟକଙ୍କୁ ଗୋଟିଏ ଦେବତା ବୋଲି ବର୍ଣ୍ଣନା କରାଯାଇଛି । ତାଙ୍କର ମାତା ଅମ୍ୱିକା । ଅମ୍ୱିକା ପାର୍ବତୀଙ୍କର ଗୋଟିଏ ନାମ ହୋଇଥିବାରୁ ବିନାୟକ ପାର୍ବତୀଙ୍କ ପୁତ୍ର ହେଲେ । ଏହିପରି ଭାବରେ ଶିବ-ପୁତ୍ର ଗଣେଶ ଅମ୍ୱିକା-ପୁତ୍ର ବିନାୟକ ଏକ ହେଲେ । ସେ ଗଣେଶ-ବିନାୟକ ନାମରେ ଖ୍ୟାତ ହେଲେ । ପୂରାଣମାନଙ୍କରେ ଗଣେଶଙ୍କ ଜନ୍ମ ସମ୍ୱନ୍ଧରେ ଅନେକ ଗଳ୍ପ ସୃଷ୍ଟି ହେଲା । ଶିବ ମହାପୂରାଣରେ (ରୁଦ୍ର ସଂହିତା-କୁମାର ଖଣ୍ଡ) ପାର୍ବତୀ ତାଙ୍କର ଦେହର ମଇଳାରୁ ଗଣେଶଙ୍କୁ ତାଙ୍କର ରକ୍ଷୀ ରୂପେ ସୃଷ୍ଟି କରିଥିଲେ । ସେ ଶିବଙ୍କୁ ପାର୍ବତୀଙ୍କ ନିକଟକୁ ଯିବାପାଇଁ ବାଧା ଦେବାରୁ ଶିବ ତାଙ୍କର ମସ୍ତକ ଛେଦନ କଲେ । କିନ୍ତୁ ପାର୍ବତୀ କାନ୍ଦିବାରୁ ଗୋଟିଏ ଗଜର ମସ୍ତକ ଆଣି ତାଙ୍କ ମୁଣ୍ଡରେ ଲଗାଇ ତାଙ୍କୁ ଜୀବନ ଦାନ କରିଥିଲେ । ସେହିଦିନଠାରୁ ସେ ଗଜାନନ ହେଲେ । ଏହିପରି ଅନେକ ଗଳ୍ପ ଅଛି । ଧର୍ମକ୍ଷେତ୍ରରେ ବିବର୍ତ୍ତନ ଯୋଗୁ ନୂତନ ଦେବତାର ସୃଷ୍ଟି ହେଲେ ସେମାନଙ୍କର ଉଦ୍ଭବ ଓ କ୍ରିୟାକଳାପ ସମ୍ୱନ୍ଧରେ ଅନେକ ଗଳ୍ପ ସୃଷ୍ଟି କରାଯାଇ ସେହି ନୂତନ ଦେବତାଙ୍କୁ ଲୋକ ଚକ୍ଷୁରେ ପ୍ରତିଷ୍ଠିତ କରାଯାଏ । ଗଣେଶଙ୍କ ସୃଷ୍ଟି କିପରି ଭାବରେ ହେଲା ତାହା ଉପରେ ବର୍ଣ୍ଣନା କରାଯାଇଛି । ସେହିସବୁ ବିଚ୍ଛିନ୍ନ ଅଂଶଗୁଡ଼ିକୁ ଗଳ୍ପ ମାଧ୍ୟମରେ ସଂଯୁକ୍ତ କରି ପୂରାଣମାନଙ୍କରେ ଗଣେଶଙ୍କୁ ସୃଷ୍ଟି କରାଯାଇଛି ।

 

ଏଠାରେ ଗୋଟିଏ ବିଷୟ ଉଲ୍ଲେଖଯୋଗ୍ୟ । ଭୁବନେଶ୍ୱରର ପର୍ଶୁରାମ ମନ୍ଦିରରେ ପୂର୍ବପଟ କାନ୍ଥରେ ଯେଉଁ କାର୍ତ୍ତିକ ମୂର୍ତ୍ତି ରହିଛି ତା’ର ଠିକ୍‌ ଉପରେ ଶିବ-ବିବାହର ଗୋଟିଏ ଚିତ୍ର ଖୋଦିତ ହୋଇଛି । ସେହି ଚିତ୍ରରେ ବ୍ରହ୍ମା, ବିଷ୍ଣୁ ଓ ସୂର୍ଯ୍ୟ ସମ୍ଭବତଃ ବରଯାତ୍ରୀ ରୂପେ ବାମ ପାର୍ଶ୍ୱରେ ଦଣ୍ଡାୟମାନ, ମଧ୍ୟରେ ଅଗ୍ନି ଦେବତା ଉପବିଷ୍ଟ, ତାଙ୍କ ସମ୍ମୁଖରେ ଆମସାରଯୁକ୍ତ ଘଟ ସ୍ଥାପିତ ହୋଇଛି । ଘଟ ନିକଟରେ ଗଣେଶ ଉପବିଷ୍ଟ, ଦକ୍ଷିଣ ପାର୍ଶ୍ୱରେ ଶିବ ଓ ଲଜ୍ଜାବନତା ବଧୂବେଶରେ ସଜ୍ଜିତା ପାର୍ବତୀ । ସେମାନଙ୍କ ନିକଟରେ କେତେକ କନ୍ୟାଯାତ୍ରୀ ବା ପାର୍ବତୀଙ୍କ ସହଚରୀବୃନ୍ଦ । ଗଣେଶ ଯେବେ ପାର୍ବତୀଙ୍କ ପୁତ୍ର ହୋଇଥାଆନ୍ତେ, ତେବେ ତାଙ୍କୁ ଶିବ-ପାର୍ବତୀ ବିବାହ ସମୟରେ ଦେଖିବାକୁ ମିଳନ୍ତା ନାହିଁ । ଏହି ଚିତ୍ରରୁ ଜଣାଯାଏ ଯେ ଆନୁମାନିକ ୭ମ ଶତାବ୍ଦୀବେଳକୁ ଓଡ଼ିଶାରେ ଗଣେଶ ପାର୍ବତୀଙ୍କ ପୁତ୍ର ରୂପେ ପରିଚିତ ନ ଥିଲେ।

 

ପ୍ରାକ୍‌ ଗୁପ୍ତଯୁଗ ଶିଳ୍ପରେ ଗଣେଶଙ୍କ ମୂର୍ତ୍ତି ଦେଖିବାକୁ ମିଳେ ନାହିଁ । ଗଣାନୁଚର ପରିବୃତ ଗୋଟିଏ ଗଣେଶଙ୍କ ମୂର୍ତ୍ତି ଭୂମାର ମନ୍ଦିର ଶିଳ୍ପରେ (୬ଷ୍ଠ ଶତାବ୍ଦୀ) ଦେଖିବାକୁ ମିଳେ । କାନପୁର ନିକଟସ୍ଥ ଭିତଗାଓଁ ମନ୍ଦିରରେ ହାତରେ ଲଡ଼ୁ-ପାତ୍ର ଧରି ଉଡ଼ି ଯାଉଥିବାର ଗୋଟିଏ ଗଣେଶ ମୂର୍ତ୍ତି ଦେଖିବାକୁ ମିଳେ । ଏହା ପ୍ରାୟ ଖ୍ରୀଷ୍ଟୀୟ ୫ମ ଶତାବ୍ଦୀର । ତାଙ୍କ ପଛରେ ଅନ୍ୟାନ୍ୟଗଣମାନଙ୍କର ଚିତ୍ର ରହିଛି । ମଥୁରାରେ ବାଲିପଥରରେ ଖୋଦିତ ଗୋଟିଏ ଗଣେଶ ମୂର୍ତ୍ତି ମିଳିଛି । ଏହା ଖ୍ରୀଷ୍ଟୀୟ ୪ର୍ଥ ଶତାବ୍ଦୀର ବୋଲି ଅନୁମାନ କରାହୁଏ । ୫ମ-୬ଷ୍ଠ ଶତାବ୍ଦୀର ଚାଲୁକ୍ୟ ଶିଳ୍ପରେ ଗଣେଶଙ୍କ ସ୍ୱତନ୍ତ୍ର ମୂର୍ତ୍ତି ଦେଖିବାକୁ ମିଳେ, କିନ୍ତୁ ଶିବ ମନ୍ଦିର ଶିଳ୍ପରେ ଗଣେଶଙ୍କୁ ପାର୍ଶ୍ୱଦେବତା ରୂପେ ଦେଖାଯାଏ । ଗଣେଶଙ୍କୁ ସପ୍ତମାତକାଙ୍କ ସହିତ ପ୍ରାୟ ସର୍ବତ୍ର ଦେଖାଯାଏ । ଭେରାଘାଟ ଯୋଗିନୀ ମନ୍ଦିରରେ ଗଣେଶ ଓ ତାଙ୍କର ଶକ୍ତିଙ୍କ ମୂର୍ତ୍ତି ଅଛି । ଏହିପରି ଓଡ଼ିଶାରେ ଓ ଭାରତର ଅନ୍ୟ ସବୁ ରାଜ୍ୟରେ ଅନେକ ଗଣେଶ ମୂର୍ତ୍ତି ଦେଖିବାକୁ ମିଳେ ।

 

ଗଣେଶଙ୍କୁ ତିନୋଟି ଠାଣିରେ ଚିତ୍ରିତ କରାହୁଏ, ସ୍ଥାନକ ବା ଦଣ୍ଡାୟମାନ, ଆସନ ବା ଉପବିଷ୍ଟ ବା ନୃତ୍ୟରତ ଠାଣି । ଲଡ଼ୁ-ପାତ୍ର, ଅଙ୍କୁଶ, ଦଣ୍ଡ ଶୂଳ, ସର୍ପ, ନୀଳୋତ୍ପଳ, ପରଶୁ, ଅକ୍ଷମାଳା, ମୂଳକ ମଧ୍ୟରୁ କେତେକ ବା ସବୁ ଗଣେଶଙ୍କ ହସ୍ତରେ ଦେଖାଯାଏ । ଗଣେଶଙ୍କ ଦୁଇ, ଚାରି, ଛଅ ବା ଆଠ ହାତ ଥାଏ । ତାଙ୍କର ବାହନ ମୂଷା । ଗଣେଶ ମୂର୍ତ୍ତିକୁ ତିନି ଭାଗରେ ବିଭକ୍ତ କରା ହୋଇଛି, ଶକ୍ତି-ଗଣେଶ, ଲକ୍ଷ୍ମୀ-ଗଣେଶ ଓ ଉଚ୍ଛିଷ୍ଟ-ଗଣେଶ । ଏହାଛଡ଼ା ହେରମ୍ୱ ଗଣେଶଙ୍କ ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳେ । ସେ ପଞ୍ଚବକ୍ତ୍ର ଓ ଦଶହସ୍ତ ବିଶିଷ୍ଟ । ପାଶ ପରଶୁ ଦଣ୍ଡ, ଅକ୍ଷମାଳା, ମୁଦ୍‌ଗର, ମୋଦକ, ବାଣ ପ୍ରଭୃତି ଆୟୁଧମାନ ତାଙ୍କ ହସ୍ତରେ ଦେଖାଯାଏ । ତାଙ୍କର ଗୋଟିଏ ହସ୍ତରେ ଅଭୟ ମୁଦ୍ରା ପ୍ରଦର୍ଶିତ । ତାଙ୍କର ବାହନ ସିଂହ ।

 

ଉଚ୍ଛିଷ୍ଟ-ଗଣେଶଙ୍କ ଧ୍ୟାନ,

‘‘ଚତୁର୍ଭୂଜଂ ତ୍ରିନୟନଂ ପାଶାଙ୍କୁଶ ଗଦାଭୟଂ ।

ତୁଣ୍ଡାଗ୍ରେ ତୀବ୍ର ମଧୁକଂ ଗଣନାଥମହଂ ଭଜେ ।

ମହାପୀଠ ନିଷନ୍ନଂ ତଂ ବାମାଙ୍ଗ ପରିସଂସ୍ଥିତଂ ।

ଦେବୀମାଲଙ୍ଗ୍ୟ ଚୁମ୍ୱନ୍ତଂ ସ୍ପୃଶଂସ୍ତ ଶୁଣ୍ଡେନ ବୈ ଭଗଂ ।।

 

ଏହି ଗଣେଶଙ୍କୁ ଗାଣପତ୍ୟମାନଙ୍କ ମଧ୍ୟରେ ବାମାଚାରୀମାନେ ଉପାସନା କରୁଥିଲେ ।

 

ଗଣେଶଙ୍କ ଉପାସକମାନେ ଗାଣପତ୍ୟ ବୋଲି ପରିଚିତ । ଆନନ୍ଦ ଗିରିଙ୍କ ପ୍ରଣୀତ ଶଙ୍କର ବିଜୟ ଗ୍ରନ୍ଥରେ ଗାଣପତ୍ୟଙ୍କ ଛଅଟି ଗୋଷ୍ଠୀର ଉଲ୍ଲେଖ ଅଛି । ସେହି ଛଅ ଗୋଷ୍ଠୀ ଛଅ ପ୍ରକାର ଗଣେଶ, ଯଥା : ମହା-ଗଣେଶ, ହରିଦ୍ରା-ଗଣେଶ, ଉଚ୍ଛିଷ୍ଟ-ଗଣେଶ, ନବନୀତ-ଗଣେଶ, ସ୍ୱର୍ଣ୍ଣ-ଗଣେଶ ଓ ସନ୍ତାନ-ଗଣେଶ ପୂଜା କରୁଥିଲେ ।

 

ଗଣେଶ କିପରି ବ୍ୟବସାୟୀଙ୍କ ପ୍ରଧାନ ପୂଜ୍ୟଦେବତା ହେଲେ ତାହା ଜଣାନାହିଁ । ତେବେ ଖ୍ରୀଷ୍ଟୀୟ ୮୬୧ ସାଲର ଗୋଟିଏ ଶିଳାଲେଖରେ ଉଲ୍ଲେଖ ଅଛି ଯେ ପ୍ରତିହାର ରାଜା କୋକକ୍‌କା ଗୋଟିଏ ଗ୍ରାମରେ ବାଣିଜ୍ୟକେନ୍ଦ୍ର ସ୍ଥାପନ କରି ସେଠାରେ ଗୋଟିଏ ସ୍ତମ୍ଭ ତୋଳାଇ ଥିଲେ । ସେହି ସ୍ତମ୍ଭର ଶୀର୍ଷ ଦେଶରେ ପିଠିକୁ ପିଠି ଲାଗିଥିବା ଚାରିଟି ଗଣେଶ ମୂର୍ତ୍ତି ଅଛି । ଏଥର ମନେହୁଏ ଯେ ୮ମ-୯ମ ଶତାବ୍ଦୀରେ, ଗଣେଶ ଉପାସନାଦ୍ୱାରା ବାଣିଜ୍ୟରେ ସିଦ୍ଧି ଲାଭ ହୁଏ ବୋଲି ଲୋକଙ୍କର ବିଶ୍ୱାସ ଥିଲା ।

 

ଓଡ଼ିଶାର ସବୁ ଶିବମନ୍ଦିରମାନଙ୍କରେ ଗଣେଶଙ୍କୁ ପାର୍ଶ୍ୱ-ଦେବତା ରୂପରେ ଦେଖିବାକୁ ମିଳେ । ସେମାନଙ୍କ ମଧ୍ୟରୁ ପ୍ରାଚୀନତମ ଗଣେଶ ମୂର୍ତ୍ତିଗୁଡ଼ିକ ଆନୁମାନିକ ୬ଷ୍ଠ-୭ମ ଶତାବ୍ଦୀର । ସେହି ସବୁ ଗଣେଶଙ୍କର ମୂଷିକ ବାହନ ନାହିଁ । ସୁତରାଂ ମୂଷିକ ପ୍ରାୟ ୮ମ ଶତାବ୍ଦୀ ବେଳକୁ ଗଣେଶଙ୍କ ସହିତ ବାହନ ରୂପେ ସଂଯୁକ୍ତ ହେଲେ । ପ୍ରାଚୀନ ଗଣେଶ ମୂର୍ତ୍ତିଗୁଡ଼ିକ ବାମ ଗୋଡ଼କୁ ଭାଙ୍ଗି ବସିବା ଭଙ୍ଗୀରେ ଚିତ୍ର କରାଯାଇଛି । କିନ୍ତୁ ପରବର୍ତ୍ତୀ ଯୁଗର ମୂର୍ତ୍ତିଗୁଡ଼ିକ ସାଧାରଣତଃ ସ୍ଥାନକ, ଅର୍ଥାତ୍‌ ଦଣ୍ଡାୟମାନ ଭଙ୍ଗିରେ ଚିତ୍ରିତ । ଲିଙ୍ଗରାଜ ମନ୍ଦିରରେ ଥିବା ଗଣେଶ ସ୍ଥାନକ ମୂର୍ତ୍ତି । ଏହା ଛଡ଼ା ପୁରୀରେ ଓ ଖିଞ୍ଚିରେ ନୃତ୍ୟରତ ଗଣେଶ ମୂର୍ତ୍ତି ଅଛି ।

 

ଭାରତର ସର୍ବତ୍ର ଗଣେଶ ମୂର୍ତ୍ତି ଦେଖିବାକୁ ମିଳେ । ଭାରତର ବାହାରେ ଜାଭା ଦ୍ୱୀପର ବାଡ଼ାଠାରେ ୧୦ମ-୧୧ଶ ଶତାବ୍ଦୀର ଆସନ ଗଣେଶ ଓ କାମ୍ୱୋଜର ମାଇସନଠାରେ ଆନୁମାନିକ ୭ମ ଶତାବ୍ଦୀରେ ସ୍ଥାନକ ଗଣେଶ ମୂର୍ତ୍ତି ଅଛି । ଏହିସବୁ ତଥ୍ୟରୁ ଜଣାଯାଏ ଯେ ଗଣେଶ ପ୍ରାୟ ୪ର୍ଥ-୫ମ ଶତାବ୍ଦୀରେ ଆବିର୍ଭୂତ ହୋଇ କ୍ରମେ ଭାରତର ସର୍ବତ୍ର ଓ ଭାରତର ବାହାରେ ଲୋକପ୍ରିୟ ପୂରପ୍ରଧାନ ପୂଜ୍ୟ ଦେବତା ହେଲେ ।

 

***

 

ଏକାଡେମୀ ସମାଚାର

 

ଶ୍ରେଷ୍ଠ କବିତା ପୁସ୍ତକ ଉନ୍ମୋଚନ-

ତା୨୪।୧୧।୭୯ରିଖ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥ କଳାମଣ୍ଡପଠାରେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ ‘‘ଶତାବ୍ଦୀର ଶ୍ରେଷ୍ଠ କବିତା’’ ପୁସ୍ତକ ଓଡ଼ିଶାର ସାଂସ୍କୃତିକ ବ୍ୟାପାର ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କାଳିନ୍ଦୀ ବେହେରାଙ୍କଦ୍ୱାରା ଉନ୍ମୋଚିତ ହୋଇଥିଲା । ପୁସ୍ତକ ଉନ୍ମୋଚନ କରିବାକୁ ଯାଇ ଶ୍ରୀଯୁକ୍ତ ବେହେରା କହିଲେ ଯେ ବିଂଶ ଶତାବ୍ଦୀର ଶ୍ରେଷ୍ଠ କବିତା ସଙ୍କଳନ ପରି ପ୍ରାଚୀନ ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ତଥା ଦୁଷ୍ପ୍ରାପ୍ୟ କବିତା ସଙ୍କଳନ ମଧ୍ୟ ଏକାଡେମୀ ପକ୍ଷରୁ ପ୍ରକାଶ କରାଯିବା ଉଚିତ୍‌ । ସେ କହିଲେ ଯେ ଆଜିର ଯୁବ-ଲେଖକ ଗୋଷ୍ଠୀ ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତିରେ ଅନୁପ୍ରାଣିତ ହେବା ସମୀଚୀନ ନୁହେଁ ।

 

ଏହି ଉତ୍ସବରେ ସଭାପତିତ୍ୱ କରିଥିବା ଏକାଡେମୀର ସଭାପତି ଡଃ ସଚ୍ଚିଦାନନ୍ଦ ରାଉତରାୟ ନିଜର ଭାଷଣରେ ପୁସ୍ତକ ପ୍ରକାଶନରେ ଦେଖା ଦେଇଥିବା ମୁଦ୍ରଣ ସମସ୍ୟା ବିଷୟ ଉଲ୍ଲେଖ କରିଥିଲେ । ପ୍ରାଚୀନ ଓଡ଼ିଆ କବିତାର ଉତ୍କୃଷ୍ଟ ସଙ୍କଳନ ପ୍ରକାଶ କରାଯିବା ଦିଗରେ ଏକାଡେମୀ ପକ୍ଷରୁ ଉଦ୍ୟମ କରାଯିବ ବୋଲି ସେ କହିଥିଲେ । ଶେଷରେ ସାହିତ୍ୟ ଏକାଡେମୀର ଉପ-ସଭାପତି ଅଧ୍ୟାପକ ରାଜିକିଶୋର ରାୟ ଏକାଡେମୀ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଏହି ଉତ୍ସବ ଆରମ୍ଭରେ ଏକାଡେମୀର ଭାରପ୍ରାପ୍ତ ସମ୍ପାଦକ ପ୍ରାରମ୍ଭିକ ସୂଚନା ଦେବା ପରେ ବି:ଜେ:ବି: କଲେଜର ଛାତ୍ରୀ କୁମାରୀ କଳ୍ପନା ସ୍ୱାଇଁ, କୁମାରୀ ଜୟଶ୍ରୀ ସ୍ୱାଇଁ, କୁମାରୀ ସୌଦାମିନୀ ରାଉତ ଏବଂ ଅଧ୍ୟାପକ ରାଜକିଶୋର ରାୟ ଶ୍ରେଷ୍ଠ କବିତା ସଙ୍କଳନରୁ କେତୋଟି କବିତା ଆବୃତ୍ତି କରିଥିଲେ ଏବଂ ଶ୍ରେଷ୍ଠ କବିତା ସଙ୍କଳନର ସଙ୍କଳକ ଅଧ୍ୟାପକ ଚିନ୍ତାମଣି ବେହେରା ସଙ୍କଳନ ସମ୍ପର୍କରେ ବିଶଦ୍‌ ସୂଚନା ପ୍ରଦାନ କରିଥିଲେ ।

 

ବାଲେଶ୍ୱରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଲୋଚନା ଚକ୍ର-

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବାଲେଶ୍ୱର ଟାଉନ୍‌ହଲରେ ନିକଟରେ ଦୁଇଦିନବ୍ୟାପୀ ଏକ ସାହିତ୍ୟ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଏକାଡେମୀ ଅଧ୍ୟକ୍ଷ ଡଃ ସଚ୍ଚି ରାଉତରାୟ ଏଥିରେ ଉଭୟଦିନ ପୌରୋହିତ୍ୟ କରିଥିଲେ ଏବଂ ଡଃ ହରେକୃଷ୍ଣ ମହତାବ ଏହା ଉଦ୍‌ଘାଟନ କରିଥିଲେ । ପ୍ରଥମ ଦିନ ଅଧିବେଶନରେ ଉଦ୍‌ଘାଟକ ଏବଂ ମୁଖ୍ୟ ଅତିଥି ରୂପେ ଡଃ ମହତାବ କହିଥିଲେ ଯେ ସମନ୍ୱୟହିଁ ଉତ୍କଳୀୟ ସଂସ୍କୃତିର ପ୍ରଧାନ ସ୍ୱର । ଉତ୍କଳୀୟ ସାହିତ୍ୟ ଓ ସଂସ୍କୃତିର ବହୁ ମହତ୍ତ୍ୱପୂର୍ଣ୍ଣ କୃତୀ ଏପର୍ଯ୍ୟନ୍ତ ଲୋକଲୋଚନ ଅଗୋଚରରେ ରହିଛି । ସେସବୁର ପୁନରୁଦ୍ଧାର କରିବା ଏକାନ୍ତ ଦରକାର ବୋଲି ଡଃ ମହତାବ କହିଥିଲେ ।

 

ଡଃ ବେଣୀମାଧବ ପାଢ଼ୀ ଏକ ତଥ୍ୟପୂର୍ଣ୍ଣ ନିବନ୍ଧରେ ଭାରତୀୟ ସଂସ୍କୃତିରେ ଜଗନ୍ନାଥ ଚେତନା ସମ୍ୱନ୍ଧରେ ଆଲୋଚନା କରିଥିଲେ । ଅଧ୍ୟାପକ ଗଙ୍ଗାଧର ବଳ ସଂସ୍କୃତ ସାହିତ୍ୟକୁ ଓଡ଼ିଶାର ଅବଦାନ ସମ୍ୱନ୍ଧରେ ଏକ ତଥ୍ୟ ସମ୍ୱଳିତ ନିବନ୍ଧ ପାଠ କରିଥିଲେ । ଏହାପରେ ଆଲୋଚନା ହୋଇଥିଲା । ଅଧ୍ୟାପକ ପ୍ରହ୍ଲାଦ ମହାନ୍ତି, ଶ୍ରୀ ବ୍ରଜନାଥ ରଥ, ଅଧ୍ୟାପକ ଡଃ ମନୀନ୍ଦ୍ର ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

ଦ୍ୱିତୀୟ ଦିନ ଅଧିବେଶନରେ ସାହିତ୍ୟ ଏକାଡେମୀ ସଭାପତି ଅଧ୍ୟକ୍ଷତା କରିଥିଲେ । ସାହିତ୍ୟ ଏକାଡେମୀ ଉପ-ସଭାପତି ଅଧ୍ୟାପକ ଶ୍ରୀ ରାଜକିଶୋର ରାୟ ସଂଯୋଜକ ଏବଂ ଶ୍ରୀ ଯଦୁନାଥ ଦାସମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ଶ୍ରୀ ବ୍ରଜନାଥ ରଥ ଓଡ଼ିଆ ପ୍ରଗତି-ସାହିତ୍ୟ ଉପରେ ଏକ ସୁନ୍ଦର ପ୍ରବନ୍ଧ ପାଠକରି ସାହିତ୍ୟ ଜନସାଧାରଣଙ୍କ ଜୀବନଚର୍ଯ୍ୟାର ପ୍ରତିଲିପି ବହନ କରିବା ଦରକାର ବୋଲି ମତ ପ୍ରକାଶ କରିଥିଲେ ଓ ଅଧ୍ୟାପକ ଯତୀନ୍ଦ୍ର ମହାନ୍ତି, ଅଧ୍ୟାପକ ଡଃ କୃଷ୍ଣଚରଣ ବେହେରା ଆଧୁନିକ ଓଡ଼ିଆ ସମାଲୋଚନା ସାହିତ୍ୟ ଉପରେ ଏକ ସୁଚିନ୍ତିତ ଭାଷଣ ଦେଇଥିଲେ । ସଂଯୋଜକ ଶ୍ରୀ ରାଜକିଶୋର ରାୟ ସାହିତ୍ୟ ‘ବୃହତ’ର ସନ୍ଧାନ ଦେବା ଆବଶ୍ୟକ ବୋଲି କହିଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଟକଠାରେ କ୍ଷୁଦ୍ରଗଳ୍ପ ଲେଖକ କର୍ମଶାଳା-

ଗତ ଡ଼ିସେମ୍ୱର ମାସ ୯, ୧୦ ଓ ୧୧ ତାରିଖ ତିନି ଦିନବ୍ୟାପୀ କଟକସ୍ଥ ଓ୍ୱାଇ.ଏମ୍‌.ସି.ଏ. ସଭାଗୃହଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ‘‘କ୍ଷୁଦ୍ରଗଳ୍ପ ଲେଖକ କର୍ମଶାଳା’’ ଅନୁଷ୍ଠିତ ହୋଇଥିଲା । ୯ ତାରିଖ ପୂର୍ବାହ୍ନ ୯ ଘଣ୍ଟା ସମୟରେ ବିଶିଷ୍ଟ ଓଡ଼ିଆ କ୍ଷୁଦ୍ରଗଳ୍ପ ଲେଖକ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତି ଏହି କର୍ମଶାଳା ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ଉତ୍ସବରେ ଏକାଡେମୀର ସଭାପତି ଡଃ ସଚ୍ଚିଦାନନ୍ଦ ରାଉତରାୟ ପୌରୋହିତ୍ୟ କରିଥିଲେ ଏବଂ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବରେ ଡଃ କାଳିନ୍ଦୀଚରଣ ପାଣିଗ୍ରାହୀ ଏବଂ ଡଃ ଗୋପୀନାଥ ମହାନ୍ତି ଯୋଗଦାନ କରିଥିଲେ ।

 

ଉଦ୍‌ଘାଟକ ଶ୍ରୀ ମହାନ୍ତି ଲେଖକ କର୍ମଶାଳାକୁ ବ୍ୟାସକବି ଫକୀରମୋହନଙ୍କ ପରବର୍ତ୍ତୀ ଯୁଗର ଏକ ଜୀବନ୍ତ ମ୍ୟୁଜିୟମ ବୋଲି ବର୍ଣ୍ଣନା କରିଥିଲେ । ସେ କହିଲେ ଯେ ଓଡ଼ିଆ ସାହିତ୍ୟ ଇତିହାସରେ କ୍ଷୁଦ୍ରଗଳ୍ପ ଏକ ନବଜାତ ଶିଶୁ । ବିଭିନ୍ନ ଘଟଣା ଓ ଚରିତ୍ର ମାଧ୍ୟମରେ ପ୍ରକାଶିତ ଭାବସ୍ପନ୍ଦନହିଁ କ୍ଷୁଦ୍ରଗଳ୍ପ । ଗଳ୍ପର ଅନ୍ତଃସ୍ୱର ଘଟଣାର ସ୍ଖଳନରେହିଁ ପ୍ରତିଭାତ ହୁଏ । ଏହା ଜୀବନର ଅଭିଜ୍ଞତା ଓ ଗଭୀର ବେଦନାବୋଧ ଅନ୍ୱେଷଣରୁହିଁ ଆସିଥାଏ । ଏହା ନ ରହିଲେ ଗଳ୍ପଗୁଡ଼ିକ ପାଠକ ମନରେ ବିଶେଷ କୌଣସି ରେଖାପାତ କରିବାକୁ ସମର୍ଥ ହୋଇପାରେ ନାହିଁ । ତେଣୁ ଗାଳ୍ପିକମାନେ ଗଳ୍ପର ପ୍ଳଟ୍‌ ଓ ଥିମ୍‌ ମଧ୍ୟରେ ଥିବା ସୀମାରେଖା ସମ୍ପର୍କରେ ଜାଣିବା ଓ ଗଭୀର ଅଭିଜ୍ଞତା ଅର୍ଜ୍ଜନ କରିବା ଦିଗରେ ସଚେଷ୍ଟ ହେବାକୁ ଶ୍ରୀ ମହାନ୍ତି ଆହ୍ୱାନ ଜଣାଇଥିଲେ ।

 

ଡକ୍‌ଟର ପାଣିଗ୍ରାହୀ କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ଗାଳ୍ପିକ ଓ ପ୍ରବନ୍ଧ ଲେଖକମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଏକାଡେମୀର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଲେ । ଏହିଭଳି କର୍ମଶାଳା ଅଧିକରୁ ଅଧିକ ଆୟୋଜନ କରି କ୍ଷୁଦ୍ରଗଳ୍ପର ବିକାଶ ଦିଗରେ ସଚେଷ୍ଟ ହେବାକୁ ସେ ପରାମର୍ଶ ଦେଇଥିଲେ ।

 

ଡକ୍‌ଟର ଗୋପୀନାଥ ମହାନ୍ତି କହିଲେ ଯେ, ଲେଖକର ପ୍ରତିଭା ଓ ଗଭୀର ଅଭିଜ୍ଞତା ପ୍ରତିଭା ଉପରେହିଁ ଗଳ୍ପର ଉତ୍କର୍ଷ ନିର୍ଭର କରେ । ଏ ଦିଗରେ ଲେଖକମାନେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ଗାଳ୍ପିକମାନେ ସେମାନଙ୍କ ଗଳ୍ପରେ ଭାଷା ପ୍ରୟୋଗ ଦିଗରେ ବିଶେଷ ସତର୍କତା ଅବଲମ୍ୱନ କରିବାକୁ ସେ ପରାମର୍ଶ ଦେଇଥିଲେ । ସେ କହିଲେ ଯେ ଭାଷାର ସମୃଦ୍ଧି ଲେଖକମାନଙ୍କ ଉପରେ ନିର୍ଭର କରେ, ତେଣୁ ସାହିତ୍ୟ ଅନୁକୂଳ ଭାଷା ପ୍ରୟୋଗ କରି ଗଳ୍ପ ସାହିତ୍ୟର ଉତ୍କର୍ଷ ବୃଦ୍ଧି ଦିଗରେ ଲେଖକମାନେ ଦୃଷ୍ଟିଦେବା ଆବଶ୍ୟକ ।

 

ଅପରାହ୍ନ ଚାରିଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିବା କର୍ମଶାଳା କାର୍ଯ୍ୟକ୍ରମରେ ଗାଳ୍ପିକ ଶ୍ରୀ ଅଖିଳମୋହନ ପଟ୍ଟନାୟକ, ଅଧ୍ୟାପକ ପଠାଣି ପଟ୍ଟନାୟକ, ଅଧ୍ୟାପକ ଚନ୍ଦ୍ରଶେଖର ରଥ, କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ଉଦୀୟମାନ ଗାଳ୍ପିକ ଓ ପ୍ରାବନ୍ଧିକମାନଙ୍କୁ ଗଳ୍ପ ରଚନାର ବିଭିନ୍ନ ଦିଗ ଓ ବିଭାଗ ସମ୍ପର୍କରେ ବୁଝାଇବା ସଙ୍ଗେ ସଙ୍ଗେ ଓଡ଼ିଆ କ୍ଷୁଦ୍ରଗଳ୍ପର ଧାରା ସମ୍ପର୍କରେ ସମ୍ୟକ୍‌ ସୂଚନା ପ୍ରଦାନ କରିଥିଲେ । ଏହି ଅଧିବେଶନରେ କୁମାରୀ ପୁଷ୍ପାଞ୍ଜଳୀ ନାୟକ, ଶ୍ରୀ ଶୋଭନକୁମାର ଦାସ ଓ ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି ସ୍ୱରଚିତ କ୍ଷୁଦ୍ରଗଳ୍ପ ଏବଂ ଶ୍ରୀ ସୁଧାଂଶୁଶେଖର ପ୍ରଧାନ ସ୍ୱରଚିତ ପ୍ରବନ୍ଧ ପାଠ କରିଥିଲେ ।

 

ତା ୧୦-୧୨-୭୯ ରିଖ ପୂର୍ବାହ୍ନ ଅଧିବେଶନରେ ମହାପାତ୍ର ନୀଳମଣି ସାହୁ ଆଲୋଚକ ଓ ଡଃ କୃଷ୍ଣଚରଣ ବେହେରା ସଂଯୋଜକ ଭାବରେ ଯୋଗଦାନ କରି ଗଳ୍ପ ରଚନା ସମ୍ପର୍କରେ ସ୍ୱୀୟ ଅନୁଭୂତି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଗଳ୍ପ ରଚନାର ବିଭିନ୍ନ କୌଶଳ ସମ୍ପର୍କରେ ସାରଗର୍ଭକ ଆଲୋଚନା କରିବା ସଙ୍ଗେ ସଙ୍ଗେ ଏହି ଅଧିବେଶନରେ ପଠିତ ଶ୍ରୀମତୀ ଯଶୋଧାରା ମିଶ୍ର, ଶ୍ରୀ ପ୍ରଶାନ୍ତ କର ଓ ଶ୍ରୀ ହାଡ଼ିବନ୍ଧୁ ସାହୁଙ୍କ ସ୍ୱରଚିତ ଗଳ୍ପ ଏବଂ ଶ୍ରୀ ଅସିତ ମହାନ୍ତି ଓ ନିହାରରଞ୍ଜନ ଶତପଥୀଙ୍କଦ୍ୱାରା ପଠିତ ପ୍ରବନ୍ଧ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ ।

 

ଅପରାହ୍ନ ଚାରିଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ଅଧିବେଶନରେ ଅଧ୍ୟାପକ ରାଜକିଶୋର ରାୟ ସଭାପତିତ୍ୱ କରିଥିଲେ ଏବଂ ଅଧ୍ୟାପିକା ବୀଣାପାଣି ମହାନ୍ତି ସଂଯୋଜକ ଓ ଡଃ କୃଷ୍ଣପ୍ରସାଦ ମିଶ୍ର ଏବଂ ଅଧ୍ୟାପିକା ସୁଲୋଚନା ଦାସ ଆଲୋଚକ ଭାବରେ ଯୋଗଦାନ କରିଥିଲେ ।

 

ଏହି ଅଧିବେଶନରେ ପ୍ରକାଶ କୁମାର ପରିଡ଼ା, ଶ୍ରୀ ରବି ସ୍ୱାଇଁ ଓ ଶ୍ରୀ ରବିନାରାୟଣ ମିଶ୍ର ସ୍ୱରଚିତ ଗଳ୍ପ ଓ ଶ୍ରୀ ଚନ୍ଦ୍ରଭାନୁ ପଟ୍ଟନାୟକ ସ୍ୱରଚିତ ପ୍ରବନ୍ଧ ପାଠ କରିଥିଲେ ।

 

ଉଭୟ ଅଧିବେଶନରେ ଏକାଡେମୀର ସଭାପତି ଡଃ ସଚ୍ଚିଦାନନ୍ଦ ରାଉତରାୟ କର୍ମଶାଳାର ମୁଖ୍ୟ ପରିଚାଳକ ଭାବରେ ଯୋଗଦାନ କରିଥିଲେ ।

 

୧୧-୧୨-୭୯ ତାରିଖ ପୂର୍ବାହ୍ନ ଅଧିବେଶନରେ ଅଧ୍ୟାପକ ବୈଷ୍ଣବ ଚରଣ ସାମଲ ସଂଯୋଜକ ଏବଂ ଅଧ୍ୟାପକ ବିଭୂତି ପଟ୍ଟନାୟକ ଯୋଗଦାନ କରି ପଠିତ ଗଳ୍ପ ଓ ପ୍ରବନ୍ଧ ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଗଳ୍ପ-ସାହିତ୍ୟର ଶୈଳୀ, ଆଂଶିକ ଓ ବିଭିନ୍ନ ବିଭାବ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅଧିବେଶନରେ କୁମାରୀ ଅଞ୍ଜଳୀ ପାଢ଼ୀ ସ୍ୱରଚିତ ଗଳ୍ପ ଓ ଶ୍ରୀ କମଳାକାନ୍ତ ମହତତ୍ତ୍ୱା, ଶ୍ରୀ ନରେନ୍ଦ୍ର ପ୍ରସାଦ ଦାସ ସ୍ୱରଚିତ ପ୍ରବନ୍ଧ ପାଠ କରିଥିଲେ । ଅଧିବେଶନରେ ପୌରୋହିତ୍ୟ କରିଥିଲେ ଏକାଡେମୀର ସଭାପତି ଡ଼ଃ ସଚ୍ଚିଦାନନ୍ଦ ରାଉତରାୟ ।

 

୧୧-୧୨-୭୯ ତାରିଖ ଅପରାହ୍ନ ଛ’ଟା ବେଳେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାର ଉଦ୍‌ଯାପନ ଉତ୍ସବରେ ଡଃ ହରେକୃଷ୍ଣ ମହତାବ ସଭାପତିତ୍ୱ କରିଥିଲେ ଏବଂ ମୁଖ୍ୟ ଅତିଥି ରୂପେ ଶ୍ରୀ ସୁରେନ୍ଦ୍ର ମହାନ୍ତି, ସମ୍ମାନିତ ଅତିଥି ରୂପେ ନିତ୍ୟାନନ୍ଦ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ଶ୍ରୀ ଦୁର୍ଗାମାଧବ ମିଶ୍ର ଯୋଗ ଦେଇଥିଲେ ।

 

ଏହି ଉତ୍ସବ ଆରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟ ଯୁକ୍ତରାଷ୍ଟ୍ର ଆମେରିକାର ଆଇଓ୍ୱା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ପରିଚାଳିତ ଲେଖକ କର୍ମଶାଳା ବିଷୟ ଉଲ୍ଲେଖ କରି କହିଲେ ଯେ ତରୁଣ ଲେଖକ ଲେଖିକାମାନଙ୍କ ସୃଷ୍ଟିଶିଳ୍ପକୁ ଉତ୍ସାହିତ କରିବାକୁ ଏକ କର୍ମଶାଳାର ଆୟୋଜନ କରାଯାଇଛି ।

 

ସମ୍ମାନିତ ଅତିଥି ଶ୍ରୀ ନିତ୍ୟାନନ୍ଦ ମହାପାତ୍ର କହିଲେ ଯେ ସାମ୍ପ୍ରତିକ ସାହିତ୍ୟ ଓ ସାହିତ୍ୟିକ ଆଜି ‘‘ଏଷ୍ଟାବ୍ଲିସମେଣ୍ଟ’’ ବା ଶାସନ ସଂସ୍ଥା ଅକ୍ଟୋପଶଦ୍ୱାରା ବିଚଳିତ ହୋଇ ପଡ଼ିଛି । ନିଜ ଜୀବନର ମାର୍ଗ ବିଷୟ ଉଲ୍ଲେଖ କରି ସେ କହିଲେ ଯେ ଗୋପବନ୍ଧୁ, କୁନ୍ତଳା କୁମାରୀ ସାବତ, ଡକ୍ଟର ମହତାବ ଓ ବାଞ୍ଛାନିଧି ମହାନ୍ତି ପ୍ରଭୃତିଙ୍କ ସାହିତ୍ୟ ଯେଭଳି ଉନ୍ମାଦନା ସୃଷ୍ଟି କରୁଥିଲା, ତାହା ଆଜିର ସାହିତ୍ୟରେ ଅନୁପସ୍ଥିତ ।

 

ଏହି ଲେଖକ କର୍ମଶାଳାରେ ଅଂଶଗ୍ରହଣ କରିଥିବା ଯୁବ ଲେଖକ ଶ୍ରୀ ଶୋଭନ କୁମାର ଦାସ ଓ ଅସୀତ କୁମାର ମହାନ୍ତି ଭାଷଣ ଦେଇଥିଲେ । ଡକ୍ଟର ମହତାବ କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ଗାଳ୍ପିକ ଓ ପ୍ରାବନ୍ଧିକମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ । ସେମାନେ ହେଲେ ସର୍ବଶ୍ରୀ ନରେନ୍ଦ୍ର ପ୍ରସାଦ ଦାସ, ପ୍ରଶାନ୍ତ କୁମାର କର, ପ୍ରକାଶ କୁମାର ପରିଡ଼ା, ଲକ୍ଷ୍ମୀନାରାୟଣ ମହାନ୍ତି, ହାଡ଼ିବନ୍ଧୁ ସାହୁ, ନିହାର ରଞ୍ଜନ ଶତପଥୀ, ରବିନାରାୟଣ ମିଶ୍ର, ଶୋଭନ କୁମାର ଦାସ, ଅସୀତ କୁମାର ମହାନ୍ତି, କୁମାରୀ ଅଞ୍ଜଳୀ ପାଢ଼ୀ, ସୁଧାଂଶୁ ଶେଖର ପ୍ରଧାନ, ଶ୍ରୀମତୀ ଯଶୋଧାରା ମିଶ୍ର, କୁମାରୀ ପୁଷ୍ପାଞ୍ଜଳୀ ନାୟକ, ଚନ୍ଦ୍ରଭାନୁ ପଟ୍ଟନାୟକ, ରବି ସ୍ୱାଇଁ ଓ କମଳାକାନ୍ତ ମହାପାତ୍ର ।

 

***